Unknown

 

 

 

 

 

 

 

 

 

 

 

କନ୍ୟା ସୁନା

ଶ୍ରୀ ହରିଚରଣ ଗିରି

 

ଏକ

 

ଶୁକ୍ଲ-ଦଶମୀର ଚାନ୍ଦ ରୂପେଲୀ କିରଣ ଜାଳରେ ପୃଥିବୀପୃଷ୍ଠ ପ୍ଲାବିତ କରି ପ୍ରାଚୀମୂଳରେ ହସି ଉଠିଲେ । ମନ ମତାଣିଆ ବାସନ୍ତୀ ଗାୟିକା କଳକୋକିଳାର କଣ୍ଠରେ କଣ୍ଠ ମିଳାଇ ଟେଣ୍ଟୋଇ । ଶଶଧରଙ୍କର ସ୍ୱାଗତ ସଙ୍ଗୀତ ଗାଇ ଗାଇ ଚାଲିଗଲା କେଉଁଦୂର ରାଇଜକୁ । ପାଚିଲା ଆମ୍ୱରସ ଆଶାୟୀ ବାଦୁଡ଼ିମାନେ ସହକାର ଶାଖାରେ ଅବିରାମ କେଁ କଟର ଶବ୍ଦରେ ଗଗନ ପ୍ରତିଧ୍ୱନିତ କରିବାକୁ ଲାଗିଲେ । ଗ୍ରାମ ସୀମାନ୍ତ ବନବିହାରୀଙ୍କ ଦେଉଳରେ ସନ୍ଧ୍ୟା ଆରତିର ଘଣ୍ଟ ବାଜି ଉଠିଲା । କୋକିଳ ଦାଣ୍ଡ ଦୁଆର ଚଉରା ମୂଳରେ ତିନୋଟି ସଞ୍ଜ ଶଳିତା ଜଳାଇ ଦେଇ ଦଣ୍ଡ ପ୍ରଣାମ କଲା । ହାତଯୋଡ଼ି ଠିଆହେଲା ପହଡ଼େ । ତା’ପରେ ଚାଲି ଗଲା ସିଧାସିଧା ଗାଁ ଜମିଦାର ଦୀନବନ୍ଧୁ ପଟନାୟକଙ୍କ ସଦର ଦରଜା ଆଡ଼େ ।

 

ନିତିଦିନ ପରି କାନ୍ଥରେ ଝୁଲୁଥିଲା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତ୍ରିମୂର୍ତ୍ତିଙ୍କର ଫଟୋ ଆଗରେ ସଞ୍ଜବତୀ ଜଳାଇ ଦେଇ ମାଳତୀ ଧ୍ୟାନରେ ବସି ରହିଲା । ଧ୍ୟାନ ଶେଷରେ ସାଷ୍ଟାଙ୍ଗ ପ୍ରଣିପାତ କଲା । ଉଠି ବସିଲା ବେଳକୁ କୋକିଳ ପଛଆଡ଼ୁ ଛପି ଛପି ଯାଇ ଅଜାଡ଼ି ହୋଇପଡ଼ିଲା ତା’ ପିଠି ଉପରେ । ମାଳତୀ ମୁରୁକି ହସି କହିଲା–‘‘କିଏ କୋଇଲି । ଆଲୋ ମୋ ଉପରେ କିଆଁ ପଡ଼ୁଚୁ ମ ? ତୋ ବର ତ–’’ମାଳତୀର କଥା ଶେଷ ହେଲା ନାହିଁ । କୋକିଳ ତା’ର କୁସୁମ କୋମଳ ସାନ କର ପଲ୍ଲବଟି ନେଇ ମାଳତୀର ଓଠ ଉପରେ ଚାପିଧରିଲା । ମାଳତୀ କୋକିଳକୁ କୋଳକୁ ଟାଣିନେଲା । ତା’ର କପାଳରେ କେତେ ଚୁମା ଖାଇଲା । ଆଦରର ଆତିଶଯ୍ୟରେ କୋକିଳର ବାକ୍‍ସ୍ଫୁର୍ତ୍ତି ହେଲା ନାହିଁ । ମାଳତୀର ବି ସେହି ଅବସ୍ଥା । ସେ ସ୍ପର୍ଶମୁଖରେ କି ମାଦକତା ଥିଲା କେଜାଣି ପଲକ ହୀନ ପିପାସିତ ଚାହାଁଣିରେ ଉଭୟେ ପରସ୍ପରକୁ ଚାହିଁ ରହିଲେ କେବଳ ।

 

ମାଳତୀ କୋକିଳର ଅଯତ୍ନବିନ୍ୟସ୍ତ କେଶଗୁଚ୍ଛରେ ଅଙ୍ଗୁଳି ସଞ୍ଚାଳନ କରୁ କରୁ କହିଲା, ‘‘ଏବେ ଉଠ, ମହାଭାରତ ପଢ଼ିବୁ ଯେ ।’’ କୋକିଳ ଅକିକରି ମାଳତୀ ଅପାର ଚିବୁକ ଧରି କହିଲା, ନାଇ ତୁ ଆଗ କହ ସେ କଥା’’ ।

 

‘‘କୋଉ କଥା ?’’

 

‘‘କାଲି ଯୋଉ କଥା କହୁଥିଲୁ ।’’

 

‘‘କାଇଁ ମୋର ତ ହେଜ ହଉନି ।’’

 

‘‘ଆଉ କ’ଣ ? ହେଜ ହେଉନି ନା ? କହି ନଥିଲୁ ମହାଭାରତ ପଢ଼ିବାବେଳେ କହିବୁ ବୋଲି ?’’

 

‘‘ଓ–ତୋର ବାହାଘର କଥା ହଉ କହୁଚି ଶୁଣ ।’’

 

କୋକିଳର ବଧୂଲୀ ଅଧରରେ ମୃଦୁ ମଧୁର ହାସ୍ୟରେଖା ଫୁଟିଉଠିଲା । କହିଲା, ‘‘ନା ମୁଁ ଶୁଣିବିନି ।’’ ମାଳତୀ ଉଚ୍ଚହାସ୍ୟରେ ପ୍ରକୋଷ୍ଠ ପ୍ରକମ୍ପିତ କରି କହିଲା, ‘‘ଶୁଣିବୁନି ? ନଶୁଣ । ଲାଜ ମାଡ଼ୁଚି ନା ? ଉଠ୍ ମୋ କୋଳରୁ ଉଠ୍ ।’’ ମାଳତୀ କୋକିଳକୁ ଠେଲି ତା’ର କୋଳରୁ ଉଠାଇଦେବାକୁ ଚେଷ୍ଟାକଲା । କୋକିଳ ଏମିତି ଯୋଗରେ ଜାବୁଡ଼ି ଧରିଲା ଯେ ମାଳତୀ କୌଣସି ମତେ ତା’କୁ ଉଠାଇ ଦେଇପାରିଲା ନାହିଁ । ତା’ର ପଲ୍ଲବ ପେଲବ ଚାରୁ ଗଣ୍ଡରେ କୋମଳ ଚପେଟାଘାତ କରି କହିଲା, ‘‘କହୁଚି କ’ଣନା ମୁଁ ଶୁଣିବି ନି ।’’

 

‘‘ନା, ମୁ ତ ଶୁଣିବିନି ।’’

 

‘‘ହେଲା ସେକଥା ସିନା ଶୁଣିବୁନି । ଜଉଗଡ଼ କଥା ଶୁଣିବୁ କି ନାଇଁ ?’’

 

‘‘କ’ଣ’’ ?

 

ମାଳତୀ ଆରମ୍ଭ କଲା ‘‘ଜଉଗଡ଼ ଗାଁର ଫକୀର ମିଶ୍ରଙ୍କ ପୁଅ ମଧୁମିଶ୍ର ସେ କଟକରେ ଏମ୍.ଏ. ପଢ଼ନ୍ତି । ତାଙ୍କ ପାଇଁ ଘଟକ ଦନେଇ ମିଶ୍ର, କନ୍ୟା ଖୋଜି ବୁଲୁଚନ୍ତି । ପଅରିଦିନ ଗୋଟିଏ କନ୍ୟାପାତ୍ର ଠିକ୍ କରି କଥାବାର୍ତ୍ତା କରିଯାଇଚନ୍ତି । ସବୁ ବିଷୟ ପକାହୋଇ ରହିଚି । ଖାଲି ‘‘କନ୍ୟାସୁନା’’ ନେଇ କଥା ଅଟକିଛି ।’’

 

‘‘କନ୍ୟାସୁନା କ’ଣ ?’’ କୋକିଳ ପଚାରିଲା ।

 

‘‘କନ୍ୟାପକ୍ଷ ବରପକ୍ଷଠାରୁ ଯୋଉ ଟଙ୍କା ନିଅନ୍ତି, ତା’କୁଇ କହନ୍ତି ‘‘କନ୍ୟାସୁନା ।’’

 

‘‘କନ୍ୟାପକ୍ଷ ଟଙ୍କା କାହିଁକି ନିଅନ୍ତି ?’’

 

ବୋଧହୁଏ ବାହାଘର କରିବାକୁ ତାଙ୍କର ବଳ ନଥାଏ ।

 

‘କନ୍ୟାସୁନା’ ଟଙ୍କା ନେଇ ଖର୍ଚ୍ଚପତ୍ର କରନ୍ତି ।’’

 

‘‘ଜଉଗଡ଼ ବାହାଘର ‘‘କନ୍ୟାସୁନା’’ ପାଇଁ କେମିତି ଅଟକିଛି ?’’

 

‘‘କନ୍ୟାପକ୍ଷ ବର ତରଫରୁ ଦୁଇ ଶ’ହ ଟଙ୍କା କନ୍ୟାସୁନା ଚାହାଁନ୍ତି । ୟାବାବ ଚୂଡ଼ି, ହାର, ଅନନ୍ତ ଏସବୁ ସୁନା ଅଳଙ୍କାର ଦେବାକୁ ବି ଦାବି କରନ୍ତି । ଘଟକ ବର କର୍ତ୍ତାଙ୍କଠାରୁ ବୁଝି ଯବାବ ଦେବେ ବୋଲି କହିଯାଇଛନ୍ତି । ବରତରଫ ଏଥିରେ ରାଜି ହେଲେ ବାହାଘର ହବ ନ ହେଲେ–

 

‘‘ନହେଲେ କ’ଣ ହବ ?’’

 

‘‘ବାହାଘର ହବନି ।’’

 

କୋକିଳ ଅନ୍ୟମନସ୍କ ଭାବରେ ଉଠି ବସିଲା । ମାଳତୀ ହସି ହସି କହିଲା ‘‘ଶୁଣିଲୁତ ସବୁ ? ନାହିଁ କରୁଥିଲୁ ପରା ।’’ କୋକିଳ ଚମକି ଉଠିଲା । ୟେ ସବୁ ତେବେ ତାରି ବାହାଘର ନେଇ ।

 

‘‘ସତେ କୋଇଲି ! ତୋର ମୂଲ୍ୟ ଏତେ ହେବ ମୁଁ ଜାଣିନଥିଲି ।’’ ମାଳତୀର ଏଇ ଶେଷ କେଇପଦ କଥାରେ କୋକିଳ ବଡ଼ ବିଚଳିତ ହୋଇ ପଡ଼ିଲା । ତାରି ନନା ଦୁଇ ଶ’ହ ଟଙ୍କା କନ୍ୟାସୁନା ଆଉ ସୁନାର ଅଳଙ୍କାର ପାଇଁ ଜିଦ୍‍ଧରି ଥିବା କଥାଟାକୁ ବାଳିକା କୋକିଳ ପସନ୍ଦ କରିପାରିଲା ନାହିଁ । ‘‘ସତେ କୋଇଲି, ତୋର ମୂଲ୍ୟ ଏତେ ହେବ’’ ଏଇ କେଇପଦ କଥା ରହି ରହି ତା’ କାନରେ ପ୍ରତିଧ୍ୱନିତ ହେବାକୁ ଲାଗିଲା । ସେ ଭାବିଲା, - ମୁଁ ବିକା ହେଉଚି ତେବେ ? ବାହାଘର କ’ଣ କିଣାବିକା ସଉଦା ? ଟଙ୍କା ସୁନା ମୂଲ୍ୟରେ କନ୍ୟା ବିକାଯାନ୍ତି ? ରାମଚନ୍ଦ୍ର ଶିବଧନୁ ଭାଙ୍ଗୀ ସୀତାଙ୍କୁ ବିଭା ହେଲେ । ଅର୍ଜୁନ ଲାଖ ବିନ୍ଧି ଦୌପଦୀଙ୍କୁ ପାଇଲେ । ଧନୁ ଭଙ୍ଗ, ଲାଖବିନ୍ଧା ଏ ସବୁ କ’ଣ ଟଙ୍କା ସୁନାର ହିସାବରେ କଷଟ ହୋଇଥିଲା ? ସେ ହୋଇଥିଲା ପରୀକ୍ଷା-। କନ୍ୟାଦାନ କରିବା ଆଗରୁ ବରର ଯୋଗ୍ୟତା ପରୀକ୍ଷା କରି । - ସେତ କନ୍ୟାପିତାର କର୍ତ୍ତବ୍ୟ-। ବରର ଯୋଗ୍ୟତା ପରୀକ୍ଷା କରିବା ଆଉ ଅର୍ଥ ଚାହିଁବା କ’ଣ ଏକା କଥା ? ତା’ ମନ ମଧ୍ୟରେ ଏକ ବିରାଟ ଆଲୋଡ଼ନ ସୃଷ୍ଟି ହେଲା । ସେ ଭାବିଲା–ଧନପତି ରଜା ମହାରାଜାଙ୍କର ଟଙ୍କା ସୁନାର ଅଭାବ ନଥିଲା । ସେମାନେ କାହିଁକି ବରଠାରୁ କିଛି ଚାହାଁନ୍ତେ ? ସାଧାରଣ ଲୋକେ କ’ଣ କରୁଥିଲେ ? ମାଳତୀ ଅପା ପାଖରେ ବସି ସେ ଯେତେ ଯେତେ ଶାସ୍ତ୍ର ପୁରାଣ ପଢ଼ିଥିଲା ଆଉ ଶୁଣିଥିଲା, ସେ ସବୁ ବିଷୟ ହୃଦ ଭିତରେ ହେଜ କଲା । ମନେ ମନେ ଅନେକ ଖୋଜିଲା । କେହି କେଉଁଠି କନ୍ୟାସୁନା ଚାହିଁଥିବା କଥା ତା’ର ମନେପଡ଼ିଲା ନାହିଁ । ପୁଣି ଭାବିଲା ଏତ ଆଉ ସେ ଯୁଗ ନୁହେଁ । ଏ କଳିଯୁଗରେ ବା ସେଭଳି ଚଳଣି ଥିବ । ମାଳତୀ ଅପା ପାଖରେ ନ ହେଲେ ବି ପଡ଼ିଶା ଅଡ଼ିଶା କଥାବାର୍ତ୍ତାରେ ସେ ‘କନ୍ୟାସୁନା ଶବ୍ଦ କେତେଥର ଶୁଣିଚି । ହେଲେ ତା’ର ଅର୍ଥ ବୁଝିନଥିଲା ।

 

ଲାବଣ୍ୟମୟୀ ରାତ୍ରିଭୋଜନ ପାଇଁ ଅନ୍ନବ୍ୟଞ୍ଜନ ବଢ଼ାବଢ଼ି କରୁଛନ୍ତି । କୋକିଳ ରୋଷେଇ ଘର ବାରଣ୍ଡାରେ ବାଉଁଶ ଖୁଣ୍ଟିକି ଧରି ଠିଆହୋଇଛି । ବାଢ଼ୁ ବାଢ଼ୁ ଲାବଣ୍ୟମୟୀ ମଝିରେ ମଝିରେ ଡାକ ଦେଉଛନ୍ତି–‘‘ଏମିତି କାଠଟି ପରି ଠିଆହୋଇ ରହିଲୁ କାହିଁକି ମା !’’ କୋକିଳ ତୁଣ୍ଡରେ କଥା ନାହିଁ । ଲାବଣ୍ୟମୟୀ ବଡ଼ ଚିନ୍ତିତା ହୋଇଉଠିଲେ । ମାଳତୀ କ’ଣ କିଛି କଟୁକଥା କହିଛି ?

 

କୋକିଳ ଦୁଇଓଳି ବଢ଼ାବଢ଼ି ବେଳେ ରନ୍ଧାଘରେ ଉପସ୍ଥିତ ରହେ । ମା’ଙ୍କର ଅନ୍ନ ବ୍ୟଞ୍ଜନ ପରିବେଷଣ କୌଶଳ ଲକ୍ଷ୍ୟ କରେ । ଏଇଟା କ’ଣ ସେଇଟା କ’ଣ ନାନା ପ୍ରଶ୍ନକରେ । ‘‘ନନାଙ୍କର ଭଜା କମ୍ ହୋଇଚି–ଆଜି ଭାତ ଭଲ ଦିଶୁଚି–ମୁଁ ଏ ପୋଇ ତରକାରୀ ଖାଇବିନି’’ ଇତ୍ୟାଦି ବାର ରକମ ମନ୍ତବ୍ୟ କରେ । ଆଜି ତା’ର ସେ ଦିଗରେ ନଜର ନାହିଁ । ତା’ର ମୂର୍ତ୍ତି ଗମ୍ଭୀର ! ଅତିଶୟ ଗମ୍ଭୀର । ସତେ ଯେପରି କୌଣସି ଏକ ଦୁରୂହ ପ୍ରଶ୍ନର ସମାଧାନରେ ଅନ୍ୟମନସ୍କ । ଜନନୀଙ୍କର କାମ ସେ ଦେଖିଦେଖୁ ନାହିଁ । ତା’ ହୃଦୟରେ ଆବେଗ ନାହିଁ । କଥା କହିବାରେ ଆଗ୍ରହ ନାହିଁ । ଚାହାଁଣୀରେ ଚଞ୍ଚଳତା ନାହିଁ । ହସ୍ତପଦରେ କ୍ଷିପ୍ରତା ନାହିଁ । କୌଣସି କର୍ମରେ ଇଚ୍ଛା ବି ନାହିଁ ।

 

ଲାବଣ୍ୟମୟୀ ସ୍ୱାମୀଙ୍କୁ ଅନ୍ନବ୍ୟଞ୍ଜନ ପରଶି ଦେଲେ । ମିଶ୍ରେ ଭୋଜନରେ ବସନ୍ତେ ସେ କୋକିଳ ପାଖକୁ ଆସି ତା’ର ମୁଣ୍ଡ ଆଉଁଶି ଆଦର କରି କହିଲେ, ‘‘ଆ,ମା, ଭାତ ଥଣ୍ଡା ହୋଇଯାଉଚି ପରା ।’’

 

‘‘ନା ବୋଉ ! ମୋ ପେଟ କ’ଣ ହଉଚି । ମୁଁ ଖାଇବିନି ! ଯାଉଚି ଶୋଇବି ।’’

 

କୋକିଳ ଲାବଣ୍ୟମୟୀଙ୍କର ନୟନର ତାରା, ମସ୍ତକର ମଣି ହୃଦୟର ହାର । ସେ ନ ଖାଇଲେ ଲାବଣ୍ୟମୟୀଙ୍କ ପେଟକୁ କି ଅନ୍ନ ଯାଏ ? କୋକିଳକୁ କୋଳରେ ବସାଇ କେତେ ବଳାବଳି କଲେ । ରାଣ ନିୟମ ପକାଇଲେ । ମିଶ୍ରେ ବି ଦରଖିଆ ହୋଇ ଉଠିପଡ଼ିଲେ । ଆଦରିଣୀ କନ୍ୟାର ଶିଖିଲା ମୁହଁ ଦେଖି ଆଖି ତାଙ୍କର ଛଳ ଛଳ ହୋଇ ଆସିଲା ।

 

ବିଚାରୀ କୋକିଳ । ସେ ଏକ ଅଗ୍ନିପରୀକ୍ଷାର ସମ୍ମୁଖୀନ । ଏକ ବିଗରେ କନ୍ୟାସୁନା ପାଇଁ ପିତାଙ୍କର ଅହେତୁକ ଜିଦ୍ ତାଙ୍କୁ ଉତ୍‍କ୍ଷିପ୍ତ କରି ତୋଳୁଛି । ଅନ୍ୟ ଦିଗରେ ତାଙ୍କର ସରଳ ମଧୁର ଅନାବିଳ ସ୍ନେହ, ଆକପଟ ଆଦର ତା’କୁ ଅଭିଭୂତ କରିପକାଉଛି । ମନ ଭିତରୁ ଉଠି ଆସୁଚି କେତେ କଥା । ନନାଙ୍କ ମୁହଁକୁ ଚାହିଁଲାକ୍ଷଣି ପାଟି ବୁଜି ହୋଇଯାଉଛି ଆପେ ଆପେ । ବାତ୍ସଲ୍ୟ ମମତା’ର ବିଜୟ ସବୁଠି । ମାତା ପିତାଙ୍କର ସ୍ନେହ ମମତାରେ ଦଣ୍ଡକ ପାଇ ତା’ ହୃଦୟରୁ ସବୁ ଦୁଃଖ ଗ୍ଲାନି ଦୂର ହୋଇଗଲା । ଇଚ୍ଛା ନଥିଲେ ବି ସେ ଖାଇ ବସିଲା । ହେଲେ ଭାତ ଗରମ କି ଥଣ୍ଡା, ତରକାରୀ ଲୁଣିଆକି ଅଲଣା, ବୁଝିବା ତା’ ପକ୍ଷରେ ଅସମ୍ଭବ ଥିଲା ।

 

କୋକିଳ ଶୋଇଲା । ମାତ୍ର ସେ ରାତ୍ରିରେ ନିଦ୍ରାଦେବୀଙ୍କ ସହିତ ତା’ର ସାକ୍ଷାତ୍‍ ସୁଦ୍ଧା ହେଲା ନାହିଁ । ଭାବନା ପରେ ଭାବନା । ଚିନ୍ତାପରେ ଚିନ୍ତା । ସେ ବିଛଣାରେ ପଡ଼ି କେବଳ ଚଟପଟ ହେବାକୁ ଲାଗିଲା । ତା’ର ଅନ୍ତରାତ୍ମା ରହି ରହି କାନ୍ଦି ଉଠିଲା । ଘଟକ ଦନେଇ ମିଶ୍ରଙ୍କୁ ତା’ର ନନା କହିଛନ୍ତି, ‘‘କନ୍ୟାସୁନା ନଗଦ ଦୁଇ ଶ’ହ ଟଙ୍କା ଆଉ ଅଳଙ୍କାର ତିନୋଟି ସୁନାର ନ ହେଲେ ସେ ସମ୍ୱନ୍ଧ କରିପାରିବେ ନାହିଁ’’ ଛି ଛି କେଡ଼େ ଲାଜକଥା । ସେ ବୋହୂ କରିବା ପାଇଁ ସିନା ସମ୍ୱନ୍ଧ ଖୋଜିଆସିଥିଲେ । ପୋଇଲୀ ପରିବାରୀ ତ ଚାହୁଁନଥିଲେ । ନନା ଏପରି ପ୍ରସ୍ତାବ କାହିଁକି କଲେ ? ସେ ଗରିବ, ବାହାଘର ଖର୍ଚ୍ଚ ତୁଲେଇପାରିବେ ନାହିଁ । ଧାର କରଜ କଲେ ଶୁଝିବାର କ୍ଷମତା ନାହି– ଏଇତ ? ହେଲା, ଯେବେ ସେଇଆ ଭାବିଥାନ୍ତି, ଟଙ୍କା ଚାହିଁବା କ’ଣ ଠିକ୍ ହେଲା ? ସେତ ଝିଅ ଦେଇ ଜ୍ୱାଇଁ ପାଇବେ ! ଜ୍ୱାଇଁ କ’ଣ ପର ? ପୁଅ ବଦଳେ ପୁଅ ସେ । ନନା ଖୋଲା ଖୋଲି ସବୁକଥା କହିଦେଇଥିଲେ କେଡ଼େ ଭଲ ହୋଇନଥାନ୍ତା ? ସେ ଯେବେ କହିଥାନ୍ତେ–‘‘ତୁମେତ ମୋର ଅବସ୍ଥା ଦେଖୁଛ, ବିବାହ କାର୍ଯ୍ୟଟି ଚଳାଇ ନେବାର କ୍ଷମତା ମୋର କାହିଁ ? ତୁମେ ନିଜ ହାତରେ ଏ କାମ ନିର୍ବାହ କର । ଏ କ’ଣ ତୁମର କାମ ନୁହେଁ ? କେଡ଼େ ସାବାସ୍ କଥା ହୋଇନଥାନ୍ତା ! ସତ କହିବାରେ ଲାଜ କ’ଣ ? ବରଂ ସତକଥା ଘୋଡ଼ାଇବା ଲଜ୍ଜ୍ୟାର କଥା । ଯିଏ ଗରିବ, ଯାହାର ଖର୍ଚ୍ଚ କରିବାର ବଳ ନାହିଁ, ସୁଖେଦୁଃଖେ ଯାହା ଅଛି ସେତିକିରେ ଧୂଳି ହାତେ ପାଣି ହାତେ କରିନେବାଟା ଭଲ । ଜିଦ୍ ଜିଗର କରି ଟଙ୍କା ଚାହିଁବା କ’ଣ ଉଚିତ ? ତା’ପରେ ଅଳଙ୍କାର ଉପରେ ଯୋରଦେବାର ଦରକାର କ’ଣ ? ଅଳଙ୍କାରରେ ନନାଙ୍କର ଯାଏ ଆସେ କେତେ ? ୟାଙ୍କ ଜିଦ୍‍କୁ ସେ ଆଜି ସୁନାର ଅଳଙ୍କାର ତିନୋଟି ଦେବେ । କାଲି ବାହାବାସି ଦିନ ସେ ସବୁ ଓହ୍ଲାଇ ନେଇଗଲେ ନନା କ’ଣ ଯାଇ ଦେଖୁଥିବେ ? ସେତେବେଳେ ପାଯି ଫିଟାଇବା ତ ତାଙ୍କ ପକ୍ଷରେ ସମ୍ଭବ ହେବ ନାହିଁ । ଯେଉଁ ବିଷୟର ଭବିଷ୍ୟତ ଅନ୍ୟର ବିଚାର ବିବେଚନା ଉପରେ ନିର୍ଭର କରେ, ସେ ବିଷୟରେ ଜିଦ୍ କରିବାର ମୂଲ୍ୟ କ’ଣ ? ଅଯଥା ରୋଷ ବଢ଼ାଇବା ସାରହେବ ସିନା ! ନନାଙ୍କର ବିବାହ ଖର୍ଚ୍ଚ ତୁଲାଇବା ପାଇଁ ଶକ୍ତି ନାହିଁ ବୋଲି କନ୍ୟାସୁନା ଚାହୁଁଛନ୍ତି । ତାଙ୍କର କନ୍ୟାସୁନା ଆଉ ସୁନା ଅଳଙ୍କାର ଦେବାର ଶକ୍ତି ଅଛି କି ନାହିଁ ନନା ତ ବିଚାରିଲେ ନାହିଁ ? ନିଜ ବିଷୟରେ ବିଚାରିଲା ବେଳେ, ଅନ୍ୟକୁ ମଧ୍ୟ ସେହି ବିଚାରରେ ସେଇ ଆଖିରେ ଦେଖିବା ଉଚିତ । ଅଳଙ୍କାର କରିବାକୁ ତାଙ୍କର ଯେବେ ବଳ ନ ଥାଏ ? ବିବାହ କାର୍ଯ୍ୟଟା କୌଣସି ମତେ ଚଳାଇ ନେବା ପାଇଁ ଧାର କରଜ କରି ସୁନା ଅଳଙ୍କାର ଆଣିବେ । ବାହା ପରେ ସେ କରଜ ସୁଝିବେ କେମିତି ? ଏଣେ ବୋହୂଟିଏ ଆସି କୁଟୁମ୍ବର ଖର୍ଚ୍ଚ ବଢ଼ାଇବା ସାଙ୍ଗକୁ କରଜ ବୋଝବି ବଢ଼ିଉଠିବ । ଶେଷରେ ସେଇ ଅଳଙ୍କାର ପାଇଁ ଗୋଟାଏ ପରିବାର ସର୍ବସ୍ୱାନ୍ତ ହେବ ସିନା ! ନନା ଭାବିଚନ୍ତି ଅଳଙ୍କାର ପାଇଲେ ଝିଅ ତାଙ୍କର ସୁଖୀ ହେବ । ମାତ୍ର ଏଣେ ଆଦରିଣୀ ଝିଅର ଭବିଷ୍ୟତ ଜୀବନ ଗାଢ଼ ଅନ୍ଧାକାର ହୋଇଉଠୁଛି, ସେ କଥାତ ଥରେ ହେଲେ ଭାବିଲେ ନାହିଁ । ନନାଙ୍କର ଝିଅର ଅଳଙ୍କାର ପାଇଁ ଯେମିତି ଆଗ୍ରହ, ବର ପିତାଙ୍କର ବୋହୂକୁ ସଜାଇବା ପାଇଁ କ’ଣ ସେମିତି ଆଗ୍ରହ ନୁହେଁ ? ଆଖି ସୁଲଭ କିଏ ନ ଚାହେଁ ? ସେ ତାଙ୍କ ବଳକୁ ଚାହିଁ, ବୋହୂକୁ କ’ଣ ଅଳଙ୍କାର ଦିଅନ୍ତେ ନାହିଁ ?

 

ଭଲ ବେଶି ପୋଷାକ କି ଆୟ ଅଳଙ୍କାର ପିନ୍ଧିଲେ କ’ଣ କେହି ସୁଖୀ ହୁଏ ? ବାହାର ଆଡ଼ମ୍ୱର ବାସ୍ତବରେ କ’ଣ ମନୁଷ୍ୟକୁ ସୁଖ ଦିଏ ? ଯେଉଁ ସବୁ ଧନୀ ତାଲବର ଘରର ଝିଅ ବୋହୂମାନେ ମୂଲ୍ୟ ବାନ ବସ୍ତ୍ର ଅଳଙ୍କାର ପିନ୍ଧି ସୌନ୍ଦର୍ଯ୍ୟର ଲହରୀ ଛୁଟାଇ ଯାନିଯାତ୍ରାକୁ ବାହାରନ୍ତି ଅସଲରେ ସେହିମାନେ କ’ଣ ସୁଖୀ ? ନା ମାଳତୀ ଅପା କଥାଇ ଠିକ୍ । ସେ କହେ ଯେଉଁମାନେ ବଡ଼ ଦୁଃଖୀ, ହୃଦୟ ଯାହାଙ୍କର ଦୁଃଖରେ ଫାଟି ଯାଉଥାଏ, ଆଉ ସେ ଗଭୀର ଦୁଃଖ କୌଣସି ପ୍ରକାର ସାନ୍ତ୍ୱନାରେ ପଶମ ହୁଏ ନାହିଁ, ସେଇମାନେ ଦାମି ଦାମି ଶାଢ଼ୀ ରକମ ରକମ ଅଳଙ୍କାରର ଆଢ଼ୁଆଳରେ ମନର ସେଇ ଗୁରୁ ଦୁଃଖବୋଝକୁ ଢାଙ୍କି ରଖିବାର ଚେଷ୍ଟା କରନ୍ତି । ଯେ ପ୍ରକୃତରେ ସୁଖୀ ତା’ର ବସ୍ତ୍ର, ଆଭରଣ ଆଦି ବିଭବର ଦରକାର ହୁଏ ନାହିଁ । ସେ ତା’ ଅନ୍ତରର ସ୍ତରେ ସ୍ତରେ ହୃଦୟର କୋଣେ କୋଣେ ସୁଖ ଅନୁଭବ କରେ । ଆନନ୍ଦ ଉପଭୋଗ କରେ । ବାହାରର ଚାକଚକ୍ୟକୁ ଟାଣି ଓଟାରି ଆଣି ଅନ୍ତରର ଦୁଃଖଦୈନ୍ୟକୁ ଢାଙ୍କି କୃତ୍ରିମ ସୁଖ ଉପଭୋଗରେ ପ୍ରୟାସୀ ହୁଏନାହିଁ । ସୀତାଦେବୀ ସ୍ୱର୍ଣ୍ଣ ଅଳଙ୍କାର, ଝୀନ ବାସ, ହଂସୁଲୀ ଶେଯର ମୋହ ଛାଡ଼ି ରାମଚନ୍ଦ୍ରଙ୍କ ସଙ୍ଗରେ ବନକୁ ଗଲେ । ଗଛର ବକଳ ପିନ୍ଧି ପତ୍ରକୁଡ଼ିଆରେ ରହିଲେ । ବଣର ଫଳମୂଳ ଖାଇ ଭୂମି ଶେଯରେ ଶୋଇ ସେ ଯେଉଁ ସୁଖ ଅନୁଭବ କରୁଥିଲେ ସେ ସୁଖ କ’ଣ ଅଯୋଧ୍ୟାର ରାଜପ୍ରସାଦର ରତ୍ନ ଆଭରଣରେ ଥିଲା ? ସୁଖ ଯଦି ବସ୍ତ୍ର ଅଳଙ୍କାରରେ ଥାନ୍ତା ବିଧବା କାହିଁକି ସେ ସବୁ ପ୍ରତି ବିମୁଖ ହୁଅନ୍ତା ? ବିଧବା ହେବାପରେ ନାରୀର ଦୃଷ୍ଟି ପ୍ରସାରିତ ହୁଏ-। ସେ ଅଳିକ ଲୌକିକ ସୁଖର ଅସାରତା ଉପଲବ୍ଧି କରିପାରେ । ତା’ର ନଷ୍ଟ ହୋଇଥିବା ମାନସିକ ସୁଖଶାନ୍ତି ଏସବୁ ବାହାର ବିଭବରେ ପୂରଣ ହୋଇପାରିବ ନାଇଁ ବୋଲି ସେ ବୁଝିପାରେ-। ସେଇଥି ପାଇଁ ପଣକରି ବସ୍ତ୍ର ! ଅଳଙ୍କାରର ମୋହ ଏଡ଼ିବାରେ ସେ ସମର୍ଥ ହୋଇଥାଏ-। ଅଳଙ୍କାରର ଏଇ ଅସାରତା ବୁଝିବି ଲୋକେ ସେହି ଅଳଙ୍କାର ପାଇଁ ପାଗଳ ହୋଇଉଠନ୍ତି କାହିଁକି-?

 

ଦୁଇ

 

ଶମ୍ଭୁ ମିଶ୍ରେ ବଡ଼ ଦରିଦ୍ର । ଦରିଦ୍ର ଥିବାରୁ ଆଜିଯାଏ କନ୍ୟାଦାୟରୁ ଉଦ୍ଧାର ପାଇପାରି ନାହାଁନ୍ତି । ଏପରି ଅବସ୍ଥାରେ ସେ ବରପକ୍ଷ ଉପରେ ଦୁଇ ଶ’ତ ଟଙ୍କା ଓ ସୁନାର ଗହଣା ଦାବି କରିବା ଯେପରି ଅସଙ୍ଗତ ମନେହୁଏ, ସେଇପରି ଅହଙ୍କାରର ମଧ୍ୟ ପରିଚୟ ଦିଏ । ହେଲେ ତାହାର ଯଥେଷ୍ଟ କାରଣ ଅଛି । ଶମ୍ଭୁ ମିଶ୍ରଙ୍କ ପିତା ବଡ଼ ଧନବନ୍ତ ଥିଲେ । ଆଖପାଖ ଦଶଖଣ୍ଡି ଗାଁରେ ତାଙ୍କର ଖୁବ୍ ପ୍ରତିପତ୍ତି ଥିଲା । ସେ ଶିକ୍ଷିତ ମଧ୍ୟ ଥିଲେ । ଶମ୍ଭୁ ମିଶ୍ର ଯେ ନିତାନ୍ତ ଅଶିକ୍ଷିତ ସେପରି ନୁହେଁ । ଦୁର୍ଦୈବବଶତଃ ପୈତୃକ ସମ୍ପତ୍ତିର ଉପଯୁକ୍ତ ଉତ୍ତରାଧିକାରୀ ହୋଇପାରିଲେ ନାହିଁ । କଥାରେ କହନ୍ତି ରଜାପୁଅ ଭିକାରୀ ହେଲେ ସୁଦ୍ଧା ତା’ର ବୁଦ୍ଧିବୃତ୍ତି ଲୋପ ପାଏ ନାହିଁ ।’ ଶମ୍ଭୁ ମିଶ୍ର ଦରିଦ୍ର ହେଲେହେଁ ନୀଚ ପ୍ରକୃତିର ଲୋକ ନଥିଲେ । ଗ୍ରାମରେ ତାଙ୍କର ଖାତିର ମଧ୍ୟ ଥିଲା । ସେଥିଯୋଗୁଁ ସେ ଯେ ବରପକ୍ଷ ଏଡ଼େ ବଡ଼ ଦାବିଟାଏ କରି ବସିଲେ, ତାହା ନୁହେଁ । କଥା ହେଉଛି–କୋକିଳ ଏକେ ତ ସୁନ୍ଦରୀ । ଗୁଣବତୀ ବୋଲି ସେ ଅଞ୍ଚଳରେ ଖୁବ୍ ଖ୍ୟାତି ଅର୍ଜନ କରିଥିଲା । କି ବୃଦ୍ଧା, କି ଯୁବତୀ, କି ବାଳିକା ସମସ୍ତଙ୍କ ତୁଣ୍ଡରେ କୋକିଳର ପ୍ରଶଂସା । ଉଚ୍ଚ ଜମିଦାରବଂଶରେ ଅନ୍ନ, ତା’ପରେ ପୁଣି ଏତେ ରୂପ ଗୁଣ । ଏଣୁ କୋକିଳର ପାଣିଗ୍ରହଣ କରିବାକୁ ବହୁସଂଖ୍ୟକ ବୀର ଲାଳାୟିତ । କିନ୍ତୁ ଶମ୍ଭୁ ମିଶ୍ରେ ଏଇ ଜିଦ୍ ଧରିଛନ୍ତି । ତାଙ୍କର ଇଚ୍ଛା ଏପରି ସୁନ୍ଦରୀ ଗୁଣବତୀ କନ୍ୟାର ବିବାହଟା ଆଡ଼ମ୍ୱରରେ ନ ହେଲେ ଦାଣ୍ଡକୁ ସୁନ୍ଦର ଦିଶିବ ନାହିଁ । ମିଶ୍ରଙ୍କର ଟଙ୍କା ଅଳଙ୍କାର ପଣ କଥା ଶୁଣି କେତେ ବରପକ୍ଷ ପୃଷ୍ଠଭଙ୍ଗ ଦେଲେଣି । ଏସବୁ ଖବର କୋକିଳ କିନ୍ତୁ ରଖେନା । ତାର ପଢ଼ାନେଇ ସେ ତନ୍ମୟ । ମାଳତୀ ଅପା ପାଖରେ ତା’ର ଅଧିକାଂଶ ସମୟ କଟେ ।

 

କୋକିଳର ଏପରି ସୁଖ୍ୟାତିମାନ ଶ୍ରବଣ କରି ଫକୀର ମିଶ୍ରେ ବି ଏକା ଜିଦ୍‍ଧରି ବସିଲେ–ଯେପରି ହେଉ ସେ ମଧୁସୂଦନ ସହିତ ନିଶ୍ଚୟ କୋକିଳର ବିବାହ କରାଇବେ । ସେଥି ନିମିତ୍ତ ପ୍ରକୃତ କଥାଟା ଜାଣିବା ଲାଗି ଦନେଇ ମିଶ୍ରଙ୍କୁ ଅନୁରୋଧ କରି ଘଟକ ଭାବରେ ପଠାଇଥିଲେ ।

 

ଦନେଇ ମିଶ୍ରେ ଜଉଗଡ଼ରେ ପହଞ୍ଚିଲେ । ଶମ୍ଭୁ ମିଶ୍ରଙ୍କଠାରୁ ପ୍ରସ୍ତାବ ନେଇ ଫକୀର ମିଶ୍ରଙ୍କ ନିକଟରେ ସମସ୍ତ ବିଷୟ ଆନୁପୂର୍ବିକ ବର୍ଣ୍ଣନ କଲେ । ଫକୀର ମିଶ୍ର ଓ ତାଙ୍କର ସ୍ତ୍ରୀ ଲକ୍ଷ୍ମୀସୁନ୍ଦରୀ ଉଭୟଙ୍କ ମଧ୍ୟରେ ବହୁ ବାଦାନୁବାଦ ଚାଲିଲା ସେଇ ପ୍ରସ୍ତାବ ନେଇ । ଶମ୍ଭୁ ମିଶ୍ରଙ୍କର ଧନୁଭଙ୍ଗ ପଣକଥା ଶୁଣି ତାଙ୍କ ଉପରେ ଯେତିକି ବିରାଗ ଆସୁଛି କୋକିଳ ଉପରେ ସେହି ପରିମାଣରେ ଅନୁରାଗ ବଢ଼ି ଉଠୁଚି । ସ୍ୱାମୀ ସ୍ତ୍ରୀ ଉଭୟେ କୋକିଳକୁ ବୋହୂ କରିବାର ବାସନା ଛାଡ଼ିପାରିଲେ ନାହିଁ । ଶେଷରେ ସ୍ଥିର ହେଲା, ଅଳଙ୍କାର ସମସ୍ତ ସୁନାର ଦେବେ । ଆଉ ‘କନ୍ୟାସୁନା’ ଦୁଇ ଶ’ହ ଟଙ୍କାରୁ ଛାଡ଼ି ନେବେ ପଚାଶ । ଏଥିରେ ଶମ୍ଭୁ ମିଶ୍ର ଯଦି ନିତାନ୍ତ ନାରାଜ ହୁଅନ୍ତି, ତେବେ ପୂରା ଦୁଇ ଶ’ହ ଟଙ୍କା ଦେଇ ଯେ କୌଣସି ପ୍ରକାରେ କୋକିଳକୁ ବୋହୂ କରିବେ ।

 

ମିଶ୍ରଙ୍କର କୋକିଳକୁ ପୁତ୍ରବଧୂ କରିବାର ଅଦମ୍ୟ ଆଗ୍ରହ ମୂଳରେ ଏକ ବିରାଟ ଉଦ୍ଦେଶ୍ୟ ରହିଛି । ମଧୁସୂଦନ ଆଇ.ଏ. ପଢ଼ୁଛନ୍ତି । ବି.ଏ. ପଢ଼ିବେ । ମଫସଲର ଅଶିକ୍ଷିତା ନାରୀମାନଙ୍କର ସେ ଯେମିତି କଟୁ ସମାଲୋଚନା କରନ୍ତି, ସେଥିରେ ପାଠୋଇ ପାତ୍ରୀଟିଏ ନ ହେଲେ କି ତାଙ୍କର ମନ ମାନିବ ? କୋକିଳପରି ସର୍ବ ସୁଲକ୍ଷଣୀ ସୁନ୍ଦରୀ କନ୍ୟାଟି ପାଇବା ଭାଗ୍ୟର କଥା । ସେ ହାତଛଡ଼ା ହୋଇ ଗଲେ ଆଉ ଗୋଟିଏ ସୁପାତ୍ରୀ ଯୁଟିବା କି ସହଜ କଥା ? କନ୍ୟା ଖୋଜରେ କେତେ କାଳ ବିତିବ କିଏ କହିବ ? ମଧୁସୂଦନଙ୍କ ଜୀବନରେ ସୁଖଥାନ୍ତି ଆଣିବାକୁ ହେଲେ କୋକିଳକୁ ନଆଣି ଉପାୟ ନାହିଁ ।

 

ତିନିଦିନ ଗତ ହୋଇଗଲା । ଦନେଇ ମିଶ୍ରେ ଜବାବମତେ ଚତୁର୍ଥ ଦିନ ସନ୍ଧ୍ୟା ସମୟରେ ଶମ୍ଭୁ ମିଶ୍ରଙ୍କ ଗୃହରେ ଉପସ୍ଥିତ ହେଲେ । ପ୍ରସଙ୍ଗ କ୍ରମେ ଫକୀର ମିଶ୍ରଙ୍କର ପଚାଶ ଟଙ୍କା ଛାଡ଼ ନେବାର ପ୍ରସ୍ତାବ ଉତ୍ଥାପନ କଲେ । ଶମ୍ଭୁ ମିଶ୍ର କିନ୍ତୁ ସେହି ଏକ ଜିଦ୍ ଧରି ବସିଲେ । ଘଟକ ବିଚରା ନାଚାର । ଶେଷରେ କନ୍ୟାସୁନା ଦୁଇ ଶ’ହ ଟଙ୍କା ଦେବାର ଜବାବ ଦେବାକୁ ବାଧ୍ୟ ହେଲେ-

 

ଶୁଭଦିନକୁ ଲଗ୍ନ ସ୍ଥିର ହେଲା–ଆଗାମୀ ଆଷାଢ଼ ୨୯ ଦିନ । ଫକୀର ମିଶ୍ର ବିବାହର ଆୟୋଜନରେ ଲାଗି ପଡ଼ିଲେ । ଅଳଙ୍କାର ଗଢ଼ିବାପାଇଁ ସୁନାରୀକୁ ବରାଦ ଦିଆଗଲା । ମଧୁସୂଦନଙ୍କୁ ଶୁଭସମ୍ୱାଦ ଜଣାଇଁ ବିବାହର ଆଠ ଦିନ ପୂର୍ବରୁ ଛୁଟି ନେଇ ଆସିବାବୁ ପତ୍ର ଲେଖାଗଲା ।

 

ପିତାଙ୍କର ପତ୍ରଖଣ୍ଡି ପାଇ ମଧୁସୂଦନ ଚମକି ଉଠିଳେ । ଏ କ’ଣ ? ‘କନ୍ୟାକର୍ତ୍ତା ନଗଦ ଦୁଇ ଶ’ହ ଟଙ୍କା ନେବେ । ତା’ପରେ ତିନିଟା ଅଳଙ୍କାର ସୁନାରେ ଦେବାକୁ ହେବ । ତା’ ନହେଲେ ସେ କୌଣସିମତେ କନ୍ୟା ସମ୍ପ୍ରଦାନ କରିବାକୁ ଇଚ୍ଛୁକ ନୁହନ୍ତି । ମଧୁସୂଦନ ଆକାଶରୁ ପାତାଳକୁ ଖସିପଡ଼ିଲେ । ଦଣ୍ଡେକାଳ ଗାଇଲେ ହାତ ଦେଇ ବସି ରହିଲେ । ତାଙ୍କର କେତେ ସୁଖର କଳ୍ପନା ସବୁ ଚୂନା ହୋଇଗଲା । ସେ ଭାବିଥିଲେ ତାଙ୍କର ବିବାହରେ କେତେ କ’ଣ ଯୌତୁକ ପାଇବେ । ବର୍ତ୍ତମାନ ଆଇ.ଏ. ପଢ଼ୁଛନ୍ତି–ବି.ଏ. ପଢ଼ିବେ । ଘଡ଼ି, ଚେନ୍, ସାଇକେଲ ସୁନାବୋତାମ, ସୁନାମୁଦି ପ୍ରଭୃତି ଯାହା ଯାହା ଯୁଗୋଚିତ, ତାହା ତ ନିଶ୍ଚୟ ମିଳିବାର କଥା । ତା’ ଉପରେ କିଛି ଜମିବାଡ଼ି ବି ଆଶା କରିଥିଲେ । ହେଲାବା, ଜମିବାଡ଼ି ନ ହେଲା । ଯାହା ଯାହା ନ ହେଲେ ହାଲ ଯୁବକମାନଙ୍କର କୌଣସିମତେ ବିବାହ ହୋଇ ନପାରେ, ତା’ର ବିନ୍ଦୁ ବିସର୍ଗ ସୁଦ୍ଧା ନାହିଁ । ପିତାଙ୍କ ପତ୍ରରେ ଯାହା ଲେଖାଥିଲା, ସେ ସମସ୍ତ ତାଙ୍କୁ ନିତାନ୍ତ ବିରକ୍ତିକର ବୋଧ ହେଲା । ସେ ପତ୍ରଖଣ୍ଡି ଟିକି ଟିକି କରି ଛିଣ୍ଡାଇ ପକାଇଲେ । ପ୍ରତିଜ୍ଞା କଲେ ଏପରି କୁସଂସ୍କାରପୂର୍ଣ୍ଣ ସମାଜରେ ସେ କଦାପି ବିବାହ କରିବେ ନାହିଁ ।

 

ମଧୁସୂଦନ କାଳବିଳମ୍ୱ ନକରି ସେହି ମୁହୂର୍ତ୍ତରେ ପିତାଙ୍କ ନିକଟକୁ ଖଣ୍ଡେ ପତ୍ର ଲେଖିଲେ । ରାଗମୁଣ୍ଡରେ ସେ ଯେ କ’ଣ ଲେଖିଲେ, ନିଜେ ବି ଜାଣନ୍ତି କି ନାହିଁ ସନ୍ଦେହ । ଯେପରି ପତ୍ର ପାଞ୍ଚଜଣଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ଆମେ ସମୀଚୀନ ମନେକରୁ ନାହୁଁ ପତ୍ରରେ ଯାହା ଲେଖାଥାଉନା କାହିଁକି, ସେ ଖଣ୍ଡକ ପାଇବାମାତ୍ରେ ଫକୀର ମିଶ୍ର ବୁଝିପାରିଲେ ଯେ, ଏ ବିବାହରେ ପୁତ୍ରର ଆଦୌ ମତ ନାହିଁ । ବିଳମ୍ୱରେ ଏହି ମତ ବିଷମ ହୋଇ ଉଠିବ ଏବଂ କୌଣସି ପ୍ରତିକାର ମାନିବ ନାହିଁ । ଏହି ଆଶଙ୍କା କରି ସ୍ଥିର କଲେ, ଯେତେ ଶୀଘ୍ର ପାରନ୍ତି, କୌଣସି ମତେ ପୁତ୍ରର ବିବାହ କାର୍ଯ୍ୟ ସମ୍ପନ୍ନ କରାଇଦେଲେ ତ୍ରାହି । ହାତଗଣ୍ଠିଟା ପଡ଼ିଗଲେ ସବୁ କଥା ଆପେ ଆପେ ଠିକ ହୋଇଯିବ ନାହିଁ ଯେ । ମିଶ୍ରେ ଆଉ ଅନ୍ୟକଥା ଭାବିବାକୁ ଅବସର ପାଇଲେ ନାହିଁ । ଅଖିଆ ଅପିଆ ହାତବାଡ଼ି ଖଣ୍ଡି ଧରି ଦେହ ଦେହକେ ବାହାରିପଡ଼ିଲେ ମଧୁସୂଦନଙ୍କ ପାଖକୁ ।

 

ଅନେକ ପଚରା ପଚରି ପରେ ଫକୀର ଶମ୍ଭୁ ମିଶ୍ର କଲେ ଫାଟକ ପାଖରେ ପହଞ୍ଚିଲେ-। ଭିତରେ ପ୍ରବେଶ କରିବାକୁ ହଠାତ୍ ସାହାସ କୁଳାଇଲା ନାହିଁ । ଠିଆହେଲେ ଦଣ୍ଡେ-। ପଞ୍ଝାକୁ ପଞ୍ଝା ବାବୁ ଯୋତା ମସ୍ ମସ୍ କରି ଚାଲିଯାଉଛନ୍ତି । ତାଙ୍କର ହାସ୍ୟମୁଖର ଆଳାପନର ପ୍ରତିଧ୍ୱନିରେ କାନରେ ଅତଡ଼ା ପଡ଼ିଯାଉଛି । ଭଳି ଭଳି ମହକରେ ଦିଗ ଚହଟି ଉଠୁଚି-। ପୋଷାକର ଡଉଲରେ ଆଖି ଝଲସି ଯାଉଛି । ବୃଦ୍ଧ ବଡ଼ ମୁସ୍କିଲିରେ ପଡ଼ିଲେ । କେମିତି ବା କାହାକୁ କ’ଣ ବୋଲି କହିବେ ? ସମସ୍ତେ କାର୍ଯ୍ୟବ୍ୟସ୍ତ । ସମସ୍ତେ ତରବର । କାହାକୁ ପଦେ ପଚାରିବାକୁ ତର କାହିଁ ? ତୁଣ୍ଡ ଖୋଲୁ ଖୋଲୁ ସେ ତେଣେ ଫାଟକ ପାରହୋଇ ଯାଉଛନ୍ତି ।

 

ଟିକିଏ ଫାଙ୍କା ପାଇ ବୃଦ୍ଧ ହତା ଭିତରକୁ ପଶିଲେ । ଯେଉଁ ନାଲିରାସ୍ତା ଉପରେ ଦଳ ଦଳ ବାବୁମାନଙ୍କର ସୁଅ ଚାଲିଥିଲା । ସେ ସେହି ରାସ୍ତାଧରି ଚାଲିଲେ । ଖଣ୍ଡେ ଦୂରଯିବା ପରେ ସେ ଏକ ପ୍ରକାଣ୍ଡ କୋଠା ଆଗରେ ପହଞ୍ଚିଯାଇଥିବାର ଜାଣିପାରିଲେ । ଏଇ କଲେଜ ହବ ପରା । ନ ହେଲେ ଏତେ ବାବୁ କୁଆଡ଼ୁ ଆସନ୍ତେ ? ଏଠି ବି ସେଇ କଥା । ବ୍ୟସ୍ତତା’ର ଅନ୍ତ ନାହିଁ । ଏ ବାବୁମାନେ ବ୍ୟସ୍ତ ହୋଇ ଧାଁ ଧପଡ଼ କରି ବୁଲିବାକୁ ବେଉସା କରିଚନ୍ତି ନା କ’ଣ ? ହାୟରେ କପାଳ ? କେହି ଜଣେ ହେଲେ ଆଖି ଟେକି ତାଙ୍କ ଆଡ଼େ ଚାହୁଁନି । ସେ ବା ପଚାରନ୍ତେ । କାଳେ କୋଉ ବଡ଼ବାବୁ ହୋଇଥିବେ । ଯେବେ ଚିଡ଼ିଯାନ୍ତି ?

 

ଦୀର୍ଘ ଦୁଇଘଣ୍ଟା କାଳ ପଇଚାରି କରି ବୁଲିଲେ । ହାଲିଆ ହୋଇପଡ଼ିଲେ । ଆଶା ତାଙ୍କର ପୂର୍ଣ୍ଣ ହେଲା ନାହିଁ । ତାଙ୍କର ପରିଚୟ କେହି ଚାହିଁଲେ ନାହିଁ କି ସେ ମଧୁସୂଦନର ସାକ୍ଷାତ ପାଇଲେ ନାହିଁ । ଚାକର ପୂଜାରୀ କେହି ହେଲେ ଦୁଶୁଚନ୍ତି । ରୋଷେଇ ଘରଟା ପୁଣି କୁଆଡ଼େ ? ସବୁ ଘରତ ଏକାପରି । ଏଇ ସାମାନା ଘରଟା ହବ ପରା । ଘର ଉପରେ ଆବୁ ଆବୁ ହୋଇ କ’ଣ ଦିଶୁଚି । ସେ ସବୁ ଏତେ କଳା କାହିଁକି ? ଧୂଆଁର ଗନ୍ଧ କୁଆଡ଼ୁ ଆସୁଚି ? ଆଉ ଟିକିଏ ଆଗେଇଲେ । ତେଲ ମସଲାର ବାସନା । ତାଙ୍କ ଅନୁମାନ କେବେ ଠିକ୍ । ଏଇଟା ତା’ ହେଲେ ରୋଷେଇ ଘର । ଏହି ସବୁ କଥା ମନେ ମନେ ଭାବୁ ଭାବୁ ଘର ଭିତରୁ ଜଣେ ଲୋକ ବାହାରି ଆସିବାର ଦେଖି ସଫଳତାର ଆନନ୍ଦରେ ମିଶ୍ରଙ୍କର ତୁଣ୍ଡରୁ ବାହାରି ପଡ଼ିଲା–

 

‘‘ଓଁ ନମୋ ନାରାୟଣାୟ’’ । ଆଗନ୍ତୁକ ପଶ୍ନକଲେ, ‘‘କାହାକୁ ଖୋଜୁଚି କି ?’’

 

‘‘ମୁଁ ଜଉଗଡ଼ରୁ ଆସିଚି । ମଧୁକୁ ଖୋଜୁଚି ।’’

 

‘‘ମଧୁ ? କୋଉ ମଧୁ ?”

 

‘‘ମଧୁସୂଦନ ମିଶ୍ର । ତାଙ୍କ ଘର ଜଉଗଡ଼ରେ । ସେ ଏଠି ପଢ଼ା କରନ୍ତି ।’’

 

‘‘ଓ–ହଁ–ମଧୁବାବୁ । ସେତ ଅବି ବାହାରକୁ ଗଲେ ।’’

 

‘‘ଫେରିବେ କେତେବେଳେ ?

 

‘‘ଘଣ୍ଟାଏ ଦେଢ଼ଘଣ୍ଟା ପରେ ଫେରିବେ । ତୁମେ ଛଅଟା ବେଳକୁ ଆସ ।’’

 

ମିଶ୍ରେ ସମ୍ବାଦ ବାତାଙ୍କୁ ଦୀର୍ଘ ଆଶୀର୍ବାଦ କରି ତା’ର ପରିଚୟ ଜିଜ୍ଞାସା କଲେ । ସେ ମଧୁବାବୁଙ୍କ ମେସ୍‍ର ଚାକର ସାତପୁରିଆ । ଲୋକଟି ବେଶ୍ ଭଦ୍ର । ମିଶ୍ରଙ୍କୁ ମଧୁବାବୁଙ୍କର କୋଠରି ପାଖକୁ ନେଇଗଲା । ଘରେ ତାଲା ପଡ଼ିଛି । ଖଣ୍ଡିଏ ଟୁଲ୍‍ ଆଣି ବାରଣ୍ଡାରେ ପକାଇଦେଲା । ମିଶ୍ରଙ୍କୁ ସେହିଠାରେ ଅପେକ୍ଷା କରିବାକୁ କହି ସେ ଚାଳିଗଲା ବଜାର ସଉଦା ପାଇଁ । ମିଶ୍ରେ ଟୁଲ୍‍ ଉପରେ ତାଙ୍କର ଶ୍ରାନ୍ତକ୍ଲାନ୍ତ ଦେହଟିକୁ ରକ୍ଷାକରି ସାତପୁରିଆକୁ ଆଉଥରେ ମନେ ମନେ ଆଶୀର୍ବାଦ କଲେ ।

 

ସାତପୁରିଆର ଭବିଷ୍ୟତବାଣୀ ସଫଳ ହେଲା । ମଧୁସୂଦନ ଠିକ୍ ଘଣ୍ଟାକ ପରେ ଫେରିଲା । ପିତା ପୁତ୍ରଙ୍କର ସାକ୍ଷାତ ହେଲା । ପରସ୍ପର କୁଶଳ ପ୍ରଶ୍ନ ଜିଜ୍ଞାସା ପରେ ଫକୀର ମିଶ୍ର ବିବାହ ପ୍ରସଙ୍ଗ କଥା ଆରମ୍ଭ କଲେ । ଦୀର୍ଘ ସମୟ ଧରି କଥା ଚାଲିଲା ପିତାପୁତ୍ରରଙ୍କର ବହୁବାଦ ପ୍ରତିବାଦ ଯୁକ୍ତିତର୍କ ଚାଲିଲା । ଶେଷରେ ବୃଦ୍ଧ ହାରିଲେ । ମଧୁସୂଦନଙ୍କର ଯୁକ୍ତିର ସଦୁତ୍ତର ଦେଇପାରିଲେ ନାହିଁ । ହେଲେ ଆଶା ଛାଡ଼ିଲେ ନାହିଁ । ପୁତ୍ରକୁ ଯେ କୌଣସି ଉପାୟରେ ହେଉ ବିବାହ ବନ୍ଧନରେ ଆବଦ୍ଧ କରିବାକୁ ହେବ । ପୂର୍ବରୁ ପ୍ରତିଜ୍ଞାବଦ୍ଧ ହୋଇ ଆସିଚନ୍ତି । ସେ ଅନୁନୟ କରି କହିଲେ ଦେଖ ମଧୁ ? ମୁଁ ତୋ’ର ପିତା । ମୁଁ ଯାହାକିଛି କରୁଚି ସେ ତୋରି ଭଲ ପାଇଁ, ତୋରି ହିତ ପାଇଁ । କୋଉଠି ବା ଟିକିଏ ଭୁଲ୍‍ ବି ବାଉଳା ହୋଇଗଲା, ତୋ’ ପରି ପାଠୁଆ ପୁଅ ସେତକ ନ ସହିବ ତ ଆଉ କିଏ ସହିବ କହିଲୁ ? ତୁ ଯଦି ମୋର କଥା ନ ରଖୁ ମୁଁ ଆଉ କୋଉ ମୁହଁରେ ଘରକୁ ଫେରିବି ? ତୁମ ଘର ତୁମର । ଏଣିକି ତୁମେ ବୁଝ ବା ନ ମୁଝ ମୁଁ ଆଉ ସେ ଝଙ୍କି ମୁଣ୍ଡାଇପାରିବି ନାହିଁ । ମୋର ତ ଦିନକାଳ ଆସି ସରିଲା । ଏଣିକି ଭଗବାନଙ୍କର ନାମ ନେଇ ଗଛମୂଳେ ବି ଆଉ କେଇଟା ଦିନ କଟାଇଦେଇ ପାରିବି ।’’ କଥାକ୍ରମେ ରାଷ୍ଟ୍ର ହେଲା । ମଧୁସୂଦନଙ୍କର ସହପାଠୀମାନେ ଜାଣିବାକୁ ବିଳମ୍ୱ ହେଲା ନାହିଁ । ସେମାନେ ବୃଦ୍ଧଙ୍କର ପକ୍ଷ ନେଇ ମଧୁସୂଦନଙ୍କୁ ଅନେକ ବୁଝାଇଲେ ।

 

ମଧୁସୂଦନ ପାଶ୍ଚାତ୍ୟ ରୀତିରେ ଶିକ୍ଷା ପାଉଥିଲେ ସୁଦ୍ଧା ପିତାମାତାଙ୍କର ଅନୁଗତ ଥିଲେ-। ପ୍ରାଚ୍ୟ ପରମ୍ପରା ଏକାବେଳେକେ ପାଶୋରି ଯାଇନଥିଲେ । ଶେଷରେ ସେ ସ୍ୱୀକୃତି ନଦେଇ ରହିପାରିଲେ ନାହିଁ । ବୃଦ୍ଧ ସଫଳ କାମ ହୋଇ ମହା ଆନନ୍ଦରେ ରାତ୍ରିଯାପନ କଲେ-। ପରଦିନ ପ୍ରତ୍ୟୁଷରୁ ପୁତ୍ରକୁ ଆଶୀର୍ବାଦ କରି ଗୃହାଭିମୁଖୀ ହେଲେ । ଯାଉଁ ଯାଉଁ କଲେକ କୋଠାକୁ ଫେରି ଫେରି ଚାହୁଁଥାନ୍ତି । ମନେ ମନେ ଭାବୁଥାନ୍ତି–ପୁଅ ମୋର ଯେମିତି ରୂପବନ୍ତ, ସେମିତି ବି ଗୁଣବନ୍ତ-! କୋକିଳ ପରି ଗୁଣବତୀ ବୋହୂଟିଏ ନ ହେଲେ ସାଜିବନି ।’’ ହେଲେ କୋକିଳ ଯେ ପୁତ୍ର ଅଶାନ୍ତିର କାରଣ ହେବ ଏକଥା ସେ ଘୃଣାକ୍ଷରେ ସୁଦ୍ଧା ଜାଣିପାରିଲେ ନାହିଁ ।

 

ତିନି

 

ଅନିଦ୍ରାରେ ରାତି ଗୋଟାକଯାକ ବିତାଇ ସକାଳୁ ଉଠି କୋକିଳ ଧାଇଁଲା ତା’ର ଅତି ଆପଣାର ମାଳତୀ ଅପା ପାଖକୁ । ସେଠି ପହଞ୍ଚି ଦେଖେତ ମାଳତୀ ବାସି ବିଛଣାରେ ଗଡ଼ୁଚି । ଦେହରେ ହାତମାରି ଦେଖିଲା । ଜରରେ ଦେହଟା ଖଇ ଫୁଟୁଚି । ହାୟରେ କପାଳ ! ସେ ଆଶ୍ରା ଧରିବାକୁ ଯୁଆଡ଼ିକି ହାତ ବଢ଼ାଉଚି ସିଆଡ଼ଟା ହାହାକାର କରି ଉଠୁଚି । ସେ କେତେ ଆଶା ନେଇ ଆସିଥିଲା । ମାଳତୀ ଅପାକୁ ତା’ର ମନକଥା ଖୋଲି କହିଥାନ୍ତି । ବୁଦ୍ଧି ବିଚାର ମାଗିଥାନ୍ତା । କିନ୍ତୁ ଏ କ’ଣ ହେଲା ? ତାରି ଉପରେ ଦାଉ ସାଧିବା କ’ଣ ଦଇବର ଇଛା ? ଯାହା ହେଉ ସେ ମାଳତୀ ଅପାକୁ ରୋଗଶଯ୍ୟାରେ ଦେଖି ନିଜ ବିଷୟରେ ବେଶି କିଛି ଭାବିପାରିଲା ନାହିଁ । ଅପାର ବିଛଣାରେ ବସି ବାହୁନିବାକୁ ଲାଗିଲା । ପଟ୍ଟନାୟକ ଆପଣେ ଅସ୍ତବ୍ୟସ୍ତ ହୋଇପଡ଼ିଲେ ଡାକ୍ତର ପାଖକୁ ଲୋକ ଦୌଡ଼ାଇଲେ । ଡାକ୍ତର ଆସିଲେ ରୋଗୀକୁ ପରୀକ୍ଷା କରି ଦେଖିଲେ ପହଡ଼େ । ୧୦୫ ଡିଗ୍ରୀ ଜ୍ୱର । ହେଲେ ଔଷଧର ବ୍ୟବସ୍ଥା ହେଲା ନାହିଁ । କହିଲେ, ଆଜି ପ୍ରଥମ ଜ୍ୱର । ଔଷଧ ନଦେଇ ଅପେକ୍ଷା କରିବା ଉଚିତ । କାଲି ସକାଳେ ଆସି ଦେଖିଲା ପରେ ଔଷଧ ବ୍ୟବସ୍ଥା କରାଯିବ । ତା’ପରେ ମୁଣ୍ଡରେ ପାଣିପଟି ପକାଇବା ଓ ପଥ୍ୟାପଥ୍ୟର ବ୍ୟବସ୍ଥା ଉପରେ ଆବଶ୍ୟକୀୟ ଉପଦେଶମାନ ଦେଇ ଚାଲିଗଲେ ।

 

ଦୀନବନ୍ଧୁ ପଟ୍ଟନାୟକଙ୍କୁ ଛାଡ଼ି ତାଙ୍କ ପରିବାରର ଲୋକଙ୍କଠୁଁ ଆରମ୍ଭ କରି ଗାଁ ଏ ମୁଣ୍ଡରୁ ସେ ମୁଣ୍ଡଯାଏ ସମସ୍ତେ କୁହାକୁହି ହେବାକୁ ଲାଗିଲେ, ‘‘ଯେତେ ଚିହ୍ନାଜଣା ହେଲେବି ନିଜର ଦି ପଇସା ରୋଜଗାରର ଫିକର କିଏ ଛାଡ଼େ ? ଡାକ୍ତର ଆଜି ଓଷୁଅ କାହିଁକି ଦେଲାନି ଜାଣ ? ଓଷୁଅ ଖାଇ ଦିନକରେ ବେମାରୀଟା ଭଲ ହୋଇଗଲେ ଟଙ୍କା ମିଳିବ କେମିତି ? ଦିନକୁ ଆଠଦିନ ଲାଗିଲେ ଅଲବତ୍ ପାଞ୍ଚଥର ଦଉଡ଼ିବାକୁ ପଡ଼ିବ ତ ।’’ ଏ ମନ୍ତବ୍ୟରେ ଅବିଶ୍ୱାସ କରିବାର କିଛି ନଥିଲା । କଥାଟା କୋକିଳର ମର୍ମେ ମର୍ମେ ଭେଦିଗଲା । ସେ ମନେ ମନେ ଡାକ୍ତରଙ୍କର ସପ୍ତପୁରୁଷ ଉପରେ ନାନା ଦୋଷାରୋପ କରି ମାଳତୀ ଅପାର ସେବା ଶୁଶ୍ରୂଷାରେ ଲାଗି ପଡ଼ିଲା ।

 

ପରଦିନ ଡାକ୍ତର ଔଷଧ ଦେଲେ, କିନ୍ତୁ ଉପଶମ ହେଲା ନାହିଁ । ଲୋକମାନେ ଯାହା କହୁଥିଲେ, ଫଳରେ ଦେଖିଲେ ସେହି କଥା । ପନ୍ଦର ଦିନ ଚାଲିଗଲା । ମାଳତୀ ଶଯ୍ୟାରୁ ଉଠିଲା ନାହିଁ । ଷୋଳଦିନ ଦିନ ଜ୍ୱର ଛାଡ଼ିଲା । ଗ୍ରାମଯାକ ରାଷ୍ଟ୍ର ହେଲା, ‘‘ଡାକ୍ତର ପଟ୍ଟନାୟକଙ୍କ ଘରୁ ଦୁଇ ଶ’ ଟଙ୍କା ନେଇଗଲା ।’’

 

ବେଳ ୩ଟାରୁ ବଳିଲାଣି । ସେଦିନ ମାଧିଆ ମା’ ଆଉ ଚିନ୍ତେଇ ପଧାନ ସ୍ତ୍ରୀ ଦୁଇ ଜଣମିଶି ଧାନ କୁଟୁଥିଲେ । କୋକିଳର ମା ଲାବଣ୍ୟମୟୀ ଢିଙ୍କିମୁଣ୍ଡରେ ବସି ପଙ୍ଖା-ପାଛୁଡ଼ାରେ ବ୍ୟସ୍ତ ଥିଲେ । କୋକିଳ ବସି ବସି ଝୁମୁରି ଗଳାରେ ସଦାବିହାରୀ ଫୁଲର ହାର ପିନ୍ଧାଇଦେଉଥିଲା-। ସେ ଅବାଧ୍ୟ ବିରାଡ଼ିଟା କୋକିଳର ଏତେ ଆଦର ଗ୍ରହଣ କରିବାକୁ ବରାବର ନାରାଜ-। କୋକିଳ ତା’ ଗଳାରେ ହାରଟି ଯେତେଥର ପିନ୍ଧାଉଥାଏ, ସେ ସୁତୀକ୍ଷ୍ଣ ନଖ ସାହାଯ୍ୟରେ ତାହା ଛିନ୍ନ ଭିନ୍ନ କରି ପକାଉଥାଏ କୋକିଳ ପୁଣି ଯୋଡ଼ାଯୋଡ଼ି କରି ପିନ୍ଧାଏ । ସେ ପୁଣି ଛିଣ୍ଡାଇଦିଏ-। ହାରଗୁନ୍ଥା ଶେଷ ନହୁଏ, କି ଝୁମୁରୀର ହାର ପିନ୍ଧିବା ନହୁଏ । ଶେଷରେ କୋକିଳ ବଡ଼ ବିରକ୍ତ ହୋଇ ଝୁମୁରି ମସ୍ତକରେ ଏକ ଚପେଟାଘାତ କଲା । ସେ ଲାଞ୍ଜଟେକି ମିଆଉଁ ମିଆଉଁ ହୋଇ ଏକ ନିଃଶ୍ୱାସରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା । କୋକିଳ ନିରସ୍ତ ହୋଇ ଛିନ୍ନହାର ଆଉଥରେ ଗୁନ୍ଥିବାକୁ ଆରମ୍ଭ କଲା ।

 

ଢିଙ୍କିଶାଳରେ ଢେଙ୍କାନାଳ କଥାପଡ଼େ । ଧାନକୁଟାଳୀଙ୍କ ମଧ୍ୟରେ ଅନର୍ଗଳ ଗଳ୍ପଚାଲିଛି-। କେତେ ଆଲୋଚନା, ସମାଲୋଚନା, ପ୍ରତିବାଦ, ନିନ୍ଦାବାଦ, ଜିନ୍ଦାବାଦ, –କାହା ଉପରେ କିଏ କେତେ ପ୍ରକାର ମନ୍ତବ୍ୟ ଟିପ୍ପଣୀ ପ୍ରକାଶ କରୁଛି, ତା’ର ଇୟତ୍ତା ନାହିଁ । କି ଦେଶ କି ବିଦେଶ ସବୁଠା କଥାପଡ଼ିଛି । ପ୍ରସଙ୍ଗକ୍ରମେ ମାଧିଆ ମା’ ମାଗୁଣି ସାହୁର ଝିଅ ବାହାଘର କଥା କହିବସିଲା-। ସେ ବିଷୟ ନେଇ ନାନା ଯୁକ୍ତିତର୍କ, ବାଦ ବିବାଦ ଆରମ୍ଭ ହେଲା । କୋକିଳର ହାରଗୁନ୍ଥା ସେତେବେଳକୁ ଶେଷ ହୋଇଯାଇଥିଲା । ସେ ସମସ୍ତ କଥା ଶୁଣିଶୁଣି କହିଲା, ‘‘ମା’, ମାଗୁଣି ସାହୁ ବରଘରୁ ୧୦୦ ଟଙ୍କା କନ୍ୟାସୁନା ଆଣିଲା କାହିଁକି ? ବରଘରକୁ ତ କିଛି ଦେଲା ନାହିଁ-?’’ ମାଧିଆ ମା’ ଏବଂ ଚିନ୍ତେଇ ପଧାନ ସ୍ତ୍ରୀ ହା ହା କରି ହସି ଉଠିଲେ । ଲାବଣ୍ୟମୟୀ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଲେ । କୋକିଳ କିନ୍ତୁ ଧୀର ଗମ୍ଭୀର ଭାବରେ କହିଲା, ‘‘କାହିଁକି ସମସ୍ତେ ହସିଲେ ଯେ ? ଆଚ୍ଛା, ବରବାଲାର କନ୍ୟାଟି ଯେମିତି ଦରକାର, କନ୍ୟାବାଲାର ବି ବରଟି ସେମିତି ଦରକାର ନୁହେକି ? ବର ତରଫ କାହିଁକି ଟଙ୍କା ଦେବ, କନ୍ୟା ତରଫ କାହିଁକି ନ ଦେବ-? ମାଧୁଆମ କୋକିଳକୁ ଲକ୍ଷ୍ୟକରି କହିଲା, ‘‘ତୁ ଯାହା ହାତ ଧରିବୁ, ଖୁବ୍ ଘରକରଣ କରିବୁ ତା’ର-।’’ ଚିନ୍ତେଇ ପଧାନ ସ୍ତ୍ରୀ କହିଲା, ‘‘ତୋ’ ବାହାଘରକୁ ନନା କନ୍ୟାସୁନା ଆଣିବେ ନାହିଁ ଯେ–ଏତେ ଭାବନା କରୁଛୁ କାହିଁକି ? ମାଗୁଣି ସାହୁ ତ ଗରିବ ଲୋକ । ସେ ଟଙ୍କା ନ ଆଣିଥିଲେ କାର୍ଯ୍ୟଟି ଉଠାଇଥାନ୍ତା କୁଆଡ଼ୁ ?

 

ଦୁଇଜଣ ପ୍ରୌଢ଼ାଙ୍କର ଏତାଦୃଶ ଇଙ୍ଗିତ ବ୍ୟଞ୍ଜନାରେ କୋକିଳ ବଡ଼ ଅପ୍ରତିଭ ହୋଇପଡ଼ିଲା । ଗୁନ୍ଥା ଫୁଲହାରଟି ଚିନ୍ତେଇ ପଧାନ ସ୍ତ୍ରୀ ଉପରକୁ ଫୋପାଡ଼ିଦେଇ ଦାଣ୍ଡକୁ ପଳାଇଗଲା । ପୁଣି ଏକ ହାସ୍ୟ ରସର ସୃଷ୍ଟିହେଲା । କନ୍ୟାସୁନା ବିଷୟ ନେଇ ନାନା କଥା ପଡ଼ିଲା । ନିଧି ପରିଡ଼ା, ସନେଇ ପାତ୍ର ଏମାତେ ଝିଅ ବିଭାଘରେ ହଜାର ହଜାର ଟଙ୍କା ଖରଚ କରିଥିଲେ । ବରକୁ ସାଇକେଲ, ଘଡ଼ି ପ୍ରଭୃତି ବହୁତ ଯୌତୁକ ଦେଇଥିଲେ । ଜୋଇଁକୁ କିଏ ଦଉଚି ତ ଜୋଇଁଠାରୁ କିଏ ବୋହୁଚି । ଇତ୍ୟାଦି ଇତ୍ୟାଦି ।

 

କୋକିଳ କଥାକୁ ସମସ୍ତେ ତ ଉପହାସରେ ଉଡ଼ାଇଦେଲେ । କଥାଟା କିନ୍ତୁ ଲାବଣ୍ୟମୟୀଙ୍କ ମନକୁ ଲାଗିଲା । କୋକିଳର ଏପରି କଥା କହିବାର ମର୍ମ କ’ଣ, ସେ ଅନବରତ ଚିନ୍ତା କରିବାକୁ ଲାଗିଲେ । କଥାଟା ଶମ୍ଭୁ ମିଶ୍ରଙ୍କର ଜାଣିବାକୁ ମଧ୍ୟ ବିଳମ୍ୱ ହେଲା ନାହିଁ । କନ୍ୟାର ଏପରି କହିବାର ଉଦ୍ଦେଶ୍ୟ କ’ଣ ? କୋକିଳର ଯୁକ୍ତିରେ ପିତାମାତା ଉଭୟେ ଲଜ୍ଜିତ ହୋଇ ନିଜ ସଙ୍କଳ୍ପ ସ୍ମରଣ କରିବାକୁ ଲାଗିଲେ ।

 

ମାଳତୀ ଆରୋଗ୍ୟଲାଭ କଲାଦିନରୁ କୋକିଳ ତ ଆନନ୍ଦର ସୀମା ନାହିଁ । ସେ ଯାହାକୁ ପ୍ରାଣଭରି ଭଲପାଏ, ଆଉ ଯାହା ପାଇଁ ବିବାରାତି ନୀରବରେ କେତେ ଅଶ୍ରୁପାତ କରିଅଛି, ତା’ର ସୁଖରେ ସେ ଅନୁଭବ ନ କରିବ କାହିଁକି ? କୋକିଳର ଆନନ୍ଦ ଆଉ ହୃଦୟରେ ସମ୍ଭାଳିହେବ ନାହିଁ । ସେ ତା’ର ସଦା ହାସ୍ୟମୟୀ ମାଳତୀ ଅପାକୁ ଫେରିପାଇ ଖିଆପିଆ ବି ପାଶୋରି ପକାଇଛି ।

 

କୋକିଳ ଯେତେବେଳେ ମାଳତୀର ସ୍ୱାସ୍ଥ୍ୟଲାଭରେ ଆହ୍ଲାଦିତ, ମାଳତୀ ସେତେବେଳେ କୋକିଳ ଚିନ୍ତାରେ ମ୍ରିୟମାଣା । ମାଳତୀ ରୋଗଶଯ୍ୟାରୁ ଉଠି ଯାହା ଯାହା ଶୁଣିଲା, ସେଥିରେ ସେ କୋକିଳର ଭବିଷ୍ୟତ ଗାଢ଼ ଅନ୍ଧକାରମୟ ଦେଖିଲା । ଆହୁରି ମଧ୍ୟ କୋକିଳର ଉଦାସ ଭାବ ଦେଖି ତା’ ମନରେ ଭୟର ସଞ୍ଚାର ହେଲା । କ’ଣ କରିବ କିଛି ସ୍ଥିର କରିନପାରି ମାଳତୀ ପ୍ରଥମେ ଗଲା କୋକିଳର ମା’ ଲାବଣ୍ୟମୟୀଙ୍କ ନିକଟକୁ ।

 

ଲାବଣ୍ୟମୟୀ ପିଣ୍ଡାରେ ବସି ଚିରା ଲୁଗା ଖଣ୍ଡ ସିଲେଇ କରୁଥିଲେ । ସହସା ମଳାତୀକୁ ଦେଖି ଆସନ ଖଣ୍ଡି ବଢ଼ାଇ ଦେଲେ । ମାଳତୀ ବସୁ ବସୁ ପଚାରିଲା, ‘‘ମାଉସୀ ! ତୁମର କଉଁଠି କୋକିଳର ବିଭାଘର ସବୁ ଠିକଣା ହୋଇସାରିଲାଣି ?’’ ଲାବଣ୍ୟମୟୀ ଅଳସ ଭାବରେ ଉତ୍ତର କଲେ, ‘‘ସବୁ ଠିକଣା ଆଉ କ’ଣ ? କଥା ଖାଲି ପଡ଼ିଚି ।’’ ମାଳତୀ–ଦିନ ସ୍ଥିର ହୋଇଗଲାଣି ପରା ?

 

ଲାବଣ୍ୟ–ହଁ ।

 

ମାଳତୀ–କେବେ ?

 

ଲାବଣ୍ୟ–ଆଷାଢ଼ ୨୯ ଦିନକୁ ।

 

ମାଳତୀ ଶୁଣୁଛି, ତୁମେ ବରଘରୁ ଦୁଇ ଶ’ ଟଙ୍କା ନଗଦ ଆଣୁଛ, ଆଉ ଅଳଙ୍କାର କେତେକ ସୁନାର ଦେବେ ବୋଲି ଜିଦ୍ ଧରିଛ ? ଲାବଣ୍ୟମୟୀଙ୍କର ଲାବଣ୍ୟପୂର୍ଣ୍ଣ ମୁଖମଣ୍ଡଳ ବିବର୍ଣ୍ଣ ହୋଇଗଲା । ପାଟିରୁ କଥା ବାହାରିଲା ନାହିଁ । ମାଉସୀକୁ ଚିନ୍ତାମଗ୍ନ ଦେଖି ମାଳତୀ ହସି ହସି କହିଲା, ‘‘ମାଉସୀ ! ମୋତେ ଲଗୁଉଛ କାହିଁକି ? ସୁନା ଅଳଙ୍କାର ନ ହେଲେ ବିବାହ ହେବ ବୋଲି ଜିଦ ଧରିଛ–ସତ ଏ କଥା ?’’

 

ଘଟକ ଦନେଇ ମା’ ରଙ୍କ ସହିତ ଶମ୍ଭୁ ମିଶ୍ରେ ଯେଉଁ ଦିନ ସନ୍ଧ୍ୟାରେ ବିବାହପ୍ରସଙ୍ଗ ନେଇ ପ୍ରଥମ କଥୋପକଥନ କରୁଥିଲେ ସେଦିନ ସମସ୍ତ କଥା ସେ ମାଳତୀ କାନରେ ପଡ଼ିଛି ତାହା ଲାବଣ୍ୟମୟୀଙ୍କର ଆଦୌ ମନେ ନାହିଁ । କୌଣସି ଚିନ୍ତାବଶତଃ ହେଉ ବା ସ୍ମୃତିଶକ୍ତିର ଦୋଷରୁ ହେଉ ସେ ତାହା ଭୁଲିଯାଇଛନ୍ତି । ଯାହା ହେଉ ଲାବଣ୍ୟମୟୀ ମାଳତୀର ପ୍ରଶ୍ନରେ ପ୍ରଥମେ ଇତସ୍ତତଃ କରୁଥିଲେ । ଯେତେବେଳେ ଦେଖିଲେ କଥାଟା ଆଉ ଢାଙ୍କି ହେବନାହିଁ, ସେତେବେଳେ ସେ ସମସ୍ତ କଥା ଆଦ୍ୟପ୍ରାପ୍ତ ବର୍ଣ୍ଣନ କଲେ । ଲାବଣ୍ୟମୟୀଙ୍କର ସବୁକଥା ଶୁଣି ମାଳତୀ କହିଲା, ‘‘ମାଉସୀ ମୁଁ ତୁମକୁ ଦିଓଟି କଥା ପଚାରିବି, ତୁମେ ବୁଝାଇ ଦେବକି ?’’ ଲାବଣ୍ୟମୟୀ କହିଲେ, ମୁଁ ବୁଝିଲେ ତ ବୁଝାଇବି ।’’

 

ମାଳତୀ-କନ୍ୟାସୁନା ଦୁଇ ଶ’ କ’ଣ ପାଇଁ ନଉଚ ?

 

ଲାବଣ୍ୟ–ତା ନ ହେଲେ; ଆମର ଅବସ୍ଥା ତ ଦେଖୁଛ, ସେ କାର୍ଯ୍ୟଟି ଉଠିବ କିପରି ? ତା’ପରେ ବାପାଙ୍କର ଇଚ୍ଛା ଯେ ଗୋଟିଏ ବୋଲି ଝିଅ–ତା ବାହାଘର ଯେମିତି ଟିକିଏ ତ ଭଲରେ ହୁଏ ।

 

ମାଳତୀ–ହଉ, ସୁନାର ଅଳଙ୍କାର ପୁଣି କାହିଁକି ?

 

ଲାବଣ୍ୟ–ଆମେ ଭଲ ଦେଖିବୁ ତ ।

 

ମାଳତୀ–ଆଉ ମଧ୍ୟ ଝିଅର ସୁଖ ପାଇଁ–

 

ଲାବଣ୍ୟ–ତା ନୁହେଁ ତ ଆଉ କ’ଣ ? ଆମର ସେଥିରେ କ’ଣ ଅଛି କି ? ଆମେ ସୁନା ଏହିକ୍ଷଣି ତା’ର ସୁଖପାଇଁ ଆଉ ଆମର ଆଖି ସୁଖଦାପାର୍ଇ କହୁଛୁଁ, ଯେତେବେଳେ ତା’ରି ଅଣ୍ଟ ନିଅଣ୍ଟ ହେବ ସେ ସେହି ଅଳଙ୍କାରକୁ ପୁଣି ବିକିଭାଙ୍ଗି ଖାଇବ ତ । ଆମେ କ’ଣ ସେତେବେଳେ ଅଟକାଇ ପାରିବୁଁ ?

 

ମାଳତୀ–ଭଲ କଥା । ତୁମେ ତ ଝିଅର ସୁଖ ଲାଗି କହୁଛ, କିନ୍ତୁ ମୁଁ କହୁଚି ଏଥିରେ ଝିଅର ସୁଖ ନହୋଇ ବରଂ ଦୁଃଖ ହେବ ।

 

ମାଳତୀର କଥାଶୁଣି ଲାବଣ୍ୟମୟୀ ବିସ୍ଫାରିତ ନୟନରେ ଚାହିଁ କହିଲେ । ମାଳତୀ କହିଲା, ‘‘ମାଉସୀ ! ମୋର ପିଲା କଥାଟି ଶୁଣ । ତୁମେ ଯାହା କରୁଛ, ଏଥିରେ କୋକିଳ କେଭେଁ ସୁଖୀ ହୋଇପାରିବ ନାହିଁ ! ଫକୀର ମିଶ୍ର ତ ସେପରି କିଛି ବଡ଼ଲୋକ ନୁହନ୍ତି । ତେବେ ନିଜ ଆୟରେ ସୁଖେଦୁଃଖେ ଚଳିଯାନ୍ତି । ତୁମ ଜିଦିକୁ ସେ ସୁନାର ଅଳଙ୍କାର ସବୁ ଦେବେ–ଦୁଇ ଶ’ ଟଙ୍କା ଦେବେ । କିନ୍ତୁ ଆଣିବେ କେଉଁଠୁ ? ଧାର କରଜ କରିବେ ତ ? ସେଥିରେ ଦେଖିବା ଲୋକର କେବଳ ସୁଖ ସିନା–ତାଙ୍କର ଆଉ ସୁଖ କ’ଣ ? କ୍ରମେ ମହାଜନର ଦେଣା ବଢ଼ିବ । ଦିନେ ପୁଣି ଏହି ପାଞ୍ଚଶହ ଟଙ୍କାର ଅଳଙ୍କାରକୁ ପାଞ୍ଚଟଙ୍କାରେ ବିକ୍ରି କରିବାକୁ ପଡ଼ିବ । ସେତେବେଳେ ଝିଅ ସୁଖରେ ଅଛି କି ଦୁଃଖରେ ଅଛି ତୁମେ ଯାଇ ଦେଖିବ କି ? ଦେଖିଲେ ମଧ୍ୟ କିଛି ପ୍ରତିକାର କରିପାରିବ କି? ଝିଅ ତୁମର ବାରଦ୍ୱାର ଶୁଣ୍ଢିପିଣ୍ଡା ହୋଇ ବୁଲୁଥିବ–ଏ କ’ଣ ସୁନ୍ଦର ଦିଶିବ ? ତା’ପରେ ଆଉ ଗୋଟିଏ କଥା । ବାହାଘରଟି ମଉଜରେ କରିବାର କି ଗରଜୁ ? ଗରିବ ଲୋକର, ଆଡ଼ମ୍ୱର ନକରି ବିବାହଟା ସେହିପରି ଧୂଳିହାତେ ପାଣିହାତେ କରି ନେଲେ କ’ଣ ଚଳିବ ନାହିଁ ? ଟଙ୍କାଗୁଡ଼ିକ ଅଯଥା ବ୍ୟୟ ନକରି ଯୋଉଠା ଟଙ୍କା ସେଇଠି ରହିଲେ ବରଂ ଝିଅର ସୁଖ ଦୁଇଗୁଣ ବଢ଼ନ୍ତା । ଦାଣ୍ଡଲୋକେ କହିବେ, ଅମୂକେଇର ବାହାଘର କିଛି ହେଲାନାହିଁ । କହିବେ ତ କହନ୍ତୁ, ସେଥିରେ ଲଜ୍ଜ୍ୟା କ’ଣ ? ଦାଣ୍ଡ ଲୋକଙ୍କର ପାଞ୍ଚ ପଇସା ଦେଇ କରାଇ ନେବାର ତ କ୍ଷମତା ନାହିଁ । ସେମାନେ ତୁଚ୍ଛା ସମାଲୋଚନା କରିବେ, ପରର ନିନ୍ଦା ଗାଇବା ଅଭ୍ୟାସ ଲୋକମାନଙ୍କର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ସେଥିରେ ତୁମର ଯାଏ କେତେ ଆସେ କେତେ-? କାର୍ଯ୍ୟଟା କିପରି ଦୁଃଖେ ସୁଖେ ହୋଇଗଲେ ହେଲା । ଥରେ ଭାବି ଦେଖିଲ ମାଉସୀ, ମୁଁ ଯାହା କହିଲି ତାହା ଉଚିତ କି ଅନୁଚିତ ? ତୁମେ ଝିଅର ଭଲ ନିମନ୍ତେ ଏ ସବୁ କାଣ୍ଡ କରୁଛ, କି ତା’ର ଜୀବନକୁ ଦୁଃଖମୟ କରିବା ନିମନ୍ତେ ଚେଷ୍ଟା କରୁଛ, ମୁଁ କିଛି ବୁଝିପାରୁ ନାହିଁ ।’’

 

ମାଳତୀର ଏତାଦୃଶ ଯୁକ୍ତିଯୁକ୍ତ କଥା ଶୁଣି ଲାବଣ୍ୟମୟୀ ଚିନ୍ତାକୁଳା ହୋଇପଡ଼ିଲେ । କଥାଟା ଲାବଣ୍ୟମୟୀଙ୍କ ମର୍ମରେ ଲାଗିଛି, ମାଳତୀ ବେଶ୍ ବୁଝିପାରିଲା । ଆଉ କିଟିଏ ଦୃଢ଼ ଭାବରେ କହିଲା, ‘‘ମାଉସୀ, ତୁମେ ଯାହା କର କିନ୍ତୁ ଟଙ୍କା କି ସୁନାର ଗହଣା ଯଦି ବର ଉପରେ ଦାବି କର, ତେବେ କୋକିଳକୁ ଆଉ ପାଇବ ନାହିଁ, ଏ କଥା ଭଲକରି ଜାଣିରଖ । ଝିଅକୁ ପାଇବାର ଇଚ୍ଛାଥିଲେ ତୁମର ଶକ୍ତି ଅନୁସାରେ ଅଳ୍ପରେ କାର୍ଯ୍ୟଟି ଉଠାଇନିଅ ।’’ କଥାଟା ଶେଷକରି ମାଳତୀ ପ୍ରସ୍ଥାନ କଲା । କିନ୍ତୁ ଲାବଣ୍ୟମୟୀ ଚିନ୍ତାକୁଳ ଭାବରେ ଶୂନ୍ୟକୁ ଚାହିଁ ରହିଲେ-। ତାଙ୍କ ମନରେ କେତେ ପ୍ରକାର ଭାବନା ଉଦିତ ହେଲା । ଭାବିଲେ, ମାଳତୀ ଯାହା କହିଗଲା, ସେ କ’ଣ ସତ ? କୋକିଳ କ’ଣ ପ୍ରକୃତରେ ମାଳତୀକୁ ଏ ସବୁ କଥା କହିଛି ! ନ କହିବି ବା କାହିଁକି ? ସେ ତ ବାର ବର୍ଷକ ହେଲାଣି, ପିଲା ନୁହେଁ । ସେ ଯଦି ଏ ସବୁ କଥା କିଛି ନ କହିଥାନ୍ତା ତେବେ ମାଳତୀ ତା’ପକ୍ଷ ନେଇ ଏତେକଥା କହନ୍ତା କାହିଁକି ? ପୁଣି କହୁଛି, କୋକିଳକୁ ପାଇବ ନାହିଁ–ଏହାର ଅର୍ଥ କ’ଣ ? ନିଶ୍ଚୟ କୋକିଳ ମାଳତୀକୁ ଏ ବିଷୟରେ କିଛି କହିଛି । ମାଳତୀ ଯାହା ଯାହା କହିଗଲା, ସେ କଥା କୋକିଳ କହୁ ବା ମଳାତୀର ନିଜ କଥା ହେଉ, ନ୍ୟାୟତ-। ସେ ତାଙ୍କର ବୋହୂକୁ ସୁନାର ଅଳଙ୍କାର ଦିଅନ୍ତୁ, ପିତଳର ଅଳଙ୍କାର ଦିଅନ୍ତୁ ବା କିଛି ନ ଦିଅନ୍ତୁ, ଆମର ସେଥିରେ ଯା, ଆସେ କେତେ ? ‘ଦେଲା ନାରୀ ହେଲା ପାରୀ ।’ ତେବେ ଯୋଉ ଥାନରେ ହେଲେ ଝିଅଟି ସୁଖରେ ରହିବ ଆମର ସେତକ ଦେଖିବା ଦରକାର । ହଜାର ଅଳଙ୍କାର ପିନ୍ଧିଥିଲେ, ପେଟ ଚାଖଣ୍ଡତ ଯଦି ନ ପୂରେ ସେଥିରେ ବା ସୁଖ କ’ଣ ।

 

ଲାବଣ୍ୟମୟୀ ବହୁ ଆଲୋଚନା ବିବେଚନା ପରେ ସ୍ଥିର କଲେ, ଯାହାଲାଗି ଏତେକଥା, ସେ ଯଦି ସେଥିରେ ନାରାଜ, ଏ ଆୟୋଜନ ଆଡ଼ମ୍ୱରରେ କିଛି ଲାଭ ନାହିଁ । ଏ ସଙ୍କଳ୍ପ ଶୀଘ୍ର ପରିତ୍ୟାଗ କରିବା ଉଚିତ । ଲାବଣ୍ୟମୟୀ ଅନତିବିଳମ୍ୱେ ସମସ୍ତ କଥା ସ୍ୱାମୀଙ୍କ କର୍ଣ୍ଣଗୋଚର କଲେ ।

 

କୋକିଳ ପିତାମାତାଙ୍କର ଏକମାତ୍ର କନ୍ୟା । ସେହି ପୁତ୍ର ସେହି ଧନ, ସେହି ସର୍ବସ୍ୱ । ତା’ର ବିରୋଧରେ ପିତାମାତା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରିନାହାନ୍ତି । ବର୍ତ୍ତମାନ ଏ ପ୍ରସ୍ତାବରେ ତା’ର ଯଦି ଏତେଦୂର ବିରାଗ, ତେବେ ସେ ପ୍ରସ୍ତାବରୁ କ୍ଷାନ୍ତ ନହୋଇ ଚାରା ନାହିଁ । ପ୍ରାଣଥିବା କନ୍ୟାର ଇଚ୍ଛା ବିରୋଧରେ ଦଣ୍ଡାୟମାନ ହେବାକୁ ମିଶ୍ରଙ୍କର ସାହସ ହେଲା ନାହିଁ ସେ ସେହି ମୁହୂର୍ତ୍ତରେ ପୂର୍ବୋକ୍ତି ପ୍ରସ୍ତାବ ପ୍ରତ୍ୟାହାର କରିବା ମାନସରେ ଭାବୀ ସମ୍ବନ୍ଧିଙ୍କ ଗୁହାରିମୁଖରେ ଯାତ୍ରା କଲେ ।

 

ଫକୀର ମିଶ୍ରେ ଯେତେବେଳେ ଦେଖିଲେ ସମୁଧୀ ଦ୍ୱାର ଦେଶରେ ଦଣ୍ଡାୟମାନ, ତାଙ୍କର ପ୍ଲୀହା ଚମକି ଉଠିଲା । କାରଣ ସେ ଜାଣିପାରିଲେ, ଟଙ୍କା ଭିନ୍ନ ଅନ୍ୟ କୌଣସି ଉଦ୍ଦେଶ୍ୟରେ ଶମ୍ଭୁ ମିଶ୍ରେ ଆସନ୍ତେ ନାହିଁ । ଦୁଇ ଶତଟଙ୍କାରୁ ଏକଶତ ଦେଇଛନ୍ତି । ବାକି ଶହେ ଟଙ୍କାର ଜବାବ ଥିଲା ଆଜି କି, କିନ୍ତୁ କ’ଣ କରିବେ ? ପୋଥିପତ୍ରରେ ବିଦ୍ୟା, ପର ହସ୍ତରେ ଧନ, ଏ କୌଣସି କାର୍ଯ୍ୟରେ ଆସେ ନାହିଁ । କନିଷ୍ଠ ପୁତ୍ର ଯଦୁନାଥକୁ ପଠାଇଛନ୍ତି କହ୍ନେଇପୁର ମଙ୍ଗରାଜଙ୍କ ନିକଟକୁ । ତା’ର ଏ ପର୍ଯ୍ୟନ୍ତ ଦେଖାନାହିଁ । ମାତ୍ର ସମୁଧୀ ଏଣେ ଦୁଆରେ ଆସି ହାଜର ! କ’ଣ କରିବେ ? ବଡ଼ ମୁସ୍କିଲରେ ପଡ଼ିଲେ । ଯାହାହେଉ, ଆତ୍ମଗୋପନ କରି ସମୁଧୀଙ୍କର ଯଥାଯୋଗ୍ୟ ଚର୍ଚ୍ଚାକଲେ । ଶମ୍ଭୁ ମିଶ୍ରେ ଆସନ ଗ୍ରହଣ କରି କହିଲେ, “ସମୁଧୀ ! ମୁଁ ଆପଣଙ୍କୁ ଗୋଟାଏ କଥା କହିବାକୁ ଆସିଛି ।’’ ଫକୀର ମିଶ୍ରେ ଆତଙ୍କ ଗଣିଲେ । ଟଙ୍କାଦେବାର ପବିତ୍ର ଜବାବ ଅଛି । ଦୁଇ ଶ’ହ ଟଙ୍କା ଆଉ ସୁନା ଅଳଙ୍କାର ଦେବାକୁ ରାଜି ହେଲାପରେ ଆଉପୁଣି କି କଥା ? ଅଧିକ କିଛି ଜିନିଷର ବରାଦ ଅଛି ନା କ’ଣ ? ତାଙ୍କ ଅନ୍ତରାତ୍ମା ଦୂମ୍ଦୂମ କମ୍ପିବାକୁ ଲାଗିଲା । ସେ ଅଧୋବଚନରେ ସମୁଧୀଙ୍କ ମୁଖନିଃସୃତ ବଚନକୁ ଅପେକ୍ଷା କରି ରହିଲେ-। ଶମ୍ଭୁ ମିଶ୍ରେ ଇତ୍ୟବସରରେ ଗଳାଟା ପରିଷ୍କାର କରିନେଇ କହି ବସିଲେ, ‘‘କ’ଣ କି ଆମେ ସିନା କେତେବେଳେ ଥିଲୁ ଧନବନ୍ତ, ବର୍ତ୍ତମାନ ତ ଗରିବ । ହଁ ଆପଣଙ୍କଠାରୁ ଦୁଇ ଶ’ ଅଢ଼ାଇଶ ଟଙ୍କା ନେଇ ବିବାହଟା ଆଡ଼ମ୍ୱରେ କରି ନେବା–ସେଥିରେ ବା ଲାଭ କ’ଣ ? ଦାଣ୍ଡରେ ଲୋକେ କହିବେ, ଦେଖ ହେ, ଶମ୍ଭୁ ମିଶ୍ର ଦୁଇ ଶ’ ଟଙ୍କାକୁ ଝିଅଟାକୁ ବିକ୍ରି କରି ସେହି ଟଙ୍କାରେ ଆଡ଼ମ୍ୱର ଦେଖାଇଦେଲା । ଏ ନିନ୍ଦା ଶୁଣିବା ଅପେକ୍ଷା ନିରାଆଡ଼ମ୍ୱର ଭାବରେ ଆମର ଯାହା ଅଛି ସେତିକିରେ ଧୂଳିହାତେ ପାଣିହାତେ କରି କାର୍ଯ୍ୟଟି ଉଠାଇନେବା ବରଂ ଭଲ । ମୁଁ ସେହି କଥାଟି କହିବାକୁ ଆସିଛି । ଆପଣଙ୍କ ଟଙ୍କାରେ ଆଡ଼ମ୍ୱର କରି କାର୍ଯ୍ୟ କରିବାକୁ ମୋତେ ଭଲ ଦିଶୁନାହିଁ-। ତା’ପରେ, ଆପଣଙ୍କର ଯାହା ଇଚ୍ଛା, ବର୍ତ୍ତମାନ ଯାହା ଦେଇପାରିବେ, ସେହି ପରି ଅଳଙ୍କାର ଦେବେ । ସୁନାର ଅଳଙ୍କାର ପାଇଁ ମୁଁ ଯାହା କହିଥିଲି, ତାହା ସବୁ ବର୍ତ୍ତମାନ କରିବେ ନାହିଁ-। ବୋହୂ ତ ଆପଣଙ୍କର । ସୁବିଧା ହେଲେ ଆପଣ କ’ଣ ସୁନାର ଅଳଙ୍କାର ଦେବେ ନାହିଁ ? ଅବିକା ଏକ ସମୟରେ ଏତେ ଗୁଡ଼ାଏ ଖର୍ଚ୍ଚ କରିବା ଉଚିତ ନୁହେଁ । ଏଥିରେ ଋଣଭାର ବଢ଼ିବ ସିନା-।’’ କଥା ସଙ୍ଗେ ସଙ୍ଗେ ଅଣ୍ଟାରୁ ବାହାର କରି ଶହେଟି ଟଙ୍କା ସମୁଧୀଙ୍କ ଆଗରେ ଥୋଇଦେଲେ-। ଫକୀର ମିଶ୍ରେ ସମୁଧୀଙ୍କର ଏପରି ପରିବର୍ତ୍ତନ ଦେଖି ଅବାକ୍ । ଗୁମ୍ ମାରି ବସିରହିଲେ ଦଣ୍ଡେ-

 

ଚାରି

 

ବିବାହ ଦିନ ନିକଟ ହୋଇ ଆସିଲା । ମଧୁସୂଦନ ଯଥା ସମୟରେ ଆସି ପହଞ୍ଚିଲେ । ପୁତ୍ରକୁ ଦେଖି ପିତାମାତାଙ୍କର ଆନନ୍ଦର ସୀମା ନାହିଁ । ଦ୍ୱିଗୁଣ ଉତ୍ସାହରେ ଉତ୍ସବର ଆୟୋଜନରେ ଲାଗିପଡ଼ିଲେ । ମଧୁସୂଦନଙ୍କୁ କିନ୍ତୁ ବିବାହର ଆଡ଼ମ୍ୱର ପୂର୍ଣ୍ଣ ସାଜସଜା ସବୁ ସୁଖକର ବୋଧ ହେଲା ନାହିଁ । ପିତାମାତାଙ୍କର କାର୍ଯ୍ୟକଳାପ ତାଙ୍କୁ ବିଷବତ୍ ବୋଧ ହେଲା । କେବଳ କେତେକ ଦରକାରୀ କଥାଛଡ଼ା ଅନ୍ୟ ବିଷୟରେ ତୁଣ୍ଡ ଖୋଲିବା ତାଙ୍କପକ୍ଷରେ କଷ୍ଟକର ହୋଇଉଠିଲା । ସେ ଅଧିକାଂଶ ସମୟ ନିଜର ବହି ସଙ୍ଗରେ ଆଳାପ କରିବାରେ ମନ ଯୋଗୀ ହେଲେ । ବାହାଘରର ଧୁମଧାମ ଭିତରେ ସତକୁ ସତ ସେ ପାଠ ପଢ଼ାରେ ନିମଗ୍ନ ରହୁଥିଲେ କି ବହିର ପୃଷ୍ଠା ଭିତରେ କନ୍ୟାପିତା ଶମ୍ଭୁ ମିଶ୍ରଙ୍କର ଦୁଇ ଶ’ ଟଙ୍କା ଆଉ ସୁନା ଅଳଙ୍କାର ଦାବି କଥାଟା ତାଙ୍କ ଆଖିକୁ ଝାପ୍‍ସା କରୁଥିଲା କିଏ କହିବ ସେ କଥା ? ସେଥିପାଇଁ ତାଙ୍କ ଅନ୍ତରରୁ ଉଠୁଥିବା କୋହ ଦାଉରୁ ଆତ୍ମରକ୍ଷା କରିବା ପାଇଁ ବହିର ପୃଷ୍ଠାରେ ମୁହଁ ଲୁଚାଉନଥିଲେ ବୋଲି ବା କିଏ କହିବ ? ଯିଏ ଯାହା କହନ୍ତୁ ନା କାହିଁକି, ଫକୀର ମିଶ୍ର ଆଉ ଲକ୍ଷ୍ମୀ ସୁନ୍ଦରୀ ଉଭୟଙ୍କର ପୁଅ ଉପରେ ସନ୍ଦେହର ଛାୟା ମାତ୍ର ନଥିଲା । ପୁତ୍ରର ବିଦ୍ୟାଚର୍ଚ୍ଚାରେ ଆନ୍ତରିକତା ଦେଖି ସେମାନେ ଦ୍ୱିଗୁଣ ଆନନ୍ଦିତ ହୋଇଉଠିଲେ ।

 

କନ୍ୟାପିତାଙ୍କର କନ୍ୟାସୁନା ଗ୍ରହଣ ପ୍ରସ୍ତାବ ଶୁଣିବା ଦିନରୁ ମଧୁସୂଦନଙ୍କ ହୃଦୟରେ ଚିନ୍ତା-କୀଟ ପ୍ରବେଶ କରିଛି । ସେ ବିଷୟରେ ସେ ଯେତିକି ଭାବୁଛନ୍ତି ତାଙ୍କର ମନ ସେତିକି ଉତ୍‍କ୍ଷିପ୍ତ ହୋଇଉଠୁଛି । କେତେବେଳେ ସମାଜର ଏହି କୁସଂସ୍କାର ପାଇଁ ରୋଷକଷାୟିତ ନେତ୍ର ହୋଇଉଠୁଛନ୍ତି ତ, କେତେବେଳେ ପଣପ୍ରତ୍ୟାଶୀ ଭାବି ଶ୍ଵଶୁରଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇଉଠୁଛନ୍ତି । ସମାଜରୁ ଏହି ମାରାତ୍ମକ କୁସଂସ୍କାର ଲୋପ କରିବା ଆଉ ଅର୍ଥଲୋଭୀ କନ୍ୟାପିତା’କୁ ଉପଯୁକ୍ତ ଶିକ୍ଷାଦେବା ଏହି ଦୁଇଟି ବିଷୟ ଚିନ୍ତାରେ ସେ ଉଦ୍ଭ୍ରାନ୍ତ ପ୍ରାୟ ହୋଇପଡ଼ିଲେ । ଦୁଇଟି କାର୍ଯ୍ୟ ତାଙ୍କପକ୍ଷରେ ସମାନ ମୂଲ୍ୟବାନ । ଦୁଇଟି କାର୍ଯ୍ୟ କରିବାକୁ ପଡ଼ିବ-। ତେବେ ଆଗ କେଉଁ କାର୍ଯ୍ୟଟି ହାତକୁ ନେବେ ? ଅତଳ ଚିନ୍ତା ସମୁଦ୍ରରେ ସେ ଉବେଇ ଟୁବେଇ ହେବାକୁ ଲାଗିଲେ । ଯଦି ଶମ୍ଭୁ ମିଶ୍ରଙ୍କର ‘କନ୍ୟାସୁନା’ ଓ ଅଳଙ୍କାର ଦାବି ପ୍ରତ୍ୟାହାର କରିନେଇଥିବା କଥା ଜାଣିପାରିଥାନ୍ତେ ଘଟଣାଟା ହୁଏତ ଅନ୍ୟପ୍ରକାର ଗତି କରିଥାନ୍ତା-। ନିୟତିର ଅନତିକ୍ରମ୍ୟ ବଳ ଆଗରେ ଦୁର୍ବଳ ମାନବ ଛାର, କ’ଣ କରିପାରେ ।

 

ନିର୍ଦ୍ଦିଷ୍ଟ ଲଗ୍ନରେ କୋକିଳ ସହିତ ମଧୁସୂଦନଙ୍କର ହାତଗଣ୍ଠି ପଡ଼ିଗଲା । କୋକିଳ ବିଧାନ ମତେ ବରକନ୍ୟା ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ବିବାହର ଗନ୍ଧ ଦେହରୁ ଛାଡ଼ୁ ନ ଛାଡ଼ୁଣୁ ମଧୁସୂଦନ କଲେଜକୁ ବାହାରି ପଡ଼ିଲେ । ତାଙ୍କର ଛୁଟି ବେଶି ନଥିଲା । ଅଧିକ ଦିନ ଗୃହରେ ଅବସ୍ଥାନ କରିବାର ପ୍ରୟୋଜନ ବି ନଥିଲା । ପିତାମାତା ପୁତ୍ରର ପଢ଼ାପଢ଼ିରେ ଅଯଥା ବ୍ୟାଘାତ ଜନ୍ମାଇ ଅଟକାଇ ରଖିବାକୁ ବି ଇଚ୍ଛା କଲେ ନାହିଁ ।

 

କୋକିଳ ତେଣେ ନୂତନ ସଂସାର ଗଢ଼ିବା ପାଇଁ ଚାଲିଗଲା । ଏଣେ ମାଳତୀର ସଂସାର ଭାଙ୍ଗିବା ଆରମ୍ଭ ହେଲା । ବିଧବାର ସଂସାର ବା କ’ଣ ? ଦିଅଁସେବା ପୂଜାପାଠ ଏଇ ନିତିଦିନିଆ ମାମୁଲି କଥା ନେଇ ମାଳତୀର ସଂସାର । ଘରର ହାନିଲାଭ ଗାଈଗୋରୁ, କୋଠିଆ ଚାକର, ଗଲା ଅଇଲା ଏ ସବୁ ଜଞ୍ଜାଳ ତ ନାହିଁ । ତଥାପି ସେଇ ଯୋଉ କେତେଟା ନିତି ଦିନିଆ ମାମୁଲି ଗତ ଅନୁସାରେ ଦେବାର କଥା ସେତକ ବି ସୁସମ୍ପନ୍ନ ହୋଇପାରିଲା ନାହିଁ । କୋକିଳର ଅଭାବ ତା’ର ସମସ୍ତ କର୍ମଶକ୍ତି ଅପହରଣ କରିନେଲା ଯେମିତି । ଯେଉଁ ସଂସାର ତା’କୁ ଏତେଦିନ ଯାଏ ଆନନ୍ଦ ଉତ୍ସାହର ଭରି ସଦୃଶ ବୋଧ ହେଉଥିଲା, ସେଇ ସଂସାର ଆଜି ତା’ ଆଗରେ ଅସାର ହୋଇଉଠିଲା । କୋକିଳ ପାଇଁ ତା’ର ପ୍ରାଣ ହାଇ ହାଇ କରିବାକୁ ଲାଗିଲା ।

 

କୋକିଳର ବାହାଘରରେ ମାଳତୀର ଆନନ୍ଦ ଉତ୍ସାହ ସବୁରି ଠାରୁ ବେଶୀ । ଏପରି କିଛି କାମ ନଥିଲା, ଯାହା କି ସେ କୋକିଳର ବାହାବେଳେ ନ କରିଛି । ନିଜର ହାତରେ ଝାଟୁଆ ଧରି ତାଙ୍କ ଦୁଆର ପିଣ୍ଡା ପର୍ଯ୍ୟନ୍ତ ଓଳାଇବାରେ ସେ କୁଣ୍ଠାବୋଧ କରି ନାହିଁ । ଜମିଦାର କନ୍ୟା । ଆଭିଜାତ୍ୟର ଅଭିମାନ ପିତାଙ୍କର ମାନ ସମ୍ମାନ, କୌଣସି ପ୍ରକାର ଭୟ ତା’କୁ ବାଧା ଦେଇପାରି ନାହିଁ । ପ୍ରଗାଢ଼ ପ୍ରଣୟର ଅବିଚ୍ଛେଦ୍ୟ ବନ୍ଧନ, ସମସ୍ତ ପ୍ରକାର ବ୍ୟବଧାନର ପ୍ରାଚୀରକୁ ପଲକରେ ଧୂଳିସାତ୍ କରିଦେଇ ପାରିଥିଲା । ଆଜି ସେହି ଅନାବିଳ ପ୍ରଣୟ ସୂତ୍ରର ଖିଅଟି ଛିଣ୍ଡିଯାଇଛି । ଯାହାର ଅନାବିଳ ପ୍ରଣୟ ବଳରେ ଦାରୁଣ ବୈଧବ୍ୟ ଦୁଃଖକୁ ସେ ପାଶୋରି ପାରିଥିଲା, ସେ ଆଜି ଦୂର ହୋଇ ଯାଇଛି । ଖାଲି ଦୂର ତ ନୁହେଁ । ପର ବି ହୋଇଯାଇଛି ।

 

କୋକିଳ ଶ୍ୱଶୁରାଳୟକୁ ଚାଲିଯିବା ପରେ ମାଳତୀ ଏକ ପ୍ରକାର କର୍ମହୀନ ହୋଇପଡ଼ିଛି-। କାରଣ ତା’ର ଦୈନନ୍ଦିନ ଯାହା କିଛି ଧରାବନ୍ଧା କାମ, ସେସବୁ କୋକିଳକୁ କେନ୍ଦ୍ରକରି ଚାଲିଥିଲା-। ପଢ଼ିବା, ଖେଳିବା, ବୁଲିବା, ଗପିବା ସବୁ କାମରେ କୋକିଳ ତା’ର ଅନ୍ତରଙ୍ଗ ସହଚରୀ-। କୋକିଳ ଅଭାବରେ ମାଳତୀ ବେକାର ହୋଇପଡ଼ିଲା । କୋକିଳ ମଗଜ ଭୂତକୋଠି । ତେଣୁ ସେ ବେକାର ରହିବାକୁ ଆଦୌ ପସନ୍ଦ କରେ ନାହିଁ ତେବେ କରିବ କ’ଣ ? ସ୍ୱାମୀସେବାରୁ ବଞ୍ଚିତା ଅଭିଶପ୍ତା ନାରୀର ଜୀବନ ତା’ର । ଦୁର୍ଭାଗ୍ୟ ଉପରେ ଦୁର୍ଯ୍ୟୋଗ ଯେ ଶାଶୁ-ଶ୍ୱଶୁରଙ୍କ ସେବା ମଧ୍ୟ ତା’ କପାଳରେ ନାହିଁ । ପିତାମାତାଙ୍କର ସେବା କି ଅଳ୍ପ ତପସ୍ୟାର ଫଳ ? ସେ ବି ଘଟୁଛି କାହିଁ-? ଜମିଦାର ଘରେ ଦାସଦାସୀ ପୋଇଲୀ ପରିବାରୀର କ’ଣ ଅଭାବ ଅଛି ? ତା’ ଉପରେ ପୁଣି ପିତାମାତାଙ୍କର ଅନତ୍ୟଧିକ ଆଦର । ଫୁଲର ଭାର ତା’କୁ ସହିବାକୁ ପଡ଼େ ନି ଏ ସବୁ ଭିତରେ ପିତାମାତାଙ୍କର ସେବା କରିବାର ଲାଳସାକୁ ସେ ହୃଦୟରେ କ୍ଷଣକ ପାଇଁ ସୁଦ୍ଧା ସ୍ଥାନ ନେଇ ପାରିଲା ନାହିଁ, ତେବେ ସେ କରିବ କ’ଣ ? ତା’ର ସମୟ କଟିବ ତ ଫେରେ ।

 

କୋକିଳ ସ୍ୱାମୀ ଘରକୁ ଯିବାର ଦିନ ଆଠଟା ନ ଯାଉଣୁ ମାଳତୀର ଦୈନନ୍ଦିନ କାର୍ଯ୍ୟରେ କେତେକ ପରିବର୍ତ୍ତନ ଦେଖାଦେଇଛି । ଗାଁ ଭିତରେ କାହାରି ବେରାମ ଆରାମ ହେଲା ତ, ତା’କୁ ଦିନ ରାତି ଅଣ୍ଟୁ ନାହିଁ । ରୋଗୀର ସେବା ଶୁଶ୍ରୂଷା କରିବା, ଔଷଧ ଖୁଆଇବା, ପଥ୍ୟ ଦେବା, ଜଗି ବସିବା, ଏଇ ହୋଇଚି ତା’ର ପ୍ରଧାନ କର୍ମ । କାହାର ବାହା ପୁଆଣି ହେଲେ ସେ ଅଯାଚିତ ଭାବରେ ସେଠାରେ ହାଜର ହୋଇଯାଏ । ଯଦି କେବେ ତା’ କାନରେ ପଡ଼େ ଅମୁକ ଗରିବ ବା ଅସହାୟ ବ୍ୟକ୍ତି କିଛି ଖାଇବାକୁ ନପାଇ ଉପବାସରେ ପଡ଼ିରହିଛି, ତେବେ ତା’କୁ ସମ୍ଭାଳେ କିଏ । ସେ ଶୁଣିବାମାତ୍ରେ ଡାଲି ଚାଉଳ ନେଇ ତା’ ଘରେ ଅଜାଡ଼ି ଦେଇ ଆସେ । ବେଳପଡ଼ିଲେ ନିଜ ହାତରେ ରାନ୍ଧିବାଢ଼ି ପରଶିବ । ପିତାମାତାଙ୍କର ବାରଣ ମାନେନାହିଁ । ପଟ୍ଟନାୟକଙ୍କୁ ଏ ସବୁ ବଡ଼ ବିଷମ ବୋଧହୁଏ । ହେଲେ ସଂସାର ସୁଖରୁ ବଞ୍ଚିତା କନ୍ୟା ଅନ୍ୟ କୌଣସି ପ୍ରକାରେ ଯଦି ସୁଖୀ ହୁଏ ସେଥିରେ ସେ ବାଧା ଦେବେ କେମିତି ? ମାଳତୀର ବୈଧକ୍ୟ ଦୁଃଖ ସ୍ମରଣ କରି ତାଙ୍କର ଅଭିମାନ ଆଭିଜାତ୍ୟ ସବୁ ଦୂରେଇଯାଏ । ସେ କନ୍ୟାର କାର୍ଯ୍ୟରେ ପ୍ରତିବାଦ କରିପାରନ୍ତି ନାହିଁ । ମାଳତୀ କ୍ରମେ ଗାଁ ଗୋଟାକର ମାଳତୀ ଅପା ହୋଇପଡ଼ିଲା । ଆବାଳ ବୃଦ୍ଧବନିତା ତା’କୁ ଦେବୀତୁଲ୍ୟ ଭକ୍ତି ଶ୍ରଦ୍ଧା କରିବାକୁ ଲାଗିଲେ ।

 

ପାଞ୍ଚ

 

ଦିନମଣି ସାରାଦିନର ଭ୍ରମଣ ସାଙ୍ଗକରି ଅସ୍ତାଚଳକୁ ଗମନ କଲେ । ବାରୁଣୀବାଳା ଲୋହିତ ରଶ୍ମି ବାସ ପରିଧାନ କରି ଦର୍ଶକ ପ୍ରାଣରେ ଶାନ୍ତିସୁଧା ବର୍ଷଣ କରିବାକୁ ଲାଗିଲା । ପ୍ରଦୋଷ-ରୂପସୀର ସମ୍ୱର୍ଦ୍ଧନା ପାଇଁ ଶେଫାଳି-ସୁନ୍ଦରୀ ପ୍ରବାଳ ସ୍ଫଟିକର ଚାରୁକାରୁମୟ ସୁମନ-ଆସ୍ତରଣଟି ନେଇ ହରିତାୟମାନ ବୃକ୍ଷଚୁଡ଼ାରେ ବିଛାଇ ଦେଲା । ବିହଙ୍ଗମକୁଳ ନଭୋମଣ୍ଡଳରେ ଉଡ଼ି ଉଡ଼ି ସନ୍ଧ୍ୟା-ସୁନ୍ଦରୀର ସ୍ୱାଗତ ଗୀତିକା ଗାନ କରିବାକୁ ଲାଗିଲେ । ଦ୍ୱାଦଶୀ ଚାନ୍ଦର ରୂପେଲୀ କିରଣ ରୋଷନି ଜଳିଉଠିଲା । ଏକ ଅନିର୍ବଚନୀୟ ଅଭିନବ ପ୍ରଭାରେ ଧରଣୀବକ୍ଷ ପ୍ଲାବିତ ହୋଇଗଲା । ଶ୍ରମକ୍ଲିଷ୍ଟ ମାନବର ପାଣ୍ଡୁର ମୁଖମଣ୍ଡଳ ଦିଶିଲା ଉଜ୍ଜ୍ୱଳ ଆଉ ଆନନ୍ଦମୟ । ଚତୁର୍ଦ୍ଦିଗରେ ଉଲ୍ଲାସର ତରଙ୍ଗ । ଅମାନବ ପଶୁପକ୍ଷୀ ସମସ୍ତେ ଶରତ ସନ୍ଧ୍ୟାର ସେହି ଶ୍ରାନ୍ତକ୍ଲାନ୍ତ କମନୀୟ ଦୃଶ୍ୟରେ ଆତ୍ମହରା ହେଲେ । ମଧୁସୂଦନଙ୍କର ନିରାନନ୍ଦମୟ ମୁଖମଣ୍ଡଳରେ ଆଜିର ଆନନ୍ଦମୟ ପ୍ରଦୋଷ କୌଣସି ପ୍ରଭାବ ପକାଇପାରିଲା ପରି ମନେହୁଏ ନାହିଁ ।

 

ଦୀର୍ଘ ଦୁଇବର୍ଷ ପରେ ମଧୁସୂଦନ ଆଜି ଘରକୁ ଫେରିଛନ୍ତି ବାହାରେ ପରେ ପରେ ଯାଇଥିଲେ ଯେ ବିଦେଶରେ ଦୁଇଟିବର୍ଷ ବିତାଇ ଆଜି ଘରେ ପ୍ରବେଶ କରିଛନ୍ତି । ପିଲାଦିନର କେତେ ମଧୁମୟ ସୁଖ ସ୍ମୃତିଭରା ଏଇ ଘର, ଏଇ ବାରି ଏଇ ବଗିଚା କେହି ତାଙ୍କର ଆନନ୍ଦ ଉତ୍ପାଦନ କରିପାରୁ ନାହାଁନ୍ତି । ସ୍ନେହମୟୀ ଜନନୀର ସ୍ନେହ ଆଦର, ପ୍ରଶାନ୍ତ ହୃଦୟ ପିତାଙ୍କର ଶାନ୍ତ କୋମଳ ବାଣୀ, ପିଲାଦିନର ସାଙ୍ଗ ସାଥୀଙ୍କର ହାସ ପରିହାସ ସବୁ ତାଙ୍କୁ ଅରୁଚିକର ବୋଧ ହେଉଛି । ସାରାରାଜ୍ୟର ବିମର୍ଷ ନିରାନ୍ଦନ ତାଙ୍କ ମୁଖମଣ୍ଡଳରେ ପୁଞ୍ଜିଭୂତ ।

 

କୋକିଳ-ମଧୁସୂଦନଙ୍କ ବିବାହରେ ସାଇପଡ଼ିଶା ବନ୍ଧୁବାନ୍ଧବରୁ ଆରମ୍ଭ କରି ଚିହ୍ନାଜଣା ଭାଟ-ଭିଖାରୀ ସୁଦ୍ଧା ଆନନ୍ଦିତ । କୋକିଳର ଆନନ୍ଦ ବର୍ଣ୍ଣନାତୀତ, ହେବାର କଥା । ପିତାମାତାଙ୍କ ମତବିରୋଧରେ ଦଣ୍ଡାୟମାନ ହୋଇ ସେ ଯେତେବେଳେ ସଫଳ କାମ ହୋଇପାରିଛି, ତା’ର ଆତ୍ମଶ୍ଲାଘା ଆସିବାର କଥା । ପିତାଙ୍କର ‘କନ୍ୟାସୁନା’ ଗ୍ରହଣ ପ୍ରସ୍ତାବକୁ ଭାଙ୍ଗିଦେବା କମ୍ ଗର୍ବ ଗୌରବର କଥା ନୁହେଁ ତା’ ପକ୍ଷରେ ।

 

ରାତି ଦୁଇ ପହର ପ୍ରାୟ । କୋକିଳ ବସି ବସି ଭାବୁଛି ଭବିଷ୍ୟତ ଜୀବନର କଥା । ତା’ ଜୀବନ ନାଟକର ନୂତନ ଏକ ଅଙ୍କ ଅଭିନୟର ଆରମ୍ଭ ରଜନୀ ଆଜି । ଯୁଗଳ ମିଳନର ଆଦ୍ୟ ବାସର । ଦୁଇ ହୃଦୟର ଆଜି ପହିଲି ପରିଚୟ । ଦୁଇ ପ୍ରାଣର ଆଜି ମହାମିଳନ । ପୁଲକ କମ୍ପିତ କଳେବର ନବବଧୂ କୋକିଳ ଭବିଷ୍ୟତରେ କୁହୁକିନୀ କଳ୍ପନାରେ ଆତ୍ମହରା । ଦୁଖରେ ଆସୁମାରୀ ଜାଗ୍ରତ ସ୍ୱପ୍ନ ଦେଖିବାରେ ବିଭୋରା ।

 

ମଧୁଶଯ୍ୟା ଘର । ଅବଗୁଣ୍ଠନାବତୀ କୋକିଳ ଭୂମିଶଯ୍ୟାରେ ବସି କେତେ କ’ଣ ଭାବୁଛି । ଅଧଘଣ୍ଟା ବିତିଗଲା । ସ୍ୱାମୀଙ୍କର ଉଁ ଚୁଁ ନାହିଁ । ଏ ରହସ୍ୟ ମୌନାବଲମ୍ୱ ନୁହେଁ ତ ? ସେ ନୀରବରେ ଅପେକ୍ଷା କରିବାକୁ ଲାଗିଲା । ଆହୁରି ଅଧଘଣ୍ଟା ଅତୀତ ହେଲା । କ୍ରମେ ତା’ର ଉତ୍କଣ୍ଠା ବଢ଼ିଲା । ଓଡ଼ଣା ଭିତରୁ ଚାହିଁଲା, ସ୍ୱାମୀ ତା’ର ପଲଙ୍କ ଉପରେ ଶାୟିତ । ଆସ୍ତେ ଆସ୍ତେ ଓଢ଼ଣା ଟିକିଏ ଟିକିଏ ଟେକି ଦେଖିଲା, ସତକୁ ସତ ସ୍ୱାମୀ ତା’ର ନିଦ୍ରାମଗ୍ନ । ହଲଚଲ ନାହିଁ । ଉପବାସ କ୍ଲେଶରେ କାନ୍ତ ହୋଇ ପଡ଼ିଚନ୍ତି ବୋଧହୁଏ । ତାଙ୍କର ନିଦ୍ରାଭାଙ୍ଗ ସମୟକୁ ଅପେକ୍ଷା କରି କୋକିଳ ପୂର୍ବପରି ଭୂମିଶଯ୍ୟାରେ ବସି ରହିଲା । ମାତ୍ର ତାଙ୍କର ମୋହନିଦ୍ରା ରାତ୍ରି ପ୍ରଭାତ ପୂର୍ବରୁ ଭାଙ୍ଗିବାର ନୁହେଁ, ଏକଥା ବୁଝିବା ଆଗରୁ ନିଦ୍ରା ଆସି ତା’କୁ ତା’ର ନିଶ୍ଚିନ୍ତ ନିରୁବେଗ କୋଳକୁ ଟାଣି ନେଇଗଲା । ମନ କଥା ସବୁ ମନେ ମନେ ରହିଗଲା ।

 

ନବ ଦମ୍ପତିଙ୍କର ବହୁ ଆଶା ଆକାଂକ୍ଷାର ପ୍ରଥମ ମିଳନ ରଜନୀ ଦ୍ୱନ୍ଦ୍ୱ ଆଶଙ୍କା ପୂର୍ଣ୍ଣ ବିଚ୍ଛେଦ ଭିତରେ କଟିଲା । ଦ୍ୱିତୀୟ ରଜନୀରେ କୋକିଳ ଶୟନକକ୍ଷରେ ପ୍ରବେଶ କରି ଦେଖିଲା, ପୂର୍ବ ରଜନୀ ପରି ସ୍ୱାମୀ ତା’ର ନିଦ୍ରିତ । କରେ କ’ଣ ? ବିଚାରୀ ଭୂମିଶଯ୍ୟାରେ ବସି ରହିଲା । ବସୁ ବସୁ କେତେବେଳେ ସେ ନିଦ୍ରାଦେବୀଙ୍କ କୋଳକୁ ଟାଣିହୋଇଗଲା ତାହା ତାହାର ଅଗୋଚର-

 

ଏକ ଦୁଇ କରି ପାଞ୍ଚଟି ରାତି କୋକିଳର ଭୂମିଶଯ୍ୟାରେ କଟିଲା । ସେ ଆସିଲା ବେଳକୁ ସ୍ୱାମୀ ତା’ର ନିଦ୍ରାମଗ୍ନ । ନିରୁପାୟ ହୋଇ ସେ ଭୂମିଶଯ୍ୟା ଗ୍ରହଣ କରେ । ହେଲେ ନାନା ପ୍ରକାର ଆଶା ଆଶଙ୍କାର ନିପୀଡ଼ନରେ ଆତ୍ମା ତା’ର ଛଟପଟ କରିବାକୁ ଲାଗିଲା ସନ୍ଦେହକୁ ସତ୍ୟବୋଲି ମାନିନେବା ଛଡ଼ା ତା’ର ଆଉ ଉପାୟ ରହିଲା ନାହିଁ । ସ୍ୱାମୀଙ୍କର ଏଇ ନୀରବତା ମୂଳରେ ନିଶ୍ଚୟ କିଛି ନା କିଛି ରହସ୍ୟ ଲୁକ୍କାୟିତ ଅଛି । ବୋଧହୁଏ ଏ ଢଙ୍ଗ ତାଙ୍କର ଇଚ୍ଛାକୃତ ଛଳନା । ପୁଣି ଭାବିଲା, କେଜାଣି ବା ଶରୀର ତାଙ୍କର ଅସୁସ୍ଥ ଥାଇପାରେ । ତେବେ କେଉଁ ରୋଗରେ ସେ ପୀଡ଼ିତ ? କିପରି ଜାଣିବ ସେ ? ନବବଧୂ ସ୍ୱଭାବସୁଲଭ ଲଜ୍ଜ୍ୟାକୁ ପଛକୁ ଠେଲି କିପରି ସ୍ୱାମୀଙ୍କ ନିକଟକୁ ଉପଯାଚିକା ହୋଇଯିବ ? ଯିବ ଅବା । ଖାଲି ଗଲେ ତ ହବନି । ତା’କୁ ତୁର୍ଡ ଖୋଳିବାକୁ ପଡ଼ିବ । କ’ଣ ବୋଲି ଆଗ କହିବ ? ଜିଭ ଲେଉଟିବ ତ ? ଛି ଛି ବଡ଼ ଲାଜ କଥା । ପାଦ ତା’ର ଉଠିଲା ନାହିଁ । ଦମ୍ ବନ୍ଦ ହୋଇ ଗଲାପରି ଲାଗିଲା । କେତେ ଦିଅଁ ଦେବତାକୁ ଡାକିଲା । ଦେବତାଙ୍କ ନାମର ଶକ୍ତି ଅଲୌକିକ । କ୍ଷଣକରେ ତା’ର ଛ କାଭାବ କଟିଗଲା । ମନ ଦୃଢ଼କରି ଚିନ୍ତା କରିବାକୁ ଲାଗିଲା । ଯାହାଙ୍କ ଭାଗ୍ୟରେ ତା’ର ଭାଗ୍ୟ ଚିରଦିନ ପାଇଁ ଛନ୍ଦା ହୋଇଚି–ଯାହାଙ୍କ ହାତରେ ତା’ର ବର୍ତ୍ତମାନ ଭବିଷ୍ୟତ ସମସ୍ତ ସମର୍ପିତ–ଯାହାଙ୍କ ପ୍ରାଣରେ ତା’ର ପ୍ରାଣ–ଯାହାଙ୍କ ଆତ୍ମାରେ ତା’ର ଆତ୍ମା, ସେଠାରେ ଲଜ୍ଜ୍ୟା କଲେ କି ଚଳେ ? କୋକିଳ ତା’ର ମନ ମଧ୍ୟରେ ବହୁ ବିବେଚନା ଆଲୋଚନା କରି ଦେଖିଲା, ଏ କ୍ଷେତ୍ରରେ ଲଜ୍ଜ୍ୟାକୁ ବିସର୍ଜନ ନ କଲେ ନ ଚଳେ । ମନକୁ ଖୁବ୍ ଦୃଢ଼ କଲା । ହେଲେ ଆଜି ନୁହେ । ଆର ରାତି, ଆଗାମୀ ରାତିରେ ଯଦି ସ୍ୱାମୀ ତା’କୁ ନ ଡାକନ୍ତି ତଥାପି ସେ ବଳେ ବଳେ ଯିବ । ସ୍ୱାମୀଙ୍କର କ’ଣ ହୋଇଚି ପଚାରି ବୁଝିବ-? ଏତ ତା’ର କର୍ତ୍ତବ୍ୟ । କର୍ତ୍ତବ୍ୟ କରିବାରେ ଲଜ୍ଜ୍ୟା ସଙ୍କୋଚର ସ୍ଥାନ କାହିଁ-?

 

ରଜନୀ ପ୍ରଭାତ ହେଲା । ମାନସିକ ଉଦ୍‍-ବେଗରେ କୋକିଳର ଖିଆପିଆରେ ଠିକ୍ ଠିକଣା ନାହିଁ । ନୂଆବୋହୂ ସେ । ତା’ର ପାଇଟି ବା କ’ଣ । ଆଗାମୀ ରାତିରେ ସ୍ୱାମୀସେବା ପାଇଁ ସେ ମନେ ମନେ ପ୍ରସ୍ତୁତ ହେବାକୁ ଲାଗିଲା । ଶରୀରରେ ଅପୂର୍ବ ପୁଲକ । ଅନ୍ତରରେ ଅଦମ୍ୟ ଆଗ୍ରହ । ମନରେ ବିରାଟ ଆଶା । ଭବିଷ୍ୟତର କୁହୁକିନୀ କଳ୍ପନାରେ ସେ ଆଜି ଆନନ୍ଦରେ ଆତ୍ମହରା–ସୁଖୀ । ମହାସୁଖୀ ସେ । ହେଲେ ସୁଖର ଦିନ କହନ୍ତି ସଅଳ ବିତିଯାଏ । ଆଜିର ଦିନଟା ସତେ ଯେମିତି ଶେଷ ହେବାକୁ ଚାହୁଁ ନାହିଁ । କୋକିଳ ତା’ର ସ୍ୱାମୀ ଦର୍ଶନ ପାଇଁ ରାତ୍ରି ନିମନ୍ତେ ମନେ ମନେ ଯେତିକି ପ୍ରସ୍ତୁତ ହେବାକୁ ଲାଗିଲା ଦିନଟା ମଧ୍ୟ ସେହି ପରିମାଣରେ ଦୀର୍ଘ ହେବାକୁ ଲାଗିଲା । ପ୍ରତି ମୁହୂର୍ତ୍ତରେ ସେ ରବିଙ୍କର ଅସ୍ତୀତଳ ପ୍ରୟାଣକୁ ଅପେକ୍ଷା କରି ରହିଲା ।

 

ବଳବତୀ ବାସନା ଫଳବତୀ ହେବାରେ ବାଧା ପ୍ରତିବନ୍ଧକ ଅନେକ । କୋକିଳ କପାଳରେ ସେଇଆ ଘଟିଲା । ସେ ଶୟନକକ୍ଷରେ ପହୁଞ୍ଚି ଦେଖିଲା, ସ୍ୱାମୀଙ୍କର ଶଯ୍ୟା ଶୂନ୍ୟ । ଏ କ’ଣ ହେଲା ? ଅଭାଗିନୀର ଏ ତ ଆଶା ଏତେ ଆକାଂକ୍ଷା ପଲକରେ ପାଣିଫୋଟକା ପରି ମିଳାଇଗଲା । ସ୍ୱାମୀଙ୍କର ଶଯ୍ୟା ରହିଚି, ସ୍ୱାମୀ ନାହାଁନ୍ତି । କାରଣ କ’ଣ ? କିଏ ସେ ସମ୍ବାଦ ଦେବ-? ମୁହୂର୍ତ୍ତ ଆଗର ତା’ର ସମସ୍ତ ଦମ୍ଭ ଦୃଢ଼ତା ଭାଙ୍ଗିପଡ଼ିଲା । କୋହରେ ଆଖି ତା’ର ଝାପ୍‍ସା ହୋଇଗଲା । ଦୁଃଖ ଭିତରେ ସୁଖର କଥା । ତା’କୁ ବେଶୀ ସମୟ ସେ ଯାତନା ଭୋଗିବାକୁ ପଡ଼ିଲା ନାହିଁ । ବୃଦ୍ଧା ମେନକା ଆସି କହିଲେ, ‘‘ବୋଉ, ତୋତେ ଡର ମାଡ଼ିବ ଏକୁଟିଆ-। ଆ ଆର ଘରକୁ । ଆଜି ମଧୁର ଜଣେ କିଏ ସାଙ୍ଗ ଆସିଚି ସେ ଦିହେଁ ବାହାର ଘରେ ଶୋଇଲେ-। ହାୟ ହତଭାଗିନୀ କୋକିଳ ! ମେନକାଙ୍କ କଥାରେ ତା’ର ଚିନ୍ତାଜାଲ ଛିନ୍ନ ହେଲା, ତା’ ସାଙ୍ଗେ ସାଙ୍ଗେ ତା’ର ହୃଦତନ୍ତ୍ରୀର ତା’ର ସବୁ ଛିନ୍ନଭିନ୍ନ ହେବାକୁ ଲାଗିଲା ।

 

ମଧୁସୂଦନ ମଧ୍ୟାନ୍ନ ଭୋଜନ କରୁଛନ୍ତି । ଲକ୍ଷ୍ମୀସୁନ୍ଦରୀ ପାଖରେ ବସି ଏଇଟା ଖା ସେଇଟା ଖା କହି ପୁଅକୁ ଖୁଆଉଛନ୍ତି । ହଠାତ୍ ମଧୁଦୁସନ କହିଲେ, ‘‘ମା, ମୁଁ କାଲି କଲେଜ ଯାଉଚି ।’’ ଲକ୍ଷ୍ମୀସୁନ୍ଦରୀ ବିଶ୍ୱାସ କରିପାରିଲେ ନାହିଁ, ଅର୍ଥପୂର୍ଣ୍ଣ ଦୃଷ୍ଟିରେ ପୁଅ ମୁହଁକୁ ଚାହିଁ ରହିଲେ-। ମଧୁସୂଦନ କହିଲେ, ‘‘ଆଗରେ ପରା ଦଶରା’’ ପାର୍ବଣ ଛୁଟି ମାସକରୁ ବେଶୀ । ନନା ମାସେ ଛୁଟି ଆଣିବାପାଇଁ ଲେଖିଥିଲେ ଯେ, ମୁଁ ଜାଣିକରି ଆଠଦିନ ମୋଟେ ଆଣିଚି । ଛୁଟି ଯେତେ ଆଣିବି ପଢ଼ା ସେତିକି ଉଣା ପଡ଼ିବ ତ ? ଲକ୍ଷ୍ମୀସୁନ୍ଦରୀଙ୍କର ପ୍ରତିବାଦ କରିବାର ଉପାୟ ନାହିଁ-। ସେ ମନେ ମନେ କେତେ ଦିଅଁ ଦେବତାକୁ ଡାକି ପୁଅର ଶୁଭକାମନା କଲେ ।

 

ସହସା ମଧୁସୂଦନଙ୍କର ଘର ଛାଡ଼ିବା ଖବର ଶୁଣି କୋକିଳ ଚମକି ଉଠିଲା । ପାହାଡ଼ ଉପରୁ ତା’କୁ କିଏ ଠେଲିଦେଲା ଅବା । ହଁ ପଦ ଭଗ୍ନ ନିଃସହାୟ ନିରୂପାୟ ରୋଗୀପରି ଅବ୍ୟକ୍ତ ଯନ୍ତ୍ରଣାରେ କଷ୍ଟ ପାଇବାକୁ ଲାଗିଲା ।

 

ରାତି ପାହିଲେ ସ୍ୱାମୀ ତା’ର ଘର ଛାଡ଼ି ଚାଳି ଯିବେ । ଆଶୀର୍ବାଦ ଘରର ସାତଦିନ ବିତିଲାଣି । ସ୍ୱାମୀ ସଙ୍ଗରେ ପଦେ ବି ତା’ର ଆଳାପ ହେଲା ନାହିଁ । ହୃଦ କନ୍ଦରରେ ସଯତ୍ନ ସାଇତା ତା’ର ଅନ୍ତରଭରା ପ୍ରଣୟ ନିବେଦନ କରିବାର ସୁଯୋଗ ସତେ କ’ଣ ଆସିବ ନାହିଁ ତା’ ଭାଗ୍ୟରେ ? ତା’କୁ ସାରାବିଶ୍ୱ ନୀରସବୋଧ ହେଲା । ମାଳତୀ ଅପା ପାଖରେ ବସି ସେ ଯେତେ ଶାସ୍ତ୍ର ପୁରାଣ ପଢ଼ି ଥିଲା ସେ ସବୁ ମନେ ମନେ ଆଲୋଚନା କରିବାକୁ ଲାଗିଲା । ସବୁ ଶାସ୍ତ୍ରରେ ପଢ଼ିଚି, ପତି ଦେବତା, ହୃଦୟର ଅଧୀଶ୍ୱର, ରମଣୀର ସର୍ବସ୍ୱ । ହାୟ ! ସେହି ପରମପୁଜ୍ୟ ପତି ଦେବତାର ପୂଜ ଦିନେହେଲେ ସେ କରିପାରିଲା ନାହିଁ । ତା’ର ମନ, ଚୈତନ୍ୟ, ପଞ୍ଚପ୍ରାଣ ସମସ୍ତେ ସେହି ପତି ପଦତଳେ ଲୋଟିପଡ଼ିଲେ । ସେ ସ୍ଥିର କଲା, ଆଜି ସ୍ୱାମୀ ତା’ର ଯେଉଁଠାରେ ରହନ୍ତୁ ପଛକେ ତାଙ୍କ ପୂଜା କରିବାରେ କୌଣସି ବାଧାବିଘ୍ନ ସେ ମାନିବ ନାହିଁ ।

 

ଅର୍ଦ୍ଧରାତ୍ରୀ । ପୌରଜନ ନିଦ୍ରାଦେବୀଙ୍କ କୋଳରେ ସୁପ୍ତ । ଉଁ ଚୁଁ ଶବ୍ଦ ନାହିଁ । କୋକିଳ ଗଲା ଶୟନକକ୍ଷକୁ । ସେ ଭାବିଥିଲା ଆଜି ବି ସ୍ୱାମୀ ତା’ର ବନ୍ଧୁଙ୍କ ସହ ମେଲାଘରେ ଥିବେ । ମାତ୍ର ସୌଭାଗ୍ୟକୁ ମଧୁସୂଦନ ଯଥାସ୍ଥାନରେ । ହେଲେ କ’ଣ ହେବ ? ପୂର୍ବଦିନ ପରି ନିଦ୍ରାମଗ୍ନ । ବହୁକ୍ଷଣ ନୀରବରେ ଦଣ୍ଡାୟମାନ ହେଲା । ସେଥିରେ ବା ଲାଭ କ’ଣ ? କୋକିଳ ସ୍ୱାମୀଙ୍କର ପଲଙ୍କ ପାଖକୁ ଯିବାପାଇଁ ଦୃଢ଼ ପ୍ରତିଜ୍ଞା ହେଲା । ଏ ପୁଣି କି ଦୁର୍ଯ୍ୟୋଗ । ପାଦ ଯେ ଆଗକୁ ପଡ଼ୁନାହିଁ । ଦେହ କମ୍ପୁଛି । ରୋମ ଟାଙ୍କୁରି ଉଠୁଛି । କପାଳର ଶ୍ରମଝାଳ ବହିଯାଉଛି । ସେ ଯେତିକି ଆଗେଇବାକୁ ଚେଷ୍ଟା କରୁଛି ତା’ର ଅଙ୍ଗପ୍ରତ୍ୟଙ୍ଗ ସବୁ ସେଇ ପରିମାଣରେ ଅବଶ ଅବସନ୍ନ ହୋଇପଡ଼ୁଛନ୍ତି । ବହୁ ସମୟ ସେହିପରି ବିତିବା ପରେ ଧୀରେ ଧୀରେ ମନରେ ତା’ର ଦମ୍ଭ ଆସିଲା । ପାଦ ବି ଉଠିଲା ପଲଙ୍କ ଆଡ଼କୁ । ଆଉ ଏକ ଭାବନା ତା’କୁ ଅବଶ କରିପକାଇଲା-। ଅଳଙ୍କାର ଶବ୍ଦରେ ସେ ଯେବେ ଚମକି ଉଠନ୍ତି ? ଚିତ୍କାର କରନ୍ତି ? କ’ଣ କରିବ ବିଚାରୀ-? କ’ଣ କହି ସାନ୍ତ୍ୱନା ଦେବ ? ଆଭରଣାବୃତ ସ୍ଥାନମାନ ଯାକିଯାକି ଅତି ସାବଧାନତା ସହ ଧୀର ପଦକ୍ଷେପରେ ଆଗେଇବାକୁ ଲାଗିଲା । ସେ ଅଳଙ୍କାର ଶବ୍ଦକୁ ଡରି ଡରି ଚାଲିଲାବେଳକୁ ଅବାଧ୍ୟ ଅଳଙ୍କାରଗୁଡ଼ାକ ହଟୁଣ ହେଲେ ଶବ୍ଦ କରି ଉଠୁଛନ୍ତି । ସୁଖର କଥା ସେ ଶବ୍ଦରେ ସ୍ୱାମୀଙ୍କର ନିଦ୍ରାଭଙ୍ଗ ହେଲାନାହିଁ । ସ୍ୱାମୀ ବାସ୍ତବରେ ନିଦ୍ରିତ କି ନା ତାହା ସେହି ସ୍ୱାମୀଙ୍କୁ ଗୋଚର । ଆଉ ଗୋଚର ଜଗତର ସ୍ୱାମୀଙ୍କୁ । କୋକିଳ କିନ୍ତୁ ଜାଣେ ସ୍ୱାମୀ ତା’ର ନିଦ୍ରିତ । ସ୍ୱାମୀଙ୍କର ଶଯ୍ୟା ନିକଟରେ କୌଣସି ମତେ ପହୁଞ୍ଚିଲା । ନିଦ ତାଙ୍କର ଭାଙ୍ଗିବ କେମିତି ? ସମାସ୍ୟା ଉପରେ ସମାସ୍ୟା । ଦୟାମୟ ପରମେଶ୍ୱର ଉପଯୁକ୍ତ ସମୟରେ ଉପଯୁକ୍ତ ବୁଦ୍ଧିଟି ଯୋଗାଇଦେଲେ । ସେ ସ୍ୱାମୀଙ୍କର ପଦତଳେ ବସି ଗୋଡ଼ ଟିପିବାକୁ ଆରମ୍ଭ କଲା ।

 

କୋକିଳର କର ସ୍ପର୍ଶରେ ମଧୁଦୁଦନ ଚମକି ଉଠିଲେ । ମୁଣ୍ଡଟେକି ଗୋଡ଼ ତଳକୁ ଚାହିଁଲେ । କର୍କଶ କଣ୍ଠରେ କହିଲେ, ‘‘ଯାଅ, ଶୋଇବ ଯାଅ’’ । ମୋର ଦେହ ଭଲ ନାହିଁ । କୋକିଳର ପୂର୍ବ ସନ୍ଦେହ ଦୃଢ଼ୀଭୂତ ହେଲା । ସେ ବୁଝିପାରିଲା ସତରେ ସ୍ୱାମୀ ତା’ର ପୀଡ଼ିତ । ପୀଡ଼ିତର ପଦସେବା ଏକାନ୍ତ ପ୍ରୟୋଜନ । ସେ ବାରଣ ନ ମାନି ସ୍ୱାମୀଙ୍କ ପଦରେ ମୃଦୁ କରସ୍ପର୍ଶ କଲା । ସ୍ୱାମୀଙ୍କ ଚରଣ ଯେ ଦାବାଗ୍ନିପରି ଉତ୍ତପ୍ତ, ଅଶାନ୍ତ, ତାହା ତା’କୁ ଅଗୋଚର । ଅସରନ୍ତି ସ୍ନେହ ମମତାମୟ ସୁଲଳିତ ସୁକୁମାରୀ କରସ୍ପର୍ଶ, ମଧୁସୂଦନଙ୍କୁ ସୁଖକର ବୋଧହେଲା ନାହିଁ । ସେ ପଦଦ୍ୱୟ ଘୁଞ୍ଚାଇ ନେଇ କହିଲେ, ମୁଁ ନାହିଁ କରୁଚି ? କାହିଁକି ବାରମ୍ୱାର ବିରକ୍ତ କରୁଚ ? କହିଲିପରା ମୋର ଦେହ ଭଲ ନାହିଁ । ତୁମ ଜାଗାକୁ ଚାଳିଯାଅ ଶୋଇବ ।’’ ନବ ପରିଣୀତା ତରୁଣୀ । ତା’ର ପ୍ରେମାସ୍ପଦଠାରୁ କ’ଣ ଏହିପରି ଆଦ୍ୟ ସମ୍ଭାଷଣର ଆଶାରଖେ ? ତା’ର ହୃଦୟଭରା ସ୍ନେହ, ଅନ୍ତରଭରା ପ୍ରେମଦାନର ପ୍ରତିଦାନ କ’ଣ ଏଇଆ ?

 

ଅଧିକ ଭାବିବାକୁ କୋକିଳର ତର ନଥିଲା । ସ୍ୱାମୀଙ୍କର ରୁକ୍ଷସ୍ୱର ଶୁଣି ସେ ବଡ଼ ଭୀତତ୍ରସ୍ତ ହୋଇ ପଡ଼ିଲା । ‘‘ତୁମ ଜାଗାକୁ ଚାଳିଯାଅ, ଶୋଇବ ।’’ ଏହି କଥାଟି ମୁହୁର୍ମୁହୁଃ ତା’ କାନରେ ଧ୍ୱନିତ ହେବାକୁ ଲାଗିଲା । ତା’ର କ’ର ସ୍ୱତନ୍ତ୍ର ଜାଗା କେଉଁଠି ଅଛି ? ଏ କଥାର ମର୍ମ କ’ଣ ? କୋକିଳ ଭାବିଲା ପ୍ରଥମେ ସେ ସ୍ୱାମୀଙ୍କର ଅସୁସ୍ଥତା ବୁଝିନପାରି ତାଙ୍କ ପାଖକୁ ନଯାଇ ବଡ଼ ଭୁଲ୍‍ କରିଛି । ସ୍ୱାମୀଙ୍କର ଅଭିମାନ ହୋଇଛି । ବିରକ୍ତିରେ କ’ଣ ବା କହିଦେଲେ । ତା’କୁ ଧରି ବସିବା ତ ଠିକ୍ ନୁହେଁ । ଛ’ଦିନ କାଳ ମାଟିଶେଯରେ ପଡ଼ି ପଡ଼ି ସକାଳୁ ଚୁପଚାପ ଉଠି ଚାଲିଯିବା ତା’ର ବଡ଼ ଭୁଲ୍‍ ହୋଇଛି । ଯାହା ତ ହେବାର ହେଲାଣି । ସେ ଭୁଲ୍‍ ପାଇଁ କ୍ଷମାଭିକ୍ଷା କରିନେବା ଉଚିତ୍ । କୋକିଳ ଧୀରେ ଧୀରେ ସ୍ୱାମୀଙ୍କର ଚରଣ ସ୍ପର୍ଶ କଲା । ମଧୁସୂଦନଙ୍କର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା । ସେ ଉଗ୍ରମୂର୍ତ୍ତି ଧାରଣ କରି ସବେଗେ ସରୋଷେ ପାଦକୁ ଝିଙ୍କିନେଲେ । କୋକିଳର ବକ୍ଷରେ ଆଘାତ ଲାଗିଲା । ଏଣେ ଯେ ସ୍ୱାମୀଙ୍କର ଅଭିମାନ କ୍ରୋଧରେ ପରିଣତ ହେଲାଣି । ଆଘାତ ଲାଗିଲେ ଲାଗୁପଛେ । ସ୍ୱାମୀଙ୍କୁ ଶାନ୍ତ କରିବା ତା’ର ପ୍ରଥମ କର୍ତ୍ତବ୍ୟ । କୋକିଳ ସେ ଆଘାତକୁ ଭ୍ରୂକ୍ଷେପ ନକରି ସ୍ୱାମୀଙ୍କର ଚରଣଦ୍ୱୟକୁ ଜାବୁଡ଼ି ଧରିଲା । କହିଲା, ‘‘ମୋର ଦୋଷ ହେଇଚି,’’ ଆଉ ତେଣିକି ଜିଭ ଲେଉଟିଲା ନାହିଁ । ‘କ୍ଷମାକର’ ଶବ୍ଦଟି ଅନ୍ତରରେ ତା’ର ଗୁମରି ଉଠିଲା । ପଦାକୁ ଫୁଟିପାରିଲା ନାହିଁ । ଏଥର ସ୍ୱାମୀ ଅତ୍ୟନ୍ତ କ୍ରୁଦ୍ଧ ହୋଇ ପଦଦ୍ୱୟ କୋକିଳର ବେଷ୍ଟନୀରୁ ମୁକ୍ତ କରିବାର ପ୍ରବଳ ଚେଷ୍ଟା କଲେ । କୋକିଳ କିନ୍ତୁ ନ ଛାଡ଼େ, ବରଂ ଆହୁରି ଦୃଢ଼ ଆହୁରି ନିବିଡ଼ ଭାବରେ ଧରି ରଖିଲା । ମଧୁସୂଦନଙ୍କର ପାଠୁଆ ପୁରୁଷକାରରେ ଆଘାତ ଲାଗିଲା-। ଛାର ଅବଳାଟାଏ, ବଳ ଦେଖାଉଚି । ସେ ରାଗ ତମ ତମ ହୋଇ ଉଠିବସିଲେ-। ଭୀମ ବିକ୍ରମରେ ମାଇଲେ ଏକ ଝିଙ୍କା । ପଦଦ୍ୱୟ ମୁକ୍ତହେଲା । ସବେଗେ ଦଣ୍ଡାୟମାନ ହେଲେ-। କୋକିଳର ମସ୍ତକକୁ ଲକ୍ଷକରି କଲେ ଏକ ନିଷ୍ଠୁର ପଦାଘାତ । ପଦାଘାତ ସଙ୍ଗେ ସଙ୍ଗେ ତାଙ୍କ ପାଟିରୁ ବାହାରି ପଡ଼ିଲା; ‘‘ମର ପାପୀୟସୀ କ୍ରୀତଦାସୀ ।’’

 

ଛଅ

 

କୋକିଳର ଅପୁରକ୍ତ ସ୍ନେହାଦର, ଅକପଟ ପ୍ରେମ ପ୍ରଣୟକୁ ପ୍ରତ୍ୟାଖ୍ୟାନ କରି ମଧୁସୂଦନ କଲେଜ ଯାତ୍ରାକଲେ । ଠିକ୍ ସମୟରେ ପହୁଞ୍ଚିଲେ । ହେଲେ କ୍ଲାସକୁ ଯିବାର ଆଗ୍ରହ ନଥିଲା । ଚୁପ୍‍ଟି ହୋଇ ଖଟ ଉପରେ ପଡ଼ି ରହିଲେ ।

 

ଶୋଇବାର ଚେଷ୍ଟାକଲେ । ନିଦ କାହିଁ ? ଦୁଶ୍ଚିନ୍ତା ଦୁର୍ଭାବନା ସଙ୍ଗରେ ନିଦ୍ରାଦେବୀଙ୍କର ଚିରଦିନ ଅପଡ଼ । ଦୁନିଆଯାକର ଦୁର୍ଭାବନାରେ ଚିତ୍ତ ଯାହାର ଚଞ୍ଚଳ, ମନ ଯାହାର ଅସ୍ଥିର, ଅନ୍ତର ଯାହା ଆଲୋଡ଼ିତ ତା’ର ପୁଣି ନିଦ ? ମଧୁସୂଦନ ବହୁ ଚେଷ୍ଟାକଲେ ମଧ୍ୟ ନିଦ୍ରାଦେବୀଙ୍କର ଅନୁଗ୍ରହ ହେଲା ନାହିଁ । ଅନନ୍ତ ସିନ୍ଧୁର ଉତ୍ତାଳ ଲହରୀ ପରି ଏକ ପରେ ଏକ ରାଶି ରାଶି ଚିନ୍ତା ତାଙ୍କୁ ଗ୍ରାସ କରିବା ପାଇଁ ଧାଇଁ ଆସିଲେ । ନା ଅଛି କୂଳ ନା ଅଛି କିନାରା । ସେ ଖାଲି ଉବେଇ ଟୁବେଇ ହେବାକୁ ଲାଗିଲେ । ରହି ରହି ତାଙ୍କର ମନେ ହେଉଥିଲା ସତେ ଯେମିତି ସେ ଏକ ମୂଲ୍ୟବାନ ରତ୍ନ ହଜାଇ ଦେଇଛନ୍ତି ।

 

ସାଢ଼େ ଚାରିଟା ବାଜିଗଲା । କଲେଜ ପଢ଼ୁଆ ବାବୁମାନେ ନିଜ ନିଜର କୋଠରୀକୁ ଲେଉଟିଲେ । କଲେଜ ବୋର୍ଡ଼ିଂ କୋଳାହଳ ମୁଖର ହୋଇ ଉଠିଲା । ସଦ୍ୟ ବଧୂ ବିଚ୍ଛେଦବିଧୁର ମଧୁସୂଦନଙ୍କ ଶଯ୍ୟାପାଖରେ ତାଙ୍କର ସହପାଠୀ ବନ୍ଧୁମାନେ ଘେରିଗଲେ । କିଏ କେତେପ୍ରକାର ମନ୍ତବ୍ୟ କଲେ । ହସ କୌତୁକର ଢେଉ ଖେଳିଲା । ଅନେକ ସମୟରେ ବନ୍ଧୁମାନେ ବନ୍ଧୁର ଆମର ବେଦନା ନବୁଝି ଏହିପରି ହାଲୁକା ରହସ୍ୟମୟ ମନ୍ତବ୍ୟମାନ ପ୍ରକାଶ କରିଥାନ୍ତି । ବାସ୍ତବରେ ଯେବେ ମଧୁସୂଦନଙ୍କର ବନ୍ଧୁଗଣ ତାଙ୍କର ସେତେବେଳର ମନର ଅବସ୍ଥା ବୁଝିଥାନ୍ତେ, ଏମିତି ଅଯଥା ମନ୍ତବ୍ୟ କରିନ’ଥାନ୍ତେ । ବରଂ ସମବେଦନା ପ୍ରକାଶ କରି ସାନ୍ତ୍ୱନା ଦେଇଥାନ୍ତେ । ଯାହାଦେଉ ବନ୍ଧୁମାନଙ୍କର ଆଗମନରେ ମଧୁସୂଦନଙ୍କର ଯେ ଉପକାର ନହେଲା ତାହାନୁହେଁ । ତାଙ୍କୁ କେନ୍ଦ୍ରକରି ଯେଉଁ ସବୁ ଆଳାପ ଆଲୋଚନା ଚାଲିଲା । ତାହାକୁ ଛୋଟ କାଟର ଗୋଟିଏ ‘ଭେରାଇଟି ସୋ’ କୁହାଯାଇପାରେ, ଆଉ କିଛି ହେଉ ବା ନ ହେଉ ମଧୁସୂଦନ ଦୁଶ୍ଚିନ୍ତା ଦୁର୍ଭାବନା ଦାଉରୁ ଅନ୍ତତଃ କିଛି ସମୟ ପାଇଁ ନିସ୍କୃତି ପାଇଁ ପାରିଲେ ।

 

ହସକୌତୁକର ମଜଲିସ ସାଙ୍ଗକରି ବନ୍ଧୁମାନେ ରାତି ଦଶଟାରେ ଭୋଜନାଳୟ ଗମନ କଲେ । ମଧୁସୂଦନଙ୍କର ଭୋଗ ଶେଷ ତ ବହୁ ଆଗରୁ ମରିଯାଇଥିଲା । ସେ ଶୋଇବାର ଚେଷ୍ଟାକଲେ । ନିଦ୍ରାଦେବୀ ଯାହା ଶୟନକକ୍ଷର ତ୍ରିସୀମା ସୁଦ୍ଧା ସ୍ପର୍ଶ କରନ୍ତି ନାହିଁ; ତା’ର ପୁଣି ନିଦ ଆସିବ କାହୁଁ ? ଏକେ ତ ମନ, ପବନରୁ ଗତିଶୀଳ । ଅସ୍ଥିର ମନର କତି ଆହୁରି ବେଗବାନ । ମନ ତାଙ୍କର ଉଡ଼ିବୁଲିଲା କାହିଁରୁ କାହିଁଯାଏ । ସେହି ଦୁଶ୍ଚିନ୍ତା ଦୁର୍ଭାବନା ଭିତରେ, ଅବଗୁଣ୍ଠନାବତୀ ଷୋଢ଼ଶୀର ଛାୟାମୟୀ ମୂର୍ତ୍ତି ତାଙ୍କର ଶଯ୍ୟାପାଖରେ ବସିଥିବାର ଦେଖିପାରିଲେ-। ଖୋଲାଆଖିରେ ଯେଉଁ ଦୃଶ୍ୟ, ଆଖି ବୁଜିଲେ ବି ସେହି ଦୃଶ୍ୟ । ଉଠିବସିଲେ ସମୁଖରେ ସେହି ତରୁଣୀ । କହି ଫିଟାଇଲେ, ପୁସ୍ତକର ପୁଡ଼ାରେ ସେହିଛବି । ଶଯ୍ୟାଛାଡ଼ି ପ୍ରକୋଷ୍ଠରେ ପାଇଚାରି କରିବୁଲିଲେ । ଆଗରେ, ପଛରେ, ବାଆଁରେ ଡାହାଣରେ ସବୁଠାରେ ସେହି ରମଣୀ-। ଯେତେ ଚେଷ୍ଟାକଲେ ମଧ୍ୟ ତରୁଣୀର କରୁଣ ଛବି ଆଖି ଆଗରୁ ଅପସାରିତ କରିପାରିଲେ ନାହିଁ-। ଆବେଗ କମ୍ପିତ କୋମଳ କରଇ ସସ୍ନେହ ପରଶ; ଲାଜ କୁଣ୍ଠିତ ଠାଣିରେ କ୍ଷମାଭିକ୍ଷା, ଆଜି ଦୃଶ୍ୟ ଏକପରେ ଏକ ତାଙ୍କ ଆଖି ଆଗରେ ଚଳଚ୍ଚିତ୍ରର ଖେଳ ସୃଷ୍ଟିକଲା । ପଦାଘାତର ଦାରୁଣ ଦୃଶ୍ୟ ଦେଖି ମର୍ମପୀଡ଼ାରେ ସେ ହତଚେତନ ହୋଇପଡ଼ିଲେ । ଚୈତନ୍ୟ ଫେରିଆସେ ତ ଆଖି ଆଗରେ ପୁଣି ସେଇ ଦୃଶ୍ୟ । ସେ ଦାରୁଣ ଦୃଶ୍ୟର କରୁଣ ସ୍ମୃତି ତାଙ୍କୁ ବିଚଳିତ କରିପକାଇଲା । ଆପଣାର କୁକର୍ମ ପ୍ରତି ଶତଧିକ୍କାର ଆସିଲା । ସୁଶିକ୍ଷିତ ଯୁବକର ପୁଣି ଏହି ଘୃଣିତ ଅପକର୍ମ । ଆତ୍ମଗ୍ଲାନିରେ ଅଧୀର ଅବଶ ମଧୁସୂଦନ ସ୍ୱକୃତ ଅନ୍ୟାୟ ରୂପ ଶତବୃଶ୍ଚିକ ଦଂଶନ ଜ୍ଵାଳାରେ ଛଟପଟ ହେବାକୁ ଲାଗିଲେ-

 

ରାତି ତିନିଟା । ହାଓଡ଼ା-ପୁରୀ ପାସେଞ୍ଜର ଗାଡ଼ି ତାଳଦଣ୍ଡା କେନାଲ ଉପରେ । ରେଳ ଇଞ୍ଜିନର ବସୁଧା ଦୁଲୁକା ଗୁରୁଗର୍ଜନ ସାଙ୍ଗକୁ ଲୁହା ପୋଲର ଦମ ଦମ ଝମ ଝମ ଭୀମ ନିର୍ଘୋଷ-। ମଧୁସୂଦନଙ୍କର ଭାବନାର ଖିଅ ଛିଣ୍ଡିଗଲା । ତାଙ୍କ ଆଖି ଆଗରୁ ଅତୀତର ଦୃଶ୍ୟାବଳୀ ଅପସାରିତ ହୋଇଗଲା । ରେଳଗାଡ଼ିର ଶବ୍ଦକୁ ସେ ମନଦେଇ ଶୁଣିଲେ । ଗାଡ଼ି ଆସି କଟକ ଷ୍ଟେସନରେ ଅଟକିଗଲା । ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଡବାଗୁଡ଼ାକ ଝଣ ଝଣ ହୋଇଉଠିଲା-। ଗାଡ଼ିର ସେହି କମ୍ପନରେ ମଧୁସୂଦନଙ୍କର ସାରା ଦେହଟି ଥରିଉଠିଲା । ସତେ ଯେମିତି ସେ ଡବା ଭିତରେ ବସି ଗାଡ଼ି କମ୍ପନର ପ୍ରତିଘାତ ଅନୁଭବ କରୁଛନ୍ତି । ତା’ପରେ ଯାତ୍ରୀମାନଙ୍କର କୋଳାହଳ, ‘‘କୁଲି କୁଲି–ବାବୁ କୁଲି’’ ଚିତ୍କାର କରି କୁଲିମାନଙ୍କର ପ୍ଲାଟଫର୍ମରେ ଦଉଡ଼ ଧପଡ଼, ‘‘ଗରମ ଚା–ଚା ଗରମ,’’ ‘‘କଙ୍ଗେଇ କଟୋରା ସରୋତା ଛଡ଼ି’’ର ଦୀର୍ଘଡାକ, ଖିଲିପାନ ବିକ୍ରେତା’ର ‘‘ପାନ ବିଡ଼ି ସିଗ୍ରେଟ୍’’ ସପ୍ତକ୍ଷରୀ ଶବ୍ଦର ମୃଦୁ ମୃଦୁ ଦ୍ରୁତ ଉଚ୍ଚାରଣ, ‘‘ପୁରୀ ମିଠାଇ–ଗରମ ପୁରୀ’’, ‘‘କନଦଳୀ କଦଳୀ’’ ଆଦି ଭଳି ଭଳି ସ୍ୱର ଝଙ୍କାରରେ ମଧୁସୂଦନ କେତକ ପରିମାଣରେ ସ୍ୱଚ୍ଛନ୍ଦତା ବୋଧ କଲେ । ଗାଡ଼ି ଛାଡ଼ିବାର ସଙ୍କେତ ଘଣ୍ଟି ବାଜି ଉଠିଲା । ଗାର୍ଡ଼ ସାହେବର ହୁଇସିଲରେ କାନ ଝାଁ ଝାଁ ହୋଇଗଲା । ତା’ପରେ ଦୀର୍ଘ ଏକ ସିଟି ମାରି ଧପ୍ ଧପ୍ ଶବ୍ଦରେ ଗାଡ଼ି ତା’ର ଯାତ୍ରା ଆରମ୍ଭ କଲା-। କେଇଟା ମାତ୍ର ମିନିଟ । ମହାନଦୀ ପୋଲ ଉପରେ ରେଳ ଇଞ୍ଜିନର ତାଳେତାଳେ ମୃଦୁମନ୍ଦ ଗର୍ଜନ ଆଉ ଶୁଣାଗଲା ନାହିଁ ! ସ୍ୱରହଜା ସଙ୍ଗୀତର ଶେଷ ମୂର୍ଚ୍ଛନା ପରି ସେହି ଶବ୍ଦର ପ୍ରତିଧ୍ୱନୀ କିଛି ସମୟ, କାନରେ ବାଜିଲା । ତା’ପରେ ସବୁ ଶୁନ୍‍ଶାନ୍‍ । ମଧୁସୂଦନ ଶୋଇବାର ଚେଷ୍ଟାକଲେ-। ପୁଣି ସେହି ଭାବନାର ଅନନ୍ତ ସମୁଦ୍ର । ହେଲେ ରେଳଗାଡ଼ିର ଗତି ତାଙ୍କ ଭାବନାର ମାର୍ଗ ବଦଳାଇଦେଲା ତାଙ୍କ ମନର ଅତି ନିଭୃତ କୋଣରୁ ଜାଗିଉଠିଲା ଆଉ ଏକ ଚିନ୍ତା । ସେ ଭାବିଲେ, ‘‘ପିତାଦୋଷରେ କନ୍ୟାକୁ ଦୋଷୀ କରିବା କ’ଣ ଉଚିତ ? ଏହି ଓଡ଼ିଶା ମୂଲକର ଝିଅ ସେ-। ବିଂଶ ଶତାବ୍ଦୀର ପ୍ରଥମ ପାଦରେ ଓଡ଼ିଆ ଝିଅର କ’ଣ ଉନ୍ନତି ହୋଇଛି ଯେ ନାରୀ ସ୍ୱାଧିନତା ନାଁରେ ଯେଡ଼େ ଯୋର ଚିତ୍କାର ଉଠୁନା କାହିଁକି ବାସ୍ତବ କ୍ଷେତ୍ରରେ ଆାମର ନାରୀସମାଜ ଆଗେଇଛି କେତେ ? ଘରର ଦୈନନ୍ଦିନ କାମରେ ଯାହାର ମତାମତ ମୂଲ୍ୟବାନ୍ ବୋଲି ମନେ ହୁଏନା କି ସେ ତା’ର ସ୍ୱାଧୀନ ମତବ୍ୟକ୍ତ କରିପାରେନା, ସାମାଜିକ ବ୍ୟାପାରରେ ତା’ର ମତ ବା ଲୋଡ଼େ କିଏ-! ଅବସ୍ଥାଚକ୍ରରେ ପଡ଼ି ଯଦି କେହି ନିଜର ଅଭିରୁଚି ବା ଅଭିମତ ବ୍ୟକ୍ତ କରିବାର ସାହାସ ଦେଖାଇଲା, ସମାଜ ଆଖିରେ ସେ ହେଲା ନିନ୍ଦିତା, ଘୃଣିତା । ଏଇତ ଆମର ବର୍ତ୍ତମାନ ସମାଜ-। ଯେଉଁମାନେ ଶସ୍ତା ନେତୃତ୍ୱର ପରିପ୍ରଚାରରେ ନାରୀ ସ୍ୱାଧିନତା ନେଇ ଗଜଗର୍ଜନ କରି ବୁଲୁଛନ୍ତି, ଅସଲରେ ସେହିମାନେ ହିଁ ନାରୀ ସ୍ୱାଧୀନତା ଅପହରଣକାରୀ । ସେହିମାନଙ୍କର ସ୍ୱାର୍ଥାନ୍ଧତା ଯୋଗୁ ଉତ୍କଳର ନାରୀକୁଳ ଆଜି ମୂଳ ଅଥର୍ବ । ସେହି ସମାଜର ବାର ତେର ବର୍ଷର ଝିଅ ତା’ ନିଜର ବିବାହ ବ୍ୟାପରରେ ପାଟି ଫିଟାଇବା ଅସମ୍ଭବ ।’’

 

ମଧୁସୂଦନ କ୍ରୋଧାନ୍ଧ ହୋଇ ସରଳା କିଶୋରୀ କୁଳବଧୂ ପ୍ରତି ଯେଉଁ ବ୍ୟବହାର କରିଛନ୍ତି, ତାହା ତାଙ୍କୁ ଅତି ଅବୈଧ ବୋଧ ହେଲା । ସେଥିପାଇଁ ସେ ନିଜକୁ ଘୋର ଅପରାଧୀ ମନେକଲେ । ଅନୁତାପରେ ଅନ୍ତର ତାଙ୍କର ଭରିଗଲା । ନିରପରାଧିନୀ ଧର୍ମପତ୍ନୀଠାରେ କ୍ଷମାଭିକ୍ଷା କରିବା ଛଡ଼ା ଅନ୍ୟ ଉପାୟ ଖୋଜିପାଇଲେ ନାହିଁ । ସେହି ମୁହୂର୍ତ୍ତରେ ଘରକୁ ଫେରିଯାଇ ନିଜର ପତ୍ନୀଠାରେ ଆତ୍ମସମର୍ପଣ କରିବାର ପ୍ରବଳ ବାସନା ଜାଗିଉଠିଲା-। ଅବ୍ୟବସ୍ଥିତ ଚିତ୍ତର ସିଦ୍ଧାନ୍ତ ବା ଅବିବେଳର ବିବେଚନା, ପାଗଳର ନିରର୍ଥକ ପ୍ରଳାପ ସଙ୍ଗରେ ସମାନ । ପାଗଳ ଯେମିତି ବର୍ତ୍ତମାନ ମୁହୂର୍ତ୍ତ କଥା ସବୁ ପରମୁହୂର୍ତ୍ତରେ ପାଶୋରି ପକାଏ, ବୁଦ୍ଧିବିବେକ ହରାଇବା ବ୍ୟକ୍ତି ସେମିତି କେଉଁ ମୁହୂର୍ତ୍ତରେ କାହାକୁ ନ୍ୟାୟ କାହାକୁ ଅନ୍ୟାୟ ସିଦ୍ଧାନ୍ତ କରିବ ସେ ତା’ର ଗୋଟାଏ ଠିକ୍ ଠିକଣା କ’ଣ ?

 

ମଧୁସୂଦନଙ୍କର ଭାବନାର ଗତି ତ ବଦଳିଲା । ମତି କେତେଦୂର ବଦଳିଲା ତାହାହିଁ ଦେଖିବାର କଥା ।

 

ସାତ

 

ସକାଳେ କୋକିଳର ଅବସ୍ଥା ଦେଖି ଗୃହର ନାରୀମାନଙ୍କର ବିସ୍ମୟର ଅବଧି ରହିଲା ନାହିଁ । ପରସ୍ପର ମୁହଁ ଚାହାଁଚାହିଁ କରିବାକୁ ଲାଗିଲେ । ଜଣେ ବର୍ଷିୟସୀ ମହିଳା କୋକିଳକୁ ସମ୍ୱୋଧନ କରି କହିଲେ, ‘‘ବୋହୂ ! ତୁମ ମୁଣ୍ଡରେ ଏ ଚିହ୍ନ କ’ଣ ? ଦୁଇଜାଗାରେ ଦୁଇଟା ଆବୁ । ମଲା ମଲା, ଲୁଗାପଟା ସବୁ ରକ୍ତରେ ସୁଡ଼ୁ ବୁଡ଼ୁ । ଏ କ’ଣ ହେଲା ବୋହୂ ?’’ ପ୍ରଶ୍ନକାରିଣୀ ଯେତେଦୂର ବିସ୍ମିତା ନୁହନ୍ତି କୋକିଳ ତତୋଽଧିକ ବିସ୍ମିତ । ସେ ମୁଣ୍ଡରେ ହାତ ବୁଲାଇଲା । ସତକୁ ସତ ଦି ଜାଗା ଫୁଲିଉଠିଛି । ଲୁଗାରେ ବି ରକ୍ତ । ମଧୁସୂଦନଙ୍କର ପଦାଘାତରେ କୋକିଳ ଯେତେବେଳେ ଛାଟିହୋଇ ପଡ଼ିଗଲା, ସେତିକିବେଳେ ସମ୍ଭବତ ଆଘାତ ଲାଗିଛି । ଶଯ୍ୟାତ୍ୟାଗ କରିବାବେଳେ ଯେବେ ସେ ଜାଣିପାରିଥାନ୍ତା କି ଲୁଗାରେ ରକ୍ତଦାଗ ଦେଖିପାରିଥାନ୍ତା, ପ୍ରଶ୍ନର ଉତ୍ତର ପାଇଁ ସେ ଅବଶ୍ୟ ପ୍ରସ୍ତୁତ ହୋଇପାରିଥାନ୍ତା । ସହସା ତା’କୁ ଉତ୍ତର ଯୋଗାଇଲା ନାହିଁ । ପ୍ରଶ୍ନ ଉପରେ ପ୍ରଶ୍ନ । ଉତ୍ତର ନଦେଇ ଉପାୟ ନାହିଁ । କହିଲା, ‘‘ଖଟରୁ ଗଡ଼ିପଡ଼ିଲି ।’’ କୋକିଳର ଦୁର୍ଦ୍ଦଶାରେ ନବାଗତ ମହିଳା ଜଣକ ସମବେଦନା ପ୍ରକାଶ କଲେ । ତା’ର ବେଦନା ସ୍ଥାନ ଆଉଁସି ଦେଲେ । କେହି କେହି ଆଖିମାରି କେତେ ପ୍ରକାର ଟାହୁଲି ଟାପରା କରିବାକୁ ଛାଡ଼ିଲେ ନାହିଁ ।

 

ସମ୍ବାଦଟା ବଡ଼ ରହସ୍ୟଜନକ । କୋକିଳ ଗାଡ଼ିଆକୂଳରେ ନ ପହଞ୍ଚୁଣୁ ଗୃହିଣୀ ଯାଇ ପହଞ୍ଚିଲେ । କୋକିଳର ଓଢ଼ଣା ଉଠାଇ କ୍ଷତସ୍ଥାନ ସବୁ ପରୀକ୍ଷାକରି ଦେଖିଲେ । ମୁହଁ ମୋର ନାକ ଫୁଲାଇ ଓଠ ମେଲାଇ ମନ୍ତବ୍ୟ କଲେ, ‘‘ମଲା, ମଣିଷ ଫେରେ ଏମିତି ବେହୋସ ହୋଇ ଶୁଅନ୍ତି ।’’ ଶାଶୁ ଠାକୁରାଣୀଙ୍କର ଏଇ କଟୁମନ୍ତବ୍ୟ ଚୋଟରେ କୋକିଳର ହୋସ ବଢ଼ୁ ବା ନ ବଢ଼ୁ, ତା’ର ବେଦନା ବଢ଼ିଗଲା ଅନେକ ଗୁଣ ।

 

ନବବଧୂ କୋକିଳର ମଧୁଯାମିନୀ ଗୋଟାଏ ନୂଆ ଢାଞ୍ଚାରେ କଟିଗଲା । ହେଲେ ଘରକରଣା ଚାଲିଲା ସେଇ ପୁରୁଣାକାଳିଆ ଗତିରେ । ବୋହୂ ଆଉ ଝିଅ ଏ ଦୁହେଁ ସତେ ଯେମିତି ଦୁଇ ନିର୍ଜନ ସୃଷ୍ଟିର ଜୀବ । ଦୁହେଁ ଏକା ବୟସର ହୋଇଥିଲେ ବି ସେ ଦୁହିଁଙ୍କର ତୁଳନା ହୋଇପାରେନା । ବାପଘର ଝିଅ ଅଲିଅଳ । କ’ଣ ଜାଣେ ସେ ? ତା’ର ଜାଣିବାର ବା ଦରକାର କ’ଣ ? ତା’ କାମ ତୁଲାଇବା ପାଇଁ ତା’ର ବାପ ମା’ ରହିଛନ୍ତି । ତା’ର ଖାଇପିଇ ବୁଲିବାର କଥା । ହେଲେ ବୋହୂ ତ ଅଲିଅଳ ହୋଇପାରିବନି । ସେ ଯେ ବୋହୂ । ତା’କୁ ସ୍ୱାମୀ ଶାଶୁ ଶ୍ୱଶୁର, ନଣନ୍ଦ, ଦିଅର, ଯାଆ, ଦେଢ଼ଶୁର ସବୁରି ମନ ମନାଇ ଚଳିବାକୁ ହେବ । ପୋଷା ଚଢ଼େଇର ପେଟକଥା ବି ଜାଣିବାକୁ ହେବ । ସବୁରି ପାଇଁ ଫରମାସ ବୁଝିବାକୁ ହେବ । ବୋହୂ ନିଜେ ଭୋକରେ ରହୁ କି ଓପାସରେ ମରୁ ସେଥିରେ କାହାରି କିଛି ଯାଏ ଆସେନା । ଯାହାର ଯାହା ଲୋଡ଼ା ଠିକଣା ବେଳକୁ ଯୋଗାଇ ଦେଉଥିବ ଚାହି । ଏ ସବୁ ଯେବେ କରିନପାରିଲା ସେ ବୋହୂ ଥାଇ କେତେ ନଥାଇ କେତେ ? ଶାଶୁ ଯେ ଦିନେ ବୋହୂଥିଲେ ଏ କଥାଟା ସେ ଯେମିତି ଭୁଲିଯା’ନ୍ତି, ନଣନ୍ଦ କାଲି ଯେ ବୋହୂ ହେବ ଏ କଥା ମଧ୍ୟ ସେ ସେମିତି ଭୁଲିଯାଏ । ପରଝିଅକୁ ଆପଣାର କରି ରହିସହି ଚଳାଇନେବା ବିଚାରବନ୍ତ ଶାଶୁ, ଖୁବ୍ କମ୍ ବୋହୂଙ୍କ ଭାଗ୍ୟରେ ଯୁଟିଥାଏ-। କୋକିଳ ତ ଆରମ୍ଭରୁ ଯୋଡ଼ା କପାଳୀ । ତା’ ଭାଗ୍ୟକୁ ଚାହିଁ ଯେମିତି ଯୁଟିବାର ସେ ସବୁ ଠିକ୍ ଠିକ୍ ଯୁଟିଛି ।

 

ଏମିତି କୌଣସି ଦିନ ନଥିଲା ଯେଉଁଦିନ କି କୋକିଳ ନାଁରେ ନଣନ୍ଦ ରମ୍ଭା ତା’ର ମାତା ପାଖରେ ଅଭିଯୋଗ ଉପସ୍ଥାପିତ କରୁନଥିଲା । ରମ୍ଭା କୋକିଳ ବିପକ୍ଷରେ ଯାହା ଯାହା ସାକ୍ଷ୍ୟ ଦିଏ ତାହା କେତେଦୂର ଗ୍ରହଣୀୟ ବିଚାରିବାର କଥା । କାରଣ ଯିଏ ବାଦୀ ସେହି ସାକ୍ଷୀ । କୌଣସି ଆଇନ ଆଗରେ ଗ୍ରହଣୀୟ ନ ହେଲେ ବି ଗୃହିଣୀଙ୍କ ମିସଲରେ ସେସବୁ ନିର୍ବିବାଦରେ ଗୃହୀତ ହୋଇଥାଏ । ଫଳରେ କୋକିଳ ପୂର୍ଣ୍ଣମାତ୍ରାରେ ଦୋଷୀ ଏବଂ ଦିଣ୍ଡାର୍ହ । ବିନା ଓକିଲ ମୁକ୍ତିଆର ବିନା ଜେରା ଜମାନବନ୍ଦୀରେ ଯାବତ ଅଭିଯୋଗ ସାଥେ ସାଥେ ଫଇସଲ । ନିରୁପାୟ କୋକିଳ । ବୋହୂ ସେ । ଟିକିଏ ଉଁ କି ଚୁଁ କଲା ତ ‘‘କଳି କାଣ୍ଡେଇ’’ ଆପଣ ମିଳିବ । ଟିକିଏ ଗୁଇଁ ପୁଇଁ ହେଲା ତ ‘ଅଲକ୍ଷଣୀ’ ବୋଲି ବାଇଦ ବାଜିଲା । ବୋହୂ ତ । ଚଞ୍ଚଳ ଚାଲିଲେ ହେଲା ‘ଡଗ ଡଗୀ’ । ଆସ୍ତେ କାମଟି କଲେ ‘ମଠେଇ’ । ହସିଲେ ‘ହେରସୀ’ ନ ହସିଲେ ‘‘କୁସୁଣ୍ଡା ମୁଁହୀ’’ । କାଠପାଲଟି ଯିବାଛଡ଼ା ତା’ର ଉପାୟ ନଥିଲା । ପେଟ ବେଦନା ତା’ର ମନର କୋହ ମନରେ ରହେ । ଆକିର ଲୁହ ଆଖି କ’ଣରେ ଶୁଖେ ।

 

ପାର୍ବଣ ପାଖେଇ ଆସିଲା । ସ୍କୁଲ କଲେଜ ସବୁ ବନ୍ଦ ହେଲା । ଜଉଗଡ଼ର କଲେଜ ଛାତ୍ର ଗାଁକୁ ଆସିଲେ । ମଧୁସୂଦନ କିନ୍ତୁ ଆସିଲେ ନାହିଁ । ସେ ନନାଙ୍କ ପାଖକୁ ପତ୍ର ପଠାଇ ଦେଲେ । ତାଙ୍କର ପଢ଼ା ପଢ଼ିର ଭିଡ଼ । ଦଶହରା ପର୍ବରେ ଘରକୁ ଆସି ପାରିବେ ନାହିଁ । ଏ ସମ୍ବାଦ ପାଇ ଗୃହିଣୀଙ୍କର କୋପ କହିଲେ ନସରେ । କୋକିଳକୁ ଅନେଇଲେ ତାଙ୍କର ହାଡ଼ ଜଳିଲା । ସେ ସ୍ଥିର କରିନେଲେ, କୋକିଳ ଯାବତ ଅଶାନ୍ତିର ମୂଳ । ଏଇ ଅଲକ୍ଷଣୀ ବୋହୂଟା ଆସି ପୁଅକୁ ତାଙ୍କର ଦେଶାନ୍ତର କରେଇଲା । ଯେତେଥର ପୁଅ ଘରକୁ ଆସେ କେଡ଼େ ହସଖୁସିରେ ଯାଏ । ଏଥର ଯିବାବେଳେ ମୁହଁଟି ତା’ର ଶୁଖିଯାଇଥିଲା । ଏଇଟାର ଅଲାଗି ପଣିଆ ଦେଖି ସେଦିନ ମାରି ଲହୁଲୁହାଣ କରିଦେଇଥିଲା ନା । ମୁଁ ସେଉଠୁ ଜାଣିଚି, ପୁଅ ମୋର କେତେ ମନଦୁଃଖରେ ଯାଇଚି-। ବେଳେ ବେଳେ ସକେଇ ସକେଇ ବାହୁନି ବସନ୍ତି–‘‘ସତେ ମୋ ପୁଅ ଆଉ ଘରମୁହାଁ ହବ-। ମା’ ମଙ୍ଗଳା ମା’ କାଳୀ ସତେ ମୋ ଡାକ ଶୁଣିବେ ? ନ ଜାଣି ହଟ ହଟି ଏ ଡଙ୍କୁଣୀକୁ କାହିଁକି ଆଣି ମଲି ମୁଁ ? ଇତ୍ୟାଦି ଇତ୍ୟାଦି ବାହୁନା ସଙ୍ଗେ ସଙ୍ଗେ କୋକିଳ, ଆଉ ତା’ର ପିତାମାତା ଆଦି ସପ୍ତପୁରୁଷକୁ ନାନା ଅକଥ୍ୟ କଳଙ୍କରେ ଜଡ଼ିତ କରିବାକୁ ଛାଡ଼ନ୍ତି ନାହିଁ । କଥା କଥାକେ କୋକିଳର ଅଳ୍ପାୟୁ କାମନା କରିବା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା କହିଳେ ଚଳେ ।

 

ମଧୁସୂଦନ କେବଳ ପାର୍ବଣ ଛୁଟିରେ ଯେ ଘରକୁ ନ ଆସିଲେ ତାହା ନୁହେଁ । ବଡ଼ଦିନ ଗଲା, ଦୋଳ ଗଲା, ଗ୍ରୀଷ୍ମଛୁଟି ଗଲା, ତଥାପି ତାଙ୍କର ପଢ଼ାପଢ଼ିର ଭିଡ଼ କମିଲା ନାହିଁ କି ସେ ଘରମୁହାଁ ହେଲେ ନାହିଁ । ଗ୍ରୀଷ୍ମବିକାଶରେ ବୃଦ୍ଧ ଫକୀର ମିଶ୍ର ନିଜେ ଗଲେ । ବହୁ ଅନୁରୋଧ କଲେ । ହେଲେ ମଧୁସୂଦନଙ୍କର ଆସିବା ନୋହିଲା । ଗୃହିଣୀଙ୍କର କ୍ରୋଧ କ୍ରମେ ବଢ଼ି ବଢ଼ି ଚାଲିଲା । ଗାଳି ଗଞ୍ଜଣାରେ ରାଗ ଶାନ୍ତ ହେଲା ନାହିଁ । ହାତ ଚାଲିଲା । ଟିକିଏ ଆଡ଼ବାଙ୍କ ହେଲା ତ କୋକିଳର ଚୁଟି ପିଠି ଉଡ଼ିଲା । ମାଡ଼ ବେଉସା ପାଇଁ କୋକିଳର ପିଠି ଖଣ୍ଡ ଗୃହିଣୀ ସତେ ଅବା ଏକଚାଯିଆ କରିନେଲେ ।

 

କୋକିଳ ବିଚାରୀ କରେ କ’ଣ ? ତା’ ପକ୍ଷନେଇ ଦିପଦ କହିବାକୁ କିଏ ବା ଅଛି ? ଭଗବାନଙ୍କୁ ସାକ୍ଷୀ ରଖି ସବୁ ସହିଯାଉଥାଏ । ହେଲେ ବେଳକୁ ବେଳ ଅସହ୍ୟ ହୋଇଉଠିଲା । ବୁକୁଫଟା ଦୁଃଖରେ ତା’ର ଅନ୍ତର ସଦା ସର୍ବଦା କୁହୁଳିବାକୁ ଲାଗିଲା । ଆଶୀର୍ବାଦ ଉତ୍ସବର ବେଦୀକର୍ମରେ ଅନୁଷ୍ଠିତ ଲାଜା ହୋମର ଅର୍ଥ ସେତେବେଳେ ସେ ବୁଝିନଥିଲା । ଏବେ ବେଶ୍ ବୁଝିପାରିଲା, - ଲାଜା ହୋମ ହେଉଛି ତା’ର ସ୍ୱାଧୀନତାର ହୋମ । ହୋମ ଅନଳରେ ନାରୀର ସ୍ୱାଧିନତାକୁ ନାରୀକେଳ କଳ୍ପନାରେ ଜଳାଇ ଦିଆଯାଇଛି । ତା’ ସଙ୍ଗେ ସଙ୍ଗେ ତା’ର ଦେହ, ମନ, ପ୍ରାଣ ସବୁ ସିଝି ପଡ଼ିଯାଇଛି କଇଥା । ଶରୀର, ମନ, ପ୍ରାଣ ସବୁ ଥିଲେ ବି ଦରପୋଡ଼ା କାଠଖଣ୍ଡପରି ଅତି ଅଦରକାରୀ ହୋଇପଡ଼ିଛି । ହୋମ ଅବଶେଷ ଦରପୋଡ଼ା ନଡ଼ିଆରୁ ଟିକିଏ ଖାଇବାର ବିଧି ବୋଧିହୁଏ ଏଇ କଥାକୁ ଚିର ଜାଗରୁକ ରଖିବା ଉଦ୍ଦେଶ୍ୟରେ ପାଳିତ ହୋଇଥାଏ-। ବେଳେ ବେଳେ ତା’ର ମନହୁଏ ଘରଛାଡ଼ି କୁଆଡ଼େ ପଳାଇଯାନ୍ତା । ଯିବ କୁଆଡ଼େ-? କେମିତି ବା ଯିବ ? କୂଳବୋହୂ ସେ । କଳଙ୍କ ପସରା ମୁଣ୍ଡାଇ କେମିତି ବୁଲିବ । କଳଙ୍କ ଶବ୍ଦ ସ୍ମରଣରେ ନାରୀତ୍ୱ ତା’ର ଜାଗିଉଠେ । ଯେଉଁ ଦେଶରେ ନାରୀର ରହିଛି ବିରାଟ ତ୍ୟାଗ, ଅମୂଲ୍ୟ ଐତିହ, ଅକ୍ଷୟ ପରମ୍ପରା ତାହା ସେ ଭୁଲିଯିବ କେମିତି ? ଯେଉଁ ଦେଶର ନାରୀ ଜହର ଯାତ୍ରାରେ ନିଆଁକୁ ଡେଇଁପଡ଼ିବାକୁ ଭୟ କରେ ନାହିଁ; ନିଜ ହାତରେ ଗରଳ ଗୋଳି ପିଇବାକୁ ଭୟ କରେନାହିଁ ସେହି ଭାରତର ନାରୀ ସେ । ଶାଶୁ ନଣନ୍ଦର ଗଞ୍ଜଣା ଭୟରେ କୁଳଧର୍ମରେ ଜଳାଞ୍ଜଳି ଦେଇ ଘରୁ ଗୋଡ଼ କାଢ଼ିବ ? ନା, ତା’ ସେ ପାରିବ ନାହିଁ । ବିଶ୍ୱନିୟନ୍ତା ପରମପିତା ପରମେଶ୍ୱରଙ୍କୁ ଧ୍ୟାନକରି ମାଡ଼ଗାଳି ସହିବା ଭଳି ଶକ୍ତି ତା’ର ଅଛି ।

 

ଆଠ

 

କୋକିଳର ମାତା ଲାବଣ୍ୟମୟୀ ଅଇସୁଲକ୍ଷଣୀ ହୋଇ ଆରପୁରକୁ ଚାଲିଗଲେଣି । ଘରର ନାନା ଜଞ୍ଜାଳ ଭିତରେ ଶମ୍ଭୁ ମିଶ୍ରେ ଏକୁଟିଆ । ତାଙ୍କର ଦୂରାବସ୍ଥା କହିଲେ ନ ସରେ । ଏତେ ତ ବୟୋବୃଦ୍ଧ । ତା’ ଉପରେ ପତ୍ନୀ ବିୟୋଗ ଦୁଃଖ, ଏକମାତ୍ର କନ୍ୟାର ବିଚ୍ଛେଦ ବେଦନା । ସେଥିରେ ପୁଣି ନିଜ ହାତରେ ମୁଠାଏ ନ ଫୁଟାଇଳେ ନ ଚଳେ । ପାରି ଉଁଠନ୍ତି ନାହିଁ । ତିନି ଦିନରେଦିନେ ଖାଇଲେ ତ ଖାଇଲେ, ନ ଖାଇଲେ ନାହିଁ । ମାଳତୀର ଏକଥା ଦେହ ସହେନାହିଁ । ସେ ନିତି ତା’ର ମଉସାକୁ ସାନ୍ତ୍ୱାନା ଦିଏ । ଜୋର ଜବରଦସ୍ତି କରି ନିଜେ ରୋଷଇର ସବୁ ଆୟୋଜନ କରିଦେଇ ମିଶ୍ରଙ୍କୁ ଖାଲି ମୁଠାଏ ଫୁଟାଇଦେବାକୁ ଅନୁରୋଧ କରେ । ମିଶ୍ରେ ଶିଶୁଟି ପରି ମାଳତୀର ବୋଲ ମାନନ୍ତି । ମାଳତୀର ସାହଚର୍ଯ୍ୟରେ ମିଶ୍ରଙ୍କର କେତୋଟି ମାସ ସୁଖ ଦୁଃଖରେ କଟିଗଲା । ହେଲେ ଡେମ୍ଫ କୋହଳ ଫଳ ନ ଖସି କି ରହିପାରେ । ଦିନେ ଅଚାନକ ତାଙ୍କର ପାଟି ବନ୍ଦ ହୋଇଗଲା । ଚେଷ୍ଟାକଲେ ବି କଥା ବାହାରିଲା ନାହିଁ । ସେଇ ଦିନରୁ ସେ ବିଶେଷ ବଳହୀନ ହୋଇପଡ଼ିଲେ । ବିଛଣାରୁ ଉଠିବାର ଶକ୍ତି ରହିଲା ନାହିଁ । ତାଙ୍କର ଆତ୍ମୀୟସ୍ୱଜନ କିଏ ଅଛି ଯେ ଏ ଅବସ୍ଥାରେ ତାଙ୍କୁ ଦେଖାଶୁଣା କରିବ ? ମାଳତୀର ଅନୁରୋଧରେ ଦୀନବନ୍ଧୁ ପଟ୍ଟନାୟକ କୋକିଳର ଶ୍ୱଶୁର ଫକୀର ମିଶ୍ରଙ୍କୁ ଭାଷା ଲେଖି ପଠାଇଲେ-। କୋକିଳକୁ ଆଣିବା ପାଇଁ ସୁଆରୀ ବେହେରା ବି ଧାଇଁଲେ ।

 

ସମୁଧୀଙ୍କ ଦୁଃଖରେ ସମବେଦନା ଅନୁଭବ କରି ହେଉ ବା ତାଙ୍କର ଚକ୍ଷୁଶୂଳକୁ ବିଦା କରିଦେବା ମତଲବରେ ହେଉ, ଲକ୍ଷ୍ମୀ ସୁନ୍ଦରୀ କାଳବିଳମ୍ୱ ନ କରି ସଙ୍ଗେ ସଙ୍ଗେ କୋକିଳକୁ ସବାରୀରେ ବସାଇଦେଲେ ।

 

ଶମ୍ଭୁ ମିଶ୍ରଙ୍କର ରୋଗ କ୍ରମେ ଭୀଷଣାକାର ଧାରଣ କଲା । ଅବିରାମ ଜ୍ୱର । ତା’ ସଙ୍ଗରେ ପ୍ରବଳ ଝାଡ଼ା । କୋକିଳ ଘରେ ପହଞ୍ଚି ଯାହା ଦେଖିଲା, ତହିଁରେ ତା’ର ହୃତ୍‍ପିଣ୍ଡ ଥରିଉଠିଲା । ପିତାଙ୍କୁ ସେ ଆଉ ଫେରି ପାଇବାର ଆଶା ଦେଖିଲା ନାହିଁ । ପୂର୍ବରୁ ମାତୃସ୍ନେହରୁ ବଞ୍ଚିତା ହୋଇଛି, ଦେଖୁ ଦେଖୁ ପିତାଙ୍କୁ ହରାଇବ । ବାଲ୍ୟାବଧି ପିତାମାତାଙ୍କର ଆଦରଯତ୍ନ, ବାତ୍ସଲ୍ୟ ମମତାପୂର୍ଣ୍ଣ ଅତୀତ ଘଟଣାବଳୀ ଗୋଟି ଗୋଟି ହୋଇ ତା’ ମନରେ ପଡ଼ିଲା । ଶୋକାବେଗରେ କଣ୍ଠ ତା’ର ରୁଦ୍ଧ ହୋଇ ଆସିଲା । ପିତାଙ୍କ ଶଯ୍ୟା ନିକଟରେ ବସି ରହିଲା ନିର୍ବେଦ ନିଥର ହୋଇ । ଆଖିରୁ ଲୁହ ଟୋପାଏ ବି ଗଡ଼ିଲା ନାହିଁ । ଆଉ କେହି ବୁଝୁ ବା ନ ବୁଝୁ, କୋକିଳର ହୃଦୟ ଯେଉଁ ଅକଥନୀୟ ଦୁଃଖ ନୈରାଶ୍ୟରେ ବିଦୀର୍ଣ୍ଣ ହୋଇଯାଉଥିଲା, ମାଳତୀ ତାହା ବେଶ୍ ବୁଝିପାରିଲା । ସେ କୋକିଳର ଅନ୍ତରାତ୍ମାକୁ ଆଚ୍ଛାକରି ଜାଣେ । ତା’କୁ ଅନେକ ବୁଝାଇଲା । ସାହସ ଦେଲା । ‘‘ସକାଳୁ ଲୋକ ପଠେଇଚି । ଡାକ୍ତର ଏଇଲେ ଆସି ପହଞ୍ଚିବେ ।’’ ଇତ୍ୟାଦି ନାନା ସାନ୍ତ୍ୱନାବାଣୀ ଶୁଣାଇଲା ।

 

ଯଥା ସମୟରେ ଡାକ୍ତର ଆସି ପହଞ୍ଚିଲେ । ରୋଗୀ ଦେଖିଲେ ଔଷଧର ବ୍ୟବସ୍ଥା କଲେ । ହେଲେ ଡାକ୍ତରଙ୍କ ଆଗମନରେ ଶମ୍ଭୁ ମିଶ୍ରେ ପୂର୍ବାସ୍ୱାସ୍ଥ୍ୟ ଫେରିପାଇବେ ବୋଲି ଯେଉଁମାନେ ଆଶା କରିଥିଲେ, ରୋଗୀ ଦେଖିବାବେଳେ ତାଙ୍କର ମୁଖଭଙ୍ଗୀରୁ ସେମାନେ ସ୍ପଷ୍ଟ ବୁଝିପାରିଲେ ଯେ ତାଙ୍କର ସେ ଆଶା ବୃଥା, ରୋଗ ଦୂରାରୋଗ୍ୟ । ଚିକିତ୍ସକଙ୍କର ସାଧ୍ୟାତୀତ । ଡାକ୍ତରଙ୍କର ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା । ଚାହୁଁ ଚାହୁଁ ମିଶ୍ରଙ୍କର କୋଟରଗତ ଆଖି ଦିଓଟି ଚିରଦିନ ପାଇଁ ମୁଦି ହୋଇଗଲା ।

 

ଯଥା ସମୟରେ ସମ୍ବାଦ ପାଇ ଫକୀର ମିଶ୍ର କୋକିଳର ପିତ୍ରାଳୟରେ ଉପସ୍ଥିତ ହେଲେ ସମୁଧିଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାପନାନ୍ତେ ପୁତ୍ରବଧୁସହ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ନର–ଶ୍ୱାପଦ-ସଂକୁଳ ଶ୍ୱଶୁରାଳୟରେ କୋକିଳର ଯନ୍ତ୍ରଣା ବୃଦ୍ଧି ପାଇବାକୁ ଲାଗିଲା । ପିତାମାତାଙ୍କର ବିୟୋଗ ଦୁଃଖ, ପତିଙ୍କର ପ୍ରତ୍ୟାଖ୍ୟାନ ଚିନ୍ତା, ପ୍ରାଣ ସହି ମାଳତୀର ବିଚ୍ଛେଦ ବେଦନା, ସର୍ବୋପରି ଶାଶୁ ଠାକୁରାଣୀଙ୍କର ଗାଳିମାଡ଼ ସହିବା ଭଳି ସାମର୍ଥ୍ୟ ତା’ର ନଥିଲା । ଏତେଦିନ ଧରି ଯେଉଁ ଅସୀମ ଧୈର୍ଯ୍ୟବଳରେ ସେ ମନର ବେଦନା ମନରେ ମାରିପାରୁଥିଲା, ସେହି ଧୈର୍ଯ୍ୟ କ୍ରମେ ଦୁର୍ବଳ ମନେହେଲା ।

 

ମଧୁସୂଦନଙ୍କର କନିଷ୍ଠ ଭ୍ରାତା ଯଦୁନାଥ । ଗଠନ ମଧ୍ୟମ ପ୍ରକାର । ନୁହେଁ ବାଙ୍ଗର ନୁହେଁ ଡେଙ୍ଗା । ଗୌର କାନ୍ତି । ଗୋଲମୁହଁ, ଓଠରେ ସତେ ଯେମିତି ହସ ଲାଖି ରହିଛି । ପୁରୁଷପକ୍ଷରେ ଯେଉଁ ସବୁ ଉପାଦାନର ଅଭାବରେ ସୌନ୍ଦର୍ଯ୍ୟ ହାନି ଘଟିବାର ସମ୍ଭାବନା, ସେ ଅଭାବ ତା’ର ନଥିଲା । ସେହି ସୁରୁଚିପୂର୍ଣ୍ଣ ଆକୃତି ଆଢ଼ୁଆଳରେ ଛପିରହିଥିଲା କୁରୁଚିପୂର୍ଣ୍ଣ କୁଟୀଳ ପ୍ରକୃତି । ଆଖିରେ ଥିଲା ତା’ର ପୈଶାଚିକ ଚାହାଁଣି । ଅଧରରେ ଲୋଲୁପତାର ପ୍ରଲୋପ । ଲଲାଟ ପଟରେ ଲାମ୍ପଟ୍ୟର ଚିହ୍ନ । ଜଉଗଡ଼ ଗାଁରେ ଏମିତି କେହି ଲୋକ ନଥିଲା, ଯେକି ଯଦୁନାଥର ଅଳ୍ପାୟୁ କାମନା କରି ଦିଅଁ ଦେବତାଙ୍କୁ ମୁଣ୍ଡିଆ ନ ମାରେ । ଏମିତି ମଧ୍ୟ କୌଣସି ଦିନ ନଥିଲା, ଯେଉଁଦିନ ଯଦୁନାଥ କାହା ପୁଅକୁ ମାରିବ, କାହା ବାରି ଭିତରେ ଗୋରୁ ପରାଇ ଶାକ ସବଜି ଆଦି ନଷ୍ଟ କରିବା, କାହା ବୋହୂ ଝିଅଙ୍କୁ ଅକଥା କୁକଥା କହିବା କିଛିନା କିଛି ମନ୍ଦକର୍ମ ନ କରେ । ତା’ର ଏସବୁ ଅନ୍ୟାୟ ଅତ୍ୟାଚାର ଲୋକମାନେ ସହିପାରୁଥିଲେ କେମିତି ? ସହିବା ଛଡ଼ା ଆଉ କି ଉପାୟ ଥିଲା । ସେ ଯେ ବ୍ରାହ୍ମଣ । ବ୍ରହ୍ମଶାପରେ ଶକ୍ତି ତ ଅଳ୍ପ ନୁହେଁ । ଯଦୁବଂଶ ପରି ଭଗବାନ ଶ୍ରୀକୃଷ୍ଣର ବର୍ଦ୍ଧିଷ୍ଣୁ ବଂଶକୁ ଯେଉଁ ବ୍ରହ୍ମଶାପ ନିମିଷକେ ନଷ୍ଟ କରିପାରେ, ସେ ବ୍ରହ୍ମଶାପକୁ ଭୟ କାହାର ନ ହେବ ? ଯଦୁନାଥର ଶତ ଅନ୍ୟାୟ ଅତ୍ୟାଚାରକୁ ଲୋକମାନେ ନୀରବରେ ନ ହେଲେ ମଧ୍ୟ ସହ୍ୟ କରିପାରୁଥିଲେ ।

 

ସୁଯୋଗ ଖୋଜି ଯଦୁନାଥ ବେଳେ ବେଳେ ଭାଉଜ ସଙ୍ଗରେ ରସିକତା ଆରମ୍ଭ କରିଦିଏ । କୋକିଳର କିନ୍ତୁ ସେ ଦିଗରେ କାନ ନ ଥାଏ । ମନ ଯାହାର ଦୁଃଖ ବୈରାଗ୍ୟରେ ସଦା ସର୍ବଦା ଅସ୍ଥିର ହାସ ପରିହାସକୁ ତା’ର ବେଳ କାହିଁ ? ବାସ୍ତବରେ ତା’ର ବେଳ ନଥାଏ । ସକାଳୁ ସଞ୍ଜଯାଏ କାମ ପାଇଟି କରି ମଧ୍ୟ ନିତି ବୋଲଣା ଛାଡ଼ି ନାହିଁ । ତା‘ରେ ଛାଞ୍ଚୁଣି ପାହାର ସାଙ୍ଗକୁ ଖୁନ୍ଦା ଖୋବଣା ବି ରହିଛି । ଯଦୁନାଥର ରସିକ ପଣିଆ କଥା ଭାବିବାକୁ ତା’ର ବା ଅବସର କାହିଁ-? ସେ କୋକିଳକୁ ଯେତେ ଯାହା ପରିହାସରେ କୁହେ, କୋକିଳ ଶୁଣେ ମାତ୍ର । କଥାର ଭିତିରି ଉଦ୍ଦେଶ୍ୟ ବା ଅର୍ଥ ବୁଝିବାକୁ ଚେଷ୍ଟା କରେ ନାହିଁ କି ତା’ର ଉପଯୁକ୍ତ ଉତ୍ତର ଦେଇପାରେ ନାହିଁ-। ଶୁଣି ନ ଶୁଣିଲା ପରି ତା’ କାମରେ ସେ ଚାଲିଯାଏ କୋକିଳ ସିନା ନିଜ ଦୁଃଖରେ ଅସ୍ଥିର ଯଦୁନାଥ କିନ୍ତୁ ଭାଉଜର ଏ ରୀତିକୁ ଶୁଭ ସୂଚନା ଭାବି ଆନନ୍ଦରେ ଅଧୀର ହୋଇ ଉଠେ ।

 

ସେ ଦିନ ଶିବ ଚତୁର୍ଦ୍ଦଶୀ । କୋକିଳର ଶାଶୁ ଦୁଇଦିନ ଆଗରୁ କପିଳାଶ ଜାଗର ମେଳାକୁ ଯାଇଛନ୍ତି । ଦୁଇପ୍ରହର ଖିଆପିଆ ପରେ ଫକୀର ମିଶ୍ର ଆଶକତ ମେଣ୍ଟାଉଛନ୍ତି । ନଣନ୍ଦ ରମ୍ଭା ବି ଶୋଇଛି । କୋକିଳ ଘରର ପାଇଟି ସାରି ସଙ୍ଖୁଡ଼ି ବାସନ ଗାଡ଼ିଆ ତୁଠରେ ମାଜୁଛି । ବେଳଉଣ୍ଡି ଯଦୁନାଥ ହାଜର, ତା’ର ରସିକତା କ୍ରମେ ଚରମକୁ ଉଠିଲା । ତା’ର ଶେଷପଦକ ଶୁଣି କୋକିଳ ରାଗରେ ହତଜ୍ଞାନ ହୋଇଗଲା । ତା’କୁ ଦଶଦିଗ ଅନ୍ଧାର ଦିଶିଲା । କିଛିକ୍ଷଣ ପରେ ପ୍ରକୃତିସ୍ଥା ହୋଇ ଯଦୁନାଥ ଉପରେ ସେ ଏପରି ଏକ ଅଗ୍ନିବର୍ଷୀ ଭ୍ରୂକୁଟୀ କଟାକ୍ଷପାତ କଲା ଯେ, ଯଦୁନାଥ ଭୀତ ଚକିତ ହୋଇଗଲା । କୋକିଳଠାରୁ ଏପରି ନିର୍ମମ ପ୍ରତ୍ୟାଖ୍ୟାନ ପାଇବା ପାଇଁ ସେ ପ୍ରସ୍ତୁତ ନଥିଲା । ତା’ର ଆଶାଭରସା ଅଚାନକ ଚୂର୍ଣ୍ଣ ହୋଇଯିବାର ଦେଖି ଅନୁନୟ ବିନୟ ଆରମ୍ଭ କଲା । ସେ ଚେଷ୍ଟାର ଫଳ ନ ହେବାରୁ ବଳ ପ୍ରୟୋଗର ଭୟ ଦେଖାଇଲା । କୋକିଳର ବଡ଼ ଅସହ୍ୟ ହେଲା । ସେ ଆହତା ବାଘୁଣୀ ପରି ଗର୍ଜି ଉଠିଲା । ପ୍ରତିଜ୍ଞା କଲା ନନାଙ୍କ ପାଖରେ ଏକଥା ସେ ପ୍ରକାଶ କରିବ–କରିବ । ନିରୁପାୟ ଯଦୁନାଥ ପଳାୟନ ଭିନ୍ନ ଅନ୍ୟ ଉପାୟ ପାଇଲା ନାହିଁ ।

 

କୋକିଳ କର୍ତ୍ତାଙ୍କୁ କହିବ ବୋଲି ଯଦୁନାଥକୁ ସିନା ଭୟ ଦେଖାଇଲା, ହେଲେ ଶ୍ୱଶୁରଙ୍କୁ କେମିତି ବା କହିବ ? କ’ଣ ବୋଲି ଆରମ୍ଭ କରିବ ? ତାଙ୍କ ଆଗରେ ସେ ସଳଖେ ଠିଆ ହୋଇନାହିଁ ଦିନେ । ଯଦୁନାଥର ଦୁର୍ବ୍ୟବହାର ବିଷୟରେ ସେ ନିଜେ ଅଭିଯୋଗ ଆଣିବାକୁ ପସନ୍ଦ କଲା ନାହିଁ । ନଣନ୍ଦ ରମ୍ଭାକୁ ଅବା କହନ୍ତା । ସେ ତ ପିଲା ଲୋକ । ତା’ର ବା ବୁଦ୍ଧିଶୁଦ୍ଧି କେତେ । କ’ଣ ନାହିଁ କ’ଣ କହିବ କେଜାଣେ । ଗାଁର ଆଉ ପାଞ୍ଚଲୋକଙ୍କ ପାଖରେ ଯେବେ କହିଦିଏ ! ଛି ଛି କି ଘୃଣାର କଥା । କୋକିଳ ତା’ର ମନେ ମନେ ବହୁ ଆଲୋଚନା କରି ସ୍ଥିର କଲା, ଗୃହିଣୀ ତୀର୍ଥଯାତ୍ରାରୁ ବାହୁଡ଼ିଲେ ତାଙ୍କ କର୍ଣ୍ଣଗୋଚର କରି ଯଦୁନାଥକୁ ଶାସନ କରିବ ।

 

ଯଦୁନାଥ ପୋଖରୀ ତୁଠରୁ ପଳାଇଛି ଯେ ଆଉ ତା’ର ଦେଖାଦର୍ଶନ ନାହିଁ । ସନ୍ଧ୍ୟା ହେଲା, ରାତି ଦୁଇଘଡ଼ି ହେଲା, ଚାହିଁ ଚାହିଁ ଯଦୁନାଥ ଫେରିଲା, ନାହିଁ । କର୍ତ୍ତା ବଡ଼ ବ୍ୟସ୍ତ ହୋଇ ପଡ଼ିଲେ । ରମ୍ଭାକୁ ବାରମ୍ୱାର ପଚାରିଲେ । ତା’ର ସେହି ଏକା ଉତ୍ତର । ଦୁଇ ପ୍ରହର ଖାଇବା ପରେ ସେ ଭାଇନାକୁ ଆଉ ଦେଖି ନାହିଁ । କୋକିଳ ମଧ୍ୟ ସେହି ପର୍ଯ୍ୟନ୍ତ ଜାଣେ । ହେଲେ ସେ ବିଷମ ସନ୍ଦେହରେ ପଡ଼ିଲା । ତା’ର ଅଭିଯୋଗ ଡରରେ କେଉଁଠି ଆଉ ଲୁଚି ରହି ନାହିଁତ ? ଆତ୍ମହତ୍ୟାର ଭାବନା ଯେବେ ତା’ ମୁଣ୍ଡରେ ଢୁକିଥାଏ ? ଛାତି ତା’ର ଦାଉଁ ଦାଉଁ ହୋଇ ଉଠିଲା, ଦୁଶ୍ଚିନ୍ତାରେ ଅନ୍ତର ତା’ର ଭରିଗଲା । ଆପଣାକୁ ଅପରାଧୀ ବିଚାରି ଅସ୍ଥିର ହୋଇଉଠିଲା ନିଜକୁ ଶତଧିକ୍କାର ଦେଲା । ବିଚାରିଲା, ‘ମୁଁ ଚାଣ୍ଡାଳୁଣୀ କାହିଁକି ତା’କୁ ଭୟ ଦେଖାଇ ମଲି, ଯଦୁନାଥର ଯେବେ କିଛି ହାନିଲାଭ ହୁଏ, ସେ ଲାଗି ମୁଁ ସିନା ଦାୟୀ ।’’ କେତେ ଦିଅଁ ଦେବତାଙ୍କୁ ଡାକିଲା । ବନଦୁର୍ଗାଙ୍କୁ ମୁଣ୍ଡିଆ ମାରି ମାନସିକ କଲା, ଯଦୁନାଥ ଘରକୁ ଭଲରେ ଲେଉଟି ଆସିଲେ ସେ କେବେ କେଉଁଠି କିଛି ପ୍ରକାଶ କରିବ ନାହିଁ ବୋଲି ପ୍ରତିଜ୍ଞା ମଧ୍ୟ କଲା ।

 

ନଅ

 

ଦିନେ ଗଲା । ଦୁଇଦିନ ଗଲା । ଯଦୁନାଥ ଫେରିଲା ନାହିଁ । ବୃଦ୍ଧ ଫକୀର ମିଶ୍ର ବହୁତ ଖୋଜାଖୋଜି କଲେ । ବନ୍ଧୁବାନ୍ଧବ ଘରମାନଙ୍କୁ ଲୋକ ପଠାଇଲେ । କାହିଁ ତା’ର ସମ୍ବାଦ ମିଳିଲା ନାହିଁ । ତିନିଦିନ ପରେ ଗୃହିଣୀ କପିଳାସରୁ ଫେରିଲେ । ପୁତ୍ରଶୋକରେ ଆତୁର ହୋଇପଡ଼ିଲେ । ତାଙ୍କରି ପରାମର୍ଶ କ୍ରମେ ମିଶ୍ରେ କଟକ ଯାଇ ମଧୁସୂଦନଙ୍କୁ ଖବର ଦେବାକୁ ପ୍ରସ୍ତୁତ ହେଲେ । ଠିକ୍ ସେତିକି ବେଳକୁ ଯଦୁନାଥ ଆସି ହାରଜ । ମିଶ୍ରଙ୍କ ତୁଣ୍ଡରୁ କଥା ବାହାରିବା ଆଗରୁ ଯଦୁନାଥ ତାଙ୍କ ହାତକୁ ଚିଠିଖଣ୍ଡେ ବଢ଼ାଇଦେଲା । ସେ ଆଗ୍ରହର ସହିତ ଖୋଲି ପାଠକଲେ । ପୁତ୍ରର ଆଗମନରେ ସେ ଯେପରି ଆହ୍ଲାଦିତ ହୋଇଉଠିଥିଲେ, ପତ୍ରପାଠ ସଙ୍ଗେ ସଙ୍ଗେ ତାଙ୍କର ସେ ଆନନ୍ଦ ଉତ୍ସାହ ସବୁ ଉଭେଇଗଲା । ଘୃଣାପୂର୍ଣ୍ଣ ସନ୍ଦିଗ୍ଧ ଚାହାଁଣିରେ ଅନାଇ ରହିଲେ ଯଦୁନାଥର ମୁହଁକୁ । ଗୃହିଣୀ ମଧ୍ୟ ତଦବସ୍ଥା । ପିତାପୁତ୍ର ଦୁହିଁଙ୍କର ମୁହଁକୁ ଚାହିଁ ରହିଳେ ଜଳ ଜଳ ।

 

ବସ୍ତୁର ଛୋଟ ଚିରାଟି ଢାଙ୍କିବା ପାଇଁ ବଡ଼ ଚିରାକନା ଖଣ୍ଡର ଲୋଡ଼ାହେଲା ପରି, ସାମାନ୍ୟ ପାପକୁ ଲୁଚାଇ ବସିଲେ ମହାପାପର ପ୍ରୟୋଜନ ହୋଇଥାଏ । ପାପଗ୍ରସ୍ତ ଯଦୁନାଥ ବର୍ତ୍ତମାନ ସେଇ ଚିନ୍ତାରେ ପାଗଳ । ପୋଖରୀ ତୁଠରୁ କୋକିଳର କୋପଦୃଷ୍ଟିରୁ ସିନା ପଳାଇଗଲା, ହେଲେ ବୁଝିପାରିଲା, ପିତାଙ୍କ କାନକୁ କଥାଟା ନିଶ୍ଚୟ ଯିବ । ନନା ଜାଣିଲେ ତା’ ଭାଗ୍ୟରେ ଯାହା ଘଟିବ ତାହା ମଧ୍ୟ ସେ ମନଶ୍ଚକ୍ଷୁରେ ଦେଖିପାରିଲା । ନିଜର ପାପ ଗୋପନର ଉପାୟ ପାଞ୍ଚିଲା । ପାପବୁଦ୍ଧିର ବା ଅସାଧ୍ୟ କ’ଣ ? ସେହି ମୁହୂର୍ତ୍ତରେ ସେ ଭାଇନାଙ୍କୁ ଭେଟିବା ପାଇଁ କଟକ ଯାତ୍ରା କଲା ।

 

ମଧୁସୂଦନ ସାନ୍ଧ୍ୟ ଭ୍ରମଣରୁ ଫେରିବାବାଟରେ ଯଦୁନାଥକୁ ଦେଖିଲେ । ସହସା ଅସ୍ୱାଭାବିକ ବେଶରେ ଭ୍ରାତାର ଆଗମନରେ ସେ ଅତିମାତ୍ରାରେ ଆଶ୍ଚର୍ଯ୍ୟାନ୍ୱିତ ହୋଇପଡ଼ିଲେ । ଖଣ୍ଡିଏ ମାତ୍ର ପିନ୍ଧାଲୁଗା । ସେ ପୁଣି କୋଚଟ ମଇଳା । ଦେହଟା ସଙ୍କୁଚିତ । ଭାଗ୍ୟେ ମଧୁସୂଦନଙ୍କ ବନ୍ଧୁ କେହି ସାଙ୍ଗରେ ନଥିଲେ ସେତେବେଳେ । ମଧୁସୂଦନ ନିକଟବର୍ତ୍ତୀ ଦୋକାନକୁ ଯାଇ ଯଦୁନାଥ ପାଇଁ ଧୋତି, ଗେଞ୍ଜି, କାମିଜି, ସାଙ୍ଗେ ସାଙ୍ଗେ କିଣିଦେଲେ । ମୁହୂର୍ତ୍ତକେ ଯଦୁନାଥ ଚେହେରା ବଦଳିଗଲା । ନବବେଶରେ ସେ ଭାଇନାଙ୍କ ସହ କଲେଜ ହଷ୍ଟେଲକୁ ଗଲା । ଏ ଦୁଇଭାଇ ନିଭୃତ କକ୍ଷରେ ବସି କଥାବାର୍ତ୍ତା ଆରମ୍ଭ କଲେ । ମଧୁସୂଦନ ପଚାରିଲେ, ‘‘ତୁ ଏମିତି ଏକ-କାନିଆ ହୋଇ ଆସିଲୁ କାହିଁକି ?’’ ‘‘ମୁଁ ପରା ଗାଡ଼ିଆ ତୁଠରୁ ସଳଖିଛି ଇଆଡ଼େ ।’’ ଯଦୁନାଥ ଆରମ୍ଭ କଲା–କ’ଣ କି, ତିନିଦିନ ହେଲା ମା’ ଘରେ ନାହିଁ । ରଘୁ କକେଇଙ୍କ ସାଙ୍ଗରେ କପିଳାସ ଯାଇଚି । ଆମ ବିଲରେ ଗୋରୁ ପଶିଲେ କି କ’ଣ ମୁଁ ଦେଖିବାକୁ ଯାଇଚି । ନୂଆବଉ ସେଇ ଉଦୁଉଦିଆ ଖରାଟାରେ ଗାଡ଼ିଆ ତୁଠରେ ସନେଇ ବେହେରା ପାଖରେ ବସି କ’ଣ ଗପସପ ହେଉଥିଲେ । ମତେ ଦେଖି ସନେଇ ବେହେରା ଝପଟି ପଳେଇଲା । ନୂଆବଉ ବାସନ ଖଣ୍ଡେ ଧରି ମାଜି ବସିଲେ । ‘‘ସନେଇ ବେହେରା କ’ଣ କହୁ ଥିଲାକି ?’’ ବୋଲି ମୁଁ ପଚାରିବାରୁ ଭାଉଜ ମତେ ଯାବତ ଇଚ୍ଛା ଗାଳିଦେଲେ । ମୋ ନାଁରେ ନନାଙ୍କ ପାଖରେ କହି ମାଡ଼ ଖୁଆଇବେ ବୋଲି ଧମକେଇଲେ । କଥାଟା ଖାଲି ତମକୁ ଜଣେଇ ଦେବା ପାଇଁ ସିଧା ସିଧା ଏଣେ ଧାଇଁଲି ! ସେ ଘର ମୁହଁ ମୁଁ ଆଉ ଚାହିଁବି ନାହିଁ, କି ଏମିତିଆ ଅନୀତି କଥାସବୁ ସହି ରହିବି ନାହିଁ ।’’

 

ଯଦୁନାଥର ବର୍ଣ୍ଣନା ଶୁଣି ମଧୁସୂଦନ କାଠଭୂତ । ତାଙ୍କର ଚେହେରାରୁ ଠିକ୍ ଠଉରିନେଲା ଯଦୁନାଥ । ତା’ର ଉପାୟଟା ବେଶ୍ କାଟୁ କରିଛି । ଆଉ ଟିକିଏ ଚଢ଼ାଇଦେବା ଉଦ୍ଦେଶ୍ୟରେ କହିଲା, ‘‘ଭାଇନା, କ’ଣ କହିବି ସେ କଥାଗୁରା । ସନେଇ ବେହେରାକୁ ନିତି ମୁଁ ଆମ ଗାଡ଼ିଆଠେଇଁ ଦେଖେ । ପଚାରିଲେ କହେ, ‘‘ବିଲ ଦେଖି ଆସିଥିଲି ।’’ ଆମବାରୀ ତଳେ ତା’ର ତ ଖଣ୍ଡେ ଜମି ଅଛି । ମୁଁ ଭାବେ ହେଇଥିବ । ହେଲେ ଭିତରେ ଭିତରେ ଏତେ ପେଞ୍ଚ ଅଛି ବୋଲି କ’ଣ ମତେ ମାଲୁମ ? ଯୋଗକୁ ଆଜି ସିନା ଧରାପଡ଼ିଲା ସବୁ ।’’

 

ସନେଇ ବେହେରା, ଯାହା ନାଁ ଶୁଣିଲେ ମଧୁସୂଦନଙ୍କର ହାଡ଼ କଡ଼କି ଉଠେ । ସେଇ ନଷ୍ଟଚରିତ୍ର ଶଇତାନ ସାଙ୍ଗରେ କୋକିଳର କଥାବାର୍ତ୍ତା । ଘୃଣାରେ ସର୍ବାଙ୍ଗ ତାଙ୍କର ଥରିଉଠିଲା । ମଗଜ ଭିତରଟା ଗୋଳମାଳିଆ ଧରିଗଲା । କଥାଟା ଚିନ୍ତାକକରି ଦେଖିବାର ଶକ୍ତି ତାଙ୍କର ହଜିଗଲା । ସେ ବିଛଣାରେ ପଡ଼ି ଛଟପଟ କରିବାକୁ ଲାଗିଲେ ।

 

ଚାତୁରୀରେ ମଧୁସୂଦନଙ୍କୁ ପ୍ରତାରିତ କରି ଭାଉଜକୁ ଆଚ୍ଛାକରି ପାନେ ଦେବାର ଫନ୍ଦି ଯଦୁନାଥର ସଫଳ ହୋଇଛି । ପତ୍ରଖଣ୍ଡି ପିତାଙ୍କ ହାତକୁ ବଢ଼ାଇ ଦେଇ ବିଜୟ ଗର୍ବରେ ଆତ୍ମହରା ହୋଇ ସେ ଅଦୃଶ୍ୟ ହୋଇଗଲା । ପୁତ୍ର ପାଠବେଳେ ମିଶ୍ରଙ୍କର ଚେହେରା ଦେଖି ଗୃହିଣୀ ଚମକି ଉଠିଲେ । ପଚାରିଲେ, ‘‘କଥାକ’ଣ ? ସେ ନେଖା କୋଉଠୁ ଆସିଚି ?’’ ମିଶ୍ରେ ଉତ୍ତେଜିତ ଭାବରେ ଉତ୍ତର କଲେ, ‘‘ଯୋଉଠୁ ଆସିବାର କଥା ସେଉଠୁ ଆସିଚି ।’’

Unknown

 

‘‘ମଲା, ତମକୁ ବାଇ ନାଗିଲା ନା କ’ଣ ? ଭଲରେ ପଚାରୁ ପଚାରୁ ଏମିତି ଖେଙ୍କାରି ଉଠୁଚ କିଆଁ ?’’

 

‘‘ଭଲ ବୋଲି ପଚାରିବାକୁ ଅଛି !’’

 

‘‘ଗୃହିଣୀ ଛେପଢୋକି ଗଳା ଟିକିଏ ନରମକରି କହିଲେ, ‘‘କୁହନା କିଏ ଦେଇଚି ସେ ନେଖା ।’’

 

‘‘ଦେଇଚି ତୁମରି ଯୋଗ୍ୟପୁତ୍ର ।’’

 

‘‘ମଧୁ ଦେଇଚି ? କ’ଣ ନେଖିଚି ?’’

 

‘‘ଲେଖିଛି ମୋ ମୁଣ୍ଡ ଆଉ ଗଣ୍ଡି ।’’

 

ତୁମର କ’ଣ ହେଇଚି ଆଜି କହିଲ ? ମୁଁ ପଚାରୁଚି କ’ଣ ତୁମେ–

 

‘‘ଛତୁ ପଚାରୁଛ ଶୁଣିଲ ତ ଗୁଣମଣି ପୁଅ ଭାଷା ଲେଖିଛନ୍ତି । ସେଇ କଥାକୁ ସେଇ କଥାକୁ ପଚାରି ହଉଚ କିଆଁ ?’’

 

‘‘ମଲା, କ’ଣ ନେଖିଚି ପଚାରିଲେ କ’ଣ ଦୋଷ ?’’

 

ନାଇଁ ଗୁଣ । ହଉ ଶୁଣ । ‘‘ଯଦୁନାଥ ଘରକୁ ଲେଉଟିବ ନାହିଁ ବୋଲି ପ୍ରତିଜ୍ଞା କରି ମୋ ପାଖରେ ପହୁଞ୍ଚିଲା । ତା’ର ସେପରି କହିବାର ଯଥେଷ୍ଟ କାରଣ ଅଛି । ତା’ ସହିତ ମୁଁ ଏକମତ ନ ହୋଇ ଉପାୟ ନାହିଁ । ଖାଲି କଥାଟା ଜଣାଇଦେବା ପାଇଁ ତା’କୁ ବହୁ ବଳାବଳିରେ ପଠାଉଛି । ଆମଠାରେ ଯେବେ ତୁମର ମମତା ଥାଏ, ଆଉ ପୁଅମାନଙ୍କୁ ନେଇ ଘର କରିବାର ଇଚ୍ଛା ଥାଏ, ତେବେ ଏ ପତ୍ର ପାଇବା ତକ୍ଷଣେ ବୋହୂକୁ ଘରୁ ବିଦା କରିଦେବ । ତା’ ନ ହେଲେ ଆମ ଦୁହିଙ୍କର ଆଶା ରଖିବ ନାହିଁ । ଶୁଣିଲ ତ ? ଏବେ କ’ଣ କରୁଚ କର ।’’ କର୍ତ୍ତା ତମ ତମ ହୋଇ ଚାଲିଗଲେ-। ଗୃହିଣୀ ଗାଲରେ ହାତଦେଇ ବସି ପଡ଼ିଲେ । ରମ୍ଭା ଧଇଁ ସଇଁ ହେଇ ଆସି କହିଲ, ‘‘ମା’, ଭାଇନା ଫେରେ କୁଆଡ଼େ ଚାଲିଯାଉଚି । ଡାକିଲେ ଶୁଣୁନାଇଁ ।’’

 

‘‘ଡାକ ଡାକ । ସେ ନଙ୍କାପୋଡ଼ାକୁ ଡାକ ।’’ ରମ୍ଭା ଦୌଡ଼ିଲା । ତା’ ପଛେ ପଛେ ଗୃହିଣୀ ବି ଦୌଡ଼ିଲେ ।

 

ଲକ୍ଷ୍ମୀସୁନ୍ଦରୀ କୋକିଳ ପ୍ରତି କଟୁ ବ୍ୟବହାର କରୁଥଲେ । ହେଲେ ତା’ର ଚରିତ୍ର ଉପରେ ତାଙ୍କର ତିଳାର୍ଦ୍ଧେ ସୁଦ୍ଧା ସନ୍ଦେହ ନଥିଲା । ସନ୍ଦେହ ଥିଲା ଯଦୁନାଥର ଚରିତ୍ରରେ । ଯଦୁନାଥଠାରୁ କୋକିଳ ସମ୍ୱନ୍ଧରେ କଦର୍ଯ୍ୟ କାହାଣି ଶୁଣି ହାଡ଼ ତାଙ୍କର ଜଳିଉଠିଲା । ଯଦୁନାଥ ଉପରେ ଭୀଷଣ ବିରକ୍ତ ହୋଇ ଉଠିଲେ । ତା’ର ସମସ୍ତ କଥା ଗୋଟାଏ ଚକ୍ରାନ୍ତ ମନେକଲେ । ଅସଲ ତଥ୍ୟ ବୁଝିବା ଉଦ୍ଦେଶ୍ୟରେ ସେ କୋକିଳ ପାଖକୁ ଗଲେ ।

 

ଲକ୍ଷୀସୁନ୍ଦରୀ ବୋହୂ ପାଖରେ ଆଗକରି ମଧୁସୂଦନଙ୍କର ପତ୍ରଗତ ବିଷୟ ବର୍ଣ୍ଣନା କରି ବସିଲେ । ଉଦ୍ଦେଶ୍ୟ ସତକଥାଟା ସହଜରେ ବାହାରି ପଡ଼ିବ । କହିଲେ, ‘‘ବୋହୁ ! ତୋ ନାଁରେ ଅକଥା ସବୁ ଶୁଣିବାରୁ ସିନା ମଧୁ ଏମିତି ଲେଖିଚି । ତୁ ଅସଲ କଥା କ’ଣ ମୋତେ କହ । ପଦେହେଲେ ଲୁଚାନା । ସତକଥାରେ ଶତ୍ରୁକୁ ଜିଣନ୍ତି ମୁଁ ଦଣ୍ଡକରେ ତା’ର ମନ ବଦଳେଇଦେବି ।’’

 

ମଧୁସୂଦନଙ୍କର କଠୋର ପ୍ରତିଜ୍ଞାବାଣୀ ଶୁଣି କୋକିଳ କ୍ଷଣକ ପାଇଁ ଜଡ଼ ପାଲଟିଗଲା-। ଅଭିମାନରେ–ଅପମାନରେ ତା’ର ଛାତି ଫାଟିଗଲା । ତା’ ସାଙ୍ଗକୁ କଟାଘା’ରେ ଚୂନପରି ଗୃହିଣୀଙ୍କର ଏ ସବୁ ପ୍ରଶ୍ନ । ମୁହୂର୍ତ୍ତକ ପାଇଁ ସେ କ୍ରୋଧରେ ହତଜ୍ଞାନ ହୋଇ ପଡ଼ିଲା-। ଦୃଢ଼ ସ୍ୱରରେ ଉତ୍ତର କଲା, ‘‘ମା, କୋଉଥିକି ମୋର ଭୟ ନାହିଁ । ତୁମର ଯାହା ଇଚ୍ଛା, କରିବାର-। ସେଥିପାଇଁ ପ୍ରସ୍ତୁତ ଅଛି । ମୋ ଚରିତ୍ର ଭଲ କି ମନ୍ଦ, କଳଙ୍କ କି ନିଷ୍କଳଙ୍କ ତାହା ମୁଁ ସିନା ଜାଣେ-। ଜାଣନ୍ତି ଅନ୍ତର୍ଯ୍ୟାମୀ ପ୍ରଭୁ । ଆଉ କିଏ ଜାଣିବ ? କେହି କାହା ନାଁରେ ଲଗାଇ ଯୁଟାଇ ଅକଥା କୁକଥା କହି ବୁଲିଲେ କାହାରି ଚରିତ୍ର ନଷ୍ଟ ହୁଏନି । ହେଲେ ଗୋଟାଏ ତୁଚ୍ଛା ଅପାବାଦ ରଟେ-। ରଟୁ । ସେ ପାଇଁ ମୁଁ ବାଦ ପ୍ରତିବାଦ କରୁନି । କାହିଁକି ନା, ମୁଁ ଜାଣେ ସ୍ୱାମୀ ସ୍ତ୍ରୀର ଦେବତା-। ସ୍ୱାମୀଙ୍କର ଆଦେଶ ମୋର ଶିରୋଧାର୍ଯ୍ୟ ।’’

 

କୋକିଳର ଉତ୍ତର ଶୁଣି ଗୃହିଣୀଙ୍କର ସନ୍ଦେହ ଦୃଢ଼ ହେଲା । ପ୍ରକୃତ କଥା ଜାଣିବା ପାଇଁ ସେ ଅନେକ ଚେଷ୍ଟା କଲେ । କୋକିଳର ସେହି ଗୋଟାଏ କଥା । କହିଲା, ‘‘ମା, ସତ ହଉ ମିଛ ହଉ ପାଞ୍ଚପଦ ମୁଁ କହିବି ମୁଁ ନିର୍ଦ୍ଦୋଷ । ଏଥିରେ କିଛି ଲାଭ ହେବ ନାହିଁ । ସେମିତି କିଛି ଯୋର ପ୍ରମାଣ ନପାଇ ସେ କେବେ ଏମିତି ଆଦେଶ ଦିଅନ୍ତେ ? ମୋ କଥା କ’ଣ ତାଙ୍କ ମନକୁ ପାଇବ ? ମୋ ଠଉଁ କିଛି ଶୁଣିବାକୁ ଜିଗର କରନି । ସତ କହୁଚି ମା ! ମୁଁ କିଛି କାଣିନି ।’’

 

କର୍ତ୍ତା, ଗୃହିଣୀ ଉଭୟେ କୋକିଳ ପାଇଁ ବିଶେଷ ବ୍ୟଥିତ ହେଲେ । କ’ଣ କରିବେ ? କାନଥିଳେ ସୁନାର କ’ଣ ଅଭାବ ଅଛି ? ଆଜି କୋକିଳ ଚାଲିଗଲେ କାଲି ଆଉ ଏକ କୋକିଳ ଆଣିପାରିବେ । କିନ୍ତୁ ମଧୁପରି ପୁଅ ଯଦି ଚାଲିଯାଏ, ଶଏଟା କୋକିଳ ଥାଇ କି ଲାଭ ? ବହୁ ବିଚାର ପରେ ସିଦ୍ଧାନ୍ତ ହେଲା, ଲକ୍ଷ୍ମୀସୁନ୍ଦରୀଙ୍କ ମାତା ମେନକାଙ୍କ ପାଖକୁ ବୋହୂକୁ ପଠାଇଦେବେ-। ତା’ର ଭରଣ ପୋଷଣ ପାଇଁ ମାସିକ କିଛି କିଛି ଅର୍ଥ ସାହାଯ୍ୟ କରିବେ ।

 

କୃଦ୍ଧା ମେନକା ବିଧବା । ପୁତ୍ର ସନ୍ତାନ ମୁଖ ଦର୍ଶନ ତାଙ୍କ ଭାଗ୍ୟରେ ଘଟି ନାହିଁ । ଏକୁଟିଆ ବଡ଼ କଷ୍ଟରେ କାଳ କାଟୁଥିଲେ । କୋକିଳକୁ ପାଇ ତାଙ୍କର ଆନନ୍ଦ କହିଲେ ନସରେ । କୋକିଳକୁ ପାଇ ସେ ଯେତିକି ଆନନ୍ଦିତା ହେଲେ କୋକିଳ ଶୋକାଭିଭୂତ ହୋଇପଡ଼ିଲା ତାଠାରୁ ଢେର୍ ବେଶୀ । ପିତୃଗୃହବାସଠାରୁ ଶ୍ୱଶୁରଗୃହବାସ ପର୍ଯ୍ୟନ୍ତ ବାଲ୍ୟାବଧି ସମସ୍ତ ଘଟନା ଏକ ପରେ ଏକ ତା’ର ମନଶ୍ଚକ୍ଷୁରେ ନାଚିଗଲା । ଏଇ ମନ ଭିତରେ କି ସୁଖର କଳ୍ପନା ଜାଗିନଥିଲା ତା’ର ! ବାଲ୍ୟକଳାରେ ସୁଖଦଃଖ ଭଲମନ୍ଦ କୌଣସି କଥାର ଚିନ୍ତା ସିନା ନଥିଲା–ନାଚକୁଦରେ ସମୟ କଟିଯାଉଥିଲା । କିଶୋର ବୟସରେ ଯେବେ ଅସରନ୍ତି ଇଚ୍ଛା, ଅଫୁରନ୍ତ ବାସନା ଜାଗିଉଠିଲା, କି ସୁଖର କଳ୍ପନା ନ କରିଛି ସେ ? ଏଇ ସାନମନଟି ଭିତରେ କେଡ଼େ ବିରାଟ ଆଶାର ଆଲୋକ ନ ଦେଖିଛି ସେ । ଭବିଷ୍ୟତ ଭାବନାରେ କି ଅପାର ଆନନ୍ଦ ଉପଭୋଗ ନକରିଛି ଅବା । ଇନ୍ଦ୍ରଜାଲ ସୃଷ୍ଟିକାରିଣୀ ସେଇ କିଶୋରୀ କାଳ ଚାହୁଁ ଚାହୁଁ ଚଳଚିତ୍ରର ଛବିଭଳି ଚାଲିଗଲା କୁଆଡ଼େ । ତା’ପରେ ସେ ପୂର୍ଣ୍ଣ ଯୁବତୀ ହେଲା । ବୁଦ୍ଧିବୃତ୍ତି ଆଉ ଟିକିଏ ପୋଖତ ହେଲା । କିଶୋରୀ ବୟସର ଭାବନାଠାରୁ ଏବର ଭାବନା ଆଉ ଟିକିଏ ସଂଯତ ହେଲା । ବିକ୍ଷିପ୍ତ ମନର ପରିସର ସଂକୁଚିତ ହୋଇଆସିଲା । ସ୍ୱାମୀ ସହବାସହିଁ ନାରୀ ଜୀବନର ଏକମାତ୍ର ସୁଖ ବୋଲି ଧାରଣା ଜନ୍ମିଲା । ଯୌବନର ପ୍ରାରମ୍ଭରୁ ପ୍ରିୟ ଦର୍ଶନ ପାଇଁ ପ୍ରସ୍ତୁତ ହେବାକୁ ଲାଗିଲା । କିନ୍ତୁ କାହିଁ ? ସେ ସୁଖ ତା’ ଭାଗ୍ୟରେ ଘଟିଲା ନାହିଁ ? ସ୍ୱାମୀର ଯେଉଁ ସୁଖମୟ ସ୍ୱରୂପ କଳ୍ପନା କରିଥିଲା, ପାଇଲା ବେଳକୁ ଠିକ୍ ତା’ର ଓଲଟା । ସ୍ୱାମୀଲାଭର ସୁଖସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଜୀବନରେ ଆଉ ସୁଖ କେଉଁଠି ? ନାରୀ ଜନ୍ମର ଏହି ନିଦାରୁଣ ପରିଣତି ।

 

କୋକିଳ ଭାବିଲା, ‘‘ମୋର ବଞ୍ଚିବାରେ ଲାଭ କ’ଣ ? ସଫଳ ଜୀବନର କଳ୍ପନା ନେଇ ବିଫଳତାରେ ସଢ଼ୁଛି । ବ୍ୟର୍ଥତାରେ ଘାଣ୍ଟି ହୋଇ କି ସୁଖ ଆଶାରେ ବଞ୍ଚିବି ? ଯାହାର ନିତ୍ୟ ପ୍ରତ୍ୟକ୍ଷିଭୂତ ଇହକାଳ ଥାଇ ବି ନାହିଁ, ତା’ର କୋଉ ଅନାଗତ ପରକାଳର କଳ୍ପନା ପାଗଳାମୀ ଛଡ଼ା ଆଉ କ’ଣ ହୋଇପାରେ ? ସେ ପରକାଳରେ ସୁଖଥିଲେ ଥାଉ । ସେ ସୁଖ ଆଉ କିଏ ଭୋଗିଲେ ଭୋଗୁ । ମୋ ପରି ପୋଡ଼ାକପାଳୀର ଲୋଡ଼ା ନାହିଁ । ଜୀବନରେ ତିନିକାଳର ଅତୀତଟା ତ ଗଲା-। ଭବିଷ୍ୟତ ସଦା ଅନ୍ଧାରୁଆ । ଅଜଣା ଅଶୁଣା ସେଇ ଅନ୍ଧାରୁଆ ଭବିଷ୍ୟତରେ ଆଶା ରଖିବାର ଶକ୍ତି ଏଇ ଖାପଛଡ଼ା ବର୍ତ୍ତମାନ ଯୋଗାଇପାରୁଛି କାହିଁ ? ସ୍ୱାମୀ ପରିତ୍ୟକ୍ତା ନାରୀର ଜୀବନ ଏକେତ ଦୁର୍ବାର । ତା’ ଉପରେ ଦାରୁଣ ଅପବାଦର ବୋଝ ମୁଣ୍ଡାଇ ବଞ୍ଚିରହିବାଠାରୁ ମରଣ ଶତଗୁଣ ଶ୍ରେୟସ୍କର ।

 

କୋକିଳ ଆତ୍ମହତ୍ୟା କରିବାର ଚେଷ୍ଟାକଲା । କୃତକାର୍ଯ୍ୟ ହୋଇପାରିଲା ନାହିଁ । ତା’ର ବିବେକ ଅନୁମତି ଦେଲା ନାହିଁ । ଅନ୍ତର ଭିତରୁ କି, ଯେମିତି ତା’କୁ ସାବଧାନ କରାଇ କହିଉଠିଲା, ‘‘ଖବରଦାର ! ପାର୍ଥିବ ବାସନା ସବୁ ଅପୂର୍ଣ୍ଣ ରହିଛି । ଏଡ଼େ ସଅଳ ମରଣକୁ ଖୋଜି ବୁଲନା । ଆଜି ଯୋଉ ସଂସାର ଅସାର ବୋଧ ହେଉଛି, କାଲି ସେହି ସଂସାର ସୁଖମୟ ନହେବ ବୋଲି କିଏ କହିବ ? ଆଜନ୍ମ ଦରିଦ୍ର ମୁଣ୍ଡରେ ତ ହାତୀ ସୁନାକଳଶ ଢାଳେ । ଭିକ୍ଷାଝୋଲି ଫିଙ୍ଗିଦେଇ ସେତ ଫେରେ ରାଜ ସିଂହାସନରେ ବସେ । ଏତେ ଶାସ୍ତ୍ର ପୁରାଣ ପଢ଼ି ତୁ ଆଉ ଶିଖିଲୁ କ’ଣ ? ଧୈର୍ଯ୍ୟ ଧର । ଅପେକ୍ଷା କର ।

 

କୋକିଳର ଦୁର୍ଭାବନା ଦୂରହେଲା । ଶଠୀ ଦୁଉଛି ତା’ ଭାଗ୍ୟରେ ଯାହା ଲେଖିଛି, ତାହା ସେ ଅଲବତ୍ ଭୋଗିବ । ସେଥିପାଇଁ ନିଜକୁ ପ୍ରସ୍ତୁତ କରିନେଲା ।

 

କୋକିଳ ବୃଦ୍ଧାଙ୍କ କୁଟୀରରେ ରହିବାର ଚାରିମାସ ହୋଇଗଲାଣି । ତା’ ମନରେ ଯେତେ ଅଶାନ୍ତି ଯେତେ ନିରାନନ୍ଦ ଥିଲେ ବି ବୃଦ୍ଧାଙ୍କୁ ସୁଖ-ସ୍ୱଚ୍ଛନ୍ଦରେ ରଖିବା ପାଇଁ ସେ ତା’ର ପାରୁ ପର୍ଯ୍ୟନ୍ତ ଯତ୍ନ କରେ । ତା’ର ପ୍ରାଣବନ୍ତ ପରିଚର୍ଯ୍ୟାରେ ବୃଦ୍ଧାଙ୍କର ଅସୀମ ଆନନ୍ଦ । କୋକିଳକୁ ପାଇ ସତେ ଯେମିତି ତାଙ୍କର ନୂଆ ଜୀବନ ଆରମ୍ଭ ହୋଇଛି । ଆଗଠାରୁ ସେ ବେଶ୍ ସୁସ୍ଥ ବେଶ୍ ସଜୀବ ମନେ କରୁଛନ୍ତି । କୋକିଳ ପ୍ରତି ତାଙ୍କର ସ୍ନେହ ସହାନୁଭୂତି ସୀମାତୀତ । ହେଲେ ସେଇ ଟିକକ ସ୍ନେହ ଆଦରରେ କୋକିଳର ଦୁଃଖ କ’ଣ ମେଣ୍ଟିପାରେ ତଥାପି ବେଳେବେଳେ ଟିକିଏ ଆଶ୍ୱସ୍ତ ଟିକିଏ ହାଲୁକା ବୋଧକରେ ।

 

ସେଦିନ କୋକିଳ ଘରର କାମଦାମ ସାରି ବିଶ୍ରାମ କରିବାକୁ ଯାଉଛି, ଦାଣ୍ଡରେ ଗୋଟାଏ କୋହଳ ଶୁଭିଲା । ସେ କବାଟ ଖୋଲି ଚାହିଁଦିଏ ତ ଦେବୀ ସଦୃଶ ଏକ ନାରୀମୂର୍ତ୍ତୀ । ଚାରିଚକ୍ଷୁର ମିଳନ । ଉଭୟଙ୍କ ମୁହଁରେ ବିସ୍ମୟର ଭାବ । ମୁହୂର୍ତ୍ତକ ପରେ ପୁଲକର ଅପୂର୍ବ ଶିହରଣ । ତୁଣ୍ଡରେ କଥା ନାହିଁ । ଗୋଡ଼ ଦିଟା କିନ୍ତୁ ଆଗେଇ ଯାଉଛି । ନବଗତ ବାହୁ ପ୍ରସାରଣ କଲେ । ପଲକରେ ଉଭୟେ ଆଲିଙ୍ଗନ ପାଶରେ ଆବଦ୍ଧ । ଅଭାବନୀୟ ଆନନ୍ଦର ବେଗଟା କଟିଗଲାକ୍ଷଣି ମାଳତୀ ଦେଖିଲା, କୋକିଳ ଆଖିର ତତଲା ଲୁହରେ ବକ୍ଷବାସ ତା’ର ଭିଜି ଯାଇଛି-। ସେ ତା’ର ମୂଲ୍ୟବାନ୍ ବସନରେ କୋକିଳର ଅଶ୍ରୁ ମୋଚନକରି ତା’କୁ ଆହୁରି ନିବିଡ଼ ଭାବରେ ଟାଣିନେଲା କୋଳକୁ । ମାଳତୀକୁ ଏପରି ଅଯାଚିତ ଅପ୍ରତ୍ୟାଶିତ ଭାବରେ ପାଇବ ବୋଲି କୋକିଳ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା । ତା’ର ଅସୀମ ଦୁଃଖ ନୈରାଶ୍ୟ ଭିତରେ ମାଳତୀ ଅପାକୁ ପାଇ ସେ ଅପାର ଆନନ୍ଦ ଅନୁଭବ କଲା ସୁଖଦୁଃଖର ସମ୍ମିଳିତ ଅଶ୍ରୁରେ ଆଖି ତା’ର ପୂରିଗଲା-। ସହସା ସେ କିଛି ଦେଖିପାରିଲା ନାହିଁ । ମାଳତୀର ସହୃଦୟ ସାନ୍ତ୍ୱନାରେ ଯେତେବେଳେ ସେ ଦୃଷ୍ଟିଶକ୍ତି ଫେରିପାଇଲା, ତା’ର ଆଦରିଣୀ ମାଳତୀ ଅପାର ଅଶ୍ରୁରେ ସେ ମଧ୍ୟ ଭିଜିଯାଇଛି-

 

ଦଶ

 

ମଧୁସୂଦନ ଆଇନ ପାସ କରି ଘରକୁ ଯେତେବେଳେ ଫେରି ଆସିଲେ ଫକୀର ମିଶ୍ରଙ୍କର ଆନନ୍ଦର ସୀମା ରହିଲା ନାହିଁ । ଲକ୍ଷ୍ମୀ ସୁନ୍ଦରୀଙ୍କର ଗୋଡ଼ ତଳେ ଲାଗୁନି । ପୁଅ ତାଙ୍କର ଓକିଲ ହେବ । ଏଇ ଆନନ୍ଦରେ ସେ ଅଧୀର । ତାଙ୍କରି ଆଖି ଆଗରେ କାଲିପରି ଦେଖିବାର କଥା-। ମହାରଥୀଙ୍କର ପୁଅ ହେଇଟି ଓକିଲାତି କରି ବର୍ଷ କେଇଟାରେ ଦି’ ମହଲା କୋଠା ପିଟିଦେଲା-। ମଧୁସୂଦନ ଆଜି ସେଇ ଓକିଲାତି କରିବେ । ପୁତ୍ରର ଭାବି-ବିଭବ କଳ୍ପନାରେ ସେ ବିଭୋର-। ହେଲେ ସେଇ ସୁଖର କଳ୍ପନା ମଝିରେ ଆଶାର ଉଷାଲୋକ ଭିତରେ ଦୁଃଖର ଗୋଟାଏ ଛାଇ ଛାଇଆ କଳାଗାର ତାଙ୍କ ଆଖି ଆଗରେ ପହଁରିଉଠେ । ଦୀର୍ଘ ନିଃଶ୍ୱାସଟାଏ ଆପଣାଛାଁଏ ବାହାରିଆସେ । ଆଶଙ୍କାରେ ଅନ୍ତରଟା ଚହଲିଯାଏ । ବଡ଼ ନିରୁପାୟ ନିରାଶ୍ରୟ ବିଚାରନ୍ତି-। ହାତଯୋଡ଼ି ଡାକନ୍ତି । ମୁଣ୍ଡିଆ ମାରନ୍ତି ।

 

ଚାହୁଁ ଚାହୁଁ ଚାରିମାସ କଟିଗଲା । କେତେଦିନ ଆଉ ବସି ରହନ୍ତେ ? ମଧୁସୂଦନ କଟକରେ ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିରକଲେ । ଓକିଲାତି ବ୍ୟବସାୟ କରିବାକୁ ହେଲେ ନଗଦ ପୁଞ୍ଜି କିଛି ତ ଚାହି । ଭେକ ଥିଲେ ଭିକ ମିଳେ । କଟକ ଭଳି ସହର । ଓକିଲ ବାବୁଙ୍କ ପାଇଁ କୋଠାଘର ଦି ବଖରା ନିହାତି ନ ହେଲେ ନଚଳେ । ଭିତରେ ଯାହା ଥାଉ ନା କାହିଁକି, ସେ କଥା କ’ଣ କିଏ ଖୋଜୁଥାଏ ? ବାହାର ଆଡ଼ମ୍ୱରରୁ ସବୁ ଠଉର ହୋଇଯାଏ । ହେଲେ ଓକିଲର ଥାଟ ବଜାୟ ରଖିବାକୁ ହେଲେ ଖାଲି ଘରର କ’ଣ ଚଳିବ ? ଘରସଜ୍ଜାର ଉପକରଣ ବି ଲୋଡ଼ା । ସେସବୁ ପାଇଁ ଧନ କାହିଁ ? ପିତାପୁତ୍ର ପରାମର୍ଶ କରି ସ୍ଥିରକଲେ, କୁସୁମପୁର ଜମିଦାର ରାଧାନାଥ ଚଉଧୁରୀଙ୍କଠାରୁ ଟଙ୍କାକିଛି ଋଣ କରିବେ । ତା’ଛଡ଼ା ଅନ୍ୟ ଉପାୟ ନାହିଁ ।

 

ପୁଅ ଓକିଲାତି ଆରମ୍ଭ କରିବା ଆଗରୁ ବୋହୂଟିଏ ଆଣିବାର ଇଚ୍ଛା ଲକ୍ଷ୍ମୀସୁନ୍ଦରୀଙ୍କର ପ୍ରବଳ ହେଲା । ପୁଅକୁ ବୁଝେଇଲେ, ମଣେଇଲେ । କେତେ କେତେ ନଜିର ଆଣି ଥୋଇଲେ । ପ୍ରଥମେ ପ୍ରଥମେ ମଧୁସୂଦନଙ୍କର ଯେଉଁ ଅନିଚ୍ଛା ଭାବ ଥିଲା, କ୍ରମେ ତାହା ଦୂର ହୋଇଗଲା । ମାତା ପିତାଙ୍କର ଏକାନ୍ତ ଅନୁରୋଧ ଏଡ଼ିପାରିଲେ ନାହିଁ । ପୁତ୍ରର ସମ୍ମତି ପାଇ ମିଶ୍ରେ କନ୍ୟା ଖୋଜି ବାହାରିଲେ । କନ୍ୟା ଖୋଜିବା ଦରକାର ହେଲା ନାହିଁ । କେତେ କନ୍ୟାଦାୟଗ୍ରସ୍ତ ପିତା ଚାହିଁ ବସିଥିଲେ । ଖବର ପାଇ ସେମାନେ ଆସି ମିଶ୍ରଙ୍କ ଦ୍ୱାରେ ହାଜର । ଜଉଗଡ଼କୁ ବାଟ ଦି’ କୋଣରେ ସୁବର୍ଣ୍ଣପୁର ଭାଗୀରଥି ମହାପାତ୍ରଙ୍କ ଜ୍ୟେଷ୍ଠାକନ୍ୟା ବୈଦେହୀ ସଙ୍ଗରେ ମଧୁସୂଦନଙ୍କର ବିବାହ ନିର୍ବନ୍ଧ ସ୍ଥିର ହୋଇଗଲା ।

 

ବାହାଘର ନିକଟେଇ ଆସିଲା । ସକାଳ ଆଠଟା ହେବ । ମଧୁସୂଦନ ପିତାମାତାଙ୍କ ପାଖରେ ବସି ତାଲିକା ଲେଖୁଛନ୍ତି । ଏଣୁତେଣୁ ପାଞ୍ଚକଥା ଭିତରେ ଲକ୍ଷ୍ମୀସୁନ୍ଦରୀ କୋକିଳ କଥା ପକେଇ ବସିଲେ । କୋକିଳର ପିତା ଯେମିତି ଦି’ଶ ଟଙ୍କା ଆଉ ସୁନା ଅଳଙ୍କାର ପାଇଁ ପହିଲି ପ୍ରଥମ ଖୁବ୍ ଜିଦ୍ ଧରିଥିଲେ, ପରେ ଫେରେ ନେଇଥିବା ଟଙ୍କା ଦୁଆରେ ଆଣି ଫେରେଇଦେଇ ଗଲେ । ସୁନା ଅଳଙ୍କାର ପାଇଁ ବି ନାସ୍ତି କରିଗଲେ । ଏସବୁ କଥା ପରେ କୋକିଳ ଘର ଛାଡ଼ିବା ବେଳେ ‘‘ସ୍ୱାମୀ ଆଜ୍ଞା ଶିରୋଧାର୍ଯ୍ୟ’’ କହି ଯେମିତି ଭାବରେ ଚାଲିଗଲା, ସେ ଦୃଶ୍ୟର ବର୍ଣ୍ଣନା କରିବାକୁ ଯାଇ ମର୍ମଭେଦୀ ଦୁଃଖରେ ଏମିତି ଅଭିଭୂତ ହୋଇପଡ଼ିଲେ ଯେ, ତାଙ୍କର ସ୍ୱର ସ୍ତମ୍ଭହୋଇ ପାଟିରୁ କଥା ବାହାରିଲା ନାହିଁ । ଗୁମ୍‍ମାରି ବସିଗଲେ ଦଣ୍ଡେ । କ୍ରମେ ଶୋକ ବେଗଟା କମି ଆସିଲା । ଶାଢ଼ୀ କାନିରେ ମୁହଁଟା ପୋଛିନେଇ କହିଲେ, ‘‘କୋକିଳ ପରି ସର୍ବସୁଲକ୍ଷଣୀ ବୋହୂ ଭାଗ୍ୟକୁ ମିଳନ୍ତି । ସେ ଏଠି ଥିବାଯାଏ ମୁଁ ତା’କୁ ଚିହ୍ନିପାରି ନଥିଲି, ପରଝିଅ ସେ ଘରଛାଡ଼ି ଯାଇଛି । ହେଲେ ଆଜି ମୁଁ ବୁଝିପାରିଛି ସେ କେଡ଼େଗୁଣର ଥିଲା । ମାଛି କି ‘ମ’ କହିବନି-। ପାଞ୍ଚପଦ କହିଲେ ତୁଣ୍ଡ ଖୋଲିବନି ।’’

 

ପୁଅର ମୁହଁ ଉପରେ ନଜର ପଡ଼ିଗଲା । ଏ କ’ଣ ? ମଧୁର ଗୋରା ତକତକ ମୁହଁ ଏମିତି କଳାକାଠ ପଡ଼ିଗଲା କାହିଁକି ? ଭାବିଲେ, ‘‘ମୁଁ ପୋଡ଼ାମୁହିଁ ନ ବୁଝି ବୋହୂର ପ୍ରଶଂସା କରି ମଲି କିଆଁ ?’’ ଆଶଙ୍କାରେ ଅନ୍ତର ତାଙ୍କର କମ୍ପିବାକୁ ଲାଗିଲା । କଥାଟାକୁ ବୁଲାଇନେଇ କହିଲେ, ‘‘ହଜାରେ ଗୁଣଥାଇ କ’ଣ ହେବ ? ଯୋଉ ଗୁଣପାଇଁ ସେ ପୂଜା ପାଉଥାନ୍ତା–ହାୟ ହାୟ ! ସେ ପରା ବୋହୂ ଆଜି ଅଥାନରେ ପୋଇଲି ପରି ପଡ଼ିଥାନ୍ତା !’’ କଥା କେଇପଦ ଖାଲି ପୁଅର ମନ ଯୋଗାଇବାକୁ କହିଲେ ସିନା ଆଖିରୁ ତାଙ୍କର ଦରଦର ଲୋତକ ଧାରା ବହିପଡ଼ିଲା ।

 

କୋକିଳର ପିତା କନ୍ୟାସୁନା ନେଇ ନଥିବା କଥା ଶୁଣିଲା ବେଳରୁ ମଧୁସୂଦନ ଅନ୍ୟମନସ୍କ । ତା’ପରେ ମା’ଙ୍କର ଆଉ କୌଣସି କଥା ତାଙ୍କ କାନରେ ପଶି ନାହିଁ । ଅନୁଶୋଚନରେ ଅନ୍ତର ତାଙ୍କର ଭାରାକ୍ରାନ୍ତ । ବସି ବସି ପୂର୍ବକଥା ସବୁ ମନେ ପକାଉଛନ୍ତି । ପିତାଙ୍କଠାରୁ ସେ ଯେତେବେଳେ ପତ୍ର ପାଇଲେ ସେ, କନ୍ୟାପିତା ଦୁଇ ଶ’ ଟଙ୍କା ଆଉ ସୁନା ଅଳଙ୍କାର ନ ପାଇଲେ କନ୍ୟା ସମ୍ପ୍ରଦାନ କରିବାକୁ ସମ୍ମତ ନୁହନ୍ତି; ସେତିକି ବେଳୁ ମନ ତାଙ୍କର ବିଷେଇ ଉଠିଲା । ପରେ କନ୍ୟାପିତା ତାଙ୍କର ପ୍ରସ୍ତାବ ପ୍ରତ୍ୟାହାର କରି, ଗ୍ରହଣ କରିଥିବା ଟଙ୍କା ଫେରାଇଦେଇ ଯାଇଛନ୍ତି, ଏକଥା ତାଙ୍କୁ ଅଗୋଚର । ମା’ ଆଜି ଅଢ଼େଇ ବର୍ଷ ପରେ କହୁଛନ୍ତି । ଆଗରୁ ନ କହିଲେ କିଆଁ ? ନନା ବି କେମିତି ନ କହିଲେ ? ଯଦୁନାଥ ଲୁଚାଇଲା କାହିଁକି ? ସେଦିନ କଲେଜ ବୋର୍ଡ଼ିଂରେ ସେ ତା’କୁ ଅନେକ କଥା ପଚାରିଛନ୍ତି । ଜିଦ୍ କରି କନ୍ୟାପିତା ଟଙ୍କା ନେଇଥିବା କଥା ଯଦୁନାଥ ବାରମ୍ୱାର କହିଛି । ତା’ର ମିଛ କହିବାର ଉଦ୍ଦେଶ୍ୟ କ’ଣ ? ମଧୁସୂଦନ ସେ ସବୁ ବିଷୟରେ ଯେତେ ଭାବିବାକୁ ଲାଗିଲେ, ପ୍ରତିଟି କଥା ତାଙ୍କୁ ଜଟିଳରୁ ଜଟିଳତର ବୋଧହେଲା । ବୁଦ୍ଧିଜୀବି ସେ । ପ୍ରତିକଥାର ଅନ୍ଦିସନ୍ଧି ଖୋଜି ନିଖାରି ଦେଖିବା ତାଙ୍କର ନୀତି ।

 

ଯଦୁନାଥ ମିଛ କହିବାର କାରଣ କ’ଣ ? ମଧୁସୂଦନ ମନେ ମନେ ଅନେକ ଅନୁସନ୍ଧାନ କଲେ । ସେ କହିଥିବା କଥାସବୁ ଗୋଟି ଗୋଟି କରି ମନେ ପକାଇଲେ । ତା’ର ସେଦିନର ପ୍ରତ୍ୟେକ କଥା ଉପରେ ଘୋର ସନ୍ଦେହ ଜାତହେଲା । କନ୍ୟାସୁନା ବିଷୟରେ ଯଦୁନାଥ ଯେବେ ମିଛ କହିଲା, କୋକିଳ ସଂପର୍କରେ କହିଥିବା କଥା ସତ୍ୟ ବୋଲି ପ୍ରମାଣ କ’ଣ ? ଅନୁତାପରେ, ଅନୁଶୋଚନାରେ, ଆତ୍ମଧିକ୍କାରରେ ଅନ୍ତର ତାଙ୍କର ଜର୍ଜ୍ଜରିତ ହେବାକୁ ଲାଗିଲା । ସତ୍ୟାସତ୍ୟ ନବୁଝି ନଶୁଣି ଗୋଟାଏ ନିର୍ଦ୍ଧୋଷ ନିଷ୍ପାପ ସରଳା ଅବଳାର ସର୍ବନାଶ କରିବା ପରି ମହାପାତକ ଆଉ କ’ଣ ଥାଇପାରେ ? ସେ ପାପର ପ୍ରାୟଶ୍ଚିତ କେଉଁଠି ? ନରାଧମ ଯଦୁନାଥ ସିନା ଏହି ଭୀଷଣ ପାପପଥକୁ ଠେଲିଦେଇଛି । ସର୍ବନାଶର ଆଉ ବାକି କ’ଣ ଅଛି ? ଅସହାୟା ନିରପରାଧା ଅବଳାଟିକୁ ଅକୂଳରେ ଭସାଇ ଦେଇଛି ସିନା ! ଯଦୁନାଥ ଉପରେ ମଧୁସୂଦନଙ୍କର କ୍ରୋଧ ପ୍ରବଳ ହୋଇଉଠିଲା । ସେ ବୁଝିପାରିଲେ, ଯଦୁନାଥର ମସ୍ତକ ସ୍ୱହସ୍ତରେ ଛେଦନ ନକଲେ ତାଙ୍କ ଅନ୍ତରର ଜ୍ୱାଳା ପ୍ରଶମିତ ହେବନାହିଁ । ଯଦୁନାଥ ପାପର ସେହି ଏକମାତ୍ର ପ୍ରାୟଶ୍ଚିତ ବିଚାରି ତା’କୁ ଖୋଜିବା ପାଇଁ ସେହି ମୁହୂର୍ତ୍ତରେ ବାହାରିଗଲେ ।

 

ଦୁଇଦିନ ଆଗରୁ ଯଦୁନାଥ ଭଉଣୀ ଘରକୁ ବାହା ନିମନ୍ତା ନେଇ ଯାଇଥିଲା । ଦିନ ବାରଟାରୁ ବଳିଲାଣି । ଖରାତାପଠାରୁ ଜଠରାଗ୍ନି ତାପ ତା’କୁ ଅସ୍ଥିର କରିପକାଉଛି । କ୍ଷୁଧାତୃଷ୍ଣାରେ ଅଧୀର ଯଦୁନାଥ ଏକମୁହାଁ ହୋଇ ଛୁଟିଛି । ସହସା ମଧୁଦୁଦନ ତା’ ସମ୍ମୁଖରେ ଦଣ୍ଡାୟମାନ ହେଲେ । ତୀକ୍ଷ୍ଣ ଏକ ଛୁରୀକା ଦେଖାଇ ଚିତ୍କାର କରି କହିଲେ, ‘‘ଯଦୁନାଥ ! ରହ । ମୁଁ ଯାହା ପଚାରୁଛି ସତ ସତ କହ । ପଦେ ମିଛ କହୁତ ଦେଖ ଏଇ ଛୁରୀ । ଏକା ଚୋଟକେ ତୋର ମୁଣ୍ଡ ଗଣ୍ଡି ଦିଖଣ୍ଡ କରିଦେବି ।’’ ମଧୁସୂଦନଙ୍କର ରୁଦ୍ରମୂର୍ତ୍ତି, ଅରୁଣ ନୟନ ଦେଖିବାମାତ୍ରେ ଯଦୁନାଥର ଭୋକଶୋଷ ଦୂରହୋଇ ଗଲା । ସେ ପ୍ରାଣଭୟରେ ଥରିବାକୁ ଲାଗିଲା । ମଧୁସୂଦନ ତା’କୁ ମୁହୂର୍ତ୍ତେ ମାତ୍ର ଅବସର ନଦେଇ ଉଠିଲେ, ‘‘ସତକହ କୋକିଳର ନନା କେତେଶହ ଟଙ୍କା କନ୍ୟାସୁନା ନେଇଛନ୍ତି ।’’ ଯଦୁନାଥ କମ୍ପିତ କଣ୍ଠରେ କହିଲା, ‘‘ନା ଭାଇନା, ସେ କିଛି ନେଇନାହାନ୍ତି-। ଟଙ୍କା ଫେରେଇ ଦେଇଛନ୍ତି ।’’ ‘‘କହ ସେଦିନ କଲେଜରେ କୋକିଳ ନାଁରେ ଯାହାସବୁ କହିଲୁ ତାହା ସତ ?’’ ଯଦୁନାଥ ଥରି ଥରି ଉତ୍ତର କଲା, ‘‘ସବୁ ମିଛ । ସବୁ ମିଛ । ଭାଉଜ ମୋର ପୋଡ଼ାସୁନା । ତାଙ୍କଠାରେ କଳଙ୍କର ଚିହ୍ନ ଆସିବ କୁଆଡ଼ୁ ? ନିଜର ଦୋଷ ଘୋଡ଼ାଇବାପାଇଁ ମୁଁ ପାପବୁଦ୍ଧିର ଆଶ୍ରା ନେଇଛି । ମୋର ସବୁ ଦୋଷ ।’’

 

ମଧୁସୂଦନ ଓଠ କାମୁଡ଼ିଲେ । କ୍ରୋଧରେ ଆଖି ତାଙ୍କର ମନ୍ଦାର ପାଖୁଡ଼ାପରି ଲାଲ ହୋଇ ଉଠିଲା । ଭୂମିରେ ପଦାଘାତ କରି କହିଲେ, ‘‘ଏତେ ବଡ଼ ମିଛ ? ଆଚ୍ଛାକହ କ’ଣ ପାଇଁ କହିଲୁ ? ମଧୁସୂଦନଙ୍କର କମ୍ପିତ ହସ୍ତରେ ଛୁରୀଟା ନାଚି ଉଠିଲା । ତା’ର ଚିକ୍ ଚିକ୍ ତେଜରେ ଯଦୁନାଥର ଆଖି ଝଲସି ଗଲା । ମୃତ୍ୟୁର କରାଳମୂର୍ତ୍ତି ସେ ଦେଖିପାରିଲା । ଯେ ପର୍ଯ୍ୟନ୍ତ ଶ୍ୱାସ ସେ ପର୍ଯ୍ୟନ୍ତ ଆଶା । ସେ ବିଚାରିଲା, ‘‘କଥାଟା ଯେତେବେଳେ ପ୍ରକାଶ ପାଇଲାଣି ଲୁଚାଇ ଲାଭନାହିଁ । ସତକଥା ପ୍ରକାଶ ନ କଲେ ଯାହା ପ୍ରକାଶକଲେ ବି ସେଇଆ । ତେବେ ମରିବା ବେଳେ ମିଛକହି ପାପ ଉପରେ ପାପ ଅର୍ଜିବି କାହିଁକି ?’’ ଯଦୁନାଥ ଆଦ୍ୟରୁ ପ୍ରାନ୍ତଯାଏ ସତ ସତ ସବୁକଥା କହିଗଲା ।

 

ଯଦୁନାଥର ବର୍ଣ୍ଣନା ଶୁଣି ମଧୁସୂଦନ ସ୍ତମ୍ଭିତ ହୋଇଗଲେ । ତାଙ୍କର ବିବେକ ତାଙ୍କୁ ଶତଧିକ୍କାର ଦେଲା । ବିବେକ ବିମୂଢ଼ ମଧୁସୂଦନ ଯଦୁନାଥର ମୁହଁକୁ ଚାହିଁରହିଲେ କ୍ଷଣକାଳ । ଯଦୁନାଥ ଇଚ୍ଛାକରିଥିଲେ ଅନାୟାସରେ ପଳାଇଯାଇ ପାରିଥାନ୍ତା । ମାତ୍ର ତାହା ସେ କଲା ନାହିଁ । ବୋଧହୁଏ ଆତ୍ମକୃତ ଅପରାଧର ବିଚାର ଚାହୁଁଥିଲା । ଧୀର ନିର୍ଭୀକ ଭାବରେ ମଧୁସୂଦନଙ୍କର ଆଦେଶ ଅପେକ୍ଷାରେ ଠିଆହୋଇ ରହିଲା । ମଧୁସୂଦନ ଧୀରେ ଧୀରେ ପ୍ରକୃତିସ୍ଥ ହେଲେ । କହିଲେ, ‘‘ଯଦୁନାଥ ! ନରାଧମ’’ ତୋ’ପରି ନାରକୀକୁ ହତ୍ୟାକରି ହାତ କଳୁଷିତ କରିବାକୁ ମୁଁ ଚାହେଁନା । ଯା, ମୋ ଆଗରୁ ଦୂର ହୋଇଯା !’’ ଯଦୁନାଥ ନୀରବ ନିଷ୍ପନ୍ଦ । ତା’ର ସେ ଅଭିନୟ ଦେଖିବା ଭଳି ଅବସ୍ଥା ମଧୁସୂଦନଙ୍କର ନଥିଲା । ସେ ଛୁରୀଟା ଫିଙ୍ଗିଦେଇ ଚାଲିଗଲେ ।

 

ଆତ୍ମଗ୍ଲାନିରେ ଅଧୀର ମଧୁସୂଦନଙ୍କର ବାଷ୍ପାକୁଳ ଆଖି ଆଗରେ ନିରପରଧା କୋକିଳର ଶାନ୍ତ କାନ୍ତ କମନୀୟ କାନ୍ତି ଭାସିଉଠିଲା । ଆହା, ଅବଗୁଣ୍ଠନାବୃତ ବେଦନା ବିଧୁର ବଦନିଟି ତା’ର । ଅମାନୁଷୀ ଅତ୍ୟାଚାରରେ ଆଖିରୁ ଧାର ଧାର ଲୁହ ବହିଯାଉଛି । ଯେଉଁ ମୁହଁକୁ ସେ ମୁହୂର୍ତ୍ତକ ପାର୍ଇ ବି ଦେଖି ନାହାଁନ୍ତି, ସେହି ମୁହଁର ଏକ ଅଶରୀରୀ ରୂପ ସେ ପରିଷ୍କାର ଦେଖିବାକୁ ପାଇଲେ । ସତେ ଯେମିତି କିଛି କହିବା ପାଇଁ ପଲ୍ଲବ–ପେଲବ ଓଠ ଦି’ଟା କମ୍ପି ଉଠୁଛି-। ମଧୁଦୁଦନ ଆତ୍ମସମ୍ୱରଣ କରିପାରିଲେ ନାହିଁ ନିରାଶ୍ରୟ ଶିଶୁଟି ପରି ବିକଳରେ କାନ୍ଦିବାକୁ ଲାଗିଲେ ।

 

ଧର୍ମପତ୍ନୀ କୋକିଳର ଯେଉଁ କୋମଳ ସୁମଧୁର ସ୍ୱର ଦିନେ କର୍ଣ୍ଣକଟୁ ହେଉଥିଲା, ଆଜି ତାହା ବସନ୍ତବଧୂ କଳ କୋକିଳର ସୁଲଳିତ ସ୍ୱରରୁ ବଳି ମଧୁମୟ ବୋଧ ହେଲା । ମଧୁସୂଦନ ଯେଣିକି ଚାହିଁଲେ କୋକିଳର କ୍ରୀଡ଼ାବନତ ଆନନଶ୍ରୀ ଦେଖି ପାରିଲେ । ଜୀବଜନ୍ତୁ, ବୃକ୍ଷଲତା, ନଦୀ, ପର୍ବତ, କାନ୍ତାର ପ୍ରାନ୍ତର, ସାରା ଦୁନିଆଟା ତାଙ୍କୁ କୋକିଳମୟ ଦିଶିଲା । ଯେଉଁ ସୁଲ୍ଲଳିତ କରପଲ୍ଲବ ସ୍ପର୍ଶ ସେଦିନ ବିରକ୍ତିକର ବୋଧ ହେଉଥିଲା, ରମଣୀର ସେଇ ରମଣୀୟ ସୁଖସ୍ପର୍ଶ ଆଶାରେ ଚିତ୍ତ ତାଙ୍କର ଚଞ୍ଚଳ ହୋଇଉଠିଲା । ସେ ଆତ୍ମହରା ହୋଇ ବସିପଡ଼ିଲେ । ତାଙ୍କର ଅଧଚେତନ ଶରୀରଟାକୁ କିଏ କେତେବେଳେ ଟାଣିନେଇ ମାତାମହିଙ୍କ ଦ୍ୱାରଦେଶରେ ପହୁଞ୍ଚାଇ ଦେଲା ତାହା ସେ ବୁଝିପାରିଲେ ନାହିଁ ।

 

କୋକିଳ ପନ୍ଦରଦିନ ଆଗରୁ ପୁରୀ ଚାଲିଯାଇଥିବା କଥା ମଧୁସୂଦନ ଯେତେବେଳେ ମାତାମହୀଙ୍କ ମୁହଁରୁ ଶୁଣିଲେ, ସତେ ଯେମିତି ଆକାଶଟା ତାଙ୍କ ମୁଣ୍ଡ ଉପରେ ଛିଡ଼ିପଡ଼ିଲା । ଗୋଟିଏ ଅବ୍ୟକ୍ତ ହାହାକାର ତାଙ୍କର ହୃଦୟ ମନ୍ଥି ଚକଟି ପକାଇଲା । ‘‘ସତେ ଆଉ ଏ ଜନ୍ମରେ ସେ କୋକିଳର ଦେଖା ପାଇବେ ?’’ ଏହି ପ୍ରଶ୍ନଟି ବାରମ୍ୱାର ତାଙ୍କ ଅନ୍ତରରୁ ଉତ୍ଥିତ ହେବାକୁ ଲାଗିଲା । ଯେଉଁ ଧୈର୍ଯ୍ୟ ବଳରେ ଯଦୁନାଥ ପରି ପାଷାଣ୍ଡକୁ କ୍ଷମାଦେଇ ପାରିଥିଲେ, ଯେଉଁ ଧୈର୍ଯ୍ୟ ବଳରେ ଅଖିଆ ଅପିଆ ଦୀର୍ଘ ଆଠ ମାଇଲ ରାସ୍ତା ଦୌଡ଼ି ଆସିପାରିଥିଲେ, ସେ ଧୈର୍ଯ୍ୟ ଆଉ ରହିଲା ନାହିଁ । କୋକିଳର ଅନ୍ତର୍ଦ୍ଧାନ ବାର୍ତ୍ତା ତାଙ୍କୁ ଅତି ଅବଶ କରିପକାଇଲା । ତା’ର ଅନୁସନ୍ଧାନରେ ସେ ପୁରୀ କ’ଣ ନର୍କପୁରୀକୁ ଯିବାପାଇଁ ପ୍ରସ୍ତୁତ । ମାତ୍ର ତା’ର ଦେଖା ପାଇବେ ତ-? ଅସଂଖ୍ୟ ନରନାରୀ ଭିତରେ କିଏ ତାଙ୍କର ହୃଦୟ ରାଣୀ କୋକିଳକୁ ଚିହ୍ନାଇଦେବ-? ଯାହାର ମୁଖଛବି ବିବାହର ଶୁଭଦୃଷ୍ଟି ବେଳେ ମୁହୂର୍ତ୍ତକ ପାଇଁ ସୁଦ୍ଧା ଦେଖିନାହିାଁନ୍ତି, କିପରି ସେହି ସଂପୂର୍ଣ୍ଣ ଅପରିଚିତା’କୁ ଖୋଜି ବାହାର କରିବେ ? ଅନୁସୋଚନାରେ ଅନ୍ତର ଭରିଗଲା । ନିଜର ଦୁର୍ବୁଦ୍ଧି ପାଇଁ ଶତଧିକ୍କାର ଦେବାକୁ ଲାଗିଲେ ।

 

ଏଗାର

 

ଛୁରୀକା ଫିଙ୍ଗିଦେଇ ମଧୁସୂଦନ ଚାଲିଯିବା ପରେ ମଧ୍ୟ ନିର୍ବାକ ନିସ୍ପନ୍ଦ ଯଦୁନାଥ ଯଥାସ୍ଥାନରେ ଠିଆହୋଇ ରହିଲା । ସମୟ ବହି ଚାଲିଛି । ହେଲେ ସେ ତ ଏକା ପାଉନାହିଁ । ତା’ ସଙ୍ଗେ ସଙ୍ଗେ ଜାଗତିକ ପ୍ରତ୍ୟେକ ବସ୍ତୁକୁ ପରିବର୍ତ୍ତନ ପଥରେ ଟାଣିନେଇ ଯାଉଛି । କେହି ଦେଖୁ ଅବା ନ ଦେଖୁ, ଜାଣୁ ବା ନ ଜାଣୁ, ବୁଝୁ କି ନ ବୁଝୁ, ଅନୁଭବ କରୁ ଅବା ନକରୁ ସେଥିରେ ତା’ର ଯାଏ ଆସେ ନାହିଁ । କାଳ ତା’ର ଆଗେଇବାରେ ଲାଗିଛି । କେହି ଲକ୍ଷ କରୁ ବା ନ କରୁ ମାନସିକ ଚିନ୍ତାଧାରା, ଅନ୍ତରର ଅଭିଲିପ୍ସା ମୁହୂର୍ତ୍ତକୁ ମୁହୂର୍ତ୍ତ ପରିବର୍ତ୍ତନ ପଥରେ ଆଗେଇଚାଲିଛି । ଧୀରେ ଯଦୁନାଥ ପ୍ରକୃତିସ୍ଥ ହେଲା । ପୂର୍ବାପର ପ୍ରତ୍ୟେକ କଥା ସ୍ମରଣ କଲା । ତା’ର ପୈଶାଚିକ କର୍ମ ଅମାର୍ଜ୍ଜନୀୟ, ଏକଥା ସେ ବୁଝିପାରିଲା । ମଧୁସୂଦନଙ୍କ ହାତରୁ ଅଭାବନୀୟ ଭାବରେ ଅବ୍ୟାହତି ପାଇଥିବା କଥା ମଧ୍ୟ ଉପଲବ୍ଧି କଲା । ହେଲେ ଘରକୁ ଯିବାପାଇଁ ଗୋଡ଼ ତା’ର ଆଗେଇଲା ନାହିଁ-। ପିତାଙ୍କଠାରୁ ପରିତ୍ରାଣ ପାଇବାର ଆଶା ବୃଥା । ଲଜ୍ଜ୍ୟା, ଭୟ, କ୍ଷୋଭରେ ଅଧିର ମନସ୍ତାପୀ ଯଦୁନାଥ କିଂକର୍ତ୍ତବ୍ୟବିମୂଢ଼ ହୋଇ ଚିନ୍ତା କରିବାକୁ ଲାଗିଲା ।

 

ଯଦୁନାଥର ସେଦିନ ଘରକୁ ଲେଉଟିବାର କଥା । ପିତାମାତା ତା’ର ବାଟ ଚାହିଁ ବସିଛନ୍ତି । ସଞ୍ଜ ହେଲା । ଯଦୁନାଥ ଫେରିଲା ନାହିଁ । ଏଣେ ମଧୁସୂଦନ ସକାଳୁ ଅନ୍ତର୍ଦ୍ଧାନ ହୋଇଛନ୍ତି । ଜନକ ଜନନୀଙ୍କର ଦୁର୍ଭାବନାର ସୀମା ରହିଲା ନାହିଁ । ଅନଶନରେ ରାତିଟି କଟାଇ ଅତି ପ୍ରତ୍ୟୁଷରୁ ଫକୀର ମିଶ୍ରେ ପୁତ୍ରର ଅନୁସନ୍ଧାନରେ ବାହାରି ପଡ଼ିଲେ । ସେ ଆଗ ଝିଅ ଘରକୁ ଗଲେ । ଶୁଣିଲେ, କାଲିଠାରୁ ଯଦୁନାଥ ଘରକୁ ଲେଉଟିଲାଣି । ତେବେ ଗଲା କୁଆଡ଼େ ? ଭଉଣୀ ଘରଠୁ ଦି’ମାଇଲ ଦୂରରେ ତାଙ୍କର ଲେଖାଯୋଖାରେ ଏକ ବନ୍ଧୁଘର । ଚଗଲା ଟୋକା । ସାଙ୍ଗ ସାଥୀ ପାଇ ସେଆଡ଼େ ଆଉ ମାଡ଼ିଯାଇ ନାହିଁ ତ ? ବୃଦ୍ଧ ମିଶ୍ରେ ସେଠାରେ ଯାଇ ପହୁଞ୍ଚିଲେ । ସେଠି ବି ନାହିଁ । ମନଟା ଅଧୀର ହେଲା । ତାଙ୍କର ଯେତେ ଯେଉଁଠି ବନ୍ଧୁବାନ୍ଧବ ଥିଲେ ଗୋଟି ଗୋଟି କରି ସବୁରି ଘରକୁ ଗଲେ । କୌଣସିଠି ଯଦୁନାଥର ସମ୍ୱାଦ ପାଇଲେ ନାହିଁ । ଶେଷରେ ଶ୍ୱଶ୍ରୁ ଠାକୁରାଣୀଙ୍କ କୁଟୀରେ ପହୁଞ୍ଚିଲେ । ବୃଦ୍ଧା ମେନକାଙ୍କଠାରୁ ଯାହା ଶୁଣିଲେ, ତହିଁରେ ତାଙ୍କର ବୁଝିବାକୁ ଆଉକିଛି ବାକି ରହିଲା ନାହିଁ । ବ୍ୟଥିତ ହୃଦୟରେ ଘରକୁ ଲେଉଟିଲେ । ବାହାଘରର ସୁଖସ୍ୱପ୍ନ କେଉଁଆଡ଼େ ଉଭେଇଗଲା ।

 

କୋକିଳ ମାଳତୀ ସଙ୍ଗରେ ପୁରୀ ଯାଇ ନୀଳାଚଳନାଥଙ୍କ ଦର୍ଶନ ଲାଭକଲା । ଜନଗନ୍ନାଥଙ୍କର ସିଂହାସନ ତଳେ ମୁଣ୍ଡିଆମାରି ଗୁହାରି ଜଣାଇଲା । ବାଇଶ ପାବଚ୍ଛରେ ବିପୁଳ ଜନସ୍ରୋତ, ଜଗମୋହନରେ ଦର୍ଶନପ୍ରାର୍ଥୀ ଅସଂଖ୍ୟ ନରନାରୀଙ୍କର ସମାବେଶ, କୋଳାହଳପୂର୍ଣ୍ଣ କୈବଲ୍ୟ ହାଟ, କଳ୍ପବଟ ଆଦି ଦେଖି ମନପ୍ରାଣ ଶୀତଳ କଲା । ଭକ୍ତମାନଙ୍କର ସ୍ତବସ୍ତୁତି ମୁଖର ଦେଉଳ ବେଢ଼ାରେ ବୁଲି ବୁଲି ଦେବାଦେବୀଙ୍କର ଦର୍ଶନ କଲା । ଦିଗନ୍ତ ବିସ୍ତାରୀ ମହୋଦଧିର ଭୀମକାନ୍ତ ଦୃଶ୍ୟ ଦେଖି ନେତ୍ର ସାର୍ଥକ କଲା । ସମୁଦ୍ରରେ ଲହଡ଼ି ଭାଙ୍ଗିଲା ।

 

ଅନନ୍ତ ସିନ୍ଧୁର ନିତ୍ୟନୂତନ ଦୃଶ୍ୟଠାରୁ ଚନ୍ଦନ କୋଖରୀର ଦୃଶ୍ୟାବଳୀ କୋକିଳକୁ ବିଶେଷ ପ୍ରୀତିକର ବୋଧହେଲା । ବାଳଭାନୁର କନକରଶ୍ମି ସଂପାତରେ ନରେନ୍ଦ୍ର ସରୋବରରେ ସିନ୍ଦୁର ଲହରୀ ଖେଳିଯାଇଛି । କେଉଁଠି ଲଜ୍ଜ୍ୟାବନତା ନବୋଢ଼ାର ଓଢ଼ଣୀ ବସ୍ତୁ ଧୀର ସମୀର ହିଲ୍ଲୋଳରେ ଅପସାରିତ ହୋଇ ତା’ର ଆରକ୍ତିମ ନିଟୋଳ ଗଣ୍ଡଯୁଗରେ କ୍ରୀଡ଼ାର ପ୍ରଲେପ ବୋଳିଦେଉଛି । କେଉଁଠି ମୃଦୁଳାଙ୍ଗୀର ଚୂର୍ଣ୍ଣ କୁନ୍ତଳ ବିପର୍ଯ୍ୟସ୍ତ ହୋଇ, ରାହୁମୁକ୍ତ ପୂର୍ଣ୍ଣଚନ୍ଦ୍ର ଶୋଭାନିନ୍ଦି ବଦନର ସୌନ୍ଦର୍ଯ୍ୟକୁ ଦ୍ୱଗୁଣିତ କରୁଅଛି । କେଉଁଠି କାନ୍ତକରଧାରିଣୀ ନବନୀ । ଅପାଙ୍ଗ ଚାହାଁଣିରେ ଦିଗଉଜ୍ଜଳ କରି ଅତି ସନ୍ତର୍ପଣରେ ସୋପାନାବଳୀ ଅତିକ୍ରମି ସଲିଳରେ ପଦାର୍ପଣ କରୁଛି । କାହିଁ ସ୍ୱଜନ ସଙ୍ଗ ବିଛିନ୍ନ । କେଉଁ କୁରଙ୍ଗ ନୟନା ଲାଜ୍ଜ ପାଳିତ ତରଳ ତରଙ୍ଗ ଭଙ୍ଗିମା କଟାକ୍ଷପାତରେ ଚତୁର୍ଦ୍ଦିଗ ନିରୀକ୍ଷଣ କରୁଛି । କେଉଁ କନକାଙ୍ଗୀ ରୂପସୀର ହାସ୍ୟୋଜ୍ଜଳ ଆନନଶ୍ରୀ ଦର୍ଶକର ଆନନ୍ଦ ବୃଦ୍ଧି କରାଉଛି । ସ୍ନାନାର୍ଥୀ ଅଗଣିତ ନରନାରୀଙ୍କର ଅପୂର୍ବ ସମାରୋହ-। ସେମାନଙ୍କର ମୁକୁଳା ସୌନ୍ଦର୍ଯ୍ୟରେ ପ୍ରସ୍ତର ସୋପାନାବଳୀ ସତେ ଯେମିତି ହସି ଉଠୁଛନ୍ତି-। ନିରାଶା ବା ନିରୁତ୍ସାହର ଚିହ୍ନମାତ୍ର ନାହିଁ । ସିନ୍ଧୁଠାରୁ ବିନ୍ଦୁପୁଣି ଏତେ ସୁଖକର ? ଅସୀମଠାରୁ ସମୀମର ଆକର୍ଷଣ ତେବେ କ’ଣ ଅଧିକ ?

 

ହାୟ ! ଭାଗ୍ୟର ବିଡ଼ମ୍ୱନା ! ଅବସନ୍ନ ଅନ୍ତରକୁ ବାହାରର କ୍ଷଣିକ ଆନନ୍ଦ କେତେକାଳ ମଜ୍ଜାଇ ରଖିପାରେ ? କ୍ଷଣକରେ ଆଖି ଆଗରୁ ସେଇସବୁ ସରସତା ସଜୀବତା ଉଭେଇଗଲା । ଅପୂର୍ଣ୍ଣତାର ଏକ ଅବ୍ୟକ୍ତ ପ୍ରଶ୍ନ କୋକିଳର ଅନ୍ତଃସ୍ଥଳରୁ ଜାଗିଉଠିଲା । ଆନନ୍ଦ ଉତ୍ସାହ ସ୍ଥାନରେ ନୈରାଶ୍ୟ ନିରୁତ୍ସାହ ତା’ର ହୃଦୟକୁ ଅଧିକାର କରି ବସିଲେ । ମୁହୂର୍ତ୍ତ ପୂର୍ବରୁ ରୁଚିକର ଦୃଶ୍ୟାବଳୀ ତା’କୁ ଅତି ଅସହ୍ୟ ବୋଧହେଲା । ଯାହା ଅଭାବରେ ମନ ତା’ର ଅସ୍ଥିର, ଚିତ୍ତ ତା’ର ଚଞ୍ଚଳ, ଅନ୍ତର ତା’ର ବ୍ୟାକୁଳ, ସତେକ’ଣ ସେ ଅଭାବ ଏ ଜନ୍ମରେ ପୂରଣ ହୋଇପାରିବ ? ସେ ତା’ର ମନକୁ କୌଣସି ପ୍ରକାର ପ୍ରବୋଧନା ଦେଇପାରିଲା ନାହିଁ ।

 

ପୁରୀରେ ରହିବାର ଆଠଦିନ ହେଲାଣି । ୟାର ତିନିଦିନ ଆଗରୁ ଘର ଛାଡ଼ିଛନ୍ତି । ମାଳତୀର ପିତା ବଡ଼ ଉତ୍କଣ୍ଠିତ ହୋଇଉଠିଲେ । ପରିବାରର ଯାବତ ଭାର ତାଙ୍କ ଉପରେ । ଏଇଦିନ ଦଶ ବାରଟା ଭିତରେ କେତେଜଣ ବିଭ୍ରାଟ ବିଶୃଙ୍ଖଳା ଘଟିବଣି କିଏ ଜାଣେ ? ସେଇରାତି ପାହାନ୍ତା ଗାଡ଼ିରେ ପୁରୀ ପରିତ୍ୟାଗ କରିବା ପାଇଁ ସେ ପ୍ରସ୍ତୁତ ହେବାକୁ ଲାଗିଲେ ।

 

ମାଳତୀର ଇଚ୍ଛା, କୋକିଳକୁ ସାଙ୍ଗରେ ନେଇଯିବ । କୋକିଳର ଇଚ୍ଛା କିନ୍ତୁ ଅନ୍ୟ ପ୍ରକାର । ସେ ଚାହେଁ ତା’ର ଅଭିଶପ୍ତ ଜୀବନଟା ଏଇ ଶ୍ରୀକ୍ଷେତ୍ରରେହିଁ କଟାଇଦେବ । ଅସୁମାରୀ ପାପୀ, ତାପୀ, ପତିତ, ନିରାଶ୍ରୟଙ୍କର ଆଶ୍ରୟସ୍ଥଳ ପବିତ୍ର ନୀଳାଚଳ କୋଳ, କୋକିଳ ପକ୍ଷରେ ଅତି ଲୋଭନୀୟ ହୋଇଉଠିଲା । ପତିଗୃହରୁ ଏକେ ତ ବିତାଡ଼ିତା । ପିତ୍ରାଳୟରେ ତା’ର ସ୍ଥାନ ଥାଇ ସୁଦ୍ଧା ନାହିଁ । ଏକମାତ୍ର ଆଶ୍ରୟ ଥିଲା ବୃଦ୍ଧା ମେନେକାଙ୍କ କୁଟୀର । ନିଜ ଇଚ୍ଛାରେ ତ ସେ ତାହା ପରିତ୍ୟାଗ କରିଛି । ଏବେ ଆଉ କୋଉଠିକି ଯିବ ? ମାଳତୀ ତା’ ଦୁଃଖରେ ସହାନୁଭୂତି ଦେଖାଇ ତା’ ନିଜ ଘରକୁ ଡାକୁଛି ସତ, ହେଲେ କୋକିଳ ସେମିତି ଆଶ୍ରୟ ଗ୍ରହଣ କରିବ କିଆଁ ? ଭଗବାନ ତ ଜାଣି ତା’ର ସବୁ ଆଶ୍ରୟ ଛିନ୍ନ କରିଛନ୍ତି । ସେ ପୁଣି ଉପଯାଚିକା ହୋଇ ପରର ଆଶ୍ରୟ ଗ୍ରହଣ କରିବ କାହିଁକି ? ମାଳତୀ ଅପା କ’ଣ ତା’ର ପର ? ସେ କଥା ସତ । ମାଳତୀ ଅପା କୋକିଳର ଅତି ଆପଣାର । ହେଲେ ଦିନବନ୍ଧୁ ପଟ୍ଟନାୟକଙ୍କ ପରିବାରର ଲୋକ ସମସ୍ତେ ତ ମାଳତୀ ଅପା ନୁହନ୍ତି ଯେ, ଚିରକାଳ ତା’କୁ ଆଦର କରିବେ ? ମାଳତୀ କରଣ ଘର ଝିଅକୁ ସେ ବ୍ରାହ୍ମଣ ଘର ଝିଅ । ଅଜାତି କି ବଣିଜ ଅଡ଼ୁଆ । କେତେକାଳ ଖାଲି ବସେଇ ବସେଇ ପୋଷିବେ ? ସେଇ ମାଳତୀ ଅପା ଦିନେହେଲେ କହିପାରେ, ‘‘ଦେଖିଲୁ କୋକିଳ, ତୋ ଲାଗି ନିତି କେତେ ଖର୍ଚ୍ଚ ହେଉଛି ।’’ ଘରର ପୋଇଲୀ ପରିବାରୀ ବି ଦେଖେଇ ଶିଖେଇ ପାଞ୍ଚକଥା ଶୁଣାଇବାକୁ ମଧ୍ୟ ପଛାଇବେନି । ସେ ସବୁ ସହିପାରିଲେ ତ ?

 

କୋକିଳ ସ୍ଥିର କଲା, ଯେଉଁ ପ୍ରଭୁ ତା’କୁ ଆଶ୍ରୟ ଶୂନ୍ୟ କରିଛନ୍ତି, ସେ ସେଇ ପ୍ରଭୁଙ୍କ ପାଦତଳେ ପଡ଼ିରହିବ । ନିତି ତାଙ୍କ ଚରଣରେ ଦୁଃଖ ନିବେଦନ କରିବ । ନୀଳାଦ୍ରୀ ବିହାରୀଙ୍କର ଅଭୟ ଆଶ୍ରୟ ଛାଡ଼ି ସେ ଆଉ କାହିଁ ଯିବ ନାହିଁ । ମାଳତୀ ଅପା ମନ ଦୁଃଖ କରିବ । କଲେ କରୁ ପଛେ । ପତିତପାବନ ବାନାକୁ ଚାହିଁ ଚାହିଁ ତା’ ଅନ୍ତରର ସମସ୍ତ କାମନା ବାସନାରେ ସେ ଜଳାଞ୍ଜଳି ଦେଇପାରିବ । କୋକିଳ ମନକୁ ଖୁବ୍ ଦୃଢ଼କରି ଏମିତି ବିଚାର ସ୍ଥିର କଲା ସିନା, ସାଥେ ସାଥେ ଆଉ ଏକ ବିପଦ ଆଶଙ୍କାରେ ସର୍ବାଙ୍ଗ ତା’ର କମ୍ପି ଉଠିଲା । ତା’ର ନରବିକଶିତ ଯୌବନ ସମ୍ଭାରକୁ ସେ କୋଉଠି ଲୁଚାଇବ ? ଅଳଙ୍କାର ନାହିଁ । ଦେହମୁଣ୍ଡର ଯତ୍ନ ନାହିଁ । ପରିଧାନ ସାମାନ୍ୟ ଖଣ୍ଡେ ଲୁଗା । ବେଶବାସର ଏଇ ଦରିଦ୍ରତା ଭେଦ କରି ଅଙ୍ଗ ଲତିକାର ଯେଉଁ ଲାବଣ୍ୟଶ୍ରୀ ପୁଟିଉଠୁଛି, ସେ କ’ଣ ଲୁଚିବାର ? ସୁମନର ଦୁଃଖତ ଲୋଲୁପ ମଧୂପ ବୁଝେନା । କଳ୍ପିତ ଆଶଙ୍କାରେ ସେ ଅଧୀର ହୋଇ ଉଠିଲା ।

 

କୋକିଳ ଯେତେବେଳେ ଆତ୍ମଚିନ୍ତାରେ ଭାରାକ୍ରାନ୍ତ ମାଳତୀ ସେତିକିବେଳେ ତା’ର ଶେଷକଥା ଶୁଣାଇଦେଲା । କହିଲା, ‘‘ଭାବୁଚୁ କ’ଣ ମ କୋଇଲି ! ମୋ କଥାରେ କ’ଣ ବିଶ୍ୱାସ ହେଉନି, ତୋର ଏତେ ଟିକିଏ ବି ଅସୁବିଧା ହବନି । ଚାଲ ଉଠ । ଗାଡ଼ିବେଳ ପାଖେଇ ଆସିଲାଣି-।’’ କୋକିଳ ନାଉଲୀ ଛଉଲୀ ହୋଇ କହିଲା, ମାଳତୀ ଅପା ! ଦେଖୁଚୁ ତ ମୁଁ ମଝି ଦରିଆରେ ଭାସୁଚି । ଏଇଠି ବଡ଼ଦାଣ୍ଡରେ ଭିକମାଗି ବଞ୍ଚିବି । ଭିକ ନ ମିଳିଲେ ଓପାସ ରହିବି-। ହେଲେ ଏଠାଛାଡ଼ି କୋଉଠି କି ଯାଇପାରିବିନି । ଜଗନ୍ନାଥଙ୍କୁ ଦର୍ଶନ କରୁ କରୁ ଜୀବନ ଯେବେ ଯାଏ, ସେ କ’ଣ ଅଳପ ଲାଭ । ମୋ ପରି ଆଜନ୍ମ ଦୁଃଖୀ ପାଇଁ ୟାଠୁ ପୁଣ୍ୟ ଆଉ କ’ଣ ଅଛି-? ମୋତେ ବଳାନା । ଶ୍ରୀକ୍ଷେତ୍ର ଛାଡ଼ି କୁଆଡ଼ିକି ଯିବିନି ।’’

 

କୋକିଳର ଦୃଢ଼ସଂକଳ୍ପ ଦେଖି ମାଳତୀ ଆଉ ବଳାଇବାକୁ ଇଚ୍ଛା କଲା ନାହିଁ । ବିଚାରିଲା, ‘‘ଆଉ କିଛିଦିନ ଏଇଠି ରହିଯିବି । ଧୀରେ ତା’ର ମନ ପରିବର୍ତ୍ତନ ହୋଇଯିବନି ଯେ ।’’ ବାପାକୁ ତା’ର ମନକଥା ଜଣାଇଲା । ପଟ୍ଟନାୟକେ ବଡ଼ ଅଡ଼ୁଆରେ ପଡ଼ିଲେ । ତେଣେ ନ ଗଲେ ଘର ଅଚଳ । ଏଣେ ନ ରହିଲେ ଚଳୁନି । ଆଦରିଣୀ କନ୍ୟାର ଅନୁରୋଧ ଉପେକ୍ଷା କରିବା ବି ସହଜ ନୁହେଁ । ତାଙ୍କର ବିଶ୍ୱସ୍ତ ଭୃତ୍ୟକୁ ମାଳତୀ ପାଖରେ ଛାଡ଼ି ଏକା ଏକା ଘରକୁ ଗଲେ ।

 

ବାର

 

ସେଦିନ ଥିଲା ସୋମବାର ସଂକ୍ରାନ୍ତି । କୋକିଳ ମାଳତୀ ଦୁହେଁ ବଡ଼ି ସକାଳୁ ଗାଧୁଆ ପାଧୁଆ ସାରି ବାହାରିଲେ ଲୋକନାଥଙ୍କ ଦର୍ଶକୁ । ସଙ୍ଗରେ ପଟ୍ଟନାୟଙ୍କର ସଂପର୍କୀୟ ବିଶ୍ୱସ୍ତଭୃତ୍ୟଟି । କୋକିଳର ଅନିଚ୍ଛା ସତ୍ୱେ ମାଳତୀ ଖଣ୍ଡେ ବଗି ଭଡ଼ା କଲା । ସହରର ବହୁବିଧ ଦୃଶ୍ୟାବଳୀ ଭେଦକରି ଗାଡ଼ି ତାଙ୍କର ଚାଲିଲା ।

 

ଯଥା ସମୟରେ ପୁରୀର ପୀଠନାଥ ଲୋକନାଥ ଦେବଙ୍କର ଦର୍ଶନ କଲେ, ପାଦୁକ ପାଇଲେ । ପ୍ରଭୁଙ୍କର ପବିତ୍ର ମନ୍ଦିର ବେଢ଼ାରେ ଟିକିଏ ବସିଲେ । ବାହୁଡ଼ିଲେ ନରେନ୍ଦ୍ର ପୋଖରୀ ପରେ ଥିବା ତାଙ୍କ ବସାଘରକୁ । ବଗିଚାଳକ ଘୋଡ଼ା ପିଠିରେ ଚାବୁକ ପିଟି ‘‘ହେ, ହେ’’ ଚିତ୍କାର କରି ଚାଲିଛି । ହୟବର ଯଥାଶକ୍ତି ଦ୍ରୁତଗତିରେ ଦୌଡ଼ୁଛନ୍ତି । ହଠାତ୍ ତାଙ୍କର ଗତି ଶିଥିଳ ହୋଇଗଲା । ଚାଳକର ସପା ସପା ଚାବୁକ ପ୍ରହାରରେ ବି ପାହୁଣ୍ଡେ ମାତ୍ର ଆଗେଇଲେ ନାହିଁ ।

 

ଦିନ ଏଗାରଟା । ଖରାତାପ ପ୍ରଖର । ଅବିଶ୍ରାମ ଦଉଡ଼ି ଦଉଡ଼ି, ମୁହୁ ମୁହୁ ଚାବୁକ ମାଡ଼ ଖାଇ ଖାଇ ଘୋଡ଼ା ଦୁଇଟି ଦରମରା । ତିରିଶ ଚାଳିଶ ହାତ ବାଲିଆ ରାସ୍ତା ପାର ହୋଇଗଲେ ତେଣକି ଗାଡ଼ି ସ୍ୱଚ୍ଛନ୍ଦରେ ଗଡ଼ିଯିବ । ହେଲେ ସେଇ କେଇ ହାତ ରାସ୍ତା ଅତିକ୍ରମ କରିବା ଅସମ୍ଭବ ହୋଇପଡ଼ିଲା । ଚାଳକର ସବୁ କୌଶଳ ବ୍ୟର୍ଥ ହେବାକୁ ଅରୋହୀମାନଙ୍କୁ ଓହ୍ଲାଇଯିବାକୁ ଅନୁରୋଧ କଲା । ମାଳତୀ, କୋକିଳ ଆଉ ତାଙ୍କର ଚାକରଟି ଓହ୍ଲାଇପଡ଼ିଲେ । ସଡ଼କଧାରରେ ଜଣେ ଲୋକ ପଡ଼ି ଚିତ୍କାର କରୁଥିବାର ଦେଖି, ସଭିଏଁ ଚାଲିଲେ ସେଇଠିକି । ଲୋକଟି ତତଲା ବାଲି ଉପରେ ଗଡ଼ି ଯେମିତି ଡହଳ ବିକଳ ହେଉଥିଲା, ସେ ମର୍ମସ୍ପର୍ଶୀ ଦୃଶ୍ୟରେ ହୃଦୟହୀନ ବ୍ୟକ୍ତିର ଅନ୍ତରରେ ବି ଦୟାର ସଞ୍ଚାର ହେବ । ମାଳତୀ ତା’ ନିକଟକୁ ଯାଇ ନିରିଖେଇ ଚାହିଁଲା । ବୁଝିପାରିଲା, ଲୋକଟି ବେଉସାଦାର ଭିକାରୀ ନୁହେଁ । ପରିଧାନ ବସ୍ତ୍ରଖଣ୍ଡି ଛିଣ୍ଡା, ମଇଳା । ହେଲେ ବି ସ୍ରମ୍ଭ୍ରାନ୍ତବଂଶୀୟ ପରି ମନେହୁଏ । ମୁହଁକୁ ଚାହିଁରେ ସ୍ୱତଃ ଦୟାର ସଞ୍ଚାର ହୁଏ । ଲୋକଟି ହଠାତ୍ ହସ୍ତ ସଙ୍କେତ କରି ‘‘ପାଣି-ପା-ଣି-ପା-ଣି ଚିତ୍କାର କଲା । ମାଳତୀ ବୁଝିପାରିଲା, ଶୋଷରେ ତା’ର ତଣ୍ଟି ଶୁଖିଯାଉଛି । ଭୃତ୍ୟକୁ ଆଦେଶ କଲା । ସେ ବିଚରା ପାଖ ପୋଖରୀକୁ ଦୌଡ଼ିଯାଇ ପାଣି ଆଣିଲା । ଚଁଅ ଚଁଅ କରି ପେଟେ ପିଇଲା ଲୋକଟି । ତା’ପରେ ଆରାମର ନିଃଶ୍ୱାସ ଟାଣିନେଇ କହିଲା, ‘‘ନରାଧମ ! ତୁ ମୋର ସର୍ବନାଶ କରିଛୁ । ତୋରି ପାଇଁ ଆଜି ନା-ନା ତୋର ଦୋଷ ନାହିଁ । ଦୋଷ ମୋର ! ମୁଁ ନରାଧମ ନିଜ ହାତରେ ଯାହା ଅର୍ଜିଛି, ସେଥିପାଇଁ ଆଉ କିଏ କାହିଁକି ଦାୟୀ ହେବ ? ରକ୍ଷାକର ପ୍ରଭୁ !’’ ଟିକିଏ ନିର୍ବେଦ ହୋଇ ପଡ଼ିରହିଲା । ସଙ୍ଗେ ସଙ୍ଗେ ଧଡ଼୍ କରି ଉଠି ବସିବାର ଚେଷ୍ଟା କଲା । କହି ଉଠିଲା ‘‘ଆରେ, ଡାକିଦେଇ ଚାଲିଗଲା କୁଆଡ଼େ !’’ କାନପାରି କ’ଣ ଶୁଣିଲା । ବିରକ୍ତିପୂର୍ଣ୍ଣ କଣ୍ଠରେ କହିଲା, ‘‘ନା ମିଛ । ଖାଲି ମିଛ ।’’ ତା’ର ଏମିତିଆ ଅସଂଲଗ୍ନ ପ୍ରଳାପ ଶୁଣି ସମସ୍ତେ ଅବାକ ।

 

ମାଳତୀ ଲୋକଟିର ଆଉ ଟିକିଏ ନିକଟକୁ ଯାଇ ପ୍ରଶ୍ନକଲା, ‘‘ତୁମଘର କୋଉଠି ?’’

 

‘‘ନର୍କକୁଣ୍ଡରେ ।’’

 

‘‘ତୁମ ନାଁ କ’ଣ ?’’

 

‘‘ମୋ ନାଁ ପଚାରୁଛ ? ମୋ ନାଁ ପିଶାଚ । ନର ରାକ୍ଷସ ମୁଁ ।’’

 

‘‘ତୁମ କଥା ଆମେ ବୁଝିପାରୁନୁ ।’’

 

‘‘ଭଲ କରିଛ । ବୁଝିପାରିଲେ ତୁମର ଦୁଃଖ ବଢ଼ିଯିବ ।

 

‘‘ଏ ଅପନ୍ତରାଟାରେ କାହିଁକି ପଡ଼ିଚ ? ଖରାରେ ଦିହମୁଣ୍ଡ ସିଝିଯାଉଚି । ଗଛ ଛାଇକି ହେଲେ ଯାଅ ।’’

 

‘‘ଯାଇପାରୁଛି କାହିଁ ?’’

 

‘‘ଏ ଲୋକଟିର ହାତଧରି ଧୀରେ ଧୀରେ ଆସ । ସେ ଗଛମୂଳରେ ଛାଡ଼ିଦେଇ ଆସିବ-।’’

 

‘‘ଚାଲିପାରୁଛି କ’ଣ ? ମୂର୍ଖ ଶଗଡ଼ିଆଟା, ଗୋଡ଼ ଉପରେ ଚକଟା ମଡ଼ାଇଦେଲା ।’’

 

ଲୋକଟି ତା’ର ବସ୍ତ୍ରାବୃତ ପାଦଟି ପଦାକୁ ବାହାର କଲା । ଚକ ଚାପାରେ ପାଦଟା ଫାଟି ବେଙ୍ଗଳା ବେଙ୍ଗଳା । ରକ୍ତବହି ବାଲି ଅରାଏ ବି ଭିଜିଯାଇଛି । ଆଣ୍ଠୁଯାଏ ଫୁଲିଗଲାଣି ଗୋଡ଼ଟା । ସମବେଦନାରେ ସବୁରି ହୃଦୟ ବଥେଇ ଉଠିଲା । ମାଳତୀ ପଚାରିଲା–

 

‘‘କୋଉଦିନ ମାଡ଼ିଗଲା ଶଗଡ଼ ।’’

 

‘‘କାଲି ।’’

 

‘‘କାଲିଠୁ ଏଇଠି ପଡ଼ିଚ ?’’

 

‘‘କ’ଣ ଆଉ କରନ୍ତି ?’’

 

‘‘ଖାଇଚ କ’ଣ ?’’

 

ଲୋକଟି ନିରୁତ୍ତର ।

 

‘‘ଖାଇବ?’’ ଉତ୍ତର ନାହିଁ । ତା’ ମୁଁହରେ ବିରକ୍ତିର ଚିହ୍ନ ଫୁଟିଉଠିଲା । ମାଳତୀ ତା’ ନିଜର ଭୁଲ୍‍ ବୁଝିପାରିଲା । ଅନାହାରରେ ଛଟପଟ ହେଉଥିବା ଲୋକକୁ ଖାଇବ କି ନା ପଚାରିବା ଅତି ଅସଙ୍ଗତ ପ୍ରଶ୍ନ । ଅନୁତାପ କଲା । ଲୋକଟିର ଅବସ୍ଥା ଦେଖି କୋକିଳ ବି ବିଚଳିତ ହୋଇପଡ଼ିଲା । ଯନ୍ତ୍ରଣା ସାଙ୍ଗକୁ ପେଟର ଜ୍ୱାଳା । ତା’ ଉପରେ ପୁଣି ଖଇଫୁଟା ଖରାର ତାତି । କି କଷ୍ଟ ନ ପାଉଛି ବିଚରା । ଲୋତକରେ ଆଖି ଛଳ ଛଳ ହୋଇଗଲା । ତା’ର ମନ ହେଲା ରୋଗୀକୁ ପାଖରେ ରଖି ସେବା ଶୂଶ୍ରୂଷା କରନ୍ତା–ଖୁଆଇ ପିଆଇ ଆରୋଗ୍ୟ କରି ଛାଡ଼ନ୍ତା । ହେଲେ ସେ ବଳ ତା’ର କାହିଁ ? ସେତ ନିଜେ ପରଘରେ ରହିଚି । ପର ଅନ୍ନରେ ପେଟ ପାଳୁଛି । ଆପଣା ରୁଚିକୁ ଚାହିଁ କିଛି କରିପାରିବା ଅଧିକାର କ’ଣ ଅଛି ତା’ର ? ମାଳତୀ ଅପାକୁ କହିଲେ ସେ ବୋଧହୁଏ ଦ୍ୱିଧା କରିବ ନି । ପଚାରି ବୁଝିଲେ ଦୋଷ କ’ଣ ? କହିବ କହିବ ହେଲା । କହିପାରିଲାନି । କଥାଟା ପେଟ ଭିତରୁ ବାହାରି ଆସି ସତେ ଯେମିତି ଓଠ ପାଖରେ ଅଟକି ଯାଉଚି-

 

କୋକିଳ ପରି ମାଳତୀର ବି ତ ନାରୀ ହୃଦୟ । ରୋଗୀର ଦୁର୍ଦ୍ଦଶା ଦେଖି ତା’ର ଅନ୍ତର କ’ଣ ବ୍ୟଥିତ ହେଉନି ? ତା’ ହୃଦୟରେ କ’ଣ ଦୟାର ସଞ୍ଚାର ହେଉନି ? ନ ହେବ କେମିତି ? ସେ ଯେ କରୁଣାର ଅବତାର ! ଯେଉଁ କରୁଣାମୟୀର ସଦୁପଦେଶ ଲାଭକରି କୋକିଳ ଆଜି ଅନ୍ୟର ଦୁଃଖ ନିଜ ଅନ୍ତରରେ ଅନୁଭବ କରିପାରୁଛି, ସେ ନିଜେ କେବେ ନିର୍ଦ୍ଦୟ ହୋଇପାରେ ? ମାଳତୀ ତା’ର ପଦ୍ମପଳାଶ ଆଖି ଯୋଡ଼ିକ ରୋଗୀ ଉପରୁ ଫେରାଇ ଆଣି କୋକିଳ ଆଡ଼କୁ ଚାହିଁଲା । କହିଲା–କୋଇଲି, ଏ ଲୋକଟିକୁ ବସାକୁ ନେଇଯିବା ? ତୁ ରାନ୍ଧିବାଢ଼ି ପରଶି ପାରିବୁ ତ-?’’

 

‘‘କାହିଁକି ପାରିବିନି ?’’ କୋକିଳ ଧୀର ଗମ୍ଭୀର ସ୍ୱରରେ ଉତ୍ତର କଲା, ‘‘କାହିଁକି ପାରିବି ନି ? କହୁଚି ମାଳତୀ ଅପା, ରୋଗୀ ଯଦି ଆମ ବସା ପାଖରେ ଥାନ୍ତାନା, ଦି’ଓଳି ଘା ଧୋଇ ଘିଅ କନା ପକଉଥାନ୍ତି ପରା ।’’

 

‘‘ସତେ ?’’ ମାଳତୀ ମୁରୁକି ହସି କହିଲା ‘‘ସତେ ? ଭଲ କଥା । ସେବାଯତ୍ନରେ ତୋର ବିଚରା ରୋଗୀଟି ଭଲ ହୋଇଯାଉ । ତା’ର କଷ୍ଟ ଦେଖି ହଉନି ।’’

 

ମାଳତୀର ଆଦେଶରେ ବଗି ଚାଳକ ଆଉ ତା’ର ଚାକର ଦୁହେଁ ରୋଗୀକୁ ନେଇ ବଗିରେ ବସାଇଦେଲେ ।

 

ତେର

 

ରୋଗୀଟିକୁ ଘରକୁ ଆଣିବା ପରେ କୋକିଳ କାମର ପରିସର ବହୁତ ବଢ଼ି ଯାଇଛି । ଆଗପରି ବଡ଼ ଦେଉଳରେ ଅଭଡ଼ା ଖାଇ ସାରାଦିନ ନିଷ୍କର୍ମା ହୋଇ ବସି ରହିବାକୁ ପଡ଼ୁନାହିଁ । ବଡ଼ି ରୋରରୁ ଉଠି ପାରି ଗରମ କରିବା, ଗରମ ପାଣିରେ ରୋଗୀର କ୍ଷତସ୍ଥାନ ପରିଷ୍କାର କରିବା, ଡାକ୍ତରଖାନାରୁ ଆସିଥିବା ମଲମ ଲଗାଇ ପଯି ବାନ୍ଧିବା, ଦାନ୍ତକାଠି ପାଣି ଯୋଗାଇବା ଇତ୍ୟାଦି କାମ ସାରୁ ସାରୁ କଅଁଳ ଗାଧୁଆବେଳରୁ ବଳିଯାଏ । ତା’ପରେ ପରେ ରୋଷେଇ ବସାଏ । ଅଲଡ଼ା ଭାତ ରୋଗୀର ହଜମ ହବନି । ମାଳତୀ ଅପାର କଡ଼ା ହୁକୁମ, ରୋଗୀ ପ୍ରତି ଏତେ ଟିକିଏ ବି ଅଣହେଳା ଯେମିତି ନ ହୁଏ । ରୋଷେଇ ଫେରେ ତ ଯାହି ତାହି ହେଲେ ଚଳିବନି । ରୋଗୀକୁ ରୁଚିକର ହେବା ଚାହି । ଠାଆକୁ ତିନିଠାଆ କରିବାକୁ ପଡ଼େ । ରୋଗୀ ଜଞ୍ଜାଳ ସାରି ନିଜେ ଖାଉ ଖାଉ ଦିନ ଦୁଇଟା ବାଜେ, ଅଧଘଣ୍ଟା ଘଣ୍ଟାଏ ଥକାମାରି ନ ମାରୁଣୁ ଉପର ଓଳିର କାମ ଫେରେ ଲାଗିଯାଏ । ହାଣ୍ଡି ଧୂଆ, ପାଣି ଅଣା ରୋଷେଇ ଘର ଲିପା ପୋଛା ସାରୁ ସାରୁ ମାଡ଼ିଆସେ ସଞ୍ଜ-। ସଞ୍ଜ ଶଳିତା ଜଳାଇ ଦେଇ ପୁଣି ରାତି ଓଳିର ରୋଷେଇ, ରୋଗୀ ଟହଳରେ ଲାଗିଯାଏ-। ଏଇ ଧରା ବନ୍ଧା କାମ ସବୁ ସେ ଏମିତି ଶୃଙ୍ଖଳିତ ସଜାଗ ସଯତ୍ନରେ ନିର୍ଭା କରେ ଯେ, କୋଉଠି ଟିକିଏ ବି ତ୍ରୁଟୀ ରହେ ନାହିଁ । ରୋଗୀର ସାମାନ୍ୟ କଷ୍ଟ କି ଅଶାନ୍ତି ହେଲେ, ସତେ ଯେମିତି ତାହା କୋକିଳର ପ୍ରାଣରେ ଆଘାତ କରୁଥିଲା । ବିଶେଷତଃ ରୋଗୀ ବ୍ରାହ୍ମଣ ଥିବାର ଜାଣିବା ଦିନରୁ ତା’ ପ୍ରତି କୋକିଳର ସ୍ୱତଃ ଭକ୍ତିର ସଞ୍ଜାର ହୋଇଥିଲା ।

 

ମାଳତୀ ରୋଗୀ ସେବାରେ କୋକିଳକୁ ଯେ ସାହାଯ୍ୟ କରେ ତା’ ନୁହେଁ । ଯେବେ କୋକିଳର କୋଉଦିନ ପାରି ଗରମ କରିବାରେ ଉଛୁର ଦେଖେ, ସେ ବାହାର ଚୂଲିରେ ଡେକ୍ଚି ବସାଇ ପାଣି ତତାଏ । କେବେ କେବେ ରୋଗୀର ଘା ମଧ୍ୟ ଧୋଇଦିଏ । ମୋଟାମୋଟି ରୋଗୀଟି ବେଶ୍ ଆରାମରେ ଥାଏ । ହେଲେ ତା’ର ଖିଆଲ ଅତି ଅଭୂତ ଧରଣର । କେତେବେଳେ ହସେ, କେତେବେଳେ କାନ୍ଦେ, କେତେବେଳେ ଉଠି ବସିଯାଏ, କେତେବେଳେ ତକିଆରେ ମୁହଁ ମାଡ଼ି ଶୋଇରହେ, କେତେବେଳେ କ’ଣ ଯେ ବକେ ତା’ର ଠିକ୍ ଠିକଣା ନଥାଏ ।

 

ଦିନେ ସେମିତି ପ୍ରଳାପ କରୁ କରୁ ରାଗରେ ଗର୍ଜି ଉଠିଲା । ବିଧାଟାଏ ପକାଇବାପାଇଁ ହାତ ଉଠାଇଲାବେଳକୁ କଚଟିଟା ମଚକି ଗଲା । ଯନ୍ତ୍ରଣାରେ ଅଧୀର ହୋଇ ରୋଗୀ ଚିତ୍କାର କରି ଉଠିଲା । ମାଳତୀ, କୋକିଳ ଦୁହେଁ ଦୁଇ ଦିଗରୁ ଦୌଡ଼ିଆସିଲେ । ତା’ ହାତର ବେଦନା ନିବାରଣର ଅନେକ ଉପାୟ କଲେ । ସବୁ ଚେଷ୍ଟା ବିଫଳ ହେଲା । ରୋଗୀର ହାତ ଉଠିଲା ନାହିଁ । ରାତିରେ ବି ସେ ଖାଇ ପାରିଲା ନାହିଁ । କୋକିଳ, ମାଳତୀ ଦୁହିଁଙ୍କର ଜିଦ୍ କେମିତି ସେ ଲୋକଯିକୁ ମୁଠିଏ ଖୁଆଇବେ । ସେ କିନ୍ତୁ ବାଁ ହାତରେ ଖାଇବା ପାଇଁ ଅମଙ୍ଗ । କ’ଣ ହେବ ? ରୋଗୀ ଚାମଚଟିଏ ଚାହିଁଲା । ସେତେବେଳକୁ ରାତି ଦଶଟା । ବଜାର ବନ୍ଦ । ଚାମଚ କାହିଁ ମିଳିଲା ନାହିଁ ।

 

ବ୍ରାହ୍ମଣ, ଅତିଥି ଅଭୁକ୍ତ ରହିବ । କୋକିଳର ଅତ୍ୟନ୍ତ ଅସହ୍ୟ ହେଲା । ଏତେ ଦିନ ଧରି ଯେଉଁ ରୋଗୀର ଜ୍ୱାଳା ଯନ୍ତ୍ରଣା, ବ୍ୟଥା, ବେଦନା ନିଜ ପ୍ରାଣରେ ଅନୁଭବ କରି ଆସୁଛି, ସେ ଅଭୁକ୍ତ ରହିବ ? ରନ୍ଧା ବଢ଼ାର ଆୟୋଜନ ସବୁ ବୃଥା ହେବ ? ନା, ଯେମିତି ହଉ ସେ ରୋଗୀକୁ ଖୁଆଇବ, ଖୁଆଇବ ।

 

କୋକିଳ ଅନ୍ନ ବ୍ୟଞ୍ଜନର ପାତ୍ର ନେଇ ରୋଗୀର ଶେଯ ପାଖରେ ସଜାଇ ରଖିଲା । ଆପଣା ହାତରେ ଖୁଆଇ ଦେବା ଲାଗି ପ୍ରସ୍ତୁତ ହେଲା । ରୋଗୀ କିନ୍ତୁ ଅଜଣା ଅଶୁଣା ଏକ ତରୁଣୀ ହାତରେ ଖାଇବା ପାଇଁ ପ୍ରସ୍ତୁତ ନୁହେଁ । ସେ ବ୍ରାହ୍ମଣ କନ୍ୟା ହେଲେ ବି ବାହାର ଲୋକ ତ ? ନିଜର ମା ଭଉଣୀ ପରି କ’ଣ... ବିଚରାର ବିଚାର ଏଇଠି ବାଧା ପାଇଲା । ସେ ବିଷମ ଦ୍ୱିଧାରେ ପଡ଼ିଗଲା । କୋକିଳ ପରି ସ୍ନେହବତ୍ସଳା ମମତାମୟୀ ଦେବୀ, ଯାହା ସହୃଦୟ ସେବା ପରିଚର୍ଯ୍ୟାରେ ସେ ନୂଆ ଜୀବନ ଲାଭ କରିଛି, ତା’କୁ ପର ବିଚାରିବାରୁ ବଳି ଅପରାଧ ଆଉ କ’ଣ ଅଛି ? ବିବେକ ତା’ର ପରାଜିତ ହେଲା । ହେଲେ ଚକ୍ଷୁଲଜ୍ଜ୍ୟା, ଲୋକଲଜ୍ଜ୍ୟା ଏସବୁ ଅଛି ତ ? ଠିକ୍ ପେଟରେ ଭୋକ ମୁହଁରେ ଲାଜ । ଏଣେ ରୋଗୀର ଏମିତି ବିଚାର ବିବେଚନା ଚାଲିଥିବା ବେଳେ ତେଣେ କୋକିଳ ଅତି ଆଗ୍ରହର ସହିତ ତା’ର ସ୍ୱାଭାବିକ, ଚଞ୍ଚଳ ହାତରେ ଭାତରେ ଝୋଳ ଗୋଳାଇବାରେ ତନ୍ନୟା । ହାତର ଗୁଣ୍ଡାଟି ମୁହଁ ପାଖରେ ପହୁଞ୍ଚିବା ମାତ୍ରେ ରୋଗୀର ପାଟି ଛାଆଁକୁ ଆଁ ହୋଇଗଲା ।

 

ରୋଗୀକୁ ନିଜ ହାତରେ ଖୁଆଇବାରେ କୋକିଳର ଯେମିତି ଅପାର ଆନନ୍ଦ, ରୋଗୀ ସେମିତି ପର ତରୁଣୀ ହାତରେ ଖାଇ ପରମ ପରିତୋଷ । ଆକଣ୍ଠ ଭୋଜନ ପରେ ପରିତୃପ୍ତିର ଏକ ଦୀର୍ଘ ନିଃଶ୍ୱାସ ଛାଡ଼ି ରୋଗୀ ତା’ର ବାଁ ହାତରେ କୋକିଳର ଡାହାଣ ହାତଟି ଧରି ପକାଇ ସ୍ନେହ ଗଦ ଗଦ କଣ୍ଠରେ କହିଲା, ‘‘ତୁମର ଏ ଉପକାର ଶତଜନ୍ମରେ ମୁଁ ଶୁଝି ପାରିବିନି । ତୁମେ ଏ ଅଭାଗାର ପ୍ରାଣଦାତ୍ରୀ ଦେବୀ । କହୁ କହୁ ଆଖି ତା’ର ଛଳ ଛଳ ହୋଇଗଲା । କୋକିଳର ସଲଜ୍ଜ ରାଜୀବାକ୍ଷୀ ବି ସରଳ ହୋଇ ଉଠିଲା । ଦୁହେଁ ଦୁହିଁକୁ ଚାହିଁ ଆନନ୍ଦାଶ୍ରୁ ମୋଚନ କରିବାକୁ ଲାଗିଲେ-

 

କୋକିଳର ସେ ରାତିରେ ଖାଇବାକୁ ଉଚ୍ଛା ହେଲା ନାହିଁ । ମାଳତୀ ଆଉ ଚାରକଟିକୁ ପରଶି ଦେଇ ପେଟ ବିନ୍ଧା ବାହାନରେ ଖସି ଯାଇ ଶୋଇ ପଡ଼ିଲା ହେଲେ ନିଦ କାହିଁ ? ରୋଗୀର ସ୍ନେହ, ବିଗଳିତ କୋମଳ ଚାହାଁଣି ତ ଆଖି ଆଗରେ ନାଚିବାକୁ ଲାଗିଲା । ଶରୀରର ପ୍ରତି ଶିରାରେ ଶିରାରେ ସେ ଅନୁଭବ କଲା ସେଇ ସୁକୋମଳ ସୁଲଳିତ କର ପଲ୍ଲବର ସ୍ପର୍ଶ ସୁଖ । ପୁଳକ ପୁରିତ ମନ ତା’ର ଚହଲି ଉଠିଲା । ତା’ର ଏଇ ତନୁ ଏଇ ମନ ଦିନେ ଏମିତି ଏକ ନିରୋଳା ରାତିରେ ଉନ୍ମୁଖ ହୋଇ ଉଠିଥିଲେ । ହାୟ ! ହତଭାଗିନିର ମଧୁଶଯ୍ୟା ରାତିରେ ପ୍ରିୟ ମିଳନର ମଧୁର ସ୍ୱପ୍ନ ସବୁ ସ୍ୱପ୍ନରେ ହିଁ ରହିଗଲା ।

 

ଭାବନା ସଙ୍ଗେ ସଙ୍ଗେ ଆତ୍ମଗ୍ଲାନିରେ ଅନ୍ତର ତା’ର ଭରି ଉଠିଲା । ନାହିଁ ଚିହ୍ନା, ନାହିଁ ଜଣା । କୋଉଠିକାର କିଏ । ରାସ୍ତା କଡ଼ରେ ଉଠୁଥିବା ପରଟାଏ । ତା’ର କରସ୍ପର୍ଶ ପୁଣି ସୁଖକର ! ସେ ସୁଖ ଫେରେ କୋଉଠି କାହା ସାଙ୍ଗରେ ତୁଳନା ହୁଏ ! ଛି ଛି, କି ଘୃଣାର କଥା । ମନ ତା’ର ବିକାର ଗ୍ରସ୍ଥ ହେଲା ନା କ’ଣ ? ଭାବିଲା, ‘‘ମୁଁ କିଆଁ ଅଜଣା ଅଶୁଣା ରୋଗୀଟା ଆଗରେ ବସି କାନ୍ଦି ମରୁଥିଲି ! ସେ ନୁଉଛୁଣା ମରଦଟା ବି କେମିତିଆ ଲୋକ । ପର ସ୍ତ୍ରୀ ହାତଟା ଧରି ବସନ୍ତା କିଆଁ ! ମୁଁ ସତ୍ୟାନାଶୀ ବାଧା ନ ଦେଲି କାହିଁକି ? ରୋଗୀ ସେ । ହଉ ରୋଗୀ । ଦୟା, ମାୟା, ସ୍ନେହ ଏ ସବୁଥିରେ କ’ଣ କିଏ ଉଣା କରୁଛି ନା କଟକଣା କରୁଛି, ୟା ବୋଲି ହାତ ଧରିବାକୁ ସେ କିଏ ? ଛି ଛି ମାଳତୀ ଅପା ଯେବେ ଦେଖିଥିବ, ସେ କ’ଣ ବୋଲି ଭାବି ନଥିବଟି ।’’ କୋକିଳ ଅଦୃଶ୍ୟ ଶୀକାରୀର ଶରାହତ କପୋତୀ ପରି ଛଟପଟ ହେବାକୁ ଲାଗିଲା ।

 

କୋକିଳର ବ୍ୟବହାରରେ ଏପରି ଏକ ଅସାଧାରଣ ମଧୁରତା ସରଳତା ତଥା ପବିତ୍ରତା ଥିଲା ଯେ, ରୋଗୀ ସେ ସବୁ ଲକ୍ଷ୍ୟ କରି ଦିନକୁ ଦିନ ଧୀରେ ଧୀରେ ତା’ର ଅନୁଗତ ହୋଇ ଉଠୁଥିଲା । ତା’ ଉପରେ ଆଜିର ଏକ ଅଭାବନୀୟ ଘଟଣାରେ ସେ ବିଶେଷ ଅବିଭୂତ ହୋଇପଡ଼ିଲା । ଜଣେ ଅପରିଚିତା ଯୁବତୀର ଏତାଦୃଶ ଅତିଥିପରାୟଣତା ଓ ଆତ୍ମୀୟତାରେ ନାରୀ ଜାତିର ସରଳ ଅନାବିଳ ହୃଦୟର ପରିଚୟ ଲାଭ କଲା । ସେ ମନେ ମନେ ଚିନ୍ତା କରିବାକୁ ଲାଗିଲା–ବାସ୍ତବରେ ନାରୀ ହୃଦୟ କି ମହତ୍, କି ପ୍ରଶାନ୍ତ । ତା’ ଅନ୍ତରରେ ସ୍ନେହ କରୁଣା, ପ୍ରେମ, ପ୍ରଣୟ, ଦୟା ଦାକ୍ଷିଣ୍ୟ ଆଜି ସୁମଧୁର ବୃତ୍ତି ସବୁର କି ଅପୂର୍ବ ସମାବେଶ । ଯେଉଁ ଦେଶର ଜଣେ ଷୋଡ଼ଶୀ ଅବଳାର ଅପରିପକ୍ୱ ହୃଦୟରେ ବି ଏହି ମହତ ଗୁଣରାଜି ବିଦ୍ୟମାନ, ସେ ଦେଶ ଯେ ମର୍ତ୍ତ୍ୟରେ ସ୍ୱର୍ଗ । ହାୟ, ମୁଁ ମୂଢ଼ ! ସେହି ପରମପୂଜ୍ୟା ମହିମାମୟୀ ନାରୀର ଅମର୍ଯ୍ୟାଦା କରି କି ଗୁରୁ ଅପରାଧ ନ ଅର୍ଜିଛି ? ସମାଜ ମୋତେ ନରରାକ୍ଷସ ଭିନ୍ନ ଆଉ କି ଆଖ୍ୟା ଦେଇପାରେ ? ଏ ଲାଞ୍ଛିତ ଦୁର୍ବହ ଜୀବନ ଘେନି ଜଗତର କେଉଁ କଲ୍ୟାଣକର କାମରେ ଲାଗି ପାରିବି ? ମଙ୍ଗଳମୟ ପ୍ରଭୁ ପନ୍ଥା ଦେଖାଅ ମୋତେ ।

 

ଚଉଦ

 

ରୋଗୀ ପାଦର ଘା’ ଶୁଖି ଗଲାଣି । ତା’ ସଙ୍ଗେ ସଙ୍ଗେ ତା’ର ମାନସିକ ସ୍ୱଚ୍ଛନ୍ଦତା ବି ଫେରିଆସିଲାଣି । ଆଗ ଭଳି ଆଉ ପାଗଳାମୀ ନାହିଁ ! ହାତ ଜଖମି ବି ଗଲାଣି ।

 

ଫୁଲ ସଞ୍ଜବେଳ ! କୋକିଳ ରୋଷେଇଶାଳ ପାଇଟିରେ ବ୍ୟସ୍ତ । ମାଳତୀ ଚାଲିଲା ଚାଲିଲା ହୋଇ ରୋଗୀ ଘରଆଡ଼େ ଗଲା । ସେତେବେଳଯାଏ ରୋଗୀ ବିଛଣାରେ ପଡ଼ିଛି । ମାଳତୀକୁ ଲଣ୍ଠନ ହାତରେ ପ୍ରବେଶ କରିବାର ଦେଖି ଉଠିବସିଲା ଆଲୁଅଟି ତଳେରଖି ମାଳତୀ ପଚାରିଲା, ‘‘ତୁମ ଦେହ ଭଲନାହିଁନା କ’ଣ ?’’ ରୋଗୀ ଟିକିଏ ଅପ୍ରତିଭ ହେଲାପରି ଆଖି ମଳିମଳି କହିଲା, ‘‘ନା, ଖୁବ୍ ଭଲ ଅଛି । କାମ କିଛି ତ ନାହିଁ । ପଡ଼ିରହିଥିଲି ଏମିତି ।’’

 

‘‘ଓ’’–ମାଳତୀ ମୃଦୁହସି କହିଲା ‘‘ଓ–ବେଶ ବେଶ । ପ୍ରଭୁ ଜଗନ୍ନାଥଙ୍କର ଅପାର କରୁଣା । ତୁମେ ଯେ ସୁସ୍ଥ ପ୍ରକୃତିସ୍ଥ ହୋଇପାରିଛ ଏହା ଅଳ୍ପ ସୌଭାଗ୍ୟର କଥା ନୁହେଁ ।’’

 

ରୋଗୀ–ସତେ ମୁଁ ଆଶ୍ଚର୍ଯ୍ୟ ହେଉଛି । ମୋ’ପରି ସଂସାରଛଡ଼ା ଅଭାଗାର ଭାଗ୍ୟ ପୁଣି ଏଡ଼େ ସଅଳ ଫେରେ ? ପ୍ରଭୁ ଜଗନ୍ନାଥଙ୍କର ଅପାର କରୁଣା ସାଙ୍ଗକୁ ଆପଣମାନଙ୍କ ପରି ଦେବୀଙ୍କର ଦୟା ଅସାଧ୍ୟ ସାଧନ କରିପାରିଛି ।

 

ମାଳତୀ–କିନ୍ତୁ ତୁମେ ଭୁଲିଯାଉଛ ଯେ, ପ୍ରଭୁଙ୍କର ଇଚ୍ଛାବିନା ଗଛରୁ ପାଚିଲା ପତ୍ରଟିଏ ବି ଖସେ ନାହିଁ । ସେ ଇଚ୍ଛାମୟ ହରିଙ୍କର ପବିତ୍ର ସୃଷ୍ଟିରେ ସବୁ କିଛି ସମ୍ଭବ ।

 

ରୋଗୀ–ତଥାପି ଅପାଣମାନଙ୍କର ଅକପଟ ସ୍ନେହ ମମତାପୂର୍ଣ୍ଣ ସେବାଯତ୍ନର ଯଥେଷ୍ଟ ମୂଲ୍ୟ ଅଛି ଦେବୀ ! ଦେବତାଙ୍କର କରୁଣା ବା ଆଶୀର୍ବାଦଠାରୁ ଆପଣମାନଙ୍କର କରୁଣା ଆଉ ଆଶୀର୍ବାଦର ମହିମା ମୁଁ ଅଧିକ ସ୍ପଷ୍ଟ ରୂପେ ଦେଖିପାରୁଛି ।

 

ମାଳତୀ–ଛାଡ଼ ସେ ଆଲୋଚନା ଗୋଟାଏ କଥା ପଚାରିବି ବୋଲି ବିଚାରୁଚି । କିଛି ଭାବିବ ନାହିଁ ତ ?

 

ରୋଗୀ–ପଚାରୁନ୍ତୁ ନା ଭାବିବି ଗୋଟାଏ କ’ଣ ?

 

ମାଳତୀ–ତୁମପରି ବୁଦ୍ଧିମାନ ଲୋକର ପାଦରେ ଶଗଡ଼ ମାଡ଼ିଗଲା କେମିତି ? ତୁମ ମୁଣ୍ଡ ଠିକ୍ ନଥିଲା ନା କ’ଣ ?

 

ରୋଗୀକୁ ନିରୁତ୍ତର ଦେଖି ମାଳତୀ ପଚାରିଲା, ‘‘ତୁମ ଘର କ’ଣ ଏଇ ଶ୍ରୀକ୍ଷେତ୍ରରେ ?’’

 

ରୋଗୀ–ନା, ପୁରୀଠାରୁ ଅନେକ ଦୂରରେ ।

 

‘‘ତୁମେ ବିବାହ କରିଛ ?’’ ମାଳତୀର ଶେଷପ୍ରଶ୍ନରେ ରୋଗୀ ବିଚଳିତ ହେଲାପରି ଜଣାଗଲା । ମୁହଁ ତା’ର ଫିକା ଦେଖାଗଲା । ଆଖିରୁ ଲୁହ ଗଡ଼ିପଡ଼ିଲା । ‘‘ତୁମର ଏମିତି କଷ୍ଟ ହେବା ଜାଣିଥିଲେ ସେ କଥା ଉଠାଇ ନଥାନ୍ତି । ଆଚ୍ଛା ମୁଁ ଆସେ ।’’ କହି ମାଳତୀ ଯିବାକୁ ଉଦିତ ହେଲା । ରୋଗୀ ଲୁହପୋଛି କହିଲା, ‘‘ଯାଆନ୍ତୁ ନାହିଁ’’ । ଆପଣ ମୋର ଯେଉଁ ଉପକାର କରିଛନ୍ତି, ଶତଜନ୍ମରେ ବି ମୁଁ ସୁଝିପାରିବା ଅସମ୍ଭବ । ଆପଣ ମୋର ମା’ପରି । ଆପଣଙ୍କ ପାଖରେ ଲୁଚାଇବାର କିଛି ନାହିଁ । କଥାଟା କହିବାକୁ କଷ୍ଟ ହେଉଛି । ହେଲେ ବି କହିବି ।’’ ମାଳତୀ ସମବେଦନା ପ୍ରକାଶ କରି ମୃଦୁଗଳାରେ କହିଲା, ‘‘ତୁମର ସ୍ତ୍ରୀ ବିୟୋଗ ଘଟିଚି,’’ ରୋଗୀ ବଡ଼ପାଟିରେ କହି ଉଠିଲା, ‘‘ନା ନା, ସ୍ତ୍ରୀ ବିୟୋଗ ଘଟିନାହିଁ । ସେ ଦେବୀ ପ୍ରତିମାକୁ ମୁଁ ଜୀବନ୍ତ ବିସର୍ଜନ ଦେଇଛି ।’’ ‘‘ଜୀବନ୍ତ ବିସର୍ଜନ ? ତୁମେ ନାରୀହନ୍ତା ?’’ ମାଳତୀ ଗର୍ଜି ଉଠିଲା ‘‘ ନା ଦେବୀ ! ହତ୍ୟାକାରୀ ହୋଇଥିଲେ ମୋର ଦୁଃଖ ନଥାନ୍ତା । କାହିଁକିନା ସେ ପାପର ପ୍ରାୟଶ୍ଚିତ ଅଛି-। ହତ୍ୟାକାରୀଠାରୁ ବହୁଗୁଣ ଗୁରୁତର ମୋର ଅପରାଧ ! ହତ୍ୟାକାରୀ ଚୋଟେ, ଦୁଇଚୋଟ କି ଦଶ ଚୋଟରେ ଜୀବନ ନିଏ । ଆତତାୟୀର ଆଘାତରେ ଦଣ୍ଡେ ଘଡ଼ିଏ କି ଦଶପାଞ୍ଚ ଦିନରେ ଲୋକ ମରେ । ମୁଁ ତ ତାହା କରିନାହିଁ ।’’

‘‘ଆଉ !’’ ମାଳତୀ ରୋଗୀଶଯ୍ୟା ପାଖରୁ ଟିକିଏ ଦୂରକୁ ଘୁଞ୍ଚିଯାଇ କହିଲା ‘‘ଆଉ ?’’ ମୁଁ ଏମିତି ଏକ ଗୁପ୍ତ ମାରଣାଅସ୍ତ୍ର ପ୍ରୟୋଗ କରିଛି, ଯାହା କି ସେ ଦେବୀ ପ୍ରତିମାର ଆତ୍ମାକୁ ନିତି ନିତି ପୁଳା ପୁଳା କରି କାଟୁଥିବ । ଥରକେ ମାରିଦେଇଥିଲେ ବରଂ ଭଲ ହୋଇଥାନ୍ତା । ପ୍ରକାଶ୍ୟ ହତ୍ୟାଠାରୁ ଏ ପ୍ରକାର ଗୋପନ ହତ୍ୟା ଅତି ଭୟଙ୍କର । ସାରା ଜୀବନଟି ତିଳତିଳ କରି କାଟିବାଠୁ ଥରକରେ ସାଫ୍ କରିଦେବା ଭଲ ନୁହେଁ ? ସେ ପାପର ହେଲେ ପ୍ରାୟଶ୍ଚିତ ଅଛି । ମୋର ଏ ମହାପାପର ପାୟଶ୍ଚିତ ଯେ ନାହିଁ ।’’

‘‘ଗୁଣି ଗାରେଡ଼ି କରିବ ? ବୀର ପେଶିଚ ନା କ’ଣ ?’’

‘‘ହଁ ମା ! ମୋରି ପେଷଣରେ ସେ ଦେବୀ ପଲପଲ କରି ନିଷ୍ପେଷିତ ହେଉଛି ।’’ ମାଳତୀ କ୍ରୁଧସ୍ୱରରେ ଗର୍ଜନ କରି କହିଲା, ତୁମପରି ନରାଧମ ଜଗତରେ ଆଉ କେହି ନାହିଁ । ଲଜ୍ଜ୍ୟା ନାହିଁ ! ଅନୁତାପ କରୁଛ ! ତୁମପରି ଲୋକର ମୁହଁ ଚାହିଁବା ମହାପାପ ।’’

 

‘‘ଠିକ୍ କରିଚ ମା’ ! ମୁଁ ବଡ଼ ପାତକୀ । ଆପଣଙ୍କର ଏ ଭର୍ତ୍ସନା ମୋ ପରି ନରପିଶାଚର ଉପଯୁକ୍ତ ଶାନ୍ତି ନୁହେଁ । ଅତି ଗୁରୁଦଣ୍ଡ ଯାହାକି ଏ ବିଶ୍ୱ ବ୍ରହ୍ମାଣ୍ଡରେ କେହି କେବେ କାହାକୁ ଦେଇ ନଥିବ, ସେହିପରି ଦଣ୍ଡ ମୋର ପ୍ରାପ୍ୟ । ଆପଣ ମୋର ବହୁ ଉପକାର କରିଛନ୍ତି । ଦରମରା ପିଣ୍ଡରେ ପ୍ରାଣର ସଞ୍ଚାର କରିଛନ୍ତି । ଏବେ ଯଦି ମୋ ଗୁରୁପାପର ଅକ୍ଷମଣୀୟ ଦୋଷର ଦଣ୍ଡବିଧାନ କରିପାରନ୍ତେ ମୁଁ ବିଶେଷ ଉପକୃତ ହୁଅନ୍ତି । ମା’, ଦୟାମୟୀ ! ମୋ ପରି ପ୍ରାଣୀର ପରିଚର୍ଯ୍ୟାରେ ଆପଣଙ୍କର ପବିତ୍ର ହସ୍ତ କଳୁଷିତ ହୋଇଛି । ସେ କଳୁଷ ଛଡ଼ାଇବାକୁ ହେଲେ ମୋର ଦଣ୍ଡବିଧାନ ଆବଶ୍ୟକ ମା’ ।’’

 

ରୋଗୀର ଅନୁଶୋଚନାରେ ମାଳତୀର ରୋଷ ଉଣାହୋଇ ଆସିଲା । ଦୟାବତୀର ହୃଦୟରେ ଦୟାର ଉଦ୍ରେକ ହେଲା । ସେ ଆଶ୍ୱସନା ଦେଇ କହିଲା, ‘‘ଯାହା ଘଟିବାର ଘଟିଯାଇଛି-। ସେହି ସବୁ ଅତୀତ ଚିନ୍ତାରେ ଧୈର୍ଯ୍ୟ ହରାଇଲେ ଚଳିବ ନାହିଁ । ଅଧିକରୁ ଅଧିକ ସାହସ ସଞ୍ଚୟ କରି ଗତ ଦୁର୍ଘଟଣାର ପ୍ରତିକାର ଚିନ୍ତାରେ ଆଗେଇ ଯିବା ଉଚିତ । ତୁମକଥା ଯଦି ସତ୍ୟ ହୋଇଥାଏ; ମୁଁ ବୁଝିପାରୁଛି ତୁମେ ଜାଣି ଜାଣି ସେ ଅକାର୍ଯ୍ୟ କରିନାହିଁ । ପରମେଶ୍ୱର ନିଶ୍ଚୟ ତୁମକୁ କ୍ଷମା କରିବେ ।’’

 

‘‘ମୁଁ ଆଉ କିଛି ଚାହେଁନା ମା’ ! ଥରେମାତ୍ର ସେ ଦେବୀର ଦର୍ଶନ ପାଇଲେ ମୋର ସେ ଗୁପ୍ତ ଗାରେଡ଼ି ପ୍ରତ୍ୟାହାର କରିଆଣନ୍ତି ।’’

 

‘‘ଅବଶ୍ୟ ପ୍ରଭୁ ତୁମର ସଦିଚ୍ଛା ପୂର୍ଣ୍ଣ କରିବେ । ମୁଁ ଆଶୀର୍ବାଦ କରୁଛି ତୁମର ଅଭିଷ୍ଟ ସିଦ୍ଧି ହେଉ ।’’

‘‘ସେଇ ଆଶୀର୍ବାଦ କର ମା’ ।’’

‘‘କେତେଦିନ ହେବ ତୁମେ ଏମିତି ଏକା ଏକା ଘୂରୁଛ ? ସେ ଅଭାଗୀ ଆତ୍ମହତ୍ୟା କରିନାହିଁ ତ ?”

‘‘ତାହା ମୁଁ କେମିତି କହିବି ?’’

‘‘ତେବେ ତ ମୁଷ୍କିଲ ।’’

ମାଳତୀ କିଛି ସମୟ ଉର୍ଦ୍ଧ୍ୱଦୃଷ୍ଟିରେ ଚିନ୍ତାକଲା । କହିଲା; ‘‘ସେ ଦେବୀ ସଙ୍ଗରେ ତୁମର ପୁନର୍ମିଳନର ସମ୍ଭାବନା ଅଛି ।’’

‘‘ମିଳନର ସମ୍ଭାବନା ଅଛି ?’’ ରୋଗୀ ଉତ୍କଣ୍ଠିତ ଗଳାରେ ସଚମକେ ପ୍ରଶ୍ନକଲା, ‘‘ମିଳନର ସମ୍ଭାବନା ଅଛି ? ଏହା କ’ଣ ସମ୍ଭବ ? ମୋ ପାପର ଯେ ପ୍ରାୟଶ୍ଚିତ ନାହିଁ ଦେବୀ ।’’

‘‘ଅଛି, ପ୍ରାୟଶ୍ଚିତ ଅଛି । ତୁମର ସେ ମହାପାପର ଏକମାତ୍ର ପ୍ରାୟଶ୍ଚିତ ଅନୁତାପ । ତୁମର ଭୁଲ୍‍ ତୁମେ ବୁଝିପାରିଛ । ତୁମର ଦୁଷ୍କର୍ମ ତୁମେ ନିଜେ ଦେଖିପାରିଛ । ସେଥିପାଇଁ ଅନୁତାପ କରୁଛ । ଏଇ ସବୁ ସୁଲକ୍ଷଣରୁ ମୁଁ ବୁଝିପାରୁଛି ତୁମର ଆଶା ସଫଳ ହେବ । ପରମେଶ୍ୱରଙ୍କର ଏଇ ବିରାଟ ବିଶ୍ୱ ରାଜ୍ୟରେ କୋଉଠି ଏତେ ଟିକିଏ ବି ଗଳତି ରହିବା ସମ୍ଭବ ନୁହେଁ । ଯେଉଁଠି କିଛି ଦୋଷତ୍ରୁଟି ବା ଗଲତି ରହିଛି ବୋଲି ଆମେ ବିଚାରୁ ତାହା ଆମ ନିଜ ହୃତକାର୍ଯ୍ୟର ଫଳ । ଯେମିତି କାମକରୁ, ସେମିତି ଫଳପାଉଁ । ସେଥିରେ ପରମେଶ୍ୱରଙ୍କୁ ନେଇ ଜଡ଼ିତ କରିବା ଦୁର୍ବୁଦ୍ଧିର କର୍ମ । ମୋର ଦୃଢ଼ ବିଶ୍ୱାସ ସୁଦିନ ତୁମର ପାଖେଇ ଆସୁଛି ।’’

 

ରୋଗୀ ମାଳତୀକୁ ଏକ ଅସାମାନ୍ୟା ମହୀୟସୀ ମହିଳା ରୂପରେ ଦେଖିଆସୁଥିଲା । ଏବେ ତା’ର ଆଉ ଗୋଟାଏ ଗୁଣର ପରିଚୟ ପାଇ ବିଶେଷ ଚମତ୍କୃତ ହେଲା । ପରମ ସାଧିକା ମାଳତୀ ମା ତା’ର ଅଗାଧ ଜ୍ୟୋତିଷୀ ଶାସ୍ତ୍ରରେ ବ୍ୟୁତ୍ପନ୍ନ ! କହିଲା, ‘‘ସତ କହନ୍ତୁ ମା’! ଏ ଜନ୍ମରେ ମୁଁ ସେ ଦେବୀର ଦର୍ଶନ ପାଇବି ?’’ ମାଳତୀ ଆହୁରି ଦଣ୍ଡେ ଚିନ୍ତାକଲା । ନାକ ଆଗରେ ଆଙ୍ଗୁଠି ରଖି ନିଶ୍ୱାସ ବାରିଲା । ଆଙ୍ଗୁଠିର ରେଖା ଗଣିଲା । କହିଲା, ‘‘ହଁ ପାଇବ । ଏଇ ଜନ୍ମରେ କ’ଣ ଅତି ନିକଟରେ ଦର୍ଶନ ପାଇବ ।’’ ରୋଗୀ ମାଳତୀର ପାଦଧରି ଆବେଗଭରା କଣ୍ଠରେ କହିଲା, ‘‘ସତ କହନ୍ତୁ ମା’ ! କେବେ ଦେଖାହେବ ?’’

 

‘‘ଆଚ୍ଛା–ଏ କ’ଣ କରୁଛ ?’’ ମାଳତୀ ତା’ର ପାଦରୁ ରୋଗୀର ହାତ ଛଡ଼ାଉ ଛଡ଼ାଉ କହିଲା, ‘‘ଆହା ଏ କ’ଣ କରୁଛ ? ତୁମେ ବ୍ରାହ୍ମଣ ହୋଇ–

 

‘‘ଚଣ୍ଡାଳ କାମ କରିଛି ମା’ ! କ୍ଷମା କରନ୍ତୁ । କହନ୍ତୁ ସେ ଦେବୀ ସଙ୍ଗରେ ମୋର କେବେ କେଉଁଠି ଦେଖାହେବ ?

 

‘‘ଏତ ବଡ଼ ଗୁରୁତର ପ୍ରଶ୍ନ ! ଆଚ୍ଛା ! ଗୁରୁଦେବଙ୍କୁ ଟିକିଏ ସ୍ମରଣ କରେ ।’’

 

ତା’ପରେ ମାଳତୀ କିଛି ସମୟ ଧ୍ୟାନ ମଗ୍ନହେଲା । ଧୀରେ ଧୀରେ ଆଖି ଖୋଲି କହିଲା, ‘‘ଏହିପରି ଏକ ଶୁଭ ମୁହୂର୍ତ୍ତରେ ମିଳନର ସମ୍ଭାବନା । ହେଲେ କେବେ, କେଉଁଠି ଏ ସବୁ ପ୍ରଶ୍ନର ଉତ୍ତର ଟିକିଏ ଜଟିଳ । ପରେ ଜାଣିପାରିବ ।

 

‘‘କେତେ ବିଳମ୍ୱ ହେବ ମା’ !’’

 

‘‘ଆଜି ବିଶ୍ରାମ କର । କାଲି ଉପଯୁକ୍ତ ସମୟରେ ଉତ୍ତର ପାଇବ ।’’

 

ପନ୍ଦର

 

ସୂର୍ଯ୍ୟ ଉଦୟ ହୋଇଆସୁଛନ୍ତି । ତାଙ୍କର ସିନ୍ଦୂରାଭ ରଶ୍ମୀରେ ନରେନ୍ଦ୍ର ସରୋବର ସୁନେଲି ରଙ୍ଗର ଏକ ଗାଲିଚା ସଦୃଶ ଅପୂର୍ବ ଶ୍ରୀ ଧାରଣ କରିଛି । ଆମର ପୂର୍ବ ପରିଚିତ ରୋଗୀଟି ତନ୍ମୟ ଚିତ୍ତରେ ନରେନ୍ଦ୍ରର ସେହି ଇନ୍ଦ୍ର ବିଭୂତି ଦେଖି ଦେଖି ବୁଲୁଛି । ତା’ ଅନ୍ତରରେ ଅସୀମ ଉତ୍ସାହ । ହୃଦୟରେ ବିପୁଳ ଉନ୍ମାଦନା । ମନରେ ଅପୂର୍ବ ଆନନ୍ଦ । ସତେ ଯେମିତି ସେ ଆଜି ନୂଆ ଜୀବନ ଲାଭ କରିଛି । ଦୀର୍ଘ ତିନି ସପ୍ତାହ କାଳ ରୋଗଶଯ୍ୟାରେ ପଡ଼ିରହିବା ପରେ ଆଜିର ସୂର୍ଯ୍ୟୋଦୟ ତା’କୁ ନୂଆ ରୂପରେ ଦେଖାଯାଉଛି । ଯୁଆଡ଼ିକି ଆଖି ବୁଲାଉଛି ସବୁ ଯେମିତି ନୂତନ ଏକ ସୌନ୍ଦର୍ଯ୍ୟ ତୁଳିକାରେ ଚିତ୍ରିତ ପରି ବୋଧ ହେଉଛି । ଧରଣୀ ଆକାଶ, ପାଣି, ପବନ, ଦେଉଳ, ଅଟ୍ଟାଳି, ବିପଣି ବୀଥିକା ସବୁ ଯେମିତି ଆଜି ନୂଆ ନୂଆ ମନେହେଉଛି । ଅଳିଆ ଅସନା କି ତା’ ଆଖିରେ ଆଜି ରୁଚିକର ଓ ସୁନ୍ଦର ।

 

ନୂଆପ୍ରାଣ ନେଇ ପ୍ରକୃତିର ପ୍ରାଣମୟ ଦୃଶ୍ୟ ଦେଖି ଦେଖି ରୋଗୀଟି ପୋଖରୀର ଦକ୍ଷିଣପଟ ପାହାଚରେ ବସିପଡ଼ିଲା । ପ୍ରଭାତର ମନୋମୁଗ୍ଧକର ସେହି ଦୃଶ୍ୟାବଳୀର ଫାଙ୍କେ ଫାଙ୍କେ ଅତି ଅତର୍କିତ ଭାବରେ ଆଉ ଏକ ଦୃଶ୍ୟ ତା’ ଆଖି ଆଗରେ ନାଚିଯାଉଛି । ମାଳତୀ ଭବିଷ୍ୟତବାଣୀର ସଜୀବ ରୂପ ସେ ଦେଖିପାରୁଛି । ଆଜି ପାଞ୍ଚଦିନ ସମାପ୍ତ । ଆଜି ତା’ର ସେଇ ବିସର୍ଜିତ ଦେବୀ ପ୍ରତିମାକୁ ସେ ଫେରିପାଇବ । ଅପୂର୍ବ ଉତ୍ସାହରେ ଅନ୍ତର ତା’ର ଉଦ୍‍-ବେଳିତ । ବେଳେ ବେଳେ ପୁଣି ନିରାଶାରେ ମନ ତା’ର ଭାଙ୍ଗିପଡ଼ୁଛି । ଭାବୁଛି, ‘‘ସତେ କ’ଣ ସମ୍ଭବ ହେବ ସଦା ବିପଦସଂକୁଳ ବାରାନିଧି ଗର୍ଭରୁ ହୀରାନିଧି ଫେରିପାଇବା କ’ଣ ଅଳ୍ପ ସୌଭାଗ୍ୟର କଥା ? ଅସମ୍ଭବ ବୋଲି କେମିତି ବା ବିଚାରିବି ? କେତେ କେତେ ଅଘଟଣ ନ ଘଟିଛି ଏଇ ମାଟିରେ । କେତେ କେତେ ଅସମ୍ଭବ ସମ୍ଭବ ନ ହୋଇଛି ! କାହା କପାଳରେ କ’ଣ ଅଛି କିଏ କହିବ ! ପ୍ରଭୁ ଜଗନ୍ନାଥଙ୍କର ଅପାର କରୁଣାରେ ସବୁକିଛି ସମ୍ଭବ ।’’ ସେହି ଅପାର କରୁଣାମୟ ହରିଙ୍କୁ ଯୋଡ଼ହସ୍ତରେ ଜୁହାର କଲା ।

 

ମାଳତୀ ଗାଧୋଇସାରି ଉପରେ ଠିଆହେଲା । କୋକିଳ ତା’ ପଛେ ପଛେ ପାହାଚ ଉଠିଆସୁଚି । କାହାର କରୁଣ ଚିତ୍କାର ତାଙ୍କ କାନରେ ପଡ଼ିଲା । ସ୍ୱର ଲକ୍ଷକରି ଉଭୟେ ଚଞ୍ଚଳ ପାଦରେ ଚାଲିଲେ । ଯୁବକଟିଏ ଅପନ୍ତରା ଭୂଇଁରେ ପଡ଼ି ଗଡ଼ୁଛି । ବେଳେ ବେଳେ ଚିତ୍କାର କରି ଉଠୁଛି–‘‘ରକ୍ଷାକର, ରକ୍ଷାକର ! ପ୍ରାଣଗଲା–ରକ୍ଷାକର ।’’ ତା’ର ସର୍ବାଙ୍ଗ ଯେମିତି ବେଦନାରେ ଅବସନ୍ନ । କୋକିଳ ତା’କୁ ଚାହିଁଦେଇ ଚିତ୍କାର କରି କହିଲା ଏଁ–ଏଯେ ଯଦୁନାଥ ।’’ ଯଦୁନାଥର ଦୁର୍ଦ୍ଦଶା ଦେଖି ତା’ର ସର୍ବାଙ୍ଗ କମ୍ପିତ ହେଲା । ସେ ମନେ ମନେ କହିବାକୁ ଲାଗିଲା, ‘‘ଏ କ’ଣ କଲ ପ୍ରଭୁ ! ଏଇ ଯଦୁନାଥ ଯୋଗୁଁ ମୁଁ ଆଜି ଅନାଥ ଆଶ୍ରୟଶୂନ୍ୟା ତଥାପି ଦିନେ ହେଲେ ମୁଁ ତ ତା’ର ଅମଙ୍ଗଳ ଚିନ୍ତା କରିନାହିଁ । ଯଦୁନାଥର ଆଜି ଏ ଦୁର୍ଦ୍ଦଶା କାହିଁକି ପ୍ରଭୁ !’’ କୋକିଳ କାନ୍ଦିବାକୁ ଲାଗିଲା । ମାଳତୀ ଏହି ଅଚାନକ ଦୃଶ୍ୟରେ ନିର୍ବାକ । କ୍ଷଣପରେ ଯଦୁନାଥ ଆଖି ଫେରାଇଲା । ରୋରୁଦ୍ୟୁମାନା କୋକିଳକୁ ନିକଟରେ ଦେଖି କୋଟିନିଧି ପାଇଲା ପରି ଉଠିବସିଲା । ଦୁଇହାତରେ କୋକିଳର ଦୁଇପାଦକୁ ଧରି କମ୍ପିତ ଗଳାରେ କହିଲା, ‘‘ନୂଆ ବୋଉ ! ତୁମେ ଆସିଚ ? ମୁଁ ମହାପାତକୀ ।’’ ସଙ୍ଗେ ସଙ୍ଗେ ଚେତା ହରାଇ ପଡ଼ିଗଲା । କୋକିଳ ଆହୁରି ବିଚଳିତ ହୋଇପଡ଼ିଲା । ମାଳତୀ ଦୌଡ଼ିଯାଇ ପୋଖରୀରୁ ପାଣି ଆଣି ଯଦୁନାଥ ମୁହଁରେ ସିଞ୍ଚିଲା । ମୁଣ୍ଡ ପାଖରେ ବସି କାନି ପଣନ୍ତରେ ବିଞ୍ଚିଲା । ଧୀରେ ଧୀରେ ଯଦୁନାଥର ଚେତା ଆସିଲା । ସେ ଆଖିମେଲି ଚାହିଁଲା । କୋକିଳ ଲୁହପୋଛି ଯଦୁନାଥର ହାତ ଦୁଇଟି ତା’ ପାଦରୁ ଉଠାଇଦେଲା । ଆପଣ ହାତ ତା’ର କପାଳରେ ରଖି ପୀଡ଼ା ପରୀକ୍ଷା କରିବାକୁ ଲାଗିଲା । କୋକିଳର ସେହି ସ୍ନେହସିକ୍ତ କରସ୍ପର୍ଶରେ ମୁମୂର୍ଷୁ ଯଦୁନାଥ ସତେଜ ହୋଇଉଠି କହିଲା, ‘‘ଦେବୀ ! ମୋତେ କ୍ଷମା କର, ଆଶୀର୍ବାଦ କର ।’’ କୋକିଳ କଇଁ କଇଁ ହୋଇ କହିଲା, ‘‘ଯଦୁନାଥ ! ଧର୍ମ ସାକ୍ଷୀକରି କହୁଛି କେବେହେଲେ ମୁଁ ତୁମର ଅମଙ୍ଗଳ ପାଞ୍ଚିନାହିଁ । ତୁମେ ତୁମର ଭାଗ୍ୟଦୋଷରୁ ଦଣ୍ଡ ପାଉଛ । ଯଦି କେବେ ଅଜାଣତରେ ମୁଁ ତୁମର ଅକଲ୍ୟାଣ କାମନା କରିଥାଏ, ସେଥିପାଇଁ ପରମପିତାଙ୍କ ଚରରରେ ପ୍ରାର୍ଥନା କରୁଛି, ମଙ୍ଗଳମୟ ପରମେଶ୍ୱରଙ୍କ କୃପାରେ ତୁମର ଦୁଃଖ ଦୂର ହେଉ ।’’ ଯଦୁନାଥ ଆବେକପୂର୍ଣ୍ଣ ବିହ୍ୱଳ କଣ୍ଠରେ କହିଲା । ନୂଆବୋଉ ! ତୁମପରି ଦେବୀର ମୁଁ ମିଛ କଳଙ୍କ ରଟାଇ କି ମହାପାପ ନ କରିଛି ? ତୁମେ ଏଇ ପାପ କଳୁଷିତ ମର୍ତ୍ତ୍ୟରେ ଥାଇ ଏମିତି ପବିତ୍ର ହୃଦୟ କେମିତି ପାଇଲ ? ଯେ ତୁମର ସୁଖ ସ୍ୱଚ୍ଛନ୍ଦ, ଆଶା ଭରସା ସବୁ କିଛି ନଷ୍ଟ କରିପାରେ, ଯେ ତୁମକୁ ବାସହୀନ କରି ଦାଣ୍ଡର ଭିକାରୁଣୀ କରିପାରେ, ତୁମେ ପୁଣି ତା’କୁ କ୍ଷମା କର । ଧନ୍ୟ ତୁମକୁ ନୂଆବୋଉ ! ଦେବୀ ! ତୁମର ଏ ଦାରୁଣ ଦୁଃଖର ସତେ କ’ଣ ଆଉ ଶେଷ ଅଛି ?’’ ଯଦୁନାଥ ଧକେଇ ଧକେଇ କାନ୍ଦିବାକୁ ଲାଗିଲା । କୋକିଳ ସହାନୁଭୂତି ଭରା କୋମଳ କଣ୍ଠରେ କହିଲା, ‘‘ଯଦୁନାଥ ! ସୁନା ଭାଇଟା ପରା । ମୋ କଥା ଭାବି ତୁମେ ବୃଥାରେ ନିଜ ଦେହକୁ ଦୁର୍ବଳ କରନାହିଁ, ମୋ ଭାଗ୍ୟରେ ଯାହାଥିଲା, ଘଟିଯାଇଛି ସେଥିରେ ତୁମର ଦୋଷ କ’ଣ ? ଏ ଜଗତରେ ଯେତେ ମନୁଷ୍ୟ ସମସ୍ତେ ଯେଯାହାର ଭାଗ୍ୟ ଭୁଞ୍ଜୁଛନ୍ତି । ମୋ ପାଇଁ ବ୍ୟସ୍ତ ହୁଅନା । ତୁମର କ’ଣ ହୋଇଛି କହିଲ ।’’ ଯଦୁନାଥ କିଛି କହିବା ଆଗରୁ ମାଳତୀ କୋକିଳର ହାତଧରି ଟାଣିନେଇ ଚାଲିଗଲା । ଯାଉ ଯାଉ କହିଲା, ‘‘ଏଠିଟାରେ ସମୟ ନଷ୍ଟକରି ଲାଭ କ’ଣ କହିଲୁ ? ଚାରିପାଖରେ ଏତେ ଲୋକ ଘେରିଗଲେଣି ଯେ, ଆଉ ଦଣ୍ଡକ ପରେ ଭିଡ଼ ଠେଲି ପଦାକୁ ବାହାରି ହବନି । ଆ ଚଞ୍ଚଳ ଆ । ବସାକୁ ଯାଇ ଯଦୁନାଥକୁ ଏଠୁ ବସାକୁ ନେଇ ଯିବାର ବ୍ୟବସ୍ଥା କରିବା ।’’

 

କୋକିଳ ଚାଲିଯିବା ପରେ ଯଦୁନାଥ ପୁଣି ମୂର୍ଚ୍ଛିତ ହୋଇପଡ଼ିଲା ଏହି ଅବସରରେ ଆମର ପରିଚିତ ରୋଗୀ ବୁଲି ବୁଲି ଆସି ଘଟଣାସ୍ଥଳରେ ହାଜର । ଠିକ୍ ସେତିକି ବେଳେ ମୂର୍ଚ୍ଛିତ ଲୋକଟି ‘ପାଣି’ ‘ପାଣି’ ଚିତ୍କାର କଲା । ନରେନ୍ଦ୍ରରୁ ସଦ୍ୟସ୍ନାନ ସାରି ଗୃହକୁ ଫେରୁଥିବା ଜନୈକ ବୃଦ୍ଧ ତାଙ୍କ ହାତରେ ଅବଖୁରାଟି ଆଗେଇଦେଲେ । ଆମର ରୋଗୀ ତ୍ୱରିତ ହସ୍ତରେ ସେଟିକୁ ବୃଦ୍ଧଙ୍କ ହସ୍ତରୁ ନେଇ ଆଗ ତୁଷାର୍ତ୍ତର କପାଳକୁ ଦିମୁଠା ପାଣି ମାରିଦେଲା । ମୁହଁଟାକୁ ଭଲକରି ପୋଛିଦେଲା । ତା’ର ଓଠ ମେଲାକରି ଟିକିଏ ଟିକିଏ ପାଣି ଦେବାକୁ ଲାଗିଲା । ଧୀରେ ଧୀରେ ଲୋକଟି ପାଟି ଆଁ କରିବାର ଦେଖି ଉତ୍ସାହ ବଢ଼ିଲା । ମୁର୍ଚ୍ଛିତକୁ ଉଠାଇ ବସାଇଲା । ପାଣିପାତ୍ରଟି ନେଇ ତା’ର ପାଟି ପାଖରେ ଧରିଲା ସେ ଚଅଁ ଚଅଁ କରି ପେଟେ ପିଇଲା । ଦଣ୍ଡକ ପରେ ଆଖି ଖୋଲି ଚାହିଁଲା । ତା’କୁ କୋଳରେ ଧରିଥିବା ଆମର ପରିଚିତ ରୋଗୀର ଆଶାୟି ଆଖିରେ ତା’ର ଆଖି ପଡ଼ିଲା । ଉଭୟଙ୍କ ମୁହଁରେ ବିସ୍ମୟାନନ୍ଦର ଅପୂର୍ବ ସମାରୋହ । ପରମୁହୂର୍ତ୍ତରେ ଯଦୁନାଥ ଶୁଶ୍ରୂଷାକାରୀର ପାଦଧୂଳି ମୁଣ୍ଡରେ ଲଗାଇ କହିଲା, ‘‘ଭାଇନା, ଆଜି ମୋର ବଡ଼ ସୌଭାଗ୍ୟ ।’’

 

ପାଠକେ ବୁଝିପାରୁଥିବେ, ମାଳତୀର ଆଶ୍ରିତ ରୋଗୀ ଆମର ବହୁଦିନର ପରିଚିତ ପତ୍ନୀ-ପ୍ରଣୟ-ବିରାଗୀ, ଯଦୁନାଥର ଅଗ୍ରଜ ସ୍ୱୟଂ ମଧୁସୂଦନ । ସେ ଯଦୁନାଥକୁ ଏପରି ଅବସ୍ଥାରେ ଦେଖି ପ୍ରଶ୍ନକଲେ, ‘‘ତୋର କ’ଣ ହୋଇଛି ଯଦୁ ?’’

 

ଯଦୁନାଥ–ଆଜି ମୋର କି ଆନନ୍ଦର ଦିନ । ସେ ଆନନ୍ଦ ପ୍ରକାଶ କରିବାକୁ ମୋ ବଳ ନାହିଁ ବେଳ ବି ନାହିଁ ନୂଆବୋଉ କ୍ଷମା କରିଗଲା । ତୁମେ କ୍ଷମାକର ଭାଇନା !

 

ମଧୁସୂଦନ–ନୂଆବୋଉ ?

 

ଯଦୁନାଥ–ହଁ ନୂଆବୋଉ–ଏଇ ତୁମ ଆଗେ ଆଗେ ଗଲେ ।

 

ମଧୁସୂଦନ–ନୂଆବୋଉ କିଏ ?

 

ଯଦୁନାଥ–ବୁଝି ପାରୁନା ? ଭାଉଜ ମ । ଶମ୍ଭୁ ମିଶ୍ରଙ୍କ ଝିଅ ।

 

ମଧୁସୂଦନ–ସେ କେଉଁଠି ? ତୁ ଦେଖିଛୁ ?

 

ଯଦୁନାଥ–ଏଇଠି ଥିଲେ ସେ । ଏଇନେ ଗଲେ ପରା ।

 

ମଧୁସୂଦନ–ତୁ ସତ କହୁଛୁ ?

 

ଯଦୁନାଥ–ମିଥ୍ୟାବାଦୀର କଥାରେ କେମିତି ବା ବିଶ୍ୱାସ କରିବ ? କିନ୍ତୁ ଭାଇନା ! ସେ ମିଛୁଆ ଯଦୁ ଆଉ ନାହିଁ । ଦି ବର୍ଷହେଲା ସେ ମରିଛି ।

 

ମଧୁସୂଦନ–ଏ ସବୁ କ’ଣ କହୁଛୁ ଯଦୁ ?

 

ଯଦୁନାଥ–ମୁଁ ଠିକ୍ କହୁଛି । ମୋ କଥାରେ ବିଶ୍ୱାସ କର । ନୂଆବୋଉ ଏଇ ନିକଟରେ ଅଛନ୍ତି । ନିଶ୍ଚୟ ତୁମର ଦେଖାହେବ । ସେ ମୋତେ କ୍ଷମା କରିଛନ୍ତି । ତୁମେ କ୍ଷମାକର । ମିଥ୍ୟାବାଦୀ ଯଦୁ ମରିଛି ସିନା । ପାପମୁକ୍ତ ହୋଇନାହିଁ । ତୁମଠାରୁ କ୍ଷମା ମିଳିଗଲେ ସେ ଜଗତର ଯାବତୀୟ ପାପରୁ ମୁକ୍ତିଲାଭ କରିବ । କହୁ କହୁ ଯଦୁନାଥ ପୁଣି ସଂଜ୍ଞାହୀନ ହୋଇପଡ଼ିଲା । ମଧୁସୂଦନ ତା’ର ଚେତନା ଆଣିବାକୁ ଦହୁଚେଷ୍ଟା କଲେ । ସମସ୍ତ ଚେଷ୍ଟା ବିଫଳ ହେଲା । ମଧୁସୂଦନ ବୁଝି ପାରିଲେ ଡାକ୍ତରଖାନାକୁ ନ ନେଲେ ଯଦୁନାଥର ମୂର୍ଚ୍ଛା ଭଙ୍ଗ ହେବନାହିଁ । କିନ୍ତୁ କି ଉପାୟରେ ଡାକ୍ତରଖାନା ନେବେ ? ରୋଗରେ ପଡ଼ି ପଡ଼ି ଏଇମାତ୍ର ସେ ଉଠୁଛନ୍ତି । ତାଙ୍କର ଶକ୍ତି ଅଛି ଯେ ଆଉ ଜଣଙ୍କର ଭାର ବହନ କରିପାରିବେ । ପାଖରେ ଅର୍ଥ ନାହିଁ । ପରିଚିତ ଲୋକ ହେଲେ କେହି ଅଛି, ଯେ କି ତାଙ୍କୁ ଏ ବିପଦରେ ସାହାଯ୍ୟ କରିପାରେ ? ମାଳତୀ ମା’ ଏକମାତ୍ର ଆଶ୍ରୟ । ନିଜେ ତ ତାଙ୍କ ଉପରେ ବୋଝହୋଇ ରହିଛନ୍ତି । ତା’ ଉପରେ ନଳିତା ବିଡ଼ା ପରି ଆଉଜଣଙ୍କ ପାଇଁ ସାହାଯ୍ୟ ଚାହିଁବେ କେମିତି ? ଯେଉଁ କୃପାମୟୀର ଅଯାଚିତ ସେବା ଶୁଶ୍ରୂଷାରେ ସେ ନିଜେ ରୋଗମୁକ୍ତ ହୋଇଛନ୍ତି, ସେହି ଦେବୀ ପାଖରେ ଏ ଦୁଃଖ ଜଣାଇବାରେ ବାଧା କ’ଣ ? ମଧୁସୂଦନ ବସାକୁ ଯିବାପାଇଁ ଉଦ୍‍ବିଘ୍ନ ହୋଇପଡ଼ିଲେ । ହେଲେ ମୂର୍ଚ୍ଛିତ ଭ୍ରାତାକୁ କାହାପାଖରେ ଛାଡ଼ିଯିବେ ? ତାଙ୍କ ହୃଦୟ ବଡ଼ ବ୍ୟାକୁଳ ହୋଇଉଠିଲା । ସେ ଚତୁର୍ଦ୍ଦିଗକୁ ଥରେ କରୁଣ ଦୃଷ୍ଟିପାତ କଲେ । ଯାହା ଦେଖିଲେ, ସେଥିରେ ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେହି କରୁଣାମୟୀ ମାଳତୀ ମା’କୁ ସମ୍ମୁଖରେ ଦେଖି ଅନ୍ତର ତାଙ୍କର ନାଚିଉଠିଲା । ସହସା ମୁହଁରୁ ତାଙ୍କର କଥା ବାହାରିଲା ନାହିଁ । ମାଳତୀ ପଚାରିଲା, ‘‘ଏ ତୁମର ଭାଇ ହୁଅନ୍ତି ?’’ ମଧୁସୂଦନ ଜଡ଼ିତ କଣ୍ଠରେ ଉତ୍ତର କଲେ, ‘‘ହଁ । ଅଚେତା ହୋଇଯାଇଛି । ଡାକ୍ତରଖାନାକୁ ନେବାକୁ ହେବ । ତା’ ନ ହେଲେ ସହଜରେ ଚେତା ହେଲାପରି ଦେଖାଯାଉନି ।’’

 

‘‘ତେବେ ମୁଁ ଖଣ୍ଡେ ଗାଡ଼ି ଡାକେ । ତୁମେ ତା’ର ହେପାଜତ ନେଉଥାଅ ।’’ କୃତଜ୍ଞତାରେ ମଧୁସୂଦନଙ୍କର ଅନ୍ତର ଭରିଗଲା । ସେ ଯନ୍ତ୍ରଚାଳିତବତ୍ ଯଦୁନାଥର ମୁହଁରେ ହାତ ବୁଲାଇବାକୁ ଲାଗିଲେ ।

 

ଯଥା ସମୟରେ ଡାକ୍ତରଖାନାରେ ଚିକିତ୍ସା କରାଗଲା । ହେଲେ ରୋଗୀର ଚୈତନ୍ୟ ଉଦୟ ହେବାର କୌଣସି ଲକ୍ଷଣ ଦେଖାଗଲା ନାହିଁ । ଚିକିତ୍ସକମାନେ ଯଥାସାଧ୍ୟ ଚେଷ୍ଟାରେ ଲାଗିଥାନ୍ତି । ମଧୁସୂଦନ ଶଯ୍ୟାପାଖରେ ବସି ପରିଚର୍ଯ୍ୟା କରୁଥାଆନ୍ତି । ଦୀର୍ଘ ପାଞ୍ଚଘଣ୍ଟା ପରେ ଯଦୁନାଥର ଆଖି ଖୋଲିଲା । ସେ ନିଦରୁ ଉଠିଲାପରି ଇତସ୍ତତଃ ଦୃଷ୍ଟି ପକାଇଲା । ଭ୍ରାତାର ମୂର୍ଚ୍ଛାଭଙ୍ଗ ହେବାର ଦେଖି ମଧୁସୂଦନ ଆନନ୍ଦ ବିହ୍ୱଳ ହୋଇ ଡାକିଲେ, ‘‘ଯଦୁ । ଭାଇ ମୋର !’’ ଯଦୁନାଥ କ୍ଷଣକାଳ ପଲକହୀନ ଆଖିରେ ଚାହିଁଲେ । ମଧୁଦୁଦନ ତା’ର କପାଳରେ ହସ୍ତ ସଞ୍ଚାଳନ କରି ଆଉଥରେ ଡାକିଲେ, ‘‘ଯଦୁ ! ଭାଇ ମୋର !’’ ଯଦୁନାଥ ସଜୋରେ ତାଙ୍କର ହାତକୁ ଠେଲିଦେଇ କହିଲା, ‘‘ନା, ନା ! ମୋତେ ଭାଇ ବୋଲି ଡାକିବନି ଭାଇନା ! ମୁଁ ନର ପିଶାଚ । ତୁମପରି ଦେବତାର ଭାଇ ହେବାର ସୌଭାଗ୍ୟ କାହିଁ ?’’ ମଧୁସୂଦନ ଶିଶୁଟି ପରି କାନ୍ଦି ଉଠିଲେ । ନିବିଡ଼ ଆଲିଙ୍ଗନ କରି କହିଲେ ‘‘ଯଦୁ ! ତୁ ଏ ସବୁ କ’ଣ କହୁଛୁ ?’’ ଯଦୁନାଥ ବାଧାଦେଇ କହିଲା, ମୁଁ ଯାହା କହୁଛି, ମନଦେଇ ମୋ କଥା ଶୁଣ ।’’ ଏତିକି କହି ସେ ଅଣନିଃଶ୍ୱାସୀ ହୋଇପଡ଼ିଲା । ଯୋଗକୁ ସେତେବେଳେ ଡାକ୍ତର କି ନର୍ସ କେହି ନିକଟରେ ନଥିଲେ । ମଧୁସୂଦନ ପ୍ରମାଦ ଗଣିଲେ-। ଗରମ ଦୁଧ ଟିକିଏ ତା’ ପାଟିରେ ଦେଲେ । ଯଦୁନାଥ ସେ ଦୁଧକୁ ଫୁ ଫୁ କରି ଫିଙ୍ଗିଦେଇ କହିଲା, ‘‘ମୁଁ ମହାପାପୀ । ଆଜିକି ଦୁଇ ବର୍ଷ ହେଲା ମୋ ପାପର ପ୍ରାୟଶ୍ଚିତ କରୁଛି-। ସେ ପ୍ରାୟଶ୍ଚିତର ଯନ୍ତ୍ରଣା ସହିବାକୁ ଆଉ ଏକ ଶରୀରରେ ବଳ ନାହିଁ । ହେଲେ ଦୁଃଖଭୋଗ ଭିତରେ ଆଜି ମୋର ମହା ଶୁଭଦିନ । କାହିଁକି ଜାଣ ? ଆଜିଠାରୁ ଆଉ ଏ ନରକ ଯନ୍ତ୍ରଣା ସହିବାକୁ ପଡ଼ିବନି । ମୋ ଯିବାର ବେଳ ପାଖେଇ ଆସିଲାଣି ।’’ ‘‘ଯଦୁନାଥ !’’ ମଧୁସୂଦନ ଆଉଥରେ ତା’କୁ ନିଜର ବକ୍ଷକୁ ଆଉଜାଇ ନେଇ ଆବେଗ ଭରେ ଡାକିଲେ ‘‘ଯଦୁନାଥ ?’’ ଯଦୁନାଥ ଘଡ଼ିଏ ପଡ଼ି ରହିଲା ନୀରବରେ । ତା’ପରେ ପୁଣି ଆରମ୍ଭକଲା, ‘‘ଭାଇନା ! ନୂଆବୋଉଙ୍କ ବିଷୟରେ ସତ ଘଟଣା ଦିନେ ତୁମ ଆଗରେ ପ୍ରକାଶ କରିଥିଲି । ଆଜି ଜୀବନର ଏଇ ଶେଷ ମୁହୂର୍ତ୍ତରେ ଆଉଥରେ କହିଯାଉଛି, ନୂଆବୋଉ ସ୍ୱର୍ଗର ଦେବୀ । ତାଙ୍କ ପିତାମାତାଙ୍କ ସୁକୃତରୁ ସେ ମର୍ତ୍ତ୍ୟରେ ଜନ୍ମିଛନ୍ତି । ଆଉ ତୁମର ସୌଭାଗ୍ୟରୁ ସେ ତୁମର ସହଧର୍ମିଣୀ ହୋଇଛନ୍ତି-। ତାଙ୍କୁ ଭାର୍ଯ୍ୟାରୂପେ ପାଇ ତୁମେ ବି ଦେବତା ହୋଇପାରିଛ । ହାୟ ? ମୋ ପରି ହତଭାଗ୍ୟ ତୁମର ଭାଇ ହୋଇ ଜନ୍ମି ନଥିଲେ ତୁମେ ଏଇ ମରଦେହରେ ଅମରପୁରୀର ସୁଖ ଉପଭୋଗ କରୁଥାନ୍ତ । ଆଉ କହି ପାରୁନାହିଁ । ତୋଟିଟା ଶୁଖି ଶୁଖି ଯାଉଛି ।’’ ମଧୁସୂଦନ ଦୁଧଗିନାଟା ଆଡ଼କୁ ହାତ ବଢ଼ାଇଲେ । ଯଦୁନାଥ ଘୃଣାରେ ଭ୍ରୂକୃଞ୍ଚିତ କରି କହିଲା, ‘‘ତୁମେ ନୂଆବୋଉଙ୍କୁ ଖୋଜ-। ସେ ଏଇ ଶ୍ରୀକ୍ଷେତରେ ଅଛନ୍ତି । ଗାଧୁଆ ଘାଟରେ ମୋତେ ଦର୍ଶନ ଦେଇ କ୍ଷମା କରିଛନ୍ତି-। ତୁମେ କ୍ଷମାକର ଭାଇନା । ତୁମର ପାଦଧୂଳି ମୋ ମୁଣ୍ଡରେ ଦିଅ । ଶୀଘ୍ର ଦିଅ ।’’

 

ମଧୁସୂଦନ ଯନ୍ତ୍ରଚାଳିତ ପରି ତା’ର ମୁଣ୍ଡରେ ପାଦ ଛୁଇଁଲେ । ଯଦୁନାଥର ମରଣ ପାଣ୍ଡୁର ଓଠରେ ହସର କ୍ଷୀଣରେଖା ଦେଖାଗଲା ! ସେ ଦୁଇହାତ ଯୋଡ଼ି ପ୍ରଣାମ କଲା । ଜଡ଼ିତ କଣ୍ଠରେ କହିଲା, ‘‘ବିଦାୟ ଭାଇନା ! ବି-ଦା-ୟ ।’’

 

ଷୋହଳ

 

କୋକିଳ, ମାଳତୀ କୋଳରେ ଅସହାୟ ଯଦୁନାଥକୁ ନରେନ୍ଦ୍ର ହୁଡ଼ାରେ ଛାଡ଼ିଦେଇ ଆସିଲା । ହେଲେ ନିଶ୍ଚିନ୍ତ ହୋଇପାରିଲା ନାହିଁ । ଯଦୁନାଥ ଲାଗି ତା’ର ଅନ୍ତରାତ୍ମା ବିକଳ ହୋଇଉଠିଲା । ଭାବି ଅମଙ୍ଗଳ ଆଶଙ୍କାରେ ତା’ର ଚିତ୍ତ ଚାଞ୍ଚଲ୍ୟ ଉପସ୍ଥିତ ହେଲା । କୌଣସି କାମରେ ମନୋନିବେଶ କରିପାରିଲା ନାହିଁ । ରାନ୍ଧିବାକୁ ଯାଇ ଦରଫୁଟି ଭାତ ଗାଳି ଥୋଇଲା । ତରକାରୀରେ ଦୋହରି ଲୁର ପକାଇଲା । ବିନା ହଳଦୀ ବିନା ଲୁଣ ବିନା ତେଲରେ ଡାଲି ବଘରା ହେଲା । ମାଳତୀ ଏସବୁ ଲକ୍ଷ୍ୟ କରୁଥାଏ । ମାତ୍ର ଦେଖି ନ ଦେଖିଲା ପରି କୋକିଳଠାରୁ ଦୂରରେ ରହୁଥାଏ । ସେ ବୁଝିପାରିଲା ଯେ, ଯେତେ ବଳାବଳି କଲେ ମଧ୍ୟ କୋକିଳ କେବେ ଆଜି ଅନ୍ନ ଛୁଇବ ନାହିଁ । ସେ ନ ଖାଇଲେ ମାଳତୀ କ’ଣ ଖାଇବ ମଧୁସୂଦନ ଓରଫ ଆଗର ରୋଗୀ ସେତ ଡାକ୍ତରଖାନାରେ । କେବଳ ଚାକରଟି । ମାଳତୀ ତା’କୁ ପଇସା ଦେଇ ମହାପ୍ରସାଦ ଖାଇବା ପାଇଁ ଦେଉଳକୁ ପଠାଇଦେଲା । କୋକିଳକୁ ଡାକି କହିଲା, ‘‘ତୋ ଦିଅର ଖବର ଶୁଣିଛୁ ?’’ କୋକିଳ ଉଦ୍‍ଗ୍ରୀବ ହୋଇ ପଚାରିଲା, ‘‘ଚେତା ହେଲାଣି ?’’ ହଁ ଚେତା ହେଲାଣି । ସେ ଆଗଠୁ ଖୁବ୍ ଭଲ ଅଛି । ତୁ ଯୋଉ ରୋଗୀର ସେବା କରୁଥିଲୁ, ସେ ବିଚରା ତା’ ପାଇଁ ଖୁବ୍ କରୁଛି । ଜଣେ ଲୋକ ହାତରେ ଏଇଲେ ଖବର ପଠାଇଥିଲ ପରା ।’’ କୋକିଳ ତଳେ ମୁଣ୍ଡିଆମାରି ପ୍ରଭୁଙ୍କୁ ଦୁଃଖ ଜଣାଇଲା । ଯଦୁନାଥର ଦୀର୍ଘାୟୁ କାମନା କଲା । ଆଶ୍ରିତ ରୋଗୀ ପ୍ରତି କୃତଜ୍ଞତାରେ ତା’ର ଅନ୍ତର ଭରିଗଲା । ତାଙ୍କର ଶୁଭକାମନା କରି ଆଉଥରେ ମୁଣ୍ଡିଆ ମାରିଲା ।

 

ତେଣେ ଯଦୁନାଥର ଶବସଂସ୍କାର କରି ଆସିବାପରେ ମଧୁସୂଦନଙ୍କର ମନ ବିଶେଷ ବିଚଳିତ ହୋଇପଡ଼ିଲା । ପରସ୍ପର ବିରୁଦ୍ଧାତ୍ମକ ଭାବନାରେ ହୃଦୟ ତାଙ୍କର ଅସ୍ଥିର ହେବାକୁ ଲାଗିଲା । ଏଣେ ଭାତୃ-ବିୟୋଗ ଦୁଃଖରେ ଶୋକାକୁଳ । ତା’ ସଙ୍ଗେ ସଙ୍ଗେ ମାଳତୀ ମା’ର ଭବିଷ୍ୟତବାଣୀ ସଙ୍ଗରେ ମୁମୂର୍ଷୁ ଯଦୁନାଥର କଥାରେ କି ଅପୂର୍ବ ସାମଞ୍ଜସ୍ୟ । ସତେ ଆଜି ତା’ର ପ୍ରାଣ ପ୍ରଣୟିନୀ ସହିତ ମିଳନ ହେବ ? ଭାଇକୁ ହରାଇବା ଦୁଃଖଠାରୁ ଭାର୍ଯ୍ୟାଲାଭର ଅନାଗତ ସୁଖ ତାଙ୍କୁ ବିବ୍ରତ କରିପକାଇଲା । ସେ ଚୁପ୍‍ ହୋଇ ବିଛଣାରେ ପଡ଼ିରହିଲେ । ସୂର୍ଯ୍ୟ ଅସ୍ତ ଗଲେ-। ସନ୍ଧ୍ୟା ହେଲା, ସନ୍ଧ୍ୟାପରେ ରାତି ଆସିଲା । ମଧୁସୂଦନ ବିଛଣାରେ ପଡ଼ି କେତେ କ’ଣ ଭାବୁଛନ୍ତି-। ଠିକ୍‍ ସେତିକିବେଳେ ମାଳତୀ ଘର ଭିତରେ ପ୍ରବେଶ କଲା । ମଧୁସୂଦନ ମାଳତୀକୁ ଦେଖି କହି ଉଠିଲେ, ‘‘ଦେବୀ ! ଆଜି ପାଞ୍ଚଦିନ ପୂର୍ଣ୍ଣ ହେଲା । ଆଜି ସତେ–’’ ‘‘ହଁ ସତେ ! ସତେ ଆଜି ତୁମର ସ୍ତ୍ରୀ ସହିତ ମିଳନ ହେବ । ଯେଉଁ ଅବସ୍ଥାରେ ତୁମେ ତା’କୁ ପଦାଘାତ କରିଥିଲ, ଠିକ୍ ସେହି ଅବସ୍ଥାରେ ଦେଖିବ । କିନ୍ତୁ ମନେରଖ, ଆଉ ଯେମିତି ନାରୀ ମର୍ଯ୍ୟାଦାରେ କଳଙ୍କ ବୋଳି ନିଜ ଦୁର୍ବଳତାର ପରିଚୟ ନ ଦିଅ ।’’

 

ମାଳତୀ ଚାଲିଗଲା । ସଙ୍ଗେ ସଙ୍ଗେ ମଧୁସୂଦନଙ୍କର ଭାବନାର ପରିସର ବି ବଢ଼ିଗଲା ସେ ପୂର୍ବପରି ବିଛଣାରେ ପଡ଼ି କଳ୍ପନାରେ ପ୍ରଣୟିନୀର ମିଳନ ଦୃଶ୍ୟ ଦେଖିବାକୁ ଲାଗିଲେ ।

 

ଯଦୁନାଥ ଡାକ୍ତରଖାନାର ଦେହାନ୍ତ ହୋଇଯିବା ଘଟଣା କୋକିଳକୁ ଅଜଣା । ମାଳତୀ ଇଚ୍ଛାକରି ଗୋପନ ରଖିଛି । ତା’ର ଦେହାନ୍ତ ଆଗରୁ ମାଳତୀ ଯେଉଁ ସମ୍ବାଦ ଦେଇଥିଲା, ସେତିକି ମାତ୍ର କୋକିଳ ଜାଣେ । ତେବେ ମାଳତୀ ଯୋଗଦେଇ କହିଥିଲା, କାଲି ଆଡ଼ିକି ଯଦୁ ଭଲ ହୋଇଯିବ । କୋକିଳର ସେ କଥାରେ ଅବିଶ୍ୱାସ କରିବାର କିଛି ନଥିଲା । ତଥାପି ତା’ ମନରେ ସ୍ଥିରତା ନାହିଁ । ସଞ୍ଜବତୀ ଜଳାଇଦେଇ ବସି ରହିଛି । ରୋଷେଇଶାଳକୁ ଯିବାପାଇଁ ମନଟା ଆଗଉନାହିଁ । କେତେଥର ଉଠ ଉଠ ହେଉଛି । ମାତ୍ର ଉଠିପାରୁ ନାହିଁ । ଦିନଟା ତ ଓପାସରେ କଟିଛି । ରାତିରେ ବି ଖାଇବାର ଇଚ୍ଛାନାହିଁ ମନେ ମନେ ଭାବୁଛି, ‘ମାଳତୀ ଅପା ହେରିକା ଅଭଡ଼ା ପଛେ ଖାଆନ୍ତୁ ।’ ମୁଁ ଯାଉଚି । ଶୋଇବି ।’’ ସେତିକିବେଳେ ମାଳତୀ ଡାକିଲା, ‘‘କୋଇଲି ! ତୁ ଏଠିଟାରେ ବସି ରହିଛୁ, ତେଣେ ପରା ବର ତୋର ଚାହିଁ ବସିଛି । ଯା, ଯିବୁଟି ଚଞ୍ଚଳ।’’ କୋକିଳ କିଛି ବୁଝିପାରିଲା ନାହିଁ । ‘ବର’ ଶବ୍ଦ ଶୁଣି ଛାତିଟା ତା’ର ଚାଉଁକିନା ହୋଇଗଲା । ସେ ଅର୍ଥପୂର୍ଣ୍ଣ ଚାହାଁଣିରେ ମାଳତୀ ମୁହଁକୁ ଅନାଇ ରହିଲା । ମାଳତୀ କହିଲା, ‘‘ବୁଝିପାରୁନୁ ? ଆଲୋ, ତୋ ବର ମ । ଏତେ ଦିନଯାଏ ଯାହାର ସେବା ଶୁଶ୍ରୂଷା କରୁଥିଲୁ ସେହି ପରା ତୋର ବର ।’’ କୋକିଳ ସଲଜ୍ଜ ଭଙ୍ଗୀରେ କହିଲା, ‘‘କ’ଣ କହନ୍ତି ଆଉ । ତୋର ଯୋଉ କଥା ଅପା !’’

 

‘‘ନା, ମୋ କଥା କାହିଁକି ତୋତେ ସୁଖ ଲାଗିବ ? ଯାହାକଥା ସୁଖ ଲାଗିବ ତାରି ପାଖକୁ ଯିବା ପାଇଁ ତ କହୁଛି ।’’

 

ହଉ ବେଶ୍ କରିଛୁ । ମୁଁ ଆଜି ରାନ୍ଧିପାରିବି ନାହିଁ । ଅଭଡ଼ା ପାଇଁ କାହାକୁ ପଠାଇବୁ ତ ପଠା ।’’

 

‘‘କେତେ ନବରଙ୍ଗ ହଉଚୁ ମ ! ସେ ବିଚରା ଦିନସାରା ଧାଁ ଦଉଡ଼, ରୋଗୀସେବା, ଏଇଥିରେ ଲାଗିଛି । ଦଇବେ ଗୋଡ଼ ତା’ର ଜଖମ । ସେଇ ଜଖମ ଗୋଡ଼ଟା ବିନ୍ଧୁଛି ବୋଲି କହୁଥିଲା । ଟିକିଏ ଟିପିଦେଲେ କ’ଣ ହାନି ହେଇଯିବ ?’’

 

‘‘ମୁଁ ସେ କଥା ଜାଣେନି ।’’

 

‘‘ମଲା, ଏତେଦିନଯାଏ ତ ଫେରେ ସେଇ ଗୋଡ଼ର ସେବା କରୁଥିଲୁ । ରାନ୍ଧିବାଢ଼ି ପରଶୁଥିଲୁ । ଆଜି ଟିକିଏ ଆଉଁସା ଘଷାକୁ ଲାଜ ଲାଗୁଛି । ଆଚ୍ଛା ତୁ ଯିବା ଦରକାର ନାହିଁ । ସନ୍ଧ୍ୟା ସାରି ମୁଁ ଯାଉଛି ।’’

 

ମାଳତୀ ଚାଲିଗଲା । କୋକିଳ ମନେ ମନେ ଆଲୋଚନା କରିବାକୁ ଲାଗିଲା ମାଳତୀ ଅପାର କଥାକୁ । ବହୁଦିନ ହେଲା ଚଲାବୁଲା ନାହିଁ ଜଖମ ପାଦରେ ଧାଁ ଦଉଡ଼ । ଗୋଡ଼ ବଥାଉଥିବ । ଯଦୁନାଥ କୋକିଳର ସିନା ଦିଅର । ଆଶ୍ରିତ ରୋଗୀର ବା ସେ କ’ଣ ? ହେଲେ ତା’ ପାଇଁ କି କଷ୍ଟ ନ ଭୋଗୁଛନ୍ତି ସେ ? ରୋଗୀ ପ୍ରତି କୃତଜ୍ଞତାରେ କୋକିଳର ଅନ୍ତର ଭରିଗଲା । ସେ ତାଙ୍କର କେତେ ଶୁଭକାମନା କଲା । ଭାବିଲା ଏକେ ତ ବ୍ରାହ୍ମଣ । ଦ୍ୱିତୀୟରେ ଅତିଥି । ତା’ପରେ ପୀଡ଼ିତ ପଦସେବାରେ ଦୋଷ କ’ଣ ? ପୀଡ଼ିତର ସେବା କରିବା ସୁଯୋଗ ହାତରେ ପାଇ ଛାଡ଼ିଦେବାଠାରୁ ଅପରାଧ ନାହିଁ । ବରଂ ପୁଣ୍ୟ ଅଛି ସେଥିରେ ମୁଁ କାହିଁକି ସେ ପୁଣ୍ୟ ଅର୍ଜନ ପାଇଁ ଆଉ ଜଣକୁ ଛାଡ଼ିଦେବି ? ରୋଗୀ ଆଖି ବୁକି ମାଳତୀ ମା’ର ଆଶାବାଣୀର ସଫଳ ସ୍ୱପ୍ନରେ ବିଭୋର । ମନ ତାଙ୍କର ଯାଇ ସେହି ମଧୁଶଯ୍ୟା ରାତିର ନିଦାରୁଣ ଅଭିନୟ ପୀଠରେ । ନବବଧୂର ଗୃହ-ପ୍ରବେଶ, ଭୂମିଶଯ୍ୟା, ନିଜର କପଟ ନିଦ୍ରା, ଆଜି ଦୃଶ୍ୟ ଗୋଟିକ ପରେ ଗୋଟାଏ ମନଶ୍ଚକ୍ଷୁରେ ଦେଖିବାରେ ତନ୍ମୟ । କୋକିଳ ଧୀରେ ଧୀରେ ଯାଇ ତାଙ୍କର ଶଯ୍ୟା ପାଖରେ ବସିଲା । ଆସ୍ତେ ତା’ର ସଂକୁଚିତ ହାତ ଯୋଡ଼ିକ ନେଇ ତାଙ୍କର ପାଦ ଉପରେ ସ୍ଥାପନ କଲା । ସେହି ସାମାନ୍ୟ ସ୍ପର୍ଶରେ ତା’ର ସର୍ବାଙ୍ଗ ସ୍ପନ୍ଦିତ ହୋଇ ଉଠିଲା । ସେ ଚମକିପଡ଼ି ହାତ ଦିଟା ଉଠାଇ ଆଣିଲା । ଟିକିଏ ଚିନ୍ତା କଲା । ଲଜ୍ଜ୍ୟା ବିକାରକୁ ବେଖାତିର କରି ଦୃଢ଼ହସ୍ତରେ ପାଦ ଟିପିବାକୁ ଲାଗିଲା । ମଧୁସୂଦନଙ୍କର ଯୋଗଭଙ୍ଗ ଦେଲା । ଚମକି ଚାହିଁଲେ । ଦେଖିଲେ, ତାଙ୍କର ପ୍ରାଣଦାତ୍ରୀ ପଦତଳେ ଉପବିଷ୍ଟା । ସେ ସ୍ୱପ୍ନାବିଷ୍ଟ ପରି ଉଠିବସିଲେ । କହିଲେ, ‘‘ଏକର କୋଇଲି-?’’ ସଙ୍ଗେ ସଙ୍ଗେ ତାଙ୍କର ମାଳତୀ ମା’ କଥା ମନେପଡ଼ିଲା ଯେଉଁ ଅବସ୍ଥାରେ ତୁମେ ତା’କୁ ପଦାଘାତ କରିଥିଲ ଠିକ୍ ସେହି ଅବସ୍ଥାରେ ଦେଖିବ ।’’ ତେବେ କ’ଣ ଏଇ ତରୁଣୀ ତାଙ୍କର ହୃଦୟ-କୁଞ୍ଜ-କୁଟୀର ରାଣୀ ? ମଧୁସୂଦନ କୋକିଳର ହାତ ଦୁଇଟି ଧରିପକାଇ ଆବେଗ ବିହ୍ୱଳ ସ୍ୱରରେ କହିଲେ, ‘‘କୋଇଲି ! ଦେବୀ ! ପ୍ରାଣେଶ୍ୱରୀ ! ମୋତେ କ୍ଷମା କର । ମୁଁ ନରାଧମ । ତୁମପରି ପବିତ୍ର ହୃଦୟା ଦେବୀଠାରେ ଘୋର ଅପରାଧୀ । ମୋତେ କ୍ଷମା କର ।’’ କୋକିଳ ସ୍ୱପ୍ନାବିଷ୍ଟ ପରି ନିର୍ବାକ ବିସ୍ମିତ ଆଖିରେ ଚାହିଁ ରହିଲା ଜଳ ଜଳ । ମଧୁସୂଦନ ତା’ର ମୃଣାଳକୋମଳ କରପଲ୍ଲବରେ ଏକ ମୃଦୁ କମ୍ପନ ସୃଷ୍ଟିକରି କହିଲେ, ‘‘ଏ ରାକ୍ଷସକୁ ଚିହ୍ନିପାରୁନ ଦେବୀ ? ଏ ସେଇ ନରାଧମ, ଯେ ତୁମର ସ୍ୱାମୀ ନାମରେ କଳଙ୍କ କାଳିମା ବୋଳି ପାରିଛି । ଏ ସେଇ ସୁଶିକ୍ଷିତ ସ୍ୱାମୀ ଯେ ତୁମପରି ସରଳା କୁଳବାଳାର ମହିମା ମଣ୍ଡିତ ମସ୍ତକରେ ଦର୍ପିତ ପଦାଘାତ–’’କଥାଟା ଶେଷ କରିପାରିଲେ ନାହିଁ । ଭାବୋଚ୍ଛ୍ଵାସରେ ବାସ୍ପାବେଗରେ ତାଙ୍କର କଣ୍ଠରୁଦ୍ଧ ହୋଇଗଲା । ଆଖିରୁ ଝର ଝର ଲୋତକ ଧାର ବହିଗଲା । କୋକିଳ ଚକିତ ଚମକିତ ଚାହାଁଣିରେ ଥରେ ତାଙ୍କର ମୁଖମଣ୍ଡଳକୁ ଚାହିଁଦେଇ ମଥାନତ କଲା । ପରକ୍ଷଣରେ ଲୋଟିପଡ଼ିଲା ସ୍ୱାମୀର ପାଦତଳେ-

 

ଉଭୟଙ୍କର ଉଚ୍ଛ୍ୱସିତ ଅଶ୍ରୁଧାରାରେ ହୃଦୟରୁ ଦୁଃ ଦୈନ୍ୟ ମାଳିନ୍ୟ ଅନେକଟା ଧୋଇ ହୋଇଗଲା । ମଧୁସୂଦନ କୋକିଳକୁ କ୍ରୋଡ଼କୁ ଟାଣିନେଇ କହିଲେ,’’ତୁମର ସ୍ୱାମୀ ବୋଲି ଗର୍ବ କରିବାର ଗୌରବକୁ ମୁଁ ନିଜର ଅବିବେକୀ ପଣରେ ପଦଦଳିତ କରିଛି । ତୁମର ସରଳ କୋମଳ ପ୍ରାଣରେ ଗୁରୁ ଆଘାତ ଦେଇଛି । ତଥାପି ଏ ଅଧମ ତମର ଅଯୋଗ୍ୟ ସ୍ୱାମୀ । ସେ ଦୋଷ କ୍ଷମା କରିବନି ?’’ କୋକିଳ ତାଙ୍କର ବକ୍ଷରେ ମୁହଁ ଲୁଚାଇ କହିଲା, ‘‘ତୁମ ଦୋଷ କାହିଁକି ହେବ ? ମୋରି ପୋଡ଼ା କପାଳର ସବୁ ଦୋଷ ।’’

 

ସନ୍ତାପିତ ଅନ୍ତର ଦୁଇଟି ଆନନ୍ଦରେ ଆବେଗରେ, ଉତ୍ସାହରେ ପୂରିଉଠିଲା । ଆହା ! ନିଦାଘପରେ ବର୍ଷା କି ଶୀତଳ । ଶୀତପରେ ବସନ୍ତ କି ସୁନ୍ଦର । ଅମାବସ୍ୟା ପରେ ଜ୍ୟୋତ୍ସ୍ନା କି ରୁଚିକର । ବିଚ୍ଛେଦ ପରେ ମିଳନ କି ମଧୁର ।

 

ନବଦମ୍ପତି ଯେତେବେଳେ ପ୍ରଣୟ-ସଂପତ୍ତିରେ ବିଭୋର ଠିକ୍ ସେତିକି ବେଳେ ବାହାରେ ବହୁଲୋକଙ୍କର କଣ୍ଠସ୍ୱର ଶୁଣାଗଲା । ଉଭୟେ ସଚମକେ ଦ୍ୱାରଦେଶକୁ ଚାହିଁଲେ । ମାଳତୀ ପ୍ରବେଶ କରି କହିଲା, ‘କୋଇଲି’ ! ମୋ କଥା ଭଲ ଲାଗୁନଥିଲା ପରା ? ଏବେ କେମିତି ଲାଗୁଛି ?’’ କୋକିଳ ମୁଣ୍ଡରେ ଲୁଗାଟା ଠିକ୍ କରୁ କରୁ ଉଠିପଡ଼ିଲା । ମଧୁସୂଦନ ବି ଠିଆ ହୋଇଗଲେ । ମାଳତୀ କାହାକୁ ଉଦ୍ଦେଶ୍ୟ କରି ପାଟିକରି ଡାକିଲା; ‘‘ଏଇ ଘରକୁ ଆସ ।’ ସଙ୍ଗେ ସଙ୍ଗେ ଚାରିଜଣ ଲୋକ ସେ ଘର ଭିତରକୁ ପଶି ଆସିଲେ । ମଧୁସୂଦନଙ୍କର ବିସ୍ମୟରେ ସୀମା ରହିଲା ନାହିଁ । ଲଜ୍ଜ୍ୟା ବିନମ୍ରା କୋକିଳ ଶ୍ୱଶୁରଙ୍କ ପାଦରେ ଓଳଗି କଲା । ଶାଶୁଙ୍କ ପାଦ ଛୁଇଁବାକୁ ଯାଉଛି, ଲକ୍ଷ୍ମୀସୁନ୍ଦରୀ ବୋହୂକୁ କୋଳକରି କାନ୍ଦିବାକୁ ଲାଗିଲେ । ଦୀନବନ୍ଧୁ ପଟ୍ଟନାୟକ ହସି ହସି କହିଲେ, ‘‘ଶୁଭ ମୁହୂର୍ତ୍ତରେ ଅଶୁଭର ଚିହ୍ନ । କନ୍ଦାକଟା ପୁଣି କାହିଁକି ? ସେଦିନ ଚାଲିଯାଇଛି । ଏଣିକି ହସଖୁସିର ପାଳି ।’’

 

ମାଳତୀର ପଣନ୍ତକାନି ଧରି ରମ୍ଭା ପଚାରିଲା; ‘‘ମାଳତୀ ଅପା ! ସାନଭାଇନା କୋଉଠି-?’’

Image